ସ୍ତବକଳ୍ପଦ୍ରୁମ

 

 

 

 

 

 

 

 

 

 

ସ୍ତବକଳ୍ପଦ୍ରୁମ

ଭକ୍ତକବି ବଳଭଦ୍ର ଦାସ

 

ପ୍ରଥମ ଅଧ୍ୟାୟ

 

ଧ୍ୟାୟେଽହଂ ରାମକୃଷ୍ଣଂ ଯଦୁକୁଳନଳିନଂ ପୀତବସ୍ତ୍ରଂ ସୁଦକ୍ଷଂ ।

ଯୁନ୍ମାଙ୍ଗଂ ସଙ୍ଗୀଭୂତଂ ଭୂତ ଜନକ ମନୋହାରିଣଂ ଷୋଡ଼ଶାକ୍ଷଂ ।

ଦ୍ୱାତ୍ରିଂଶବ୍ଦର୍ଣ୍ଣରୂପାବୟ ମନୁତିନଂ ଭାସ୍କରଂ ସର୍ବ ବୀଜଂ ।

ସଂସାରସ୍ୟାତିନାଶଂ କଳିକଳୁଷହରଂ ଦେବଦେବଂ ନମାମି ।୧।

ଶ୍ରୀଗୁରୁ ବୈଷ୍ଣବଂ କୃଷ୍ଣପଦ ଦ୍ୱୟାରବିନ୍ଦୟୋଃ ।

ବନ୍ଦେଽହଂ ମଧୁଲୋଭାନାଂ ନ ଜାନେ ପ୍ରାପ୍ତା କୋବିଧିଃ ।୨।

 

ବନ୍ଦଇଁ ଶ୍ରୀଗୁରୁ ଚରଣ

ଯାହାରେ ଜୀବେ ପରିତ୍ରାଣ

।।

ବେଷ୍ଣବ ଚରଣ ବନ୍ଦଇଁ

ଯାହାରେ ବାଞ୍ଛା ପୂର୍ଣ୍ଣ ହୋଇ

।।

ଶ୍ରୀକୃଷ୍ଣ ପଦ ଅରବିନ୍ଦ

ବନ୍ଦଇଁ ଯେ ଭକ୍ତ ସମ୍ପଦ

।।

ସେ ପାଦ ପଦ୍ମର ମହିମା

ବ୍ରହ୍ମା ଶିବାଦିରେ ଅଗମ୍ୟା

।।

ଯେ ପାଦ ପଦ୍ମ ବେନି ନଦୀ

ବହେ ବ୍ରହ୍ମାଣ୍ଡ ମଧ୍ୟେ ଭେଦି

।।

ଏକ ନଦୀ ଗଙ୍ଗା ହୋଇଲେ

ବଳେ ତ୍ରିତାପକୁ ଦହିଲେ

।।

ତାହାଙ୍କୁ ଛଳି ମକରନ୍ଦ

ବହଇ ହୋଇଣ ଆନନ୍ଦ

।।

ଯୋଗୀନ୍ଦ୍ର ମାନସ ଚଡ଼ାଗେ

ବହନ ପୂରିଲେ ସେ ବେଗେ

।।

ସେ ଭକ୍ତବୃନ୍ଦଙ୍କ ନୟନ

ସର୍ବଦା ତହିଁରେ ପତନ

।।

ଏମନ୍ତ ଚରଣାରବିନ୍ଦେ

ଯେ ଭକ୍ତି କରେ ପ୍ରେମାନନ୍ଦେ

।।

ସେ ସର୍ବ ଦୁଃଖ ପରିହରେ

ଅନ୍ତେ କୃଷ୍ଣଙ୍କୁ ସେବା କରେ

।।

ଶ୍ରୀଭାଗବତ ପୁରାଣରେ

ଲିଖନ ଅଛଇ ବିଧିରେ

।।

କରିଛନ୍ତି ପ୍ରାକୃତ ଗୀତ

ମହାନ୍ତ ଦାସ ଜଗନ୍ନାଥ

।।

ଯେ ସ୍ତବେ କୃଷ୍ଣଙ୍କୁ ଡାକିଲେ

ତତ୍‌କ୍ଷଣେ ବରକୁ ପାଇଲେ

।।

ଶ୍ରୀକୃଷ୍ଣ ଆସି ତାଙ୍କ ପାଶେ

ମନୋରଥ ଦେଲେ ହରଷେ

।।

ଅଧିକ ଦେଲେ ପ୍ରେମଭକ୍ତି

ଯାହାକୁ ତୁଲ୍ୟ ନୋହେ ମୁକ୍ତି

।।

ହରି ସ୍ତବନେ ପ୍ରାଣୀ ତରେ

ସଂସାର ଦୁଃଖରୁ ନିସ୍ତରେ

।।

ପ୍ରଥମ ସ୍କନ୍ଧେ ଏହୁ ବାଣୀ

ସପ୍ତମ ଅଧ୍ୟାରେ ବଖାଣି

।।

ଅଶ୍ୱଥାମାର ବାଣ ଭୟେ

ଅର୍ଜୁନ ଏହି ସ୍ତବେ ଧ୍ୟାୟେ

।।

ପଡ଼ିଲା ଭୟେ ପାଦତଳେ

ବୋଇଲା ଜୀବନ ବିକଳେ

।।

ହେ କୃଷ୍ଣ କୃଷ୍ଣ ଯୋଗେଶ୍ୱର

ଶରଣ ଜନଙ୍କ ସୋଦର

।।

ସଂସାରେ ଅନଳ ଦହନ

ଡରେ ସ୍ମରନ୍ତି ତୋତେ ଜନ

।।

ତାହାଙ୍କୁ ଦେଉ ମୋକ୍ଷ ଗତି

ଅବ୍ୟୟ ବ୍ରହ୍ମେ ସେ ପଶନ୍ତି

।।

ଆଦି ପୁରୁଷ ନିରଞ୍ଜନ

ପ୍ରକୃତି ପରେ ତୋ ବିଶ୍ରାମ

।।

ଏଜୀବ ଲୋକେ ତୋର ମାୟା

ତୁଟଇ ଯାରେ କରୁ ଦୟା

।।

ଏ ଯେ ତୋହର ଅବତାର

ଖଣ୍ଡିବ ଅବନୀର ଭାର

।।

ଯେ ତୋତେ ଶରଣ ପଶଇ

ସଂସାରେ ତାକୁ ନ ବାଧଇ

।।

ଏଣୁ ମୋହର ଗତି ତୁହି

ତୋ ମାୟା ବଳ ନ ଜାଣଇ

।।

ଏ ଯେ ଅଛଇ ବ୍ରହ୍ମଶର

ତେଜେ ଆଚ୍ଛାଦି ତିନିପୁର

।।

ସ୍ୱଭାବେ ପ୍ରଚଣ୍ଡ ଦାରୁଣ

ଦେଖି କମ୍ପଇ ମୋର ମନ

।।

କହ କି କରିବି ଗୋସାଇଁ

ତୋ ବିନୁ ଅନ୍ୟଗତି ନାହିଁ

।।

ଏମନ୍ତେ ଅର୍ଜୁନର ସ୍ତବ

ଶୁଣି ସନ୍ତୋଷ ବାସୁଦେବ

।।

ଦୟାସାଗର ଦୟା କଲେ

ଅର୍ଜୁନ ସଙ୍କଟୁ ତାରିଲେ

।।

ପ୍ରଥମ ଅଷ୍ଟମ ଅଧ୍ୟାରେ

ଉତ୍ତରା ସ୍ତବ ନିରନ୍ତରେ

।।

ଅର୍ଜୁନେ ପାଇ ଅପମାନ

କୋପେ ଯେ ଦ୍ରୋଣଙ୍କ ନନ୍ଦନ

।।

ବେଗେ ପେଷିଲା ବ୍ରହ୍ମଶର

ବୋଇଲା ଅପାଣ୍ଡବ କର

।।

ସେ ଶର ଆଶୁ ଗଗନରେ

ଉତ୍ତରା ଦେଖି ନୟନରେ

।।

ବିକଳେ ବେନି କର ତୋଳି

ଡାକଇ ରଖ ବନମାଳି

।।

ଭୋ ଦେବଦେବ ଜଗନ୍ନାଥ

ଭାରାନିବାରେ ତୋର ଜାତ

।।

ଅନାଦି ନାଥ ଭାବଗ୍ରାହି

ଘୋର ସଂକଟୁ କର ତ୍ରାହି

।।

ତୋ ବିନୁ ନ ଜାଣଇ ଆନ

ଅଭୟ ସଙ୍କଟ ଭଞ୍ଜନ

।।

ଏଯେ ଗଗନ ମାର୍ଗେ ଶର

ଆସଇ ଯେହ୍ନେ ଦିବାକର

।।

ପାଣ୍ଡବ କୁଳ ଏ ନାଶିବ

ଏହାକୁ କେବା ନିବାରିବ

।।

ତୋର ଶରଣ ଗଲି ମୁହିଁ

ମୋ ଗର୍ଭ ରଖ ଭାବଗ୍ରାହୀ

।।

ଏ ଗର୍ଭ ରବିତଳେ ଥାଉ

ମୋର ଜୀବନ ବାଣ ଦହୁ

।।

ଉତ୍ତରା ବାକ୍ୟ କର୍ଣ୍ଣେ ଶୁଣି

ଗର୍ଭ ରଖିଲେ ଚକ୍ରପାଣି

।।

ଏହି ଅଧ୍ୟ୍ୟାରେ ଯୁଧିଷ୍ଠିର

ଦେଖି କାତର ଦ୍ରୋଣି ଶର

।।

ଚାହିଁଣ କୃଷ୍ଣ ପଦମୁଖ

ଅନ୍ତେ ବୋଲନ୍ତି ରଖ ରଖ

।।

ତାହା ଜାଣିଲେ ନରହରି

ତତ୍‌କ୍ଷଣେ ଚକ୍ରକୁ ସୁମରି

।।

ଚକ୍ରେ ପାଣ୍ଡବଙ୍କୁ ରଖିଲେ

ଦ୍ରୋଣିର ଶର ନାଶକଲେ

।।

ଏ ଅଷ୍ଟ ଅଧ୍ୟାରେ ଯେ କୁନ୍ତୀ

କୃଷ୍ଣଙ୍କୁ ଚାହିଁଣ ସ୍ତବନ୍ତି

।।

ଭୋ ନାଥ ନମୁଁ ତୋ ପୟର

ଆଦି ପୁରୁଷ ତୁ ଈଶ୍ୱର

।।

ପ୍ରକୃତି ପରେ ତୋର ବାସ

ଏଣୁ ପ୍ରାଣୀଙ୍କି ଅପ୍ରକାଶ

।।

ଜନ୍ତୁଙ୍କ ଅନ୍ତର ବାହାରେ

ତୋ ବିନୁ ଅନ୍ୟ ନାହିଁ ପରେ

।।

ଆଚ୍ଛାଦି ମାୟା ଜବନିକା

ନିର୍ଲେପ ରୂପେ ଥାଉ ଏକା

।।

ଇନ୍ଦ୍ରିୟ ଗଣେ ତୁଲ୍ୟ କରି

ଅବ୍ୟୟ ଆତ୍ମାରୂପେ ପୁରି

।।

ତୋହର ମାୟା ଯାର ଚିତ୍ତେ

ସେ ତୋତେ ଜାଣିବେ କେମନ୍ତେ

।।

ନଟଙ୍କ ମଧ୍ୟେ ଯେ ନାୟକ

ସେ ଯେହ୍ନେ ନାଟେ ମୋହେଲୋକ

।।

ନାନା କାଛେଣି ସେ ଭିଆଇ

ନୃତ୍ୟକାରଙ୍କୁ ସେ ନଚାଇ

।।

ଦେଖନ୍ତା ପ୍ରାଣୀ ମନ ମୋହେ

ନିଶ୍ଚେ ବିଚାରେ କିଛି ନୋହେ

।।

ପରମହଂସ ଦୀକ୍ଷା ପଣେ

ନିର୍ମଳଚେତା ମୁନିଗଣେ

।।

ତୋ ପାଦ ଧ୍ୟାୟି ଅବିରତେ

ଦୃଢ଼ ଭକତି ଅନୁବ୍ରତେ

।।

ସେ ଭକ୍ତି ଯୋଗର ବିଧାନ

ମୁଁ କାହିଁ ଜାଣିବି ସ୍ତ୍ରୀ ଜନ୍ମ

।।

ତୁ ନାଥ କୃଷ୍ଣ ଅବତାରେ

ପ୍ରକାଶ ବସୁଦେବ ଘରେ

।।

ଦେବକୀ ଗର୍ଭରେ ସମ୍ଭବ

ଏଣୁ ତୋ ନାମ ବାସୁଦେବ

।।

ଅଶେଷ ଜୀବ ହୃଦଗତେ

ତୋର ବିହାର ଆତ୍ମା ମତେ

।।

ଏ ଘେନି ନ ଜାଣନ୍ତି କେହି

ତୁ ଆତ୍ମା ହେଉ ସର୍ବଦେହୀ

।।

କୁମର ରୂପେ ନନ୍ଦଘରେ

ତୋର ବିହାର ଗୋପପୁରେ

।।

ଇନ୍ଦ୍ର ବିବାଦେ ବନମାଳୀ

ମନ୍ଦର ବାମଭୁଜେ ତୋଳି

।।

ରଖିଲୁ ଗୋପର ସମ୍ପଦ

ଏମନ୍ତେ ନାମ ତୋ ଗୋବିନ୍ଦ

।।

ପ୍ରଳୟ ଜଳେ ତୋର ବାସ

ନାଭିରୁ ପଙ୍କଜ ପ୍ରକାଶ

।।

ପଙ୍କଜ ମାଳ ତୋର ଗଳେ

ବିହରୁ ଭୁବନମଣ୍ଡଳେ

।।

ପଙ୍କଜଲୋଚନ ସୁନ୍ଦର

ନମଇଁ ପଙ୍କଜ ପୟର

।।

ଦେବକୀ ଦେବୀ କଂସଡ଼ରେ

ବନ୍ଦିରେ ଥିଲା ଶୋକଭରେ

।।

ମୁଁ ପଞ୍ଚପୁତ୍ର ଘେନି ଏକେ

ବନେ ବଞ୍ଚଇଁ ଦୁଃଖ ସୁଖେ

।।

ଦେବକୀ ପ୍ରାୟ ମୋତେକରି

ଅଶେଷ ସଙ୍କଟୁ ଉଦ୍ଧରି

।।

ଭୀମକୁ ବିଷଲଡ଼ୁ ଦେଲେ

ତହିଁ ରଖିଲୁ ତେତେବେଳେ

।।

ପୁଣି ଅଜ୍ଞାତ ବନବାସେ

ତହୁଁ ବଞ୍ଚିଲୁ ନାନା ଦେଶେ

।।

ଯୁଦ୍ଧେ ଦୂର୍ଜୟ ରିପୁ ତ୍ରାସୁ

ତୁ ନାଥ ମୋ ପୁତ୍ରେ ଉଶ୍ୱାସୁ

।।

ଉତ୍ତମ କୁଳେ ଜନ୍ମପାଇ

ପ୍ରକୃତି ତୋତେ ନ ଜାଣଇ

।।

ତୁ ନାଥ ଆତ୍ମାରାମ ଶାନ୍ତା

ନମସ୍ତେ କଇବଲ୍ୟ ଦାତା

।।

ତୁ ନାଥ କାଳ ରୂପ ହେଉ

ଅନାଦି ନିଧନ ବୋଲାଉ

।।

କ୍ରମେ ତୁ ବସୁ ପ୍ରାଣି ଦେହେଁ

ପ୍ରାଣିଏ ତୋର ମାୟା ମୋହେ

।।

ଭଜନ୍ତି ଅନ୍ୟୋଅନ୍ୟ ଭାବେ

କଳି ଯେସନେ କଳିଯୁଗେ

।।

ତୋହର ଇଚ୍ଛା କେ ଜାଣିବ

ଶରୀର ବହି ବ୍ରହ୍ମା ଶିବ

।।

ତୋର ଚରିତ ଭଗବାନ

ଏ ନରଲୋକେ ବିଡ଼ମ୍ବଣ

।।

ଯେଣୁ ତୋ ରିପୁ ମିତ୍ର ନାହିଁ

ପ୍ରାଣୀ ଜାଣିବେ ତୋତେ କାହିଁ

।।

ତୁ ବିଶ୍ୱ ଆତ୍ମା ନରହରି

ନିଜ ବିହାରେ ଦେହ ଧରି

।।

ପଶୁଙ୍କ ଘରେ ହେଉ ଜାତ

ଋଷିଙ୍କ ଘରେ ଋଷିପୁତ

।।

ଜଳଜନ୍ତୁଙ୍କ ମଧ୍ୟେ ତୁହି

ବିହରୁ ମୀନ କୂର୍ମ ହୋଇ

।।

ଏ କଥା ତୋତେ ବିଡ଼ମ୍ବଣ

ଆଧ୍ୟାତ୍ମ ଆତ୍ମା ନିରଞ୍ଜନ

।।

ଦଧିମନ୍ଥନ ବେଳେ ଧରି

ରୋଳେ ବାନ୍ଧିଲା ନନ୍ଦ ନାରୀ

।।

ପଛେ ଲୁଚାଇ ଛୋଟ ଗୋଟି

ତା ଦେଖି ଭୂମିରେ ତୁ ଲୋଟି

।।

ଚକ୍ଷୁ ଅଞ୍ଜନ ପୋଛି କରେ

କାନ୍ଦି ପଡ଼ିଲୁ ତା ପୟରେ

।।

ବଦନ ହସ୍ତକେ ଲୁଚାଇ

ଭୟେ କମ୍ପଇ ତୋର ଦେହି

।।

ଏ ଦଶା ତୋତେ ସମ୍ପାଦିଲା

ମୋତେତ ସନ୍ଦେହ ଲାଗିଲା

।।

ଭୟ ଯାହାର ନାମେ ହରେ

ସେ କିପାଁ ଯଶୋଦାକୁ ଡରେ

।।

ତୁ ନାଥ ମାୟା ଯୋଗଅଂଶେ

ଜନ୍ମିଲୁ ଯଦୁରାଜା ବଂଶେ

।।

ସ୍ୱଭାବେ ଜନ୍ମ ନାହିଁ ତୋର

ଯେଣୁ ଖଣ୍ଡିବ ଭୂମିଭାର

।।

ଏଣୁ କଳ୍ପନ୍ତି ସାଧୁଜନେ

ମଳୟ ଯେସନେ ଚନ୍ଦନେ

।।

ଅପରେ ଯେତେ ସାଧୁଜନ

ତୋ ଜନ୍ମ କରି ଅନୁମାନ

।।

ବୋଲନ୍ତି ବସୁଦେବ ଘରେ

ଜନ୍ମିଲେ ଭୂମି ଭାରାଭରେ

।।

ପୂର୍ବେ କଠୋର ତପକରି

ବର ମାଗିଲା ପୁତ୍ର ହରି

।।

ତେଣୁ ଦେବକୀ ଗର୍ଭେ ଜାତ

ତୁ ଯେଣୁ ଅନାଥର ନାଥ

।।

ଅସୁରଙ୍କର ଭାରେ ମହୀ

ବ୍ରହ୍ମା ସମୀପେ ଯାଇଁ କହି

।।

ତାହାର ଅର୍ଥେ ଭଗବାନ

ଜଳେ ଯେ ତୋହର ଶୟନ

।।

ସର୍ବ ଦେବଙ୍କୁ ଘେନିଗଲା

ତୋର ଚରଣେ ସ୍ତୁତି କଲା

।।

ପଡ଼ିଲା ତୋ ଚରଣ ତଳେ

ନାବ ବୁଡ଼ଇ ଯେହ୍ନେ ଜଳେ

।।

ତେମନ୍ତେ ବୁଡ଼ିଲା ଧରଣୀ

ଏହାକୁ ରଖ ଚକ୍ରପାଣି

।।

ତେଣୁ ତୁ ନରରୂପ ଧରି

ଭୂମି ମଣ୍ଡଳେ ଅବତରୀ

।।

ଅବିଦ୍ୟା କାମ କର୍ମଜଳେ

ଜନ୍ମ ଏ ଦୁଃଖ ଭବଜଳେ

।।

ଅତି କ୍ଳେଶିତ ତାଙ୍କ ଦେହୀ

ତାହାଙ୍କୁ ଉଦ୍ଧାରିବା ପାଇଁ

।।

ଧ୍ୟାନ ଶ୍ରବଣ ମନ୍ତ୍ର କରୁ

ଯେଣୁ ମହିମା କଳ୍ପତରୁ

।।

ତୋର ଚରିତ କର୍ଣ୍ଣେ ଶୁଣି

ତୋର ମହିମା ନାମ ଗୁଣି

।।

ଜୀବନ ନିଶ୍ଚେ ତୋତେ ଦ୍ୟନ୍ତି

ଆନନ୍ଦ ଦେହେଁ ପରାସପନ୍ତି

।।

ଏଣୁ ପଶନ୍ତି ତୋ ଚରଣେ

ନିଶ୍ଚିନ୍ତେ ଧ୍ୟାନ ସୁମରଣେ

।।

ତୋର ଚରଣ ତାକୁ ରଖେ

ତରନ୍ତି ଭବାବ୍ଧିରୁ ସୁଖେ

।।

ସେ ପାଦେ ପଶିଲି ଶରଣ

ମୋତେ ନ ଛାଡ଼ ନାରାୟଣ

।।

ତୋହର ହିତେ ମୋର ପୁତ୍ରେ

ଜନ୍ମିଲେ ଏ ଘୋର ଜଗତେ

।।

ତୋର ସୁହୃଦପଣେ ହରି

ତୋର ଚରଣେ ଆଶ୍ରେ କରି

।।

ନିତ୍ୟେ କରନ୍ତି ତୋତେ ଧ୍ୟାନ

ତୋ ତହୁଁ ନ ଜାଣନ୍ତି ଆନ

।।

ଅପ୍ରାଧ କରି ରାଜକୁଳେ

ପଶନ୍ତି ତୋର ବାହୁତଳେ

।।

କେବଳ ନାମ ରୂପ ତୋର

ମୋର ପୁତ୍ରଙ୍କ ସୁଖ ଘର

।।

ଯଦୁଙ୍କ ସଙ୍ଗେ ଗହା ଚିନ୍ତି

ଏ ଭବଭୟେ ନ ଡରନ୍ତି

।।

ତୋ ରୂପ ଦେଖୁ କେ ନୟନେ

ଇନ୍ଦ୍ରିୟଗଣେ ଆତ୍ମା ଯେହ୍ନେ

।।

ଏମନ୍ତେ ତୋର ପାଦ ଲାଗି

ଏ ମହୀ ଦିଶଇ ସୌଭାଗୀ

।।

ତୋ ଅବତାର ଯେବେ ଯିବ

ବିଧବାପ୍ରାୟେକ ଦିଶିବ

।।

ଏହା ଉପରେ ଯେତେ ଜନ

ଗ୍ରାମ ଔଷଧି ଗିରି ବନ

।।

ସମୁଦ୍ର ଆଦି ଜଳମାନେ

ବହନ୍ତି ତୋଚରଣ ଧ୍ୟାନେ

।।

ହେ ବିଶ୍ୱଆତ୍ମା ବିଶ୍ୱେଶ୍ୱର

ମୁଁ ତୋର ଚରଣେ କିଙ୍କର

।।

ପାଣ୍ଡବକୁଳେ କୃଷ୍ଣ ବଂଶେ

ମୁଁ ଯେ ବନ୍ଧନ ଦୃଢ଼ପାଶେ

।।

ତୁ ଯେବେ ଶରଣ ସୋଦର

ସେନେହ ପାଶ ଦୂର କର

।।

ହେ ନାଥ ଶ୍ରୀମଧୁସୂଦନ

ତୋର ଚରଣେ ନିତ୍ୟେ ମନ

।।

ସର୍ବ ବିଷୟ ଦୂରେ ଚିନ୍ତ

ତୋର ବିଷୟେ ହେଉ ମତି

।।

ଗଙ୍ଗାର ସ୍ରୋତ ସର୍ବ ଦେହେଁ

ଯେସନେ ସିନ୍ଧୁଜଳେ ବହେ

।।

ଶ୍ରୀକୃଷ୍ଣ କୃଷ୍ଣ ଶଖା ତୁହି

ଦୃଷ୍ଟିର ପର ଭାବଗ୍ରାହୀ

।।

ଅବନୀଧର ଆଦିମୂଳ

ଦୁଷ୍ଟ କ୍ଷତ୍ରିୟ କାଳାନଳ

।।

ତୋହର ତେଜେ ଏ ମରନ୍ତି

ନିଶ୍ଚିନ୍ତେ ତୋ ଦେହେଁ ପଶନ୍ତି

।।

ଗୋବିନ୍ଦ ଶରଣ ସୋଦର

ହେ ବିପ୍ର ଦେବ ଦୁଃଖହର

।।

ତୋ ଅବତାର ଏ ଜଗତେ

ଗୋରୁ ବ୍ରାହ୍ମଣ ଦେବହିତେ

।।

ଅଖିଳଗୁରୁ ଯୋଗେଶ୍ୱର

ଭୋ ନାଥ ଶରଣ ସୋଦର

।।

ଏମନ୍ତ କୁନ୍ତୀ ସ୍ତବ ଶୁଣି

ବାଞ୍ଛିତ ଦେଲେ ଚକ୍ରପାଣି

।।

ସେ ହରି ଚରଣ ପଙ୍କଜେ

ଅବିଶ୍ରାନ୍ତରେ ଯେହୁ ଭଜେ

।।

ସର୍ବ ଅମଙ୍ଗଳୁ ତରଇ

ଯଶ କୀର୍ତ୍ତି ତାର ବଢ଼ଇ

।।

ଭଣଇଁ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ଏଣୁ ସୁଜନେ କୃପାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତବାକ୍ୟଂ

ନାମ ପ୍ରଥମୋଽଧ୍ୟାୟଃ ।

Image

 

ଦ୍ୱିତୀୟ ଅଧ୍ୟାୟ

 

ପ୍ରଥମ ନବମ ଅଧ୍ୟାରେ

ଭୀଷ୍ମଦେବ ଶରଶଯ୍ୟାରେ

।।

ଅନ୍ତରେ ବେନିକର ଯୋଡ଼ି

ବୋଲେ ଗୋବିନ୍ଦପାଦେ ପଡ଼ି

।।

ଏବଂ ପ୍ରକାରେ ଗତି ମୋର

ତୃଷ୍ଣା ବର୍ଜିତ ନିର୍ବିକାର

।।

କୃଷ୍ଣ ଚରଣେ ହେଉ ଲୀନ

ଯେ ହରି ଭକ୍ତ ପୂର୍ଣ୍ଣକାମ

।।

ଯାର ମହିଁମା ଯୋଗିଜନେ

ଚିନ୍ତି ନ ପାରି ନାନାଧ୍ୟାନେ

।।

ସେ ଦେବ ସୁଖେ ଥାଇ ନିତ୍ୟେ

ପ୍ରକୃତି ଭଜେ ଜୀବ ଅର୍ଥେ

।।

ପ୍ରକୃତି ତହୁଁ ଏ ଜଗତ

ପ୍ରବାହ ରୂପେ ଆତଯାତ

।।

ଯେ ପ୍ରଭୁ ସ୍ଥୂଳ ସକ୍ଷ୍ମନ୍ତର

ଯେ ନାମ ରୂପ ଅଗୋଚର

।।

ଯେ ପଞ୍ଚବିଂଶ ତତ୍ତ୍ୱଧାରୀ

ସେ ମାୟା ଶରୀରେ ବିହରି

।।

ତମାଳପତ୍ର ପ୍ରାୟେ ବର୍ଣ୍ଣ

ଯେ ରୂପେ ମୋହେ ତ୍ରିଭୁବନ

।।

ପୀତବସନ କଟୀମାଝେ

ପ୍ରକାଶେ ରବି ରଶ୍ମି ତେଜେ

।।

ଅଳତ୍ଵା ଆବୃତ କପୋଳ

ବିରାଜେ ବଦନମଣ୍ଡଳ

।।

ଦେଖି ଆନନ୍ଦ କୋଟି ଗଞ୍ଜେ

ତତ୍ତୁଲ୍ୟ ନାହିଁ ରୂପଦୁଯେ

।।

ଅର୍ଜୁନସଖା ପାଦତଳେ

ମୋ ଚିତ୍ତ ରହୁ ସୁନିଶ୍ଚଳେ

।।

ସଂଗ୍ରାମେ ଅଶ୍ୱଧୁଳି କାୟେ

ଶିର ବଦନେ ଧୂମ୍ର ପ୍ରାଏ

।।

ବିରାଜେ ସ୍ୱେଦକଣା ଅଙ୍ଗେ

ବିବିଧ ଅଳଙ୍କାର ଭଙ୍ଗେ

।।

ମୋହର ବାଣ ତୀକ୍ଷ୍ଣପନ୍ତି

ବାର କବଚେ ଝଲକନ୍ତି

।।

ସେ ରୂପେ ପଶୁ ମୋର ପ୍ରାଣ

ସମରେ ଦେଖି ବନ୍ଧୁଗଣ

।।

ମୁଁ ଆତତାୟୀ ଦୁଷ୍ଟ ବୁଦ୍ଧି

ଅନେକ ତୀକ୍ଷ୍ଣ ଶସ୍ତ୍ର ବିନ୍ଧି

।।

ସେ ପାଦେ ପଶିଲି ଶରଣ

ଏ ଭବଜଳୁ ପରିତ୍ରାଣ

।।

ଏ ଯୁଦ୍ଧଭୂମିରେ ଅର୍ଜୁନ

ସମରଅର୍ଥେ କୋପମନ

।।

ଯେ ହରି ଅର୍ଜୁନବଚନେ

ରଥ ନିବେଶି ମଧ୍ୟ ଶୂନ୍ୟେ

।।

କଟାକ୍ଷ ଅରୁଣନୟନେ

ଆୟୁଷହରେ ଘୋର ସ୍ୱନେ

।।

ସେ ହରି ପାଦେ ମୋ ଶରଣ

ଏ ଭବୁଁ କର ପରିତ୍ରାଣ

।।

ତାର ଚରଣେ ଚିତ୍ତ ବୃତ୍ତି

ନିରତେ ଥାଉ ମୋର ମତି

।।

ଯେ ଯୁଦ୍ଧ ଭୂମିରେ ଅର୍ଜୁନ

ସମର ଅର୍ଥେ କୋପମନ

।।

ଦେଖିଲା ସର୍ବ ବନ୍ଧୁଜନ

ଦୟାରେ ନ ଯୁଝେ ଅର୍ଜୁନ

।।

ଦୟାରେ ତାର ମନ ମୋହି

ଅନେକ ଆତ୍ମ ଜ୍ଞାନ କହି

।।

ତାହାର କୁମତି ହରିଲା

ତା କରେ ସର୍ବ ସଂହାରିଲା

।।

ତାର ଚରଣେ ମୋର ମତି

ନିଶ୍ଚଳେ ହେଉ ଆତ୍ମାରତି

।।

ମୋହର ତୁଲେ ସତ୍ୟ କଲା

ଚକ୍ର ନ ଧରିବି ବୋଇଲା

।।

ମୋହର ତୀକ୍ଷ୍ଣବାଣେ କୋପି

ମୋର ବଚନେ ସତ୍ୟ ସ୍ଥାପି

।।

ରକ୍ଷଣେ ଚକ୍ର ଧରି ହସ୍ତେ

ରଥ ଉପେକ୍ଷ ଭୂମିଗତେ

।।

ଧାମନ୍ତେ ଅବନି କମ୍ପିଲା

ଉତ୍ତରୀ କନ୍ଧୁ ଉଡ଼ିଗଲା

।।

ଚକ୍ର ଉଞ୍ଚଇ ମହାକୋପେ

ମିଳିଲା ମୋହର ସମୀପେ

।।

ସ୍ୱଧର୍ମେ ସଂଗ୍ରାମେ ଉପେକ୍ଷି

ସିଂହ ଯେସନେ ଗଜ ଦେଖି

।।

ମୁଁ ଆତତାୟୀ ଜଣେ ଅନ୍ଧୀ

ଅସଂଖ୍ୟବାଣ ରୋଷେ ବିନ୍ଧି

।।

ବିଶ୍ରାନ୍ତକରି ସେନା ଅଙ୍ଗେ

ଦେଖି ଧାଇଁଲା ଅତି ବେଗେ

।।

ରୁଧିର ଭୂଷଣ ଶରୀରେ

ଭୂମି କମ୍ପଇ ପାଦଭରେ

।।

ହରିବାପାଇଁ ମୋର ପ୍ରାଣ

ମୁଁ ଏବେ ପଶିଲି ଶରଣ

।।

ବିଜୟୀରଥେ ଯେ ସାରଥି

ରଥଆରୋହି ଶୁଭ ଚିନ୍ତି

।।

ସଂଗ୍ରାମକରି ଯେତେ ମଲେ

ତା ଦେଖି ତାରଭାବେ ଗଲେ

।।

ଏବେ ହୋ ପ୍ରାଣତ୍ୟାଗକାଳେ

ମୋ ଚିତ୍ତ ରହୁ ତାର ମେଳେ

।।

ଗୋପନଗରେ ବୃନ୍ଦାବନେ

ରାସଉତ୍ସବେ ଗୋପୀଜନେ

।।

ଲଳିତଗତି ସୁବିଳାସ

ମନୋଜ୍ଞବୁଦ୍ଧି ମନ୍ଦହାସ

।।

ଯେ ହରି ସଙ୍ଗେ ଭାବ କରି

ଭବସାରୁ ଗଲେ ତରି

।।

ଧର୍ମ ନନ୍ଦନ ଯଜ୍ଞକାଳେ

ଯେ ହରି ବିପ୍ର ଋଷିମେଳେ

।।

ଯାହାର ପଦେ ଅର୍ଘ୍ୟ ଦେଇ

ସୁଖେ ସୁନ୍ଦର ମୁଖ ଚାହିଁ

।।

ସକଳ ଗଲେ ମୋକ୍ଷ ଭାଗେ

ସେ ହରି ଦିଶୁ ମୋର ଭାଗ୍ୟେ

।।

ନିର୍ମଳଜ୍ୟୋତି ରୂପ ହୋଇ

ଜ୍ଞାନିଙ୍କ ହୃଦେ ଯେ ବସଇ

।।

ସକଳଚକ୍ଷୁଦ୍ୱାରେ ଭବି

ଯେହ୍ନେ ପ୍ରକାଶେ ଏକାରବି

।।

ସେ ହରିପାଦ ଯୁଗ ଭଜି

ପଶିଲି ଭବଭୟ ତେଜି

।।

ସୁଭଦ୍ରା ପତି ସଖାପାଦେ

ମୋ ମନ ରହୁ ଅପ୍ରମାଦେ

।।

ଏମନ୍ତ ଗୋବିନ୍ଦ ବିଷୟେ

ମନ ବଚନ ଦୃଷ୍ଟି ଦେହେଁ

।।

ଆତ୍ମାରେ ଆତ୍ମା ସ୍ଥିର କରି

ଗଗନେ ପବନ ସଂହରି

।।

ଦେଖନ୍ତି ସୁର ନର ମୁନି

ଗଙ୍ଗାନନ୍ଦନ ହେଲେ ତୁନି

।।

ଶରୀର ଛାଡ଼ି ଭାବ ମୋହେ

ପଶିଲେ ଗୋବିନ୍ଦର ଦେହେଁ

।।

ପ୍ରଥମସ୍କନ୍ଦ ଏକାଦଶ

ଅଧ୍ୟାରେ ଯେ ସ୍ତବ ପ୍ରକାଶ

।।

କୁରୁ ନଗରୁ ଭଗବାନ

ମିଳିଲେ ଆପଣା ଭୁବନ

।।

ପ୍ରଜାଏ ଦେଖିଣ ହରଷ

ଏ ସ୍ତବେ ତୋଷି ପୀତବାସ

।।

ବାଳକେ ପିତା ସନ୍ନିଧାନେ

ଯେସନେ ମାନ ଅପମାନେ

।।

ତେସନେ କୃଷ୍ଣମୁଖ ଚାହିଁ

ବୋଲନ୍ତି ଶିରେ କରଦେଇ

।।

ଭୋ ନାଥ ପରମକାରଣ

ତୋହର ଅଭୟ ଚରଣ

।।

ଶିବ ବିରଞ୍ଚି ଆଦି ଦେବେ

ନିତ୍ୟେ ଭାବନ୍ତି ଆତ୍ମାଲାଭେ

।।

ଯେ ଚିନ୍ତେ ଆତ୍ମାର କାରଣ

ତୋ ପାଦ ତାଙ୍କ ପରାୟଣ

।।

ଯେ କାଳ ଜଗତ ସଂହରେ

ତୋର ସେବକ ସେ ନପାରେ

।।

ତୁ ଆମ୍ଭ ଆତ୍ମା ଗତି ପତି

ସର୍ବ ସମ୍ପଦ ମୋକ୍ଷ ଗତି

।।

ପରମଗୁରୁ ଦଇବତ

ସୁହୃଦବନ୍ଧୁ ଇଷ୍ଟ ମିତ୍ର

।।

ତୋ ବିନୁ ଆମ୍ଭେ ନୋହୁ କିଛି

ତୁ ନାଥ ସର୍ବ ଅନ୍ତଃସାକ୍ଷୀ

।।

ଅନାଥ ନାଥ ତୁ ଆମ୍ଭର

ଦେବମାନବେ ଅଗୋଚର

।।

ତୋରବଦନ ନାରାୟଣ

ସୁପ୍ରେମ ହାସ ନିରୀକ୍ଷଣ

।।

ସେ ସୁଖ ଘେନି ଯେତେବେଳେ

କୁରୁ ନଗରେ ବନ୍ଧୁମେଳେ

।।

ଇଚ୍ଛାରେ କଲୁ ତୁ ଗମନ

ତୋତେ ନ ଦେଖି ଆମ୍ଭ ମନ

।।

କ୍ଷଣକ କୋଟିଯୁଗ ମଣୁ

ରାତ୍ର ଦିବସ ନ ପ୍ରମାଣୁ

।।

କୋଟି ନୟନ ଜନ୍ତୁ ବହି

କିକରେ ରବି ଯେବେ ନାହିଁ

।।

ତୋହର ପ୍ରସନ୍ନ ବଦନ

ଅଖିଳ ତାପ ବିମୋଚନ

।।

ଚିର ପ୍ରବାସ ତୋର ଦେଖି

ଆମ୍ଭ ଜୀବନ ଅତି ଦୁଃଖୀ

।।

ଚାତକ ଚନ୍ଦ୍ର ଦେଖି ଯେହ୍ନେ

କୃଷ୍ଣଙ୍କୁ ଦେଖି ତୋଷମନେ

।।

ଏମନ୍ତ ଜନ ମୁଖୁ ଶୁଣି

ଆନନ୍ଦମନେ ଚକ୍ରପାଣି

।।

ଅମୃତ ନୟନେ ଅନାଇଁ

ପୁରେ ପ୍ରବେଶ ଭାବଗ୍ରାହୀ

।।

ପ୍ରଥମସ୍କନ୍ଧ ଅଷ୍ଟାଦଶ

ଅଧ୍ୟାରେ ସ୍ତୁତି ଅଙ୍ଗିରସ

।।

ପରିଣୀତକୁ ତାର ପୁତ୍ର

ଶାପ ଦେବାରୁ କୋପଚିତ୍ତ

।।

ଯେମନ୍ତ କୃଷ୍ଣ ମନେ ଧ୍ୟାଇ

ବ୍ରାହ୍ମଣ ବୋଲେ ତ୍ରାହି ତ୍ରାହି

।।

ଭୋ ନାଥ କରୁଣାସାଗର

ବାଳକ ଦୋଷ କ୍ଷମାକର

।।

ତୋର ଭକତ ଯେତେଜନେ

କୋପ ନଥାଇ ତାଙ୍କ ମନେ

।।

ପ୍ରାଣୀଙ୍କ ଅପରାଧ ସହେ

ତୋହର ଭାବ ହୃଦେ ବହେ

।।

ଅତି ଅନ୍ୟାୟ କର୍ମ ମୋର

ମୁଁ କର୍ମହୀନ ଦୁରାଚାର

।।

ନିରପରାଧେ ଦ୍ରୋହ ଚିନ୍ତି

ମୋହର ମନେ ଚରୁ ଭ୍ରାନ୍ତି

।।

ଦେବ ହେଳେଣ କର୍ମ ମୋର

ନିଶ୍ଚୟେ କଲି ଦାମୋଦର

।।

ଦୁଃଖ ମୁଁ ଲଭିବି ନିକଟେ

ଏ ଘୋରସଂସାର ସଂକଟେ

।।

ଏମନ୍ତ ପୁତ୍ର ଅପରାଧେ

ମହତଶାସ୍ତ୍ର ଅପ୍ରମାଦେ

।।

ଅନୁତାପିତ ବିପ୍ରବର

ବୋଲେ ଗୋବିନ୍ଦ ରକ୍ଷାକର

।।

ଭଣଇ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ କୃପାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତବାକ୍ୟଂ

ନାମ ଦ୍ୱିତୀୟୋଽଧ୍ୟାୟଃ ।

Image

 

ତୃତୀୟ ଅଧ୍ୟାୟ

 

ଦ୍ୱିତୀୟ ନବମ ଅଧ୍ୟାରେ

ବ୍ରହ୍ମା ସ୍ତବ କୃଷ୍ଣ ଛାମୁରେ

।।

ତୁ ନାରାୟଣ ଭୁତେଶ୍ୱର

ପ୍ରାଣୀ ହୃଦୟେ ତୋର ଘର

।।

ହୃଦୟ ପଦ୍ମମଧ୍ୟେ ଥାଉ

ପ୍ରାଣୀଙ୍କି ଉପଦେଶ ଦେଉ

।।

ଏଣୁ ମୋହର ମନ ଜାଣି

ସେ ଜ୍ଞାନ ଦେଲୁ ଚକ୍ରପାଣି

।।

ଅନାଦି ନାଥ ତୋ ମହିମା

କେ ଜାଣିପାରେ ଗୁଣ ସୀମା

।।

ମୁଁ ତୋର ଚରଣେ କିଙ୍କର

ଏମନ୍ତ ଆଜ୍ଞା ମୋତେକର

।।

ରୂପ ଅରୂପ ତୋର ଯେତେ

ଏ ସୃଷ୍ଟିକରୁ ତୁ ଯେମନ୍ତେ

।।

ତୋ ମାୟା ଯୋଗେ ସୃଷ୍ଟିକରୁ

ତୋର ଶିକ୍ଷାରେ ତୁହି ଗୁରୁ

।।

ଯେ ସୃଷ୍ଟି ସ୍ଥିତି ସଂହାରଣ

ତୁ ନାଥ ପରମ କାରଣ

।।

ସୃଷ୍ଟି କରଣେ ମୋର ଇଚ୍ଛା

ଭୋ ନାଥ କହ ସୃଷ୍ଟି ଦୀକ୍ଷା

।।

ସୁତନ୍ତ୍ର ସୁତ୍ରେ ନୋହେ ଭାବି

ସୃଷ୍ଟି ସମ୍ଭବେ ଉର୍ଣ୍ଣନାଭି

।।

ଏମନ୍ତ ବୁଦ୍ଧି କହ ମୋତେ

ଏ ସୃଷ୍ଟି କରଇ ଯେମନ୍ତେ

।।

ତୁମ୍ଭର ଶିକ୍ଷା ଘେନି ଚିତ୍ତେ

ନିତ୍ୟେ କରିବି ଅନୁଭୂତେ

।।

ସୃଷ୍ଟିକାରଣେ ଭଗବାନ

କେବେହେଁ ନୋହେ ମୋରଜ୍ଞାନ

।।

ତୁ ନାଥ ବସ ମୋର ଚିତ୍ତେ

ମୁଁ ସୃଷ୍ଟି କରଇ ଯେମନ୍ତେ

।।

ଏମନ୍ତ ଶୁଣି କୃଷ୍ଣ ତୋଷ

ଦେଲେ ସୃଷ୍ଟିର ଉପଦେଶ

।।

ତୃତୀୟ ପଞ୍ଚମ ଅଧ୍ୟାରେ

ଦେବଙ୍କ ସ୍ତବ ଚକ୍ରଧରେ

।।

ଭୋଦେବ ନମୁଁ ତୋ ପୟର

ଅଜ୍ଞାନଜନ ଦୁଃଖ ହର

।।

ସେ ପଦ୍ମପାଦେ ଆଶ୍ରେ କରି

ସଂସାରୁ ତରନ୍ତି ସଂସାରୀ

।।

ହେ ନାଥ ତୋର ମାୟାବଳେ

ଅଶେଷ ଜନ୍ମ ଏ ଶୟଳେ

।।

ହୁଅନ୍ତି ତାପ ତ୍ରୟ ଭ୍ରମ

କେବେହେଁ ନ ଲଭନ୍ତି ଶମ

।।

ତେଣୁ ଅଶେଷ କ୍ଳେଶ କର୍ମେ

ନିରତେ ଭ୍ରମେ ଦୁଃଖ ଶ୍ରମେ

।।

ତୋ ପାଦପଦ୍ମ ଛାୟାତଳେ

ଯେ ପ୍ରାଣୀ ରହନ୍ତି ନିଶ୍ଚଳେ

।।

ସେ ତାପ ତ୍ରୟ ପାର ହୋନ୍ତି

କେବେହେଁ ଭ୍ରମେ ନ ପଡ଼ନ୍ତି

।।

ଏଣୁ ତୋ ପାଦ ସେବା ଅର୍ଥେ

ଆମ୍ଭେ ରହିବୁ ଏ ଜଗତେ

।।

ତୋ ମୁଖ ପଦ୍ମ ଲିଟ ପ୍ରାୟେ

ଯେସନେ ପ୍ରାଣୀଙ୍କ ଆଶ୍ରୟେ

।।

ନିଶ୍ଚିନ୍ତ ପ୍ରାୟେ ଘୋରବନେ

ଆଶ୍ରେ କରନ୍ତି ମୁନିଜନେ

।।

ସେ ପୁଣି ଅଘ ମରଷଣେ

ଭାବେ ଆରାଧି ନାରାୟଣେ

।।

ସେ ପାଦ ସେବା ତୀର୍ଥଜଳ

ସ୍ୱଭାବେ ହୁଅନ୍ତି ନିର୍ମଳ

।।

ସେ ଯେଣୁ ତୋହର ଚରଣେ

ଭାବେ ଆରାଧି ନାରାୟଣେ

।।

ଜ୍ଞାନ ବୈରାଗ୍ୟ ବଳେ ଚିନ୍ତି

ତୋ ପାଦ ହୃଦେ ଆରୋପନ୍ତି

।।

ସେ ପାଦେ ପଶିବ ଶରଣ

ପ୍ରସନ୍ନ ହୁଅ ନାରାୟଣ

।।

ସୃଷ୍ଟି ସ୍ଥିତି ସଂହାର ଅର୍ଥେ

ତୋ ଅବତାର ଏ ଜଗତେ

।।

ସେ ରୂପ ଗୁଣ ଯେ ତେଜନ୍ତି

ଏ ଘୋର ସଂସାରୁ ତରନ୍ତି

।।

ଭୋ ନାଥ ଗୃହ ଅନ୍ଧକୂପେ

ପ୍ରାଣୀ ଅଛନ୍ତି ମୋହ କଳ୍ପେ

।।

ମୁହିଁ ମୋହର ବୋଲି ଗ୍ରାସି

ହୃଦେ କାନ୍ଦଇ ମାୟାଘୋଷି

।।

ସେ ଦୃଢ଼ ବନ୍ଧନ ବିଷାଦ

ହେଳେ ତାରଇ ତୋର ପାଦ

।।

ଅଶାନ୍ତି ଇନ୍ଦ୍ରିଗଣ ବଳେ

ହୃଦୟ ନୟନ ଚଞ୍ଚଳେ

।।

ଅସାର ପଥ ନ ଦେଖନ୍ତି

ଯେ କଳ୍ପେ ସମ୍ପଦ ବିଭୂତି

।।

ତୋ କଥା ସୁଧାରସପାନ

ପ୍ରବୋଧଭକ୍ତି ଦିବ୍ୟଜ୍ଞାନ

।।

ବୈରାଗ୍ୟସାର ସେ ଲଭନ୍ତି

ନିର୍ଭୟେ ବିଷ୍ଣୁଲୋକେ ଥାନ୍ତି

।।

ଅପରେ ଯେତେ ମୁନିକୁଳେ

ଆତ୍ମା ସମାଧି ଯୋଗବଳେ

।।

ଘୋର ପ୍ରକୃତି ମୁଖୁଁ ତରି

ତୋ ପାଦ କମଳ ଆବୋରି

।।

ତୋର ସେବାରେ ଶ୍ରମ ତୁଟେ

ଅଶେଷ ମାୟାବନ୍ଧ ଫିଟେ

।।

ଲୋକ ସର୍ଜିବା ଅର୍ଥେ ତୁହି

ଆତ୍ମାକୁ ଆପଣେ ଭିଅଇ

।।

ତୃତୀୟ ଆତ୍ମାବନ୍ଧେ ତୁହି

ଆତ୍ମାକୁ ସର୍ଜ୍ଜୁମାୟା ମୋହି

।।

ଆମ୍ଭେ ବିମୁକ୍ତ ବନ୍ଧେ ଥାନ୍ତେ

ତୋ ପାଦ ଛାଡ଼ିବୁ କେମନ୍ତେ

।।

ଏମନ୍ତେ ଯଥା କାଳେ ବଳି

ତୋ ପାଦେ ଦେଇ ବନମାଳି

।।

ତୋକାୟେ ପାଇ ତୋଷ ଚିତ୍ତେ

ତୋ ପାଦ ସେବୁଁ ଅବିରତେ

।।

ତୁ କୁଟ ଆଦି ସ୍ଥିତ ହରି

ମାୟା ପୁରୁଷ ରୂପ ଧରି

।।

ତୋ ଶକ୍ତି ଗୁଣ କର୍ମ ବଳେ

ଅବିଦ୍ୟା ଗର୍ଭକୁ ନିଶ୍ଚଳେ

।।

ଅମୋହ ବୀର୍ଯ୍ୟ ନାଥ ଭଜୁ

ତୋର କାରଣେ ସୃଷ୍ଟି ମଜ୍ଜୁ

।।

ତୋହର ଠାରୁ ଆମ୍ଭେ ଜାତ

ସତ୍ୟ ପ୍ରମୁଖ ଜଗନ୍ନାଥ

।।

ତୋ ଆଜ୍ଞା ଘେନି ଶିରୋଭାବେ

କହ କି କରିବୁଁ ସେ ଏବେ

।।

ଆତ୍ମାକୁ ଦିବ୍ୟ ଚକ୍ଷୁ ଦେଇ

ତୋର ବ୍ୟାପାରେ ରଖ ତୁହି

।।

ଏମନ୍ତେ ଦେବଙ୍କ ବଚନ

ଶୁଣି ସନ୍ତୋଷ ଭଗବାନ

।।

ଭଣଇ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣ ପାଦେ ଦୃଢ଼

।।

ହେଉ ସୁଜନେ ଆଜ୍ଞାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭଗବତବାକ୍ୟଂ ନାମ

ତୃତୀୟୋଽଧ୍ୟାୟଃ ।

Image

 

ସ୍ତବକଳ୍ପଦ୍ରୁମ

ଚତୁର୍ଥ ଅଧ୍ୟାୟ

 

ତୃତୀୟ ନବମ ଅଧ୍ୟାରେ

ବ୍ରହ୍ମା ସ୍ତବ ଅନନ୍ତଠାରେ

।।

ଭୋ ନାଥ ତୋର ଗତି ମୁହିଁ

ଜାଣିଲି ତୋର ଭାବ ବହି

।।

ଯେ ଜୀବ ତୋର ମାୟା ବୃତ୍ତି

କାହିଁ ଜାଣିବେ ତୋର ଗତି

।।

ଦୃଶ୍ୟ ଅଦୃଶ୍ୟ ତୋର ଭାବ

ଏ ଘେନି ତୋତେ କେ ପୂଜିବ

।।

ମାୟାର ପରେ ତୋର ବାସ

ନିତ୍ୟ ନିରଞ୍ଜନ ପ୍ରକାଶ

।।

ଶବଦ ଗ୍ରହେ ବନମାଳୀ

ତୁ ନାଥ ମାୟା ସଙ୍ଗେ ମିଳି

।।

ତୁ ଅବିସର୍ଗେ ନାରାୟଣ

ସତ୍ୟ ଅବତାର କାରଣ

।।

ତୋ ନାଭି ପଦ୍ମ ମୋର ଜାତ

ସ୍ୱଭାବେ ଅବିକାର ତତ୍ତ୍ୱ

।।

ତୋ ରୂପ ଦେଖିଲି ଲୋଚନେ

ଏ ଭାଗୁଁ ଲାଭ ନାହି ଭିନ୍ନେ

।।

ଆନନ୍ଦରୂପୀ ଅବିକାର

ଅବିଧି ଜୀବରୂପ ତୋର

।।

ତୁ ବିଶ୍ୱ ସୃଷ୍ଟି ମୂଳଏକ

ତୋ ଦେହୁଁ ପ୍ରକାଶ ଅନେକ

।।

ଭୁତ ଇନ୍ଦ୍ରିୟ ଆତ୍ମା ତୁହି

ତୋ ପାଦେ ଆଶ୍ରେ କଲି ମୁହିଁ

।।

ତୁ ଯେ ସଂସାର ଆଦିମୂଳ

ତୋ ରୂପ ଭୁବନ ମଙ୍ଗଳ

।।

ଧାରଣା ଧ୍ୟାନେ ମନ ଦେଇ

ପ୍ରାଣୀ ତରନ୍ତି ଯାହା ଧ୍ୟାଇ

।।

ତୋ ଅନୁଭାବେ ଭାବୋତ୍ତମ

ତୁ ନାଥ ଶ୍ରୀପୁରୁଷୋତ୍ତମ

।।

ଶ୍ରୀ ବାସୁଦେବ ନମସ୍ତୁତେ

ମନ ବନନ ଜ୍ଞାନ ମତେ

।।

ଯେ ତୋତେ ଅନାଦର କରେ

ନରକମାର୍ଗେ ସେ ସଞ୍ଚରେ

।।

ଅନିତ୍ୟ ସଙ୍ଗେ ତାର ବାସ

ତୋ ଭାବେ ହନ୍ତି ସେ ନିରାଶ

।।

ତୋ ପାଦପଦ୍ମ ଗନ୍ଧ ଯାର

ଆଘ୍ରାଣ କରେ ନାସାଦ୍ୱାର

।।

ଶ୍ରୁତି ଯୁଗଳେ ନାମ ଶୁଣେ

ଯେ ଅବା ଜିହ୍ୱା ଅଗ୍ରେ ଗୁଣେ

।।

ପରମଭକ୍ତି ଯୋଗ ବଳେ

ଯେ ନମେ ତୋ ପାଦକମଳେ

।।

ତା ହୃଦପଦ୍ମ ମଧ୍ୟେ ଥାଉ

କେବେହେଁ କେଣିକି ନ ଯାଉ

।।

ଏ ଭବ ଭୟ ଧନ ମୋହ

ସୁହୃଦ ଶୋକ ବନ୍ଧୁସ୍ନେହ

।।

ଯାବତ ତୋ ପାଦ କମଳେ

ଯେ ପ୍ରାଣୀ ନ ରହେ ନିଶ୍ଚଳେ

।।

ସେ କାହିଁ ଏ ଭବୁ ତରିବ

ଯେବେ ନ ଜାଣେ ତୋରଭାବ

।।

ଏ ଭବଭୟ ଯହିଁ ନାଶେ

ତୋ ସଙ୍ଗୀସଙ୍ଗେ ଯେବେମିଶେ

।।

ତା ଛାଡ଼ି ଇନ୍ଦ୍ରୟ ଲାଳସେ

ଲକ୍ଷକ ସୁଖଲେଶ ଆଶେ

।।

ଯତ୍ନ କରନ୍ତି ଅବିରତେ

ତୋ ମାୟା ତରିବେ କେମନ୍ତେ

।।

କ୍ଷୁଧା ପିପାସା ମାର୍ଗେ ଭୂମି

ଆତ୍ମା ବନ୍ଧନେ ପଥଶ୍ରମୀ

।।

ଶୀତ ନିଦାଘ ବାତ ବୃଷ୍ଟି

ଏଣେ ଭ୍ରମନ୍ତି ପ୍ରାଣୀ ଫୁଟି

।।

ଦୁର୍ଜୟ କାଳାନଳ ଦେହେଁ

କେବେହେଁ ତୋପାଦେନରହେ

।।

ଏ ଦୁଃଖ ଦେଖି ମୋର ମନ

ଭୟେ କମ୍ପଇ ଭଗବାନ

।।

ଯାବତ ଏ ମାୟା ହେନେ

ମନ କଳ୍ପଇ ଭିନ୍ନେ ଭିନ୍ନେ

।।

ଇନ୍ଦ୍ରିୟ ରସେ ଚିତ୍ତବଢ଼େ

ଘୋର ସଂଙ୍କଟ ଦୁଃଖ ପଡ଼େ

।।

ଯାବତ ସଂସାର ନ ତୁଟେ

ସଂଞ୍ଚରି ପୁଣ ପୁଣ ଉଠେ

।।

ଏ ବେନି କ୍ରିୟା ଲୋକଅର୍ଥେ

ପୁଣି ଭ୍ରମନ୍ତି ଶ୍ରୁତିପଥେ

।।

ଭୂତ ଭବିଷ୍ୟ ଆତ୍ମାକରି

ସର୍ବ ବିଷୟେ ଚିତ୍ତ ଭରି

।।

ରାତ୍ରେ ନିହତ ହୋଇ ଯେବେ

ସ୍ୱପ୍ନେ ସଂକଳ୍ପେ ନାନାଭାବେ

।।

ଭ୍ରମଇଁ ମୁନିଙ୍କର ମନ

ତୋ ମାୟା ବଳେ ଭଗବାନ

।।

ଏଣୁ ତୋ ସଙ୍ଗେ ଯେ ବିମୁଖୀ

ଇହ ସଂସାରେ ହ୍ୱନ୍ତି ଦୁଃଖୀ

।।

ତୋ ଭକ୍ତି ଭାବେ ଯେ ଭାବିତ

ହୃଦୟ ପଦ୍ମେ ତୁ ଉଦିତ

।।

ସର୍ବ ଜୀବନେ ତୋ ବିହାର

ତୁ ପୁଣି ତୋତେ ଅଗୋଚର

।।

ଯେତୋତେ ଯେତେଭାବେଭାବେ

ତୋ ଅନୁଗ୍ରହେ ସୁଖ ଲଭେ

।।

ନାନା ପ୍ରକାର ଉପହାରେ

ତୋତେ ଆରାଧନା ଯେ କରେ

।।

ତୁ ପୁଣି ତେଣେ ବଶ ନୋହୁ

ଯେଣୁ ତ୍ରିଦଶ ହୃଦେ ରହୁ

।।

ଯେ ତୋତେ ଶୁଦ୍ଧଭାବେ ଚିନ୍ତି

ନିଶ୍ଚନ୍ତେ ତ୍ରିଦଶେ ବସନ୍ତି

।।

ତୁ ପୁଣି ସର୍ବଜନ୍ତୁ ଦେହେଁ

ପ୍ରକାଶୁ ଆଦିତ୍ୟର ପ୍ରାୟେ

।।

ଏକେ ଅନେକ ତୋ ପ୍ରକାଶେ

ପ୍ରସନ୍ନେ ଯେସନେ ଆକାଶେ

।।

ସର୍ବ ସୁହୃଦ ଅନ୍ତରାତ୍ମା

କେ ଲେଖିପାରେ ତୋରସୀମା

।।

ପ୍ରାଣୀଙ୍କ ମନ କର୍ମବଳେ

ଦଣ୍ଡେହେଁ ନ ରହେ ନିଶ୍ଚଳେ

।।

ଆରାଧି ନାନା ତପବ୍ରତେ

ସ୍ୱକ୍ରିୟା ବଳ ଦେଇ ତୋତେ

।।

ତୋର ସ୍ୱରୂପ ନିତ୍ୟେ ଚିନ୍ତି

ଏ ମୋହ ଭେଦୁ ନିସ୍ତରନ୍ତି

।।

ଏମନ୍ତ ମହିମା ତୋହର

ଭୋଦେବ ତୋତେ ନମସ୍କାର

।।

ବିଶ୍ୱ ଉତ୍ପତ୍ତି ସ୍ଥିତି ନାଶେ

ତୋ ଲୀଳା ସ୍ୱରୂପ ପ୍ରକାଶେ

।।

ତୋ ଅବତାର ଗୁଣ କର୍ମ

ନାମ ଉପରେ ଯେବା ଧର୍ମ

।।

ନିରତେ ଗୁଣନ୍ତି ଯେ ମୁଖେ

ବେଗେ ତରନ୍ତି ମହାଦୁଃଖେ

।।

ଅନେକ ଜନ୍ମ ପାପଭ୍ରାନ୍ତି

ନିର୍ଭୟେ ବେଗେ ସେ ତରନ୍ତି

।।

ଅମୃତ ଲଭି ଅପ୍ରମାଦେ

ସୁଖେ ତରନ୍ତି ନିରାପଦେ

।।

ଏମନ୍ତ ପ୍ରଭୁ ପାଦତଳେ

ଶରଣ ପଶିଲି ନିଶ୍ଚଳେ

।।

ତୁ ନାଥ ପରମ ମଙ୍ଗଳ

ସ୍ଥିତି ଉଦ୍ଭବ ଆଦିମୂଳ

।।

ଭୁବନ ଦ୍ରୁମ ତୋ ମହିଁମା

କେ ଜାଣିପାରେ ତୋର ସୀମା

।।

ଯେ ଜୀବ ଲୋକେ ଅବିରତ

ବିକର୍ମ ମାର୍ଗେ ସୁଯନ୍ତ୍ରିତ

।।

ଭାବଇ ଅନୁକ୍ଷଣ କର୍ମ

ନିତ୍ୟେ କଳ୍ପଇ ନିଜଧାମ

।।

ପବିତ୍ର ନାନା ଫଳ ଲାଭେ

ତୋହର ଭବନ ପ୍ରସ୍ତାବେ

।।

ତାର ଜୀବନ ଆତ୍ମା ତୁହି

କ୍ଷଣକେ ଛେଦୁ ଭାବଗ୍ରାହୀ

।।

ଏମନ୍ତ ପ୍ରଭୁ ପାଦଗତେ

ମୋ ନମସ୍କାର ଅବିରତେ

।।

ଭୋ ନାଥ ଜୀବନ ମୋହର

ବେନି ପରାର୍ଦ୍ଧ ଅଧିକାର

।।

ସକଳ ଲୋକ ନାମ ସ୍ଥିତ

ସତ୍ୟ ମଣ୍ଡଳେ ମୋର ସ୍ଥିତ

।।

ଅନେକ ରୂପେ ଅଧିକାରୀ

ତୋ ମାୟାବଳେ ରୂପଧରି

।।

ତୁ ଅଧିଯଜ୍ଞ ଦାମୋଦର

ତୋ ପାଦେ ମୋର ନମସ୍କାର

।।

ପଶୁ ମନୁଷ୍ୟ ଦେବ ଦେହେଁ

ଜୀବନ ରୂପେ ଯେବା ଶୋହେ

।।

ଇଚ୍ଛାଏ ରସେ ନାନାକର୍ମ

ଏଣୁ ତୁ ପୁରୁଷ ଉତ୍ତମ

।।

ଯେ ନିଦ୍ରାବୃତ ପଞ୍ଚବୃତ୍ତି

ତ୍ୱରିତ ସ୍ୱପ୍ନ ଜାଗ୍ରତ୍‌ସୁପ୍ତି

।।

ତାହାର ବଳେ ଜ୍ଞାନହାରୀ

ଲୋକ ସଂସାର ପେଟେ ଭରି

।।

ପ୍ରଳୟ ଜଳେ ତୋ ଶୟନ

ଜୀବ ସଞ୍ଚୟ ସୁଖ ସ୍ଥାନ

।।

ତ୍ରୈଲୋକ୍ୟ ଉପକାର ପଦେ

ମୋ ଜନ୍ମ ତୋର ନାଭି ପଦ୍ମେ

।।

ଏ ଯୋଗମାୟା ଅବସାନ

ନମସ୍ତେ ନଳିନ ନୟନ

।।

ଯେ ଏକ ପ୍ରଭୁ ଭଗବାନ

ଅଶେଷ ଜନ୍ତୁଙ୍କ ଜୀବନ

।।

ତୋର ଆଦେଶ ଶିରେ ଧରି

ମୁଁ ଯେ ସଂସାରେ ଅଧିକାରୀ

।।

ଯେ ସତ୍ୟଗୁଣେ ଏ ସଂସାର

ସର୍ଜଇ ଅଶେଷ ପ୍ରକାର

।।

ତୋ ଅନୁଗ୍ରହେ ମୁଁ ଏ ଦେହେଁ

ସୃଷ୍ଟି କରିବି ପୂର୍ବ ପ୍ରାୟେ

।।

ଭୋ ନାଥ ପରମ ପୁରୁଷ

ଆତ୍ମା ଶକ୍ତିରେ ତୋ ବିଶ୍ୱାସ

।।

ଗୁଣ ଗୃହୀତ ଅବତାରେ

ଯେ ଅବା କରିବ ସଂସାରେ

।।

ସେ ଗୁଣ ଘେନି ସୃଷ୍ଟି ଅର୍ଥେ

ଯେ ଅବା ହୋଇବ ଯେମନ୍ତେ

।।

ସର୍ଜିବି ଆତ୍ମା ଯୋଗବଳେ

ଯେମନ୍ତେ ମୋ ଚିତ୍ତ ନିଶ୍ଚଳେ

।।

ତୋର ଚରଣେ ଦୃଢ଼ ହୋଏ

ଭୋ ନାଥ କର ଏ ଉପାୟେ

।।

ଦୁର୍ଗମ ଏ ପ୍ରଳୟ ଜଳେ

ମୁଁ ଜାତ ତୋ ନାଭି କମଳେ

।।

ବିଜ୍ଞାନ ଶକ୍ତି ଯହୁଁ ବହୁ

ଏଣୁ ଅନନ୍ତ ତୁ ବୋଲାଉ

।।

ଦେଖିଲି ତୋ ପବିତ୍ର ରୂପ

ସେ ରୂପ ନିଗମ ସଂକଳ୍ପ

।।

ଅଶେଷ କରୁଣା ସାଗର

ଭୋ ନାଥ ମହିଁମା ତୋହର

।।

ପ୍ରେମ ବିବିଧ ମନ୍ଦହାସ

ଦେଖି ମୋହର ମନତୋଷ

।।

ଏ ବିଶ୍ୱ ସଂସାର କମଳେ

ମୁଁ ଯେ ଉଠିଲି ମହାଜଳେ

।।

ସଭ୍ରମେ ପଦ୍ମନାଳେ ମୁହିଁ

ଭୂମନ୍ତେ ତୋର ମାୟା ବହି

।।

ସୃଷ୍ଟି କରୁଣା ଚିନ୍ତା ଅର୍ଥେ

ମୁହିଁ ଭାଳଇଁ ଅନୁବ୍ରତେ

।।

ତୁ ନାଥ ମଧୁର ବଚନେ

ଚିନ୍ତା ହରିଲୁ ମୋର ମନେ

।।

ବ୍ରହ୍ମାର ସ୍ତବେ ତୋଷ ହେଲେ

ମନ ବାଞ୍ଛିତ ତାଙ୍କୁ ଦେଲେ

।।

ତ୍ରୟୋଦଶ ଅଧ୍ୟା ତୃତୀୟ

ସ୍ତୁତି ସକଳ ମହଷୟ

।।

ଯାହାର ଗୁଣ ଅନୁବାଦେ

କ୍ଷେମ ନୁହନ୍ତି ଚାରି ବେଦେ

।।

ଯା ରୂପ ମନ ଜ୍ଞାନେ ଚିନ୍ତି

ଅଶେଷ ଶାସ୍ତ୍ରେ ନ ଜାଣନ୍ତି

।।

ମୁନିଙ୍କ ସ୍ତୁତିବାକ୍ୟ ଶୁଣି

ତକ୍ଷଣେ ପ୍ରଭୁ ଚକ୍ରପାଣି

।।

ସାନନ୍ଦଚିତ୍ତ ଯେ ହୋଇଲେ

ତାହାଙ୍କ ହିତ ବିଚାରିଲେ

।।

ଏହି ଅଧ୍ୟାରେ ଯେ ସମୁଦ୍ର

ବରାହରୂପ ଦେଖି ମୋଦ

।।

ଉଲ୍ଲୋଳ କର ଊର୍ଦ୍ଧେ ତୋଳି

ଡାକଇ ରଖ ବନମାଳି

।।

ହେ ଯଜ୍ଞେଶ୍ୱର ତ୍ରାହି କର

ମୁଁ ତୁମ୍ଭ ଚରଣେ କିଙ୍କର

।।

ସମୁଦ୍ର ସ୍ତୁତି କର୍ଣ୍ଣେ ଶୁଣି

ସନ୍ତୋଷ ହେଲେ ଚକ୍ରପାଣି

।।

ଭଣଇ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣ ପାଦେ ଦୃଢ଼

।।

ହେଉ ସୁଜନେ କୃପାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତବାକ୍ୟଂ

ନାମଚତୁର୍ଥୋଽଧ୍ୟାୟଃ ।

Image

 

ପଞ୍ଚମ ଅଧ୍ୟାୟ

 

ତୃତୀୟ ତ୍ରୟୋଦଶାଧ୍ୟାରେ

ବରାହପଦ୍ମ ଚରଣରେ

।।

ସଙ୍ଗତେ ମୁନିଗଣ ଘେନି

ସ୍ତୁତି କରନ୍ତି ପଦ୍ମଯୋନି

।।

ହେ ଯଜ୍ଞ ଋଷି ଜନାର୍ଦ୍ଦନ

ତୋର ବିହାର ତ୍ରିଭୁବନ

।।

ଯଜ୍ଞ ମୂରତି ନିଜ ପିଣ୍ଡେ

ଯେ ଯଜ୍ଞ ଧର୍ମ କର୍ମକାଣ୍ଡେ

।।

ତୋର ଶରୀର ରୋମ କୂପେ

ସମୁଦ୍ର ଲୁଚିଲା ସ୍ୱରୂପେ

।।

ନମୋ ଗୋବିନ୍ଦ ମହୀଧର

ଅଶେଷ ମହିଁମା ସାଗର

।।

ହେ କାଳରୂପି ତୋ ଚରଣେ

ନିର୍ଭୟେ ପଶିଲୁ ଶରଣେ

।।

ଯଜ୍ଞାଦି ଆତ୍ମା ତୋ ଶରୀର

ଦୁଷ୍କୃତଜନେ ଅଗୋଚର

।।

ତୋହର ଚର୍ମେ ବେଦ ବସେ

ଅନଳ ଲୋମକୂପ ଦେଶେ

।।

ଘୃତ ଆହୁତି ନେତ୍ର ଯୋଗେ

ଚତୁର ହୋତ୍ର ପଦ ଭୋଗେ

।।

ସ୍ତୁବ ପ୍ରୋକ୍ଷଣୀ ଦନ୍ତ ତୁଣ୍ଡେ

ସ୍ରୂତ ନିର୍ମିତ ନାସା ଖଣ୍ଡେ

।।

ଓଁକାର ଉଦରାନୁ ବନ୍ଧେ

ଚର୍ମସ ରହେ କର୍ଣ୍ଣ ରନ୍ଧ୍ରେ

।।

ପ୍ରାଣୀ ତ ରସେ ତା ଆୟସେ

ଗ୍ରହ ବସନ୍ତି ତାରା ଗ୍ରାସେ

।।

ଶ୍ରବଣେ ଅଗ୍ନିହୋତ୍ର ରହେ

ଦୟାରେ ବେନି ପାଟି ବହେ

।।

ଦନ୍ତେ ବସଇ ଉଦୟିନୀ

ମସ୍ତକେ ଯଜ୍ଞଭାଗ ଘେନି

।।

ପ୍ରାଣେ ବସନ୍ତି ଚିତା ଗଣ

ସୋମ ତୋ ରେତେ ଆବରଣ

।।

ପବନ ବସେ ପଞ୍ଚଭୂତେ

ସତ୍ୟକାରୀର ବନ୍ଦୀଗତେ

।।

ଚନ୍ଦ୍ର ଦେବତା ରୂପ ତୁହି

ଯେ ଦ୍ରବ୍ୟ କ୍ରିୟା ଆତ୍ମାଦେହୀ

।।

ବୈରାଗ୍ୟ ଆତ୍ମା ଭକ୍ତିଜାତ

ତୁ ନାଥ ଯୋଗେଶ୍ୱର ବିତ୍ତ

।।

ତୁ ବିଦ୍ୟାଗୁରୁ ଜୀବଦାତା

ଜୀବ ଧାରଣେ ପିତା ମାତା

।।

ତୋ ଦନ୍ତ ଅଗ୍ରେ ବସୁନ୍ଧରୀ

ବିରାଜେ ନିଜ ରୂପଧରି

।।

କି ଅବା ଦେବା ପଟାନ୍ତର

ଜଳେ ଯେସନେ କରୀବର

।।

ପଦ୍ମ ବନସ୍ତେ ଅବଗାହେ

ତୋ ଦନ୍ତ ଅଗ୍ରେତେହ୍ନେ ଶୋହେ

।।

ତେସନେ ତୋର ଦନ୍ତେ ମହୀ

ବିରାଯେ ପ୍ରଭୁ ଭାବଗ୍ରାହି

।।

ଏ ଯେ ଶୁକର ତୋର ଦେହ

ଅଶେଷ ବେଦ ଯଜ୍ଞମୟ

।।

ଦନ୍ତେ ଧରଣୀ କରେ ଶୋଭା

କି ପଟାନ୍ତର ଅନ୍ୟେ ଦେବା

।।

ପର୍ବତ ଶୃଙ୍ଗେ ଜଳଧର

ଯେମନ୍ତେ ଦିଶଇ ସୁନ୍ଦର

।।

ତେମନ୍ତ ଦିଶଇ ଧରଣୀ

ତୋ ଉଗ୍ର ଦନ୍ତେ ଚକ୍ରପାଣି

।।

ଏବେ ଧରଣୀ ସ୍ଥାପ ଜଳେ

ଭୋ ନାଥ ତୋର ମୟାବଳେ

।।

ଏ ମହୀ ନିବେଶୁ ନିଶ୍ଚଳେ

ନାନାଦି ଗ୍ରହ ଏ ଶୟଳେ

।।

ଏ ଭୂମି ଜୀବ ଲୋକ ମାତା

ତୁ ନାଥ ଜୀବ ଲୋକପିତା

।।

ତୋ ବିନୁ ଅନ୍ୟ କେବାବଳେ

ମହୀ ଉଦ୍ଧରେ ମହାଜଳେ

।।

ଏଣୁ ବିସ୍ମୟ ଆମ୍ଭ ନାହିଁ

ତୁ ଯେ ଈଶ୍ୱର ବିଶ୍ୱଦେହୀ

।।

ଜଳେ ପଶନ୍ତେ ତୋ ଶରୀର

ଜଳଧି ଦିଶେ ଭୟଙ୍କର

।।

ତୋ ଲୋମମୂଳେ ଜଳରାଶି

ଶିଶିର କଣା ପ୍ରାୟେ ଦିଶି

।।

ଧ୍ଵନି ତୋ ଗଗନେ ପ୍ରକାଶେ

ଭୟେ ତ୍ରିଦଶ ଲୋକ ତ୍ରାସେ

।।

ଜନ ତପ ସତ୍ୟ ଭୁବନେ

ଆମ୍ଭେ ଯେ ରହି ତୋଷମନେ

।।

ତୋ ଲୋମ ଜଳେ କରି ସାନ

ଆନନ୍ଦ କଲୁଁ ତୋଷମନ

।।

ପବିତ୍ର କଲୁ ପିଣ୍ଡ ପ୍ରାଣ

ତୋର ଶରଣେ ନାରାୟଣ

।।

ତୋ ମାୟା ଗୁଣ ଯୋଗବଳେ

ଆମ୍ଭେ ମୋହିତ ଏ ଶୟଳେ

।।

ସ୍ଥାନ ନ ପାଇ ଆମ୍ଭେ ରହି

ଆମ୍ଭଙ୍କୁ ରଖ ନାଥ ତୁହି

।।

ବ୍ରହ୍ମାଦି ମୁନିଙ୍କ ବଚନ

ବରାହ ଋଷି ତୋଷମନ

।।

ତୃତୀୟ ଷୋଳ ଯେ ଅଧ୍ୟାରେ

ସନକାଦି କୃଷ୍ଣ ଛାମୁରେ

।।

ତକ୍ଷଣେ ଶିରେ କରଦେଇ

ବୋଲନ୍ତି କୃଷ୍ଣ ମୁଖ ଚାହିଁ

।।

ଯେ ହରି ପ୍ରାଣୀଙ୍କ ଗୋଚରେ

ଅନ୍ତରେ ହୃଦରେ ବିହରେ

।।

ସାଧୁ ଅସାଧୁ ଯାର ନାହିଁ

ତାର ମହିଁମା କେବା କହି

।।

ସେ ହରି ଆମ୍ଭ ଦୃଷ୍ଟିଗତେ

ପ୍ରତ୍ୟକ୍ଷେ ମିଳିଲେ ଅଗ୍ରତେ

।।

ତାହାର ଗୁଣ କର୍ମ କଥା

ଏକାନ୍ତେ ବସି ଆମ୍ଭ ପିତା

।।

କହିଲେ ପରମ ଆନନ୍ଦେ

ବ୍ରହ୍ମ ବିଗ୍ରହ ଅନୁବାଦେ

।।

ସେ ଆମ୍ଭ ପୁଣି କର୍ଣ୍ଣଦ୍ୱାରେ

ରହିଲା ହୃଦୟ ବିମ୍ବରେ

।।

ତୁ ନାଥ ତତ୍ତ୍ୱ ପରମାର୍ଥ

ଯୋଗ ସାଧନ୍ତି ମୁନି ସନ୍ଥ

।।

ତୋ ଧ୍ୟାନ ରଚି ସତ୍ୱଗୁଣେ

ଯେବା ଚିନ୍ତନ୍ତି ଅନୁକ୍ଷଣେ

।।

ସଂସାର ଅନୁତାପେ ଯନ୍ତ୍ରି

ସୁହୃଦ ଭକ୍ତି ମାର୍ଗେ ଚିନ୍ତି

।।

ହୃଦରେ ସ୍ଥାପି ଯାର ରୂପ

ବେଗେ ଛାଡ଼ନ୍ତି ତ୍ରୟ ତାପ

।।

ଯାର ପ୍ରସାଦ ଅତ୍ୟାନ୍ତିକେ

ଧ୍ୟାନେ ଚିନ୍ତନ୍ତି ଅତିରେକେ

।।

ଭୋ ଦେବ ତୋହର ଚରଣେ

ଯେ ପ୍ରାଣୀ ପଶନ୍ତି ଶରଣେ

।।

ତୋର କଥାରେ ଯାର ରତି

ଘୋର ସଂସାରୁ ତରିଯାନ୍ତି

।।

ତୋ ଯଶ ଗୁଣ ଧର୍ମ ମାର୍ଗେ

ତୋ ନାମ ଗୁଣି ଜିହ୍ୱାଅଗ୍ରେ

।।

ତୋର ଚରଣେ ହେଉ ରତି

ଆମ୍ଭର ଜଡ଼ ବୁଦ୍ଧିମତି

।।

ଭୋ ନାଥ କମଳା ରମଣ

ଅନାଦି ପରମକାରଣ

।।

ଏମନ୍ତ ମୁନିଙ୍କ ବଚନ

ଶୁଣି ସନ୍ତୋଷ ଭଗବାନ

।।

ବିଷ୍ଣୁର ଭକ୍ତି ହୃଦେ ବହି

ପୁଣି ବୋଲନ୍ତି ସପ୍ତଭାଇ

।।

ଭୋ ଦେବ ଦେବ ଲକ୍ଷ୍ମୀପତି

ଆମ୍ଭେ ନ ଜାଣୁ ତୋର ଗତି

।।

ଆମ୍ଭଙ୍କୁ ଅନୁଗ୍ରହ କରି

ଯାହା କହିଲୁ ନରହରି

।।

ବ୍ରହ୍ମ ନିବେଦ ତୋ ମହିଁମା

ତୋ ଗତି ନ ଜାଣନ୍ତି ବ୍ରହ୍ମା

।।

ତୁ ପୁଣି ଦେବ ବିପ୍ରବର

ଆତ୍ମା ସୁହୃଦ ଶକ୍ତିଧର

।।

ଧର୍ମ ତୋ ଶରୀରୁ ପ୍ରକାଶେ

ଯେ ଧର୍ମସୃଷ୍ଟି ଧର୍ମନାଶେ

।।

ତୁ ନାଥ ନିର୍ବିକାର ଧର୍ମ

ଯେ ବେଦବିଧି ନିତ୍ୟକର୍ମ

।।

ଯାହାର ଅନୁଗ୍ରହେ ଜନେ

ଧର୍ମ ସଞ୍ଚୟ ଦ୍ୟନ୍ତି ମନେ

।।

ତୋ ପାଦପଦ୍ମ ସେବାବଳେ

ମୃତ୍ୟୁ ଜିଣନ୍ତି ଅବହେଳେ

।।

ଏମନ୍ତ ମୁନିଙ୍କର ବାଣୀ

ଶୁଣି ସନ୍ତୋଷ ଚକ୍ରପାଣି

।।

ତୃତୀୟ ଅଧ୍ୟା ଅଷ୍ଟାଦଶେ

ଦେବେ ମିଳି ବରାହପାଶେ

।।

ବିଧାତା ମିଳେ ଶୂନ୍ୟେ ଯାଇଁ

ସ୍ତୁତି କରନ୍ତି ବିଷ୍ଣୁ ଚାହିଁ

।।

ହେ ଦେବଦେବ ତୋ ଚରଣେ

ଆମ୍ଭେ ଯେ ପଶିଲୁ ଶରଣେ

।।

ଗୋରୁ ବ୍ରାହ୍ମଣ ଦେବଙ୍କର

ନିଶ୍ଚୟେଁ ରିପୁ ଏ ଅସୁର

।।

ନିର୍ଭୟେ ଗଦା ଘେନି କରେ

ଯୁଦ୍ଧର ଅର୍ଥେ ତିନିପୁରେ

।।

ଭ୍ରମଇଁ ଅତି ମହାରୋଷେ

ବାରଣ ଯେହ୍ନେ ନିରଙ୍କୁଶେ

।।

ବାଳକ୍ରୀଡ଼ା ଏ ଦିତି ବଳା

ତିନିଭୁବନେ କରେ ଖେଳା

।।

ଦିନକୁ ଦିନ ଏ ବଢ଼ନ୍ତେ

କେ ସୁଖେ ଥିବ ଏ ଜଗତେ

।।

ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର

ଏହାର ପ୍ରାଣ ବେଗେ ହର

।।

ଦେଖ ଏ ସନ୍ଧ୍ୟା ବିଭାବରୀ

ଏ ଭୂମିଲୋକେ ଛନ୍ନକାରୀ

।।

ଆସଇ ମହା ଘୋର ରୂପେ

ଭୋ ଦେବ ଦେଖ ତୋ ସମୀପେ

।।

ଆମ୍ଭର ଜୟ ରାତ୍ରବେଳା

ଦେଖ ତୋହର ବିଷ୍ଣୁଲୀଳା

।।

ମୁହୂର୍ତ୍ତ ଅଭିଜିତ ନାମ

ସର୍ବମଙ୍ଗଳ ଶୁଭ ଧାମ

।।

ଏ ଶୁଭବେଳେ ଚକ୍ରଧର

ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର

।।

ଏହାର ମୃତ୍ୟୁ ତୁ ସାକ୍ଷାତେ

ଭାଗ୍ୟେ ମିଳିଲା ତୋ ଅଗ୍ରତେ

।।

ଏମନ୍ତେ ଅସୁରର ଲକ୍ଷେ

ଋଷି ଦେବତା ଅନ୍ତରୀକ୍ଷେ

।।

ଅତି ବିକଳେ ସ୍ତୁତି କଲେ

ବରାହ ରୂପ ପାଦତଳେ

।।

ଏମନ୍ତେ ବ୍ରହ୍ମାର ବଚନ

ଶୁଣି ସନ୍ତୋଷ ଭଗବାନ

।।

ଉନ୍ନବିଂଶ ଅଧ୍ୟା ସ୍ତୁତିଏ

ବିଧାତା ଆଦି ଦେବତାଏ

।।

ହିରଣାକ୍ଷର ଦେଖି ବଧ

ବିଷ୍ଣୁର ଦର୍ଶନେ ଆନନ୍ଦ

।।

ବ୍ରହ୍ମାଦି ଦେବେ କରଯୋଡ଼ି

ସ୍ତୁତି କରନ୍ତି ପାଦେ ପଡ଼ି

।।

ନମସ୍ତେ ଯଜ୍ଞ ଖିଳଜନ୍ତୁ

ତୋ ଅବତାର ଶିବ ହେତୁ

।।

ଆମ୍ଭର ଭାଗ୍ୟେ ଭଗବାନ

ଏ ଦୁଷ୍ଟ ହେଲା ନିଶୋଧନ

।।

ତୋର ପ୍ରସନ୍ନେ ଜଗନ୍ନାଥ

ଆମ୍ଭେ ଯେ ହୋଇଲୁ ଅନାଥ

।।

ତୋର ସଂସାର ପାଳ ଏବେ

ଏମନ୍ତ କହି ସର୍ବ ଦେବେ

।।

ଏମନ୍ତେ ସ୍ତୁତି କରି ତୋଷେ

ନିଜପୁରେ ଗଲେ ହରଷେ

।।

ତୃତୀୟ ବିଂଶ ଯେ ଅଧ୍ୟାରେ

ଯକ୍ଷଙ୍କ ଭୟେ ବେଦବରେ

।।

ଶୂନ୍ୟେ ଗୋବିନ୍ଦପାଦ ଧ୍ୟାୟି

ବୋଲଇ ଶିରେ କର ଦେଇ

।।

ପ୍ରାଣୀଙ୍କ ଅନୁଗ୍ରହ ଅର୍ଥେ

ତୁ ନାଥ ଆଜ୍ଞାଦେଲୁ ମୋତେ

।।

ସୃଷ୍ଟି କରଇଁ ତୋର ବୋଲେ

ଯେ ଅନୁରୂପ ଏ ଶୟଳେ

।।

ତୁ ଏବେ ରଖ ଚକ୍ରଧର

ଏ ଗଣେ ମହାଭୟଙ୍କର

।।

ଏ ଯେବେ ଭକ୍ଷିବେଟି ମୋତେ

କି ରୂପେ ସର୍ଜିବି ଜଗତେ

।।

ବ୍ରହ୍ମା ବିକଳ କର୍ଣ୍ଣେ ଶୁଣି

ଦୟା ଯେ କଲେ ଚକ୍ରପାଣି

।।

ଭଣଇ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣ ପାଦେ ଦୃଢ଼

।।

ହେଉ ସୁଜନେ କୃପାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତବାକ୍ୟଂ

ନାମ ପଞ୍ଚମୋଽଧ୍ୟାୟଃ ।

Image

 

ଷଷ୍ଠ ଅଧ୍ୟାୟ

 

ତୃତୀୟ ଅଧ୍ୟ ଏକ ବିଂଶେ

କର୍ଦ୍ଦମସ୍ତୁତି ବିଷ୍ଣୁ ପାଶେ

।।

ଭୋ ନାଥ ତୋର ଦରଶନ

ନିର୍ମଳ କଲା ମୋ ଲୋଚନ

।।

ଯେ ରୂପ ଦେଖିବାର ଅର୍ଥେ

ଯୋଗ ସାଧନ୍ତି ମୁନି ସନ୍ଥେ

।।

ଭୋ ନାଥ ତୁମ୍ଭର ଚରଣ

ଜୀବର ପରମକାରଣ

।।

ତୋ ପାଦପଦ୍ମ ଆଶ୍ରେ କରି

ଭବସାଗରୁ ଯାନ୍ତି ତରି

।।

ଏ ଭାବ ଛାଡ଼ିବେ ସଂସାରେ

ବିଷୟ ସୁଖ ଆଶ୍ରେ କରେ

।।

ନରକେ ଯାନ୍ତି ସେହିମତେ

ସେ ତୋତେ ପାଇବେ କେମନ୍ତେ

।।

ସେହିପ୍ରକାରେ ମନ ମୋର

କଳ୍ପଇ ବିଷୟ ଗୋଚର

।।

ତୋର ଆଦେଶେ ସୃଷ୍ଟିଧର୍ମେ

କଳ୍ପଇ ଗୃହସ୍ଥ ଆଶ୍ରମେ

।।

ସେ ଗୃହ କାମ ଧେନୁପ୍ରାଏ

କୁଟୁମ୍ବ ଜନମନ ମୋହେ

।।

ତୋର ଚରଣ କଳ୍ପଦ୍ରୁମ

ଆଶ୍ରୟେ ଲଭେ ସର୍ବ କର୍ମ

।।

ତୋ ଅନୁଗ୍ରହେ ମନୁରାଜା

କଳ୍ପିବ ତାହାର ତନୁଜା

।।

ମୁଁ ପୁଣି ସର୍ବପ୍ରାଣି ହିତେ

ଯେମନ୍ତେ ତୋଚରଣାଗ୍ରତେ

।।

ବଳି ନିବେଦି ଗୃହ ଧର୍ମେ

ଯେମନ୍ତେ ରହଇ ଆଶ୍ରମେ

।।

ତୋ କଥା ତାପତ୍ରୟ କ୍ଷତ

ଏ କଥା ଜଗତେ ବିଖ୍ୟାତ

।।

ତୋ ରୂପ ଗୁଣ ଅବତାର

ନିର୍ମଳ ବହେ ସୁଧାଧାର

।।

ତେଣୁ ଲୋଭିତ ଯାର ଚିତ୍ତ

ସେ ନୋହେ କାଳଫାଶେଗ୍ରସ୍ତ

।।

ତୁ ଏକରୂପୀଜନ ଦେହା

ଜଗମୋହିନୀ ତୋର ମାୟା

।।

କରଇ ସୃଷ୍ଟି ସ୍ଥିତି ଅନ୍ତ

ଯେସନେ ଊର୍ଣ୍ଣନାଭି ମତ

।।

ଭୋ ନାଥ ତୋହର ମହିଁମା

କେ କହିପାରେ ଗୁଣ ସୀମା

।।

ଏମନ୍ତ ଶୁଣିଣ ବଚନେ

ବାଞ୍ଛିତ ଦେଲେ ଭଗବାନେ

।।

ତୃତୀୟ ଚତୁର୍ବିଂଶ ଅଧ୍ୟା

କର୍ଦ୍ଦମଋଷି ତପ ସିଦ୍ଧା

।।

ଏକାନ୍ତେ ପୁତ୍ର ପାଶେ ଯାଇ

ବୋଲେ କପୋଳେ ହସ୍ତ ଦେଇ

।।

ଦେଖ ମୋହର ଦୁଷ୍ଟପଣ

ନିବେଶି ଦୁମ୍ଭର ଚରଣ

।।

ଏ ଗୃହ ଦ୍ୱନ୍ଦ ନୀରପଥେ

ପଡ଼ିଲି ଅମଙ୍ଗଳ ଯନ୍ତ୍ରେ

।।

ଯେ ପ୍ରାଣୀ ଗୃହ ଦ୍ୱନ୍ଦ୍ୱ ତେଜେ

ନିରତେ ତୋ ଚରଣ ଭଜେ

।।

ଅନେକ କାଳେ ଯୋଗ ସାଧେ

ଯୋଗ ସମାଧି ଅନୁବାଦେ

।।

ପୂର୍ଣ୍ଣ କୁଟୀର ମଧ୍ୟେଁ ଥାଇ

ବର୍ତ୍ତଇ ତୋ ଚରଣ ଧ୍ୟାଇ

।।

ତୋ ପାଦ ଦେଖିବାର ଆଶେ

ସାଧନ୍ତି ଅନେକ ବରଷେ

।।

ଏମନ୍ତ ପ୍ରଭୁ ତୁଯେ ହରି

ମୋର ଭୁବନେ ଅବତରି

।।

ତୋର ଭକତ ରକ୍ଷା ଅର୍ଥେ

ତୋ ଅବତାର ଏ ଜଗତେ

।।

ନିଜ ବଚନ ସତ୍ୟ କରି

ପ୍ରକାଶୁ ଜ୍ୟୋତି ରୂପ ଧରି

।।

ସେ ରୂପେ ମୋର ନମସ୍କାର

ଭୋ ନାଥ ଦୋଷ ମୋ ନ ଧର

।।

ତୁ ନାଥ ପରମ ପୁରୁଷ

ପ୍ରକୃତି ପରେ ତୋ ପ୍ରକାଶ

।।

ମହତ ଆଦି ରୂପ ତୋର

ଭୃତ୍ୟଙ୍କ ସୂକ୍ଷ୍ମ ଅଧିକାର

।।

ତ୍ରିଗୁଣମୟୀ କାକରୂପୀ

ତୁ ଏକେ ସର୍ବ ଭୂତେ ବ୍ୟାପି

।।

ତୋ ରୂପ ଆତ୍ମା ଜ୍ଞାନ ଅର୍ଥେ

ଜ୍ଞାନ ପ୍ରକାଶୁ ଏ ଜଗତେ

।।

ତୁ ପ୍ରଜାପତିଙ୍କର ନାଥ

ତୁ ଯେବେ ହୋଇଲୁ ମୋ ସୁତ

।।

ତୋତେ ମାଗଇ ପିତା ଅର୍ଥେ

ତୋ ପାଦ ଧ୍ୟାନ ଏ ଜଗତେ

।।

ଯେମନ୍ତେ ବଞ୍ଚଇ ବନସ୍ତେ

ଏମନ୍ତ ଆଜ୍ଞା ଦିଅ ମୋତେ

।।

ତାର ବଚନେ ହୃଷୀକେଶ

ବର ଯେ ଦେଲେ ହୋଇତୋଷ

।।

ତୃତୀୟ ଅଧ୍ୟା ପଞ୍ଚବିଂଶ

ଦେବହୁତୀ ସ୍ତବ ପ୍ରକାଶ

।।

ତୁ ଅଜ ନିର୍ଗୁଣ ନିର୍ଦକ୍ଷ

ତୋ ଭକ୍ତ ଜନେ ତୁ ପ୍ରତ୍ୟକ୍ଷ

।।

ଜୀବର ପରିତ୍ରାଣ ଅର୍ଥେ

ତୋ ଅବତାର ଏ ଜଗତେ

।।

ସ୍ତିରୀ ସ୍ୱଭାବେ ମୁହିଁ ମନ୍ଦ

ନ ଜାଣେ ଆତ୍ମା ଭଲ ମନ୍ଦ

।।

କିରୂପେ ସଂସାର ତୁଟଇ

ସଂସାର ବନ୍ଧନ ଫିଟଇ

।।

ମୁଁ ଯେ ଅଜ୍ଞାନ ମନ୍ଦମତି

ସ୍ୱଭାବେ ଜନ୍ମ ମୋ ଯୁବତୀ

।।

ତୁ ମୋତେ ଜ୍ଞାନ ଚକ୍ଷୁ ଦେଇ

ଉଦ୍ଧର ଦୁର୍ଗତି ଖଣ୍ଡାଇ

।।

ତୁ ନାଥ ମୋତେ ଦୟା କର

ଏ ଘୋର ସଂସାରୁ ଉଦ୍ଧର

।।

ମାତୃ ସ୍ୱଭାବେ କର ଦୟା

ଯେମନ୍ତେ ତୁଟେ ମୋହମାୟା

।।

ମାତା ବଚନେ ହୃଷୀକେଶ

ତକ୍ଷଣେ ଧରି ମୁନିବେଶ

।।

ମାତାଙ୍କୁ ଜ୍ଞାନ ସେ କହିଲେ

ସଂସାର ବନ୍ଧନୁ ତାରିଲେ

।।

ଊନତ୍ରିଂଶ ଅଧ୍ୟା କୃତୀୟ

ଗର୍ଭିଜ ବର ଜ୍ଞାନୋଦୟ

।।

ଏମନ୍ତ ଗର୍ଭ ମଧ୍ୟେ ଥାଇ

ସ୍ତୁତି କରଇ ବିଷ୍ଣୁ ଚାହିଁ

।।

ତୁ ନାଥ ଜ୍ଞାନ ପୂର୍ଣ୍ଣମୟେ

ଆତ୍ମା ରୂପେ ଅଶେଷ ଦେହେଁ

।।

ସକଳ ହୃଦୟେ ପ୍ରକାଶ

ଗଗନେ ଯେହ୍ନେ ରବିତ୍ରାସ

।।

ଏବେ ପ୍ରଣମୁ ତୋର ପାୟେ

ଭୋ ନାଥ କର ତୁ ସୁଦୟେ

।।

ଏ ଗର୍ଭବାସ ଦୁଃଖ ଯେତେ

ଯେମନ୍ତେ ନ ଲାଗଇ ମୋତେ

।।

ନିର୍ଲେପ ନିରଞ୍ଜନ ତୁହି

ତୋ ରୂପ ନ ଜାଣନ୍ତି କେହି

।।

ତୋ ପାଦେ ନ ଭଜିଲି ମୁହିଁ

ଅଶେଷ ଗର୍ଭେ ଦେହ ବହି

।।

ଏଣୁ ସକଳ ଦେହେଁ ବାସ

ଜନ୍ମିଣ ପୁଣ ଯାଇ ନାଶ

।।

ତୁ ଏବେ ମୋତେ ଦୟାକର

ଏ ଗର୍ଭ ସଂକଟୁ ଉଦ୍ଧର

।।

ଏମନ୍ତ ଗର୍ଭ ଆକର୍ଷଣ

ଏଥୁ ଉଦ୍ଧର ନାରାୟଣ

।।

ଏ ଗର୍ଭୁ ହୋଇଲେ ନିସ୍ତାର

ତୋର ଚରଣେ ଚକ୍ରଧର

।।

ମୁଁ ପାପୀ ଭଜିବି ନିରତେ

ଏ ଦୁଃଖ ନ ଲଭୁଁ ଯେମନ୍ତେ

।।

ଏମନ୍ତେ ମନ ନିରନ୍ତରେ

ନିବେଶି କୃଷ୍ଣର ପୟରେ

।।

ଭକତି ଭାବେ ସ୍ତୁତି କରେ

ଦୁଃଖେ ଜୀବନକୁ ନସ୍ମରେ

।।

ଏ ଏକତ୍ରିଂଶ ଅଧ୍ୟା ପୁଣ

ଗର୍ଭ ଜୀବର ସ୍ତୁତିମାନ

।।

ସେ କୃଷ୍ଣ ପାଦେ କରି ଧ୍ୟାନ

ଅତି ଆନନ୍ଦେ ସୁଖେ ମଗ୍ନ

।।

ସପ୍ତ ଧାତୁରେ ବନ୍ଦୀ ହୋଇ

ଅଞ୍ଜଳି ପାଣିରେ ପ୍ରାର୍ଥଇଁ

।।

ବୋଲଇ ଶୋକଭର ଚିତ୍ତେ

ଭୋ ନାଥ ମୁଁ ଯେ ଗର୍ଭଗତେ

।।

ବେଦନା ପାଉଅଛି ଯେତେ

ଏଥୁ ଉଦ୍ଧର ପ୍ରଭୁ ମୋତେ

।।

ଏ ଦୁଃଖ ଯେମନ୍ତେ ନୋହିବ

ଏମନ୍ତ କୃପା ମୋତେ ହେବ

।।

ଯେମନ୍ତେ ଆଉ ପୁନର୍ବାର

ଏ ଗର୍ଭ ଦୁଃଖ ନୁହେ ମୋର

।।

ଏମନ୍ତ ଦୁଃସହ କଷଣେ

ସ୍ତୁତି କରଇ ପ୍ରତିକ୍ଷଣେ

।।

ବୋଲଇ ଅତି ଶୋକ ଚିତ୍ତେ

ଗର୍ଭକୁ ଆଣିଲା ଯେ ମୋତେ

।।

ତା ପାଦେ ପଶିଲି ଶରଣ

ସେ ମୋତେ କରୁ ପରିତ୍ରାଣ

।।

ସେବଇଁ ତାର ପାଦ ନିତ୍ୟେ

ଅଶେଷ କର୍ତ୍ତା ଏ ଜଗତେ

।।

ଜଗତ ସୁରକ୍ଷଣ ପାଇଁ

ଇଚ୍ଛାରେ ରୂପ ଯେ ଧରଇ

।।

ଯେ କଲା ଏତାଦୃଶୀ ଗତି

ଯେ ପାପୀ ଦୁଷ୍ଟ ଯେ ଦୁର୍ମତି

।।

ସେ ପ୍ରଭୁ ଏ କଷ୍ଟୁ ରଖିବେ

ତା ବିନୁ ଆଶ୍ରେ କାହିଁ ଜୀବେ

।।

ତାହାଙ୍କ କମଳ ଚରଣେ

ଶରଣ ଗଲି ଏ କଷଣେ

।।

ସେ ପାଦେ ଯେ ପ୍ରାଣୀ ପ୍ରସନ୍ନ

ନ ଲାଗେ ଏ ଦୁଃଖ ବୃଜିନ

।।

ମୁଁ କଷ୍ଟେ ଜନନୀ ଗର୍ଭରେ

ଅଛଇ ମାୟା କଳେବରେ

।।

ଜୀବସ୍ୱରୂପେ ଅଛି ମୁହିଁ

ସ୍ୱ ନିଜ କର୍ମେ ବଦ୍ଧ ହୋଇ

।।

ଅଛଇ ବନ୍ଧନ ପରାୟେ

ଗର୍ଭ ପୀଡ଼ାର ବଡ଼ ଭୟେ

।।

ନମଇଁ ତାହାଙ୍କର ପାଏ

ଯେ ଦେବ ଛନ୍ତି ମୋ ହୃଦୟେ

।।

ବିବିଧ ବିକାରବିହୀନ

ଅସଂଖ୍ୟ ବୋଧ ଅନୁଦିନ

।।

ତ୍ରିବିଧ ସନ୍ତାପେ ତାପିତ

ହୃଦୟେ ହୁଅଇ ପ୍ରତୀତ

।।

ନମଇଁ ତାହାଙ୍କ ଚରଣେ

ସେ ନାଥ ରଖୁ ଏ କଷଣେ

।।

ଏ ପାପ ଭୂତେ ଏ ରଚିତ

ଏମନ୍ତ ଦେହେଁ ମୋର ସ୍ଥିତ

।।

ମିଥ୍ୟାରେ ଆଛନ୍ନ ହୋଇଛି

ବୁଝିଲେ ସତ୍ୟ ନୁହେ କିଛି

।।

ଇନ୍ଦ୍ରିୟ ଅର୍ଥେ ପୁଣ ଚିତ୍ତ

ଏଥେ ମୁଁ ବନ୍ଦୀ ଅବିରତ

।।

ବନ୍ଦଇଁ ସେ ପ୍ରଭୁ ଚରଣ

ଏ କଷ୍ଟୁ କର ପରିତ୍ରାଣ

।।

ସେ ପ୍ରଭୁ ଆଦି ନିରଞ୍ଜନ

ପ୍ରକୃତି ପୁରୁଷହିଁ ଭିନ୍ନ

।।

ଏ ଦେହ ମହିଁମା ଯାହାର

କେବେହେଁ ନ ପାଇ ବିକାର

।।

ସେ ପ୍ରଭୁ ପରମ ଗୁମାନ

ଦିଅନ୍ତୁ ମୋତେ ଦିବ୍ୟଜ୍ଞାନ

।।

ଯା ମାୟା ଆବୋରି ରହିଛି

ଏଣୁ ଏ ସବୁ ପାଶୋରୁଛି

।।

ତେଣୁଁ ଭ୍ରମଇଁ ଏ ସଂସାରେ

ଶ୍ରମେ କାତର ନିରନ୍ତରେ

।।

ତାହାଙ୍କୁ ଭଜିବଇଁ ଯେବେ

ଏ ଦୁଃଖ ବିନାଶିବେ ତେବେ

।।

ଭଜିଲେ ନିଜରୂପ ପାଇ

ନ ଭଜି ପାଇବାର କାହିଁ

।।

ତାହାଙ୍କ ବିନୁ ଏହୁ ଜ୍ଞାନ

କେ ଦେଇପାରେ ମୋତେ ଆନ

।।

ତ୍ରିକାଳ ଯହୁଁ ମୁଁ ଦେଖୁଛି

ତହୁଁ ମୁଁ ଜ୍ଞାନ ପାଉଅଛି

।।

ଏଣୁ ଏ ସର୍ବଦୁଃଖ ଘୋର

ନ ଜାଣେ ମୋହର ଶରୀର

।।

ଏଣୁ ଏ ତାହାଙ୍କୁ ଭଜିବା

ତେଣୁ ଏ କର୍ମକୁ ତେଜିବା

।।

ଯାହାର ଅଂଶେ ସ୍ଥିର ଚରେ

ବ୍ୟାପିଛି ଭୁବନ ନାଭିରେ

।।

ବନ୍ଦଇଁ ତାହାଙ୍କ ଚରଣ

ଭୋନାଥ ଦେବା ଜ୍ଞାନ ଦାନ

।।

ଜନନୀ ଉଦର ଗୁହାରେ

ମୂତ୍ରାଦି ପୁରୀଷକୂପରେ

।।

ଅବଶେ ତହିଁ ପଡ଼ିଅଛି

ଅନ୍ତରେ ଅଗ୍ନି ଦହୁଅଛି

।।

ତହୁଁ ନିପାତ ହେବାପାଇଁ

ସେ ଭାବେ ଜଣାଉଛି ମୁହିଁ

।।

କେବେ ସେ କରିବେ ବାହାର

ସେ ପ୍ରଭୁ କୃପା ପାରାବାର

।।

ଯେ କଲା ଏତାଦୃଶ ଗତି

ଲଭିଲି ଦିବ୍ୟଜ୍ଞାନମତି

।।

ସେ ବଡ଼ କୃପାର ସାଗର

ଯେ ମୋତେ ଦେଲେ ଜ୍ଞାନସାର

।।

ମୁଁ ତାଙ୍କୁ କି ସେବା କରିବି

କି ଦିବ୍ୟଦ୍ରବ୍ୟେ ପ୍ରତୋଷିବି

।।

ସେ ନାଥ ଦୀନବନ୍ଧୁ ଯେବେ

ସ୍ୱଗୁଣେ ତୁଷ୍ଟହେବେ ତେବେ

।।

ଅଞ୍ଜଳି ବିନା ଭଗବାନ

ମୋହର ଦ୍ରବ୍ୟ ନାହିଁ ଆନ

।।

ଏ ଯେତେ ଜୀବ ପଶୁ ଆଦି

ଅଜ୍ଞାନ ଦେହେଁ ନିରବଧି

।।

ଦେଖନ୍ତି ଦୁଃଖ ସୁଖ ମାତ୍ର

ଏଣୁ ଲଭନ୍ତି କ୍ଳେଶଗାତ୍ର

।।

ଯେ ଦେଲେ ଦିବ୍ୟଜ୍ଞାନ ମୋତେ

ଏ ବୁଦ୍ଧି ଘେନି ଅବିରତେ

।।

ଏ ଦେହ ଭିତର ବାହାରେ

ପ୍ରତ୍ୟକ୍ଷେ ଦେଖୁଅଛି ତାରେ

।।

ଏ ଘେନି ସୁଖେ ଆଶାନାହିଁ

ଦୁଃଖକୁ ଭୟ ଅବା କାହିଁ

।।

ଯେ ମୋତେ ଦେଲେ ଦିବ୍ୟଜ୍ଞାନ

ସେ ପାଦେ ମୋହର ବନ୍ଦନ

।।

ସେ ପ୍ରଭୁ ରୂପ ମନୋହର

ଦୃଶେ ଲୋଭିତ ଚିତ୍ତ ମୋର

।।

ସେ ରୂପ ସୁଧା ଅପ୍ୟାୟନେ

ତୃଷିତ ଲୋଚନ ସ୍ୱପନେ

।।

କେବେହେଁ ନ ପାରଇ ଛାଡ଼ି

ଆନନ୍ଦ ସୁଧାର୍ଣ୍ଣବେ ବୁଡ଼ି

।।

ମୁଁ ସୁଖେ ବଞ୍ଚିବି ଗର୍ଭର

କେବେହେଁ ନୋହିବି ବାହାର

।।

ସଂସାର ଅନ୍ଧକୂପ ଅତି

ତହିଁକି ଯେ ପ୍ରାଣୀ ଗମନ୍ତି

।।

ତୋ ମାୟା ଘୋଟଇ ତାହାକୁ

ସେ ସତ୍ୟ ମଣଇଁ ମିଥ୍ୟାକୁ

।।

ପଡ଼ଇ ସଂସାର ଚକ୍ରରେ

ପୁତ୍ର କଳତ୍ର ମାୟା ଘୋରେ

।।

ଏଣୁ ବାହାରେ ମୁଁ ନ ଯାଇଁ

ଗର୍ଭରେ ମୋକ୍ଷ ସାଧିବଇଁ

।।

ବ୍ୟାକୁଳ ନୋହି ଏ ଗର୍ଭର

ସହିବି ଦୁଃଖ ମହାଘୋର

।।

ଆତ୍ମାକୁ ତାରିବି ଏଠାରେ

ମନନିବେଶି ଆତ୍ମାଠାରେ

।।

ସାରଥି ବୁଦ୍ଧି ବିବେକକୁ

କରିଣ ତାରିବି ଆତ୍ମାକୁ

।।

ଗର୍ଭ ନିବାସ ଦୁଃଖ ଘୋର

କେବେହେଁ ନୋହିବ ମୋହର

।।

ବିଷ୍ଣୁର ଚରଣେ ପଶିବି

ଅଶେଷ ଗର୍ଭକୁ ନ ଯିବି

।।

ଏମନ୍ତେ ନାନା ସ୍ତୁତି କରି

ଗର୍ଭଯାତନା କଷ୍ଟେ ଧରି

।।

ତୃତୀୟ ତେତିଶ ଅଧ୍ୟାରେ

ଦେବହୁତି କପିଳଠାରେ

।।

ବିନୟେ ଯୋଡ଼ି ବେନିହସ୍ତ

ପୁତ୍ରଙ୍କୁ କଲେ ପ୍ରଣମିତ

।।

ଚରଣେ ପୁଣ ପୁଣ ପଡ଼ି

କପୋଳେ ବେନିକର ଯୋଡ଼ି

।।

ଭୋ ନାଥ କର ମୋତେ ତ୍ରାହି

ବୋଲଇ ବିଷ୍ଣୁମୁଖ ଚାହିଁ

।।

ଚାହିଁଣ କପିଳ ବଦନ

ଆନନ୍ଦେ କରନ୍ତି ସ୍ତବନ

।।

ତୁ ନାଥ ସଲିଳ ଭିତରେ

ଶୟନ ବିରାଟ ଦେହରେ

।।

ତୁତ ଇନ୍ଦ୍ରିୟ ମନୋମୟ

ଯହିଁରେ ଗୁଣଙ୍କ ସମ୍ମୋହ

।।

ଅଶେଷ ମହିଁମା କାରଣ

ତୋ କଳେବର ନାରାୟଣ

।।

ଜଠର ପଦ୍ମରୁ ବାହାର

ତହୁଁ ଉଦ୍ଭବ ବେଦବର

।।

ତୋ ରୂପ ଦେଖିବା ନିମିତ୍ତେ

ସେ ଅବା ବିଚାରିଲା ଚିତ୍ତେ

।।

ଅନେକ ମତେ ବିଚାରିଲା

କେବେହେଁ ଭେଦ ନ ପାଇଲା

।।

କେବଳ ଧ୍ୟାନେ ସେ ଦେଖିଲା

ଏ ବିଶ୍ୱସୃଷ୍ଟି ତହୁଁ କଲା

।।

ତୁ ପ୍ରଭୁ ବ୍ରହ୍ମରୂପ ଧରି

ନିଜ ଶକ୍ତିରେ ମାୟା କରି

।।

କଲ ଏ ବିଶ୍ୱର ସର୍ଜନ

ସ୍ୱଭାବେ ତୁମ୍ଭେ କର୍ମୁ ଭିନ୍ନ

।।

ସତ୍ୟସଂକଳ୍ପ ତୁମ୍ଭେ ହରି

ଜୀବଙ୍କ ଭୋଗ ଅନୁସରି

।।

ସୃଷ୍ଟ୍ୟାଦି କରିଛ ବିଧାନ

ଏ ତୁମ୍ଭ ମାୟାର ଭିଆଣ

।।

ଅନନ୍ତ ଶକ୍ତି ଏ ତୁମ୍ଭର

ତୋମାୟା କାହାରେ ଗୋଚର

।।

ପ୍ରଳୟ କାଳେ ତୁମ୍ଭେ ହରି

ଏ ବିଶ୍ୱ ଉଦରେ ସଂହରି

।।

ଶୟନ ବଟପୁଟେ ତୋର

ବାଳମୁକୁନ୍ଦ ରୂପ ଧର

।।

ଚରଣ ଅଙ୍ଗୁଷ୍ଠି ବଦନେ

ଭରି ଶୟନେ ଶିଶୁ ଯେହ୍ନେ

।।

ଏ ବିଶ୍ୱ ବାହାର ଉଦରେ

ମୁଁ ତାଙ୍କୁ କେମନ୍ତେ ଜଠରେ

।।

ଧରି ମୁଁ ବୁଝି ନ ପାରଇଁ

କେବଳମାୟା ତୋ ଗୋସାଇଁ

।।

କୃତାର୍ଥ ତୁମ୍ଭେ ମୋତେ କଲ

ଏ ଭବସଂସାରୁ ତାରିଲ

।।

ଯା ନାମ କରିଣ ଶ୍ରବଣ

ଅଥବା କରି ସଂକୀର୍ତ୍ତନ

।।

ଯାହାକୁ କରି ନମସ୍କାର

ସ୍ମରଣ କରି ନାମ ଯାର

।।

ପାପାତ୍ମା ଯୋଗ୍ୟ କ୍ଷମ ହୋଏ

ଜାତି ବିଚାରେ ଭ୍ରାନ୍ତି ରହେ

।।

ଯେ ପ୍ରାଣୀ ନୟନେ ଦେଖିଲା

ସେ କିପାଁ କୃତାର୍ଥ ନୋହିଲା

।।

ଏଣୁ ସୁଗତି ମୁଁ ଲଭିଲି

ତୋ ରୂପ ନୟନେ ଦେଖିଲି

।।

ଚାଣ୍ଡାଳ ଏଣୁ ଶ୍ରେଷ୍ଠ ହେଲା

ଜିହ୍ୱାରେ ତୋ ନାମ ଧରିଲା

।।

ଯେ ତୁମ୍ଭ ନାମ ଉଚ୍ଚାରିଲା

ସକଳ ତପସ୍ୟା ସେ କଲା

।।

ହୋମାଦି କଲା ବିଧି ଯେତେ

ବ୍ରତାଦି ତୀର୍ଥ ସ୍ନାନ ନିତ୍ୟେ

।।

ଅପରେ ନାହିଁ ସଦାଚାର

ତୋ ନାମ ଜିହ୍ୱାରେ ଯାହାର

।।

ସହସ୍ରେ ବେଦ ସେ ପଢ଼ିଲା

କେ ତୁମ୍ଭ ନାମ ଉଚ୍ଚାରିଲା

।।

ତୁମ୍ଭେ ଯେ ପରମ ପୁମାନ

ତୁ ବ୍ରହ୍ମ ଜଗତ ନିଧାନ

।।

ତୁମ୍ଭଙ୍କୁ ନିଶ୍ଚଳ ମନରେ

ଯୋଗୀ ଭାବନ୍ତି ନିରନ୍ତରେ

।।

ଗୁଣମାନଙ୍କୁ ନିଜେ ତେଜେ

ବିନାଶ କରନ୍ତି ସହଜେ

।।

ତୁମ୍ଭେ କପିଳ ଦେବଗର୍ଭ

ତୁ ବିଶ୍ୱବ୍ୟାପୀ ଅଛୁ ସର୍ବ

।।

ବନ୍ଦଇଁ ତୁମ୍ଭର ଚରଣ

ତୋ ବିନୁ ନ ଜାଣଇଁ ଆନ

।।

ଏମନ୍ତ ଦିବ୍ୟ ସ୍ତୁତି କରି

ଆନନ୍ଦ ମନେ ମୋଦ ଭରି

।।

ଭଣଇ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ କୃପାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବଦ୍‌ବାକ୍ୟଂ

ନାମ ଷଷ୍ଠୋଽଧ୍ୟାୟଃ ।

Image

 

ସପ୍ତମ ଅଧ୍ୟାୟ

 

ଚତୁର୍ଥ ସପ୍ତମ ଅଧ୍ୟାରେ

ବିଷ୍ଣୁ ଦେଖି ଅଗ୍ନିକୁଣ୍ଡରେ

।।

ଦକ୍ଷ ଯେ ବେନି କରଯୋଡ଼ି

ବୋଲଇ ବିଷ୍ଣୁ ପାଦେ ପଡ଼ି

।।

ତୁ ନାଥ ଶୁଦ୍ଧ ଚଇତନ

ନିର୍ମଳ ନିତ୍ୟ ନିରଞ୍ଜନ

।।

ତୁ ନାଥ ସର୍ବ ଯୋଗ ଲୟେ

ତୁ ନାଥ ଏକେତ ନିର୍ଭୟେ

।।

ସ୍ତୁତି କରିଣ ଯେହୁ କହେ

ଏ ବିଶ୍ୱ ପୂର୍ଣ୍ଣ ତୋର ଦେହେ

।।

କେ ତୋତେ ଜାଣିବ ସଂସାରେ

ମାୟାକୁ ଥାଉ ଅତି ଦୂରେ

।।

ଋଷିରୁବାଚ

ଭୋ ନାଥ ରୁଦ୍ର ଶାପେ ଆମ୍ଭେ

ପଡ଼ିଲୁ ମାୟା ଗର୍ବ ଦମ୍ଭେ

।।

ନିରତେ କର୍ମ ବଶ ହୋଇ

ତୋ ଭାବେ ଆମ୍ଭ ଜ୍ଞାନ ନାହିଁ

।।

ଏ ଯଜ୍ଞ ଧର୍ମର ଲକ୍ଷଣ

ଅଶେଷ ପରମ କାରଣ

।।

ଏ ତୋର ମାୟାରୂପ ବହୁ

ଆମ୍ଭେ ଜାଣିବୁ ତାହା କାହୁଁ

।।

ତକ୍ଷଣେ ସଭାଲୋକେ ଉଠି

ବିଷ୍ଣୁରେ ଦେଇ ତୁଲ୍ୟ ଦୃଷ୍ଟି

।।

ସଭାଜନ ଉବାଚ

ଭୋ ନାଥ ତୋର ମାୟାବଳେ

ଏ ଜୀବଆତ୍ମା ଏ ଶୟଳେ

।।

ନିରତେ ଚିନ୍ତି ଆତ୍ମା ସୁଖ

ଏଣୁ ଲଭନ୍ତି ଆତ୍ମା ଦୁଃଖ

।।

 

 

 

 

ଋଦ୍ର ଉବାଚ

ତୋର ଚରଣେ ଭଗବାନ

ଆଶିଷ ଆଶେ ମୁନିଗଣ

।।

ଆଦରେ କରି ଆରୋହଣେ

ପୂଜନ୍ତି ମନ୍ତ୍ର ଉଚ୍ଚାରଣେ

।।

ସେ ପାଦ ପଦ୍ମ ଶିରେ ଧରି

ତମେଣ ଜଗତ ସଂହରି

।।

ବର୍ତ୍ତଇ ତୋ ଚରଣ ଆଶେ

ନିରତେ ଉମା ଘେନି ପାଶେ

।।

ଭୃଗୁରୁବାଚ

ଭୋ ନାଥ ତୋ ମାୟା ଗହନେ

ବ୍ରହ୍ମଦର୍ଶୀୟ ମୁନି ଜନେ

।।

ନିବର୍ତ୍ତ ପ୍ରାୟେ ତପେ ଥାନ୍ତି

ତୋର ମହିମା ନ ଜାଣନ୍ତି

।।

ତୁ ଏବେ ରଖ ଆମ୍ଭ ମନ

ତୋର ଚରଣେ କରି ଲୀନ

।।

ବ୍ରାହ୍ମଣ ଉବାଚ

ଯେ ତୋତେ ନାନାରୂପେ ଦେଖି

ପଦାର୍ଥ ଭେଦେ ଭେଦ ଚିନ୍ତି

।।

ଜ୍ଞାନ ସଂଯୋଗେ ଆତ୍ମା ତୋତେ

ଆଶ୍ରୟେ କରି ଏ ଜଗତେ

।।

ମାୟାର ବଳେ ଜ୍ଞାନ ଥୋଇ

ତୋତେ ଜାଣିବେ ଅବା କାହିଁ

।।

ଇନ୍ଦ୍ର ଉବାଚ

ହେ ବିଶ୍ୱ ଭୁବନ ମୁରାରି

ତୁ ଯେ ଆନନ୍ଦ ବପୁଧାରୀ

।।

ସକଳ ପ୍ରାଣି ମନୋହର

ଭୋ ନାଥ ତୋହର ଶରୀର

।।

ଏ ଯେ ତୋହର ଅଷ୍ଟକର

ଏ ଦିଗପାଳଙ୍କ ଶରୀର

।।

ଦକ୍ଷପତ୍ନ୍ୟୁବାଚ

ଏ ଯଜ୍ଞ ତୋର ପୂଜା ଅର୍ଥେ

ଏ ପ୍ରଜାପତିଏ ଜଗତେ

।।

କେବଳ ବୁଦ୍ଧି ଅବହେଳେ

ତୁ ନାଥ ପଶୁ ଯଜ୍ଞ କାଳେ

।।

ଯଜ୍ଞ କୀରତି ତୋର ସାଥେ

ଏରୂପେ ପ୍ରଜା ବିଧି ଯେତେ

।।

ଦକ୍ଷକୁ ଦେଲୁ କର୍ମଫଳ

ତୁ ନାଥ ପରମ ମଙ୍ଗଳ

।।

ଏବେ ପବିତ୍ର ମୋ ଭୁବନ

କଳ୍ପିଲା ତୋର ଦରଶନ

।।

ଋଷିରୁବାଚ

ଭୋ ନାଥ ତୋର ବିଚେଷ୍ଟିତ

ବିଶ୍ୱସଂସାରେ ବିପରୀତ

।।

ଈଶ୍ୱର ମାୟାର ବିଭୂତି

ଯାବଳେ ଦେବେ ଭ୍ରମ ଯାନ୍ତି

।।

ଶିବ ଉବାଚ

ତୋ କଥା ସୁଧା ତରଙ୍ଗିଣୀ

ତୃଷିତ ଜଳ ପ୍ରାୟେ ମଣି

।।

ମନ ବାରଣ ତୃଷାକୁଳେ

ପ୍ରବେଶ ହୋଇ ଶୀତ ଜଳେ

।।

ଭକ୍ଷି ନ ପାରେ ଦାବାନଳ

ତୋର ପ୍ରପଞ୍ଚେ ଆଦିମୂଳ

।।

ଭୋ ନାଥ ତୋର ଆଗମନ

ଆନନ୍ଦ କଲା ମୋର ମନ

।।

ତୁ ଲକ୍ଷ୍ମୀକାନ୍ତ ସୁଧାନିଧି

ସକଳ ସମ୍ପଦ ପ୍ରସିଦ୍ଧି

।।

ତୋ ବିନୁ ଏ ଯେ ଯଜ୍ଞ ପର

ଭୋ ନାଥ ନ ଦିଶେ ସୁନ୍ଦର

।।

କି ଅବା ଦେବା ପଟାନ୍ତର

କବନ୍ଧି ପ୍ରାୟେ ଛିନ୍ନ ଶିର

।।

ଲୋକପାଳ ଉବାଚ

ଆମ୍ଭର ଦୃଷ୍ଟି ଗ୍ରହ ଦୋଷେ

ତୋତେ ଦେଖିବୁଁ କାହୁଁ ଦୃଶେ

।।

ତୁ ମନ ପଞ୍ଚଭୂତେ ମିଶୁ

ସ୍ୱ ମାୟା ଶରୀର ପ୍ରକାଶୁ

।।

ଯୋଗେଶ୍ୱର ଉବାଚ

ଭୋ ନାଥ ତୋର ଦରଶନ

ଆମ୍ଭର ତୁଷ୍ଟ କଲା ମନ

।।

ଅଷ୍ଟାଙ୍ଗମତେ ଯୋଗ ସାଧି

ଲଭିବା ପାଇଁ ଅଷ୍ଟନିଧି

।।

ସେ ପୁଣ ତୋର ମାୟାବଳେ

କେମନ୍ତେ ଧରିବୁଁ ନିଶ୍ଚଳେ

।।

ତୁ ନାଥ ଯେବେ କରୁ ଦୟା

ତେବେ ବୁଝିବୁଁ ତୋର ମାୟା

।।

ଜଗତ ସ୍ଥିତି ପୁଣ ଅନ୍ତ

ତ୍ରିଗୁଣେ କରୁ ଆତଯାତ

।।

ନିର୍ଲେପ ପଣେ ସର୍ବ ବ୍ୟାପି

ତୁ ନାଥ ନିରଞ୍ଜନରୂପୀ

।।

ବ୍ରାହ୍ମଣ ଉବାଚ

ଯାହାର ତେଜ ବଳେ ମୁହିଁ

ତୋ ଆଗେ ସ୍ୱରୂପ କହଇଁ

।।

ଏ ଯେ ତୋହର ଦିବ୍ୟ ଦେହ

ଅନଳ ରୂପେ ପ୍ରଜ୍ଞା ବହ

।।

ଘୃତ ଆହୁତି ପଞ୍ଚବିଧେ

ମନ୍ତ୍ରେ ନିବେଦିତ ସମିଧେ

।।

ତୁ ଯଜ୍ଞରୂପୀ ଦାମୋଦର

ନିରତେ ମୋର ନମସ୍କାର

।।

ଦେବ ଉବାଚ

ତୁ ନାଥ ପୂର୍ବ କଳ୍ପୋଦର

ପ୍ରଳୟାନଳ ରୂପ ତୋର

।।

ସର୍ବସ୍ୱ ହରୁ ବିଶ୍ୱରୂପେ

ଶୟନ ଜଳେ ଆଦିତଳ୍ପେ

।।

ଆମ୍ଭେ ଯେ ତୋର ନିଜ ଭୃତ୍ୟ

ଏ କଥା ଜଗତେ ବିଖ୍ୟାତ

।।

ଆମ୍ଭଙ୍କୁ ସଙ୍କଟ ପଡ଼ିଲେ

ତୁ ନାଥ ରଖୁ ସର୍ବ କାଳେ

।।

ଗନ୍ଧର୍ବ ଉବାଚ

ତୁମ୍ଭର ମାୟାବଳେ ପ୍ରାଣୀ

ଶମନ ଇତି ପ୍ରାୟେ ମଣି

।।

ତୋର ମାୟାରୁ କେବା ତରେ

ଦେଖିଲା ନାହିଁ ତିନିପୁରେ

।।

ଉତ୍ପଥଗାମୀ ଇନ୍ଦ୍ରିଗଣେ

ଏ ନିତ୍ୟେ ଭୁଞ୍ଜେ କରଷଣେ

।।

ଏଣୁ ଲାଳସ ଇନ୍ଦ୍ରି ମୋହେ

ତୋ ପାଦେ କେବେହେଁ ନରହେ

।।

ତୋ କଥା ଅମୃତ ନ ସେବେ

ତେଣୁ ପଡ଼ଇ ଭବାର୍ଣ୍ଣବେ

।।

ବ୍ରାହ୍ମଣ ଉବାଚ

ତୁ ନିତ୍ୟାଚାର ବିଧି କର୍ମ

ତୁ ନାଥ ଯଜ୍ଞ ଅଗ୍ନି ସୋମ

।।

ସମିଧ ପାତ୍ର ତୁ ଋତ୍ୱିଜ

ଯଜ୍ଞାଦି ଯଜ୍ଞ ଜନ ଦ୍ୱିଜ

।।

ତୁ ସ୍ୱାହା ସ୍ୱଧା ଯଜ୍ଞ ପଶୁ

ଭକ୍ଷଜ୍ଞ ପୁରୁଷ ପ୍ରକାଶୁ

।।

ଦନ୍ତ ଉଦ୍ଧରି ଏ ଧରଣୀ

ସଂଗ୍ରାମେ ହିରଣ୍ୟାକ୍ଷ ଜିଣି

।।

ଧରଣୀ ସ୍ଥାପି ମହାଜଳେ

ଏଣୁ ଏ ରହିଲା ନିଶ୍ଚଳେ

।।

ଏହା ଉପରେ ଲୋକ ସର୍ଗ

ଏଣୁ ତୋ ରୂପ ଅପବର୍ଗ

।।

ସକଳ କର୍ମେ ସାକ୍ଷୀ ତୁହି

ତୋର ସଞ୍ଚିତ ସର୍ବ ହୋଇ

।।

ଆମ୍ଭର ଯଜ୍ଞ କର୍ତ୍ତା ତୁହି

ଭୋ ନାଥ ରଖ ଭାବଗ୍ରାହୀ

।।

ଯାହାର ନାମ ଉଚ୍ଚାରଣ

କରଇ ବିଘ୍ନ କରଷଣ

।।

ଏମନ୍ତ ଦେବଗଣ ସ୍ତୁତି

ଶୁଣି ସନ୍ତୋଷ ଯଜ୍ଞପତି

।।

ଚତୁର୍ଥ ନବମ ଅଧ୍ୟାରେ

ଧ୍ରୁବ ସ୍ତୁତି ବିଷ୍ଣୁ ଛାମୁରେ

।।

ଦ୍ୱାଦଶ ଆଦିତ୍ୟ କି ଜାଣି

ଦ୍ୱାଦଶ ଶ୍ଳୋକେ ସ୍ତୁତି ଭଣି

।।

ନମସ୍ତେ ପ୍ରଭୁ ଭଗବାନ

ବ୍ରହ୍ମ ପୁରୁଷ ତୋର ନାମ

।।

ମୋର ଅଜ୍ଞାନ ହୃଦେ ପଶି

ଚେତନା ଦେଲୁ ହୃଷୀକେଶି

।।

ହେ ପ୍ରଭୁ ନିଜ ତେଜ ତୋର

ଅନନ୍ତ ଶକ୍ତି ଅଗୋଚର

।।

ଯେ କର୍ମ ଜ୍ଞାନ ଇନ୍ଦ୍ରି, ଦଶ

ତୋ ଶକ୍ତି ବଳେ ପରକାଶ

।।

ତୁ ଏକ ପ୍ରଭୁ ଭଗବାନ

ତୋ ଶକ୍ତି ଅନେକ ବିଧାନ

।।

ତୋର ମାୟାରୁ ମହତତ୍ତ୍ୱ

ମୋହୁ ତୁ ଅଶେଷ ଜଗତ

।।

ଏମନ୍ତ ପ୍ରକାଶ କରାଉ

ଅଂଶେ ପ୍ରବେଶ ତହୁଁ ହେଉ

।।

ସେ ଗୁଣ ପ୍ରାଏ ତୁ ପ୍ରକାଶୁ

ଯେସନେ କାଷ୍ଠେ ବିଭାବସୁ

।।

ବ୍ରହ୍ମା ଯେ ଜଡ଼ ରୂପେ ଥିଲା

ତୋ ପାଦେ ଶରଣ ପଶିଲା

।।

ତୋଠାରୁ ଲଭି ଉପଦେଶ

ଦେଖିଲା ତୋରୂପ ଅଶେଷ

।।

ଧର୍ମାର୍ଥ କାମ ମୋକ୍ଷ ଫଳ

ତୋହର ଚରଣକମଳ

।।

ହେ ଆର୍ତ୍ତବନ୍ଧୁ ତୋତେ ପୂଜି

ସକଳ କର୍ମେ ରହି ମଜ୍ଜି

।।

ତୋର ମହିଁମା ସେ ପାଶୋରେ

ସ୍ୱଭୋଗ ଅର୍ଥେ କର୍ମ କରେ

।।

ଛାଡ଼ଇ ଅଭୟ ଚରଣ

ଯେ ଜନ୍ମ ମୃତ୍ୟୁ ନିବାରଣ

।।

କଳ୍ପ ପାଦପ ମୂଳେ ବସେ

ଅନିତ୍ୟ ଦେହ ସୁଖ ଇଚ୍ଛେ

।।

ବିଷୟ ଭୋଗେ ମଗ୍ନ ହୋଇ

ଅନ୍ତେ ନରକ ଲଭେ ସେହି

।।

ଯେ ସାଧୁ ସଙ୍ଗେ ଅନୁସରେ

ତୋ କଥାମୃତ ପାନ କରେ

।।

ତୋହର ଅଭୟ ଚରଣ

ହୃଦେ କରିବ ନିତ୍ୟେ ଧ୍ୟାନ

।।

ସେ ସୁଖ ବ୍ରହ୍ମ ପଦେ ନାହିଁ

ସ୍ୱର୍ଗର ଭୋଗକୁ ବାଞ୍ଛଇ

।।

ଯମର ହସ୍ତୁ ଯେବେ ବଳେ

ବିମାନୁ ଖସି ପଡ଼େ ତଳେ

।।

ଏଣୁ ତୋ ଅଭୟ ଚରଣ

ଆଶ୍ରିତେ ତେଜେ ସାଧୁଗଣ

।।

ତାଙ୍କ ଚରଣ ସେବା ମୋତେ

ଦିଅ ଅନନ୍ତ ଅବିରତେ

।।

ଭକ୍ତଙ୍କ ମୁଖ ପଦ୍ମ ପ୍ରାୟେ

ତୋ କଥାମୃତ ଧାରା ବହେ

।।

ଭାବେ ମୁଁ ହେବି ମଧୁକର

ଇଷିତେ ତରିବି ସଂସାର

।।

ତୋହର ପାଦ ଅରବିନ୍ଦ

ବ୍ରହ୍ମାଣ୍ଡେ ପୂରିଛି ସୁଗନ୍ଧ

।।

ତହିଁରେ ମଧୁଲିଟ ପନ୍ତି

ପ୍ରାୟେ ସାଧବେ ତେଜେ ଛନ୍ତି

।।

ତାହାଙ୍କ ସେବା ଯେହୁ ପାଇ

ସୁତ ଦାରାଦି ପାଶୋରଇ

।।

ନ କରେ ନିଜ ଦେହେଁ ଭାବ

ଧନ୍ୟ ମହିଁମା ପଦ୍ମଲାଭ

।।

ତ୍ରିଗୁଣ ମହଦହଂକାରେ

ଯେ ସ୍ଥୂଳ ସୂକ୍ଷ୍ମାଦି ଭେଦରେ

।।

ବିରାଟ ସ୍ଥୂଳ ରୂପ ତୋର

ଜାଣନ୍ତି ଶାସ୍ତ୍ରବଳେ ନର

।।

ତୋ ନିଜ ବ୍ରହ୍ମରୂପ ଜାଣେ

ବେଦାନ୍ତେ ନୁହଇ ପ୍ରମାଣେ

।।

ତାହା ନ ଜାଣେ ଯେଣୁ ଜନ

ନିର୍ବିତ୍ତି ନୋହେ ଅଭିମାନ

।।

ତୋ କୃପା ବଳେ ମହାବାହୁ

ଏ ବେନି ରୂପ ଜାଣେ ସେହୁ

।।

କଳ୍ପାନ୍ତେ ଅଖିଳ ଭୁବନ

ତୁ ଗର୍ଭେ ରଖ ଭଗବାନ

।।

ଅନନ୍ତ ଶଯ୍ୟାରେ ନିଦ୍ରିତ

ନାଭିରୁ ସ୍ୱର୍ଣ୍ଣ ପଦ୍ମ ଜାତ

।।

ସେ ପଦ୍ମେ ବ୍ରହ୍ମାର ସଭବ

ନମସ୍ତେ ନାରାୟଣ ଦେବ

।।

ହେ ନିତ୍ୟ ମୁକ୍ତ ଶୁଦ୍ଧ ରୂପି

ଆତ୍ମା ପୁରୁଷ ସର୍ବବ୍ୟାପି

।।

ତୁ ତିନି ଗୁଣ ଅଧୀଶ୍ୱର

ଆଦି ପୁରୁଷ ନିର୍ବିକାର

।।

ତୁ ବୁଦ୍ଧି ସାକ୍ଷୀ ନିରଞ୍ଜନ

ସକଳ ଯଜ୍ଞ ଅଧିଷ୍ଠାନ

।।

ସୃଷ୍ଟି ପାଳନ ସଂହାରଣ

ତୁ ଦେବ ଅଖିଳ କାରଣ

।।

ବେଦ ପୁରାଣ ଇତିହାସ

ଅନ୍ତେ ତୋ ଦେହେଁ ପରବେଶ

।।

ଅଖିଳ ଶକ୍ତି ବିଶ୍ୱରୂପୀ

ଉଦ୍ଭବ ତୋଠାରୁ ହୁଅନ୍ତି

।।

ଯେ ତୋର ପାଦପଦ୍ମେ ଭଜେ

ସଂସାର ଭୋଗେ ପୁଣ ମଜ୍ଜେ

।।

ତୋ ଅନୁଗ୍ରହେ ତାକୁ ତାରୁ

ବାଳକ ପ୍ରାୟେ ରକ୍ଷା କରୁ

।।

ଏମନ୍ତ ବହୁବିଧ ସ୍ତୁତି

ସଂକଳ୍ପ ଭାବେ ଧ୍ରୁବ ଚିନ୍ତି

।।

ଭଣଇଁ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ କୃପାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତ୍‌ ବାକ୍ୟଂ

ନାମ ସପ୍ତମୋଽଧ୍ୟାୟଃ ।

Image

 

ଅଷ୍ଟମ ଅଧ୍ୟାୟ

 

ଚତୁର୍ଥ ସତର ଅଧ୍ୟାରେ

ପୃଥିବୀ ସ୍ତବ ପୃଥୁଠାରେ

।।

ନମସ୍ତେ ପରମ ପୁରୁଷ

ଗୁଣ ପ୍ରସନ୍ନେ ତୋର ଦୃଶ୍ୟ

।।

ନିଜ ମାୟାରେ ଛନ୍ନ ହୋଇ

ସଂସାର ହିତେ ବହୁ ଦେହୀ

।।

ଶରୀର ଦାରା ଆଦିବୃତ୍ତି

ଦ୍ରବ୍ୟ କାରଣେ କ୍ରିୟାମତି

।।

ସକଳ କରୁ ମାୟା ଭ୍ରମେ

ଭ୍ରମେ ଯେସନେ ଜଳଗ୍ରାମେ

।।

ଆତ୍ମା ରଚନା ଯେତେ କରି

ବିହରି ଆତ୍ମାରୂପ ଧରି

।।

ସର୍ଜି ପାଳିଣ କରୁ ଅନ୍ତ

ଯେ ସ୍ୱୟଂ ପ୍ରକାଶ ଜଗତ

।।

ସେ ମୋତେ ମାରିବାର ସାଧେ

ଧାମଇଁ ଊର୍ଦ୍ଧ୍ୱକ ଆୟୁଧେ

।।

କେବା ରକ୍ଷଣେ ଅଛି ମୋର

ତୁ ନାଥ ବିଚାର ନ କର

।।

ତୁ ନିଜ ମାୟା ତର୍କବଳେ

ଜନ୍ତୁଙ୍କ ସର୍ଜୁ ଏ ଶୟଳେ

।।

ତୁ ନାଥ ଧର୍ମଙ୍କର ଗୁରୁ

କିପାଁ ନ ବୁଝି ମୋତେ ମାରୁ

।।

ଅନ୍ନ ନ ପାଇ ପ୍ରଜା ଯେବେ

ତୋତେ କହିଲେ ଅନ୍ନଭାବେ

।।

ତୁ ନାଥ ସଂସାର ଈଶ୍ୱର

ଏ ତୋତେ ନୁହେ ଅଗୋଚର

।।

ତୁ ନାଥ ପଦ୍ମକଳ୍ପ ଅନ୍ତେ

ଶୂକର ରୂପେ ତୋଳି ଦନ୍ତେ

 

ମୋତେ ସ୍ଥାପିଲୁ ଜନହିତେ

ପୁଣି ସଂହାରିବୁ କେମନ୍ତେ

।।

କହିଲି ଯେବା ତୋର ଇଚ୍ଛା

ଭୋ ନାଥ କର ପ୍ରାଣରକ୍ଷା

।।

ଚତୁର୍ଥ ବିଂଶ ଯେ ଅଧ୍ୟାରେ

ପୃଥୁ ପୂଜା କଲେ ପୃଥ୍ୱୀରେ

।।

ଭକ୍ତିରେ ପୃଥୁ ନରପତି

ପଡ଼ିଲେ ଶ୍ରୀ ପୟରେ ଧାତି

।।

ନୟନୁ ବହେ ଅଶ୍ରୁଧାର

ଆକୁଳେ ବିହ୍ୱଳେ କାତର

।।

ଚରଣ ପଦ୍ମକୁ ଚିନ୍ତିଲେ

କାତରେ ବାକ୍ୟ ନ କହିଲେ

।।

ପୁଣ କ୍ଷଣକେ ଜ୍ଞାନ ପାଇ

ଆନନ୍ଦେ ଶିରେ କରଦେଇ

।।

ଭୋ ନାଥ କୃପା ପାରାବାର

ମୁଁ ହୀନ ସେବକ ତୁମ୍ଭର

।।

ତୋ ପାଦ ସରୋଜରୁହରେ

ମୋ ଚିତ୍ତ ଅଳି ସେବାକରେ

।।

ତୋ ପାଦପଦ ନ ତେଜିବି

ଏକାନ୍ତ ଭାବେ ମୁଁ ଭଜିବି

।।

ତୁମ୍ଭେ ନ ତେଜି ମୋତେ ଯିବ

ମୋ ଦୃଷ୍ଟି ଅଗ୍ରେ ନିତ୍ୟେ ଥିବ

।।

ପୃଥୁଙ୍କ ଦେଖି ଭକ୍ତି ଭାବ

ସୁସ୍ଥିରେ ରହିଲେ ମାଧବ

।।

ଗମନେ ଶୀଘ୍ର ହୋଇଥିଲେ

ପୃଥୁଙ୍କ ଭାବେ ସେ ରହିଲେ

।।

ସାଧୁଙ୍କ ମିତ୍ର ଭଗବାନ

ଚାହିଁଲେ ପୃଥୁଙ୍କ ବଦନ

।।

ସେ ଆଦି ରାଜ ପ୍ରମୋଦିତେ

ରହିଲେ ହରିଙ୍କ ଅଗ୍ରତେ

।।

ହରଷେ ହରିଙ୍କ ଚାହିଁଲେ

ଆନନ୍ଦ ସାଗରେ ବୁଡ଼ିଲେ

।।

ଆନନ୍ଦେ ଉଦକ ନୟନ

କହିତ ନ ପାରେ ବଚନ

।।

ସେ ଧ୍ୟାନେ ହରିଙ୍କି ଧ୍ୟାଇଲେ

ଚିତ୍ତରୁ କେବେ ନ ଛାଡ଼ିଲେ

।।

ତକ୍ଷଣେ ସମ୍ମାର୍ଜି ନୟନ

ବୋଲନ୍ତି କାର୍ପୁଣ୍ୟ ବଚନ

।।

ଖଗେନ୍ଦ୍ର ହସ୍ତେ ଦେଇ ହସ୍ତ

ଅଛନ୍ତି ପ୍ରଭୁ ଗୋପୀନାଥ

।।

ନୟନ ଯୁଗ ନିରେଖିଲେ

ଦର୍ଶନେ ତୃପତି ନୋହିଲେ

।।

ବିନୟେ ବୋଲନ୍ତି ବଚନ

ଶୁଣ ହେ ପ୍ରଭୁ ଭଗବାନ

।।

ଆଜ୍ଞା ଯେ ଦେଲେ ବର ଘେନ

ମୋ ବରେ ନାହିଁ ପ୍ରୟୋଜନ

।।

ବ୍ରହ୍ମାଣ୍ଡେ ଯେତେ ବରଦାତା

ତୁମ୍ଭେ ଯେ ତାଙ୍କ ଇଷ୍ଟକର୍ତ୍ତା

।।

ଏମନ୍ତ ପ୍ରଭୁ ଦୃଷ୍ଟିପରେ

ଯେ ନରବର ଇଚ୍ଛାକରେ

।।

ବର ଘେନନ୍ତି ବର ପାଇଁ

ସେ ବର ନରକେ କି ନାହିଁ

।।

ଯେ ପ୍ରାଣୀ ନାରକି ଅଟନ୍ତି

ସେମାନେ ବରେ ଭୋଗ ଚିନ୍ତି

।।

କୈବଲ୍ୟ ନାଥ ତୋତେ ପାଇ

କେ ଭୋଗ ଇଚ୍ଛେ ଜ୍ଞାନୀ ହୋଇ

।।

ମୋହର ବରେ କାର୍ଯ୍ୟ ନାହିଁ

ବନ୍ଧନେ ପଡ଼ିବି କିପାଇଁ

।।

ଅପରେ ମୋକ୍ଷ ଧର୍ମସାର

ତହିଁ ମୋ ନାହିଁ ଅଧିକାର

।।

ଶ୍ରବଣ ସୁଖ ନାହିଁ ଯହିଁ

କୈବଲ୍ୟ ଏଣୁ ନ ବାଞ୍ଛଇ

।।

ସାଧୁଙ୍କ ହୃଦୟ ବିମ୍ୱରୁ

ବଦନ ସରୋଜରୁ ହରୁ

।।

ତୁମ୍ଭର ଯଶ ମଧୁ ବହେ

ତହୁଁ ଯେ ସୁଖ ଜାତ ହୁଏ

।।

ସେ ଯଶ ଶ୍ରବଣେ ମୋ ଇଚ୍ଛା

ଆୟତ୍ତେ କର୍ଣ୍ଣଦିଅ ବାଞ୍ଛା

।।

ମୋହର ବର ପ୍ରଭୁ ଏହି

ଏ ଆଜ୍ଞା ହେଉ ଭାବଗ୍ରାହୀ

।।

ଯେ ପ୍ରାଣୀ କୁଯୋଗୀ ଅଟନ୍ତି

ଏ ତତ୍ତ୍ୱ ମାର୍ଗ ନ ଜାଣନ୍ତି

।।

ତାହାଙ୍କୁ ଦିଅ ଦିବ୍ୟଜ୍ଞାନ

ତୁମ୍ଭେ ଯେ ପ୍ରଭୁ ଭଗବାନ

।।

ଯେ ଜ୍ଞାନ ସର୍ବ ଧର୍ମପର

ତୋ ଭାବ ହୀନେ ସେ କଠୋର

।।

ଭଜନ ସୁଖ ନାହିଁ ତହିଁ

ସେ ଜ୍ଞାନ ସାଧେ କାର୍ଯ୍ୟନାହିଁ

।।

ଯେ ବା ମହତ ସାଧୁଜନେ

ଆନନ୍ଦେ ବସି ଯେଝ ସ୍ଥାନେ

।।

ନିରତେ ଘୋଷନ୍ତି ତୋ ଯଶ

ସେ ଯଶେ କଳୁଷ ବିନାଶ

।।

ଅମୃତ ନିନ୍ଦେ ସ୍ୱାଦୁପଣେ

ଅଜ୍ଞାନ ଶୁଭ୍ର ମୁନିଗଣେ

।।

ସେ ଯଶ ସୁଧାର୍ଣ୍ଣବ ଚାହିଁ

ପବନେ ଆସୁଥିବ ବହି

।।

ସେ ଯଶ ବାୟୁ ମୋ ସେବନ

ଏ ଆଜ୍ଞା ହେଉ ଜନାର୍ଦ୍ଦନ

।।

ପରମ ଶିବ ତୁମ୍ଭ ଯଶ

ଅତି ମଧୁର ସୁଧାରସ

।।

ସେ ସାଧୁ ସଙ୍ଗତୁ ସ୍ରବଇ

ଯେ ଶ୍ରୁତିଦ୍ୱାରେ ଆସ୍ୱାଦଇ

।।

ଯେ ରସ ଯେ ପ୍ରାଣୀ ଜାଣଇଁ

ସେ ସୁଖ କେବେ ନ ଛାଡ଼ଇ

।।

ଯେବା ଅଜ୍ଞାନ ପଶୁହୀନ

ସେ ରସ ନ କରେ ଆପ୍ୟାନ

।।

ସେ ରସ ପାନେ ଜଗନ୍ମାତ

ତପ ଆରାଧି ଅବିରତ

।।

ବିବିଧ ସୁଗୁଣ ଲାଳସେ

କମଳା ଦେବୀ ଦିବା ନିଶେ

।।

ସେ ଯଶ କରନ୍ତି ଶ୍ରବଣ

ତାକୁ ପ୍ରତେ ଯେ ସାଧୁଜନ

।।

ସେ ପାଦପଦ୍ମେ ଯେ ମୋ ମନ

ବାଞ୍ଛିତ ଅନୁକ୍ଷଣେ ଧ୍ୟାନ

।।

କମଳା ସେବା ଅନୁସାରେ

ସେବିବି ମୁହିଁ ସେ ପ୍ରକାରେ

।।

ତେବେ ତାହାଙ୍କ ତୁଲେ ମୋର

ବିବାଦ ହେବ ନିରନ୍ତର

।।

ଏକସ୍ୱପତ୍ନୀ ପ୍ରାୟେ ଆମ୍ଭେ

କନ୍ଦଳ କରି ରିପୁ ଭାବେ

।।

ତୁମ୍ଭ ଚରଣ ଯୁଗ ଚିନ୍ତି

ଥିବ ଯେ ଆମ୍ଭ ବେନିମତି

।।

ଏ ଘେନି ଉପାଧି ବର୍ଜିବ

ଅବଶ୍ୟ କଳ୍ପ ପ୍ରବର୍ତ୍ତିବ

।।

ଜଗତ ଜନନୀ ସଙ୍ଗତେ

ବିବାଦ ହେବ ଅବିରତେ

।।

ତଥାପି ସେବା ନ ତେଜିବି

ଅବଶ୍ୟ ଏ ପାଦ ପୂଜିବି

।।

ସେ ଯେବେ ନିରୋଧିବେ ଚିତ୍ତେ

ଦୂରତ୍ୱେ ନ ପାରିବେ ମୋତେ

।।

ତୁମ୍ଭେ ଯେ ଭକତବତ୍ସଳ

ଅନାଥ ଦୀନେ ଦିଅ ସ୍ଥଳ

।।

ଅଳ୍ପହିଁ ବର ଯେ ବହୁତ

ଅଗ୍ରେ ଭକତ ସେବାହିତ

।।

ଲକ୍ଷ୍ମୀଙ୍କି ତେଡ଼େ ନ ଆଦର

ଭକତେ ଯେତେ ଦୟାକର

।।

ନିଜ ସ୍ୱଭାବେ ପୂର୍ଣ୍ଣ ଯେହି

ତେଣୁ ଲକ୍ଷ୍ମୀଙ୍କି ନ ଭାବଇ

।।

ଭକତପକ୍ଷ ଧର ଯେଣୁ

ସାଧବେ ଭଜୁଥାନ୍ତି ତେଣୁ

।।

ନିଷ୍କାମ ଭାବେଣ ସାଧବେ

ତୋତେ ଭଜନ୍ତି ଏକ ଭାବେ

।।

ତାଙ୍କ ଭଜନେ ଯେବା ଫଳ

କେବଳ ତୋ ପାଦ କମଳ

।।

ଅନ୍ୟତ୍ର ଫଳ ନ ବାଞ୍ଛନ୍ତି

ଆନନ୍ଦେ ତୁମ୍ଭଙ୍କୁ ଭାବନ୍ତି

।।

ସେ କାମଭୋଗେ ତୋ ଭାବନ

ତାହାକୁ କହି ବର ଘେନ

।।

ଭଜିଲି ତୋ ବାକ୍ୟ ଜୀବନୀ

ଜଗତ ଜନ ବିମୋହିନୀ

।।

ତୋ ବାକ୍ୟ ନିଗମରଜ୍ଜୁରେ

ଏ ଲୋକ ବନ୍ଧନ ନିର୍ଭରେ

।।

ପୁଣ ସେ ଫଳ ଲୋଭ ପାଇ

ତୋ କର୍ମ କରିବି କିପାଇଁ

।।

ତୁମ୍ଭ ମାୟାରେ ଯେହି ଜନ

ହୋଇଛି ଅତି ଜ୍ଞାନ ହୀନ

।।

ଏ ଘେନି ସୁଖ ନିମିତ୍ତରେ

ବର ମାଗନ୍ତି ପ୍ରଭୁଠାରେ

।।

ତାଙ୍କୁ ନ ଦେବ ଭୋଗ କିଛି

ଯେବେ ଭକତେ ଦୟା ଅଛି

।।

ପିତା ଯେସନେ ପୁତ୍ରହିତେ

କରଇ ସ୍ନେହ ଅବିରତେ

।।

ତୁମ୍ଭେ ସେ ରୂପେ ଆଚରିବ

ତେବେ ଭକତ ନିସ୍ତରିବ

।।

ସ୍ତବନେ ହରି ତୁଷ୍ଟ ହେଲେ

ପୃଥୁଙ୍କୁ ଚାହିଁ ଆଜ୍ଞାଦେଲେ

।।

ଭଣଇଁ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ କୃପାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବଦ୍‌ବାକ୍ୟଂ

ନାମ ଅଷ୍ଟମୋଽଧ୍ୟାୟଃ ।

Image

 

ସ୍ତବକଳ୍ପଦ୍ରୁମ

ନବମ ଅଧ୍ୟାୟ

 

ଚତୁର୍ଥ ତିରିଶ ଅଧ୍ୟାରେ

ପ୍ରଚେତା ଦାସ ଏକଠାରେ

।।

ସ୍ତୁତି କରନ୍ତି ଏକେ ଏକେ

ବାକ୍ୟ ନ ସ୍ଫୁରେ ଅଶ୍ରୁ ଥୋକେ

।।

ନମସ୍ତେ ପ୍ରଭୁ ନାରାୟଣ

ଅଶେଷ ଦୁଃଖ ନିବାରଣ

।।

ଉଦାର ଗୁଣ ଯେ ତୁମ୍ଭର

ଯେ ନାମ ଦେବେ ଅଗୋଚର

।।

ସେ ରସ ଆପ୍ୟାୟନେ ଯେହୁ

ତା ଭାବ ମୁଖେ କେବା କହୁ

।।

ଏ ତୁମ୍ଭ ବେଗ ବଳବନ୍ତ

ମନ ବଚନେ ନୋହେ ଅନ୍ତ

।।

ଇନ୍ଦ୍ରିୟ ଗଣେ ନ ଜାଣନ୍ତି

ଏରୂପେ ଗତି ସେ କରନ୍ତି

।।

ଏମନ୍ତ ପ୍ରଭୁ ଯେ ଈଶ୍ୱର

ସେ ପାଦେ ଆମ୍ଭ ନମସ୍କାର

।।

ତୁମ୍ଭେ ବିଶୁଦ୍ଧ ଶାନ୍ତି ରୂପେ

ବସ ନିର୍ମଳ ମନ ସୁଖେ

।।

ନମସ୍ତେ ପ୍ରଭୁ ଭଗବାନ

ଏ ଭାବ କର ବିମୋଚନ

।।

ଜଗତ ଉଦେ ସ୍ଥିତି ଲୟେ

ହୋଇ ଯେ ଅଛି ଗୁଣମୟେ

।।

ମାୟାଗୁଣରୁ ରୂପଧରି

ସୃଷ୍ଟି ସର୍ଜନେ ଅଧିକାରୀ

।।

ନୋହିଲି ଶୁଦ୍ଧ ଆତ୍ମା ସତ୍ତ୍ୱ

କେହି ନ ପାନ୍ତି ତୁମ୍ଭ ତତ୍ତ୍ୱ

।।

ତୁମ୍ଭେ ଶ୍ରୀକୃଷ୍ଣ ବାସୁଦେବ

ସକଳ ସାତ୍ୱିକ୍ୟେ ପ୍ରାଭବ

।।

ଫଙ୍କଜନାଭଟି ଯାହାର

ନିମିତ୍ତ ସେ ପାଦେ ମୋହର

।।

ନମଇଁ କମଳ ମାଳିନେ

ପଙ୍କଜ ଚରଣ ଲୋଚନେ

।।

କମଳ କିଂଜଳ୍ଵ ଯେସନ

ନିର୍ମଳ ଦଶନ ତେସନ

।।

ସେ ପୀତବାସଙ୍କୁ ନମଇଁ

ଚରଣେ ପରିମୁଣ୍ଡା ଯାଇଁ

।।

ସକଳ ଭୂତେ ଯା ନିବାସ

ସେ ସାକ୍ଷ ରୂପେ ଯା ପ୍ରକାଶ

।।

ସେ ରୂପ ଭାବି ପ୍ରଣମିଲୁ

ଯେଣୁଟି ଦର୍ଶନ ଲଭିଲୁ

।।

ଭୋ ପ୍ରଭୁ ତୁମ୍ଭେ ଭଗବାନ

ଏ ଦୟା କରିବ କେ ଆନ

।।

ଭୋ ନାଥ ଏ ରୂପ ଦେଖାଇ

ଦୁରିତ ଖଣ୍ଡିଲ ଗୋସାଇଁ

।।

ଏ ରୂପ ଯେ କରେ ଦର୍ଶନ

ସେ ଦୁଃଖେ ନୁହନ୍ତି ଭାଜନ

।।

ଭୋ ନାଥ ମହିଁମା ତୋ ଯେଡ଼େ

ଦେଖିଲୁ ପ୍ରଭୁପଣ ତେଡ଼େ

।।

ବୁଝିଲୁ ତୁମ୍ଭେ ଦୟାସିନ୍ଧୁ

ଯେ ଦୀନ ହୀନଜନ ବନ୍ଧୁ

।।

ଆମ୍ଭେ ଯେ ଅତି ଦୀନ ହୀନ

ଆମ୍ଭଙ୍କୁ ହେଲେ ସୁପ୍ରସନ୍ନ

।।

ଯେ ଉଷ୍ମାରସୁ ଆମ୍ଭ ଚିତ୍ତ

ସୁଶାନ୍ତି ଲଭି ସୁଖ ଜାତ

।।

ବୁଝିଲୁ ତୁମ୍ଭେ ଦୂର ନୁହଁ

ହୃଦୟ ପଦ୍ମେ ଗୁପ୍ତେ ଥାଅ

।।

ଏଣୁ ଭକତ ଚିତ୍ତ କଥା

ବୁଝିଣ ଯାଅ ତୁମ୍ଭେ ବ୍ୟଥା

।।

ଯେଣୁ ତୁ ସର୍ବଘଟେ ବାସ

ଭକ୍ତ ଡାକିଲେ ଶୀଘ୍ରେ ଆସ

।।

ଭୋ ନାଥ ଜଗତ ଗୋସାଇଁ

ଏଥୁ ଅପରେ ବର ନାହିଁ

।।

ତୁମ୍ଭେ ଜଗତ ଗୁରୁ ପତି

ପ୍ରସନ୍ନ ହୋଇଲ ତଡ଼ତି

।।

ଏ ବର ହେବକି ଆମ୍ଭର

ଭୋ ନାଥ ତୁମ୍ଭେ କୃପାକର

।।

ତୁମ୍ଭ ବିଭୂତି ଅନ୍ତନାହିଁ

ଏଣୁ ଅନନ୍ତ ନାମ ବହି

।।

ପାରିଜାତକ ପୁଷ୍ପ ପାଇଁ

ସାରଙ୍ଗ ଅନ୍ୟ କି ଲୋଡ଼ଇ

।।

ଲଭିଲେ ତୋ ପାଦକମଳ

ଅନ୍ୟତ୍ର ବରେ କିବା ଫଳ

।।

ଭୋ ନାଥ ନିବେଦୁଁ ଛାମୁରେ

ଏ ଆଜ୍ଞା ଦେବ କି ଆମ୍ଭରେ

।।

ଯାବତ ତୁମ୍ଭ ମାୟା ଘେନି

ଜନ୍ମ ଲଭିବୁ ଯେତେ ଯୋନି

।।

ଏ କର୍ମ ବଶେ ଯେତେ ଦେହୀ

ଭୋଗ ନ କଲେ ନାଶ ନୋହି

।।

ନିଜସ୍ୱ କର୍ମେ ଭୁଞ୍ଜୁଥିବୁ

ତୋ ସଙ୍ଗ ସଙ୍ଗତ ଲଭିବୁଁ

।।

ତୋ ଭକ୍ତ ସଙ୍ଗର ମହିମା

କେ ଜାଣିପାରେ ଗୁଣ ସୀମା

।।

ସେ ସଙ୍ଗୁ ଯେବା ସୁଖ ହୋଇ

ସେ ସୁଖ ସ୍ୱର୍ଗେ ଅଛି କାହିଁ

।।

ତହିଁ ମୁକତି ତୁଲ୍ୟ ନୁହେ

ମନୁଷ୍ୟ ଜନ୍ମ ତୁଚ୍ଛେ ରହେ

।।

ଆମ୍ଭେ ବୁଝିଲୁ ଅନୁଭବେ

ସାଧୁସଙ୍ଗତେ ସୁଖ ଲଭେ

।।

ତତ୍ତୁଲ୍ୟ ନୋହେ ସ୍ୱର୍ଗ ମୋକ୍ଷ

ଏ ସ୍ୱର୍ଗ ମୋକ୍ଷ ମଣେ ତୁଚ୍ଛ

।।

ଯେଠାରେ ସାଧୁଙ୍କ ବସତି

ସେଠାରେ ହରିଙ୍କର ସ୍ଥିତି

।।

ତୋ ଅବତାର ଗୁଣଯଶ

ତୋ ଯଶ କଳୁଷ ବିନାଶ

।।

ସେ ସାଧୁ ମୁଖୁ ଚ୍ୟୁତହୋଇ

ପଡ଼ିଣ ଦଶଦିଗେ ଚାହିଁ

।।

ଯେ ତାହା ଯିବେ ଶ୍ରୁତି ଦ୍ୱାରେ

ଜ୍ଞାନ ଅଜ୍ଞାନ ପାପ ହରେ

।।

ତେବେ ବିଷୟ ଶାନ୍ତ ହୋଏ

ଜୀବେ ଅଇରି ଭାବ ନୋହେ

।।

ଅହିଁସା ଭାବ ହେଲେ ଜାତ

ତେଣୁ ଉବ୍ଦେଗ ନୋହେ ଚିତ୍ତ

।।

ଯେ ହରି ଦାସଙ୍କର ଗତି

ସେ ପାଦେ ଭକତ ସେବନ୍ତି

।।

କୁସଙ୍ଗ ତେଜି ସାଧୁଜନେ

ଏକାନ୍ତେ ଥାନ୍ତି ତୁମ୍ଭ ଧ୍ୟାନେ

।।

ସେ ଯେବେ ମହୀ ପର୍ଯ୍ୟଟନ୍ତି

ଭ୍ରମିଣ ଲୋକ ନିସ୍ତାରନ୍ତି

।।

ତୀର୍ଥାଦି କରନ୍ତି ପବିତ୍ର

ଏମନ୍ତ ସାଧୁଙ୍କ ଚରିତ୍ର

।।

ତାହାଙ୍କ ପ୍ରସନ୍ନ ଯାହାଙ୍କୁ

ବିସ୍ତାରି କହିଲେ ଆମ୍ଭଙ୍କୁ

।।

ତୁମ୍ଭର ପ୍ରିୟ ସଖା ରୁଦ୍ର

ସେ ପ୍ରଭୁ ଦୟାର ସମୁଦ୍ର

।।

ପାଇଲୁଁ ତାଙ୍କ ସଙ୍ଗ ଯେଣୁ

ତେଣୁ ତରିଲୁଁ ଘୋରବନୁ

।।

ଏ ଭବ ବ୍ୟାଧି ମହାଘୋର

ଚିକିତ୍ସା ନାହିଁ ଯେ ଏହାର

।।

ଏଥକୁ ବୈଦ୍ୟ ଅଟ ତୁମ୍ଭେ

ଏଣୁ ଆଶ୍ରିତ କଲୁ ଆମ୍ଭେ

।।

ଯେଣୁ ତୋ ନାମ ଦୀନବନ୍ଧୁ

କରୁଣା କର କୃପାସିନ୍ଧୁ

।।

ଆମ୍ଭେ ଯେ ଦୀନ ଅଜ୍ଞଜନ

ତୋ ପାଦେ ପଶିଲୁ ଶରଣ

।।

ଭୋ ନାଥ ଆମ୍ଭେ ଦଶଭାଇ

ବେଦ ପଢ଼ିଲୁ ଯେତେଠାଇଁ

।।

ବେଦବେଦାନ୍ତ ଶାସ୍ତ୍ର ଯେତେ

ଶିଖିଲୁଁ ସାଙ୍ଗୋପାଙ୍ଗେ ନିତ୍ୟେ

।।

ଗୁରୁଙ୍କ ଚରଣେ ପୂଜିଲୁ

ବୃଦ୍ଧ ବ୍ରାହ୍ମଣଙ୍କୁ ସେବିଲୁଁ

।।

ଅହିଁସା ଧର୍ମ ବ୍ୟବହାରେ

ବୃଦ୍ଧଙ୍କୁ ପୂଜିଲୁ ସଂସାରେ

।।

ତଦନ୍ତେ ପଶି ସିନ୍ଧୁନୀରେ

ତପସ୍ୟା କଲୁଁ ନିରାହାରେ

।।

ଯେତେକ କଷ୍ଟେ ତପକଲୁ

ଏ ସର୍ବ ତୁମ୍ଭରେ ଅର୍ପିଲୁଁ

।।

ଗୁରୁ ସେବାରେ ଆଦି ଯେତେ

ତୁମ୍ଭେ ସନ୍ତୋଷ ହୁଅ ନିତ୍ୟେ

।।

ଆମ୍ଭର ବର ପ୍ରଭୁ ତୁହି

ଆବର ବର ଇଚ୍ଛା ନାହିଁ

।।

ମନୁ ବିଧାତା ରୁଦ୍ର ଆଦି

ସେମାନେ ଜ୍ଞାନ ଶୁଦ୍ଧବୁଦ୍ଧି

।।

ତୁମ୍ଭ ମହିଁମା ଅନ୍ତ ନାହିଁ

ଏ ଦେଖି ନ ପାରିଲେ କେହି

।।

ସେ ତୁମ୍ଭ ରୂପ ଧ୍ୟାଉଥାନ୍ତି

ହୃଦୟ କମଳେ ଭାବନ୍ତି

।।

ସେମାନେ ଜ୍ଞାନର ସାଗର

ସ୍ତବ ନ କରନ୍ତି ତୁମ୍ଭର

।।

ଆମ୍ଭେ ଯେ ଅତି ଜ୍ଞାନହୀନ

ବିଦ୍ୟାରେ ନୋହିଛୁଁ ପ୍ରବୀଣ

।।

ତଥାପି ଜ୍ଞାନ ଅନୁସାରେ

ମନ କଳ୍ପଇ ସ୍ତୁତିଠାରେ

।।

ସେ ଦୋଷ କ୍ଷମ କୃପାଦେଇ

ତୁମ୍ଭେ କେବଳ ଭାବଗ୍ରାହୀ

।।

ନମସ୍ତେ ଶିବ ତୁମ୍ଭ ନାମ

ପରମ ପୁରୁଷ ସୁଧାମ

।।

ତୁମ୍ଭେ ସେ ସତ୍ୟ ବାସୁଦେବ

ଆମ୍ଭଙ୍କୁ ଅନୁଗ୍ରହ ଥିବ

।।

ତୁମ୍ଭ ଚରଣେ ପ୍ରଣମିତ

ଆମ୍ଭଙ୍କୁ ରଖିବା ଅନନ୍ତ

।।

ସ୍ତୁତି ପଠନେ ଦଶଭାଇ

ଶୁଣି ସନ୍ତୋଷ ଭାବଗ୍ରାହୀ

।।

ଭଣଇ ବଳଭ୍ରଦ ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ କୃପା କର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭଗବତ୍‌ବାକ୍ୟଂ

ନାମ ନବମୋଽଧ୍ୟାୟଃ ।

Image

 

ଦଶମ ଅଧ୍ୟାୟ

 

ପଞ୍ଚମ ତୃତୀୟ ଅଧ୍ୟାରେ

ନାଭ ରାଜା ପୁତ୍ର କାମରେ

।।

ଯଜ୍ଞେ ପ୍ରକାଶ ଭଗବାନ

ଦେଖି ସକଳ ଦେବଗଣ

।।

ପରମ ହରଷକୁ ପାଇ

ନମିଲେ ନମ୍ର ଶିର ହୋଇ

।।

ଭୋ ନାଥ ପରମ କାରଣ

ତୁମ୍ଭର ଆମ୍ଭେ ଭୃତ୍ୟଗଣ

।।

ତୁ ସର୍ବ ପୂଜିତ ଠାକୁର

ଭକତି ଘେନ ତୁ ଆମ୍ଭର

।।

ତୋହର ଚରଣାରବିନ୍ଦେ

ନମିଲୁଁ ପରମ ଆନନ୍ଦେ

।।

ତୋର ଭିଆଣ ଏ ଜଗତ

ପ୍ରକୃତି ପୁରୁଷ ବନ୍ଦିତ

।।

ତ୍ରିଗୁଣ କରେ ବନ୍ଦୀ ହୋଇ

ପ୍ରାଣୀ ଏ ସଂସାରେ ଭ୍ରମଇଁ

।।

ସୃଷ୍ଟିରେ ଯେତେ କର୍ମମାନ

ସେ ସର୍ବ ତୋହର ଅଧୀନ

।।

ଭୋ ନାଥ ତୋହର ମହିଁମା

ସଂଖ୍ୟାରେ କେ କରିବ ସୀମା

।।

ତୋହର ଜନ୍ମାନ୍ତର ନାମ

ଧ୍ୟାନ କରନ୍ତି ନିରୋପିଣ

।।

ସାକ୍ଷାତେ ନୁହଇ ଗୋଚର

ଭୋ ପ୍ରଭୁ ରୂପଗୁଣ ତୋର

।।

ତୋହର ନାମ ଉଚ୍ଚାରଣ

ସକଳ ପାପ ବିଧ୍ୱଂସନ

।।

ଅଖିଳ ବ୍ରହ୍ମାଣ୍ଡ ଠାକୁର

ତୁ ନାଥ କରୁଣା ସାଗର

।।

ତୋହର ଯେତେ ଜନମାନେ

ଆନନ୍ଦ ମନର ପ୍ରସନ୍ନେ

।।

ସଲିଳ ଦର୍ଭ ତୁଳସୀରେ

ପୂଜନ୍ତି ତୋହର ପୟରେ

।।

ତେଣୁ ତୁ ପରମ ପୁରୁଷ

ପ୍ରସନ୍ନ ହୁଅ ହୃଷୀକେଶ

।।

ଏ ଯଜ୍ଞ ହୋଇଲା ସୁଫଳ

ଯେଣୁ ପ୍ରସନ୍ନ ଆଦିମୂଳ

।।

ସୁଫଳ କିଅବା ଅପରେ

ହୋଇବ ତୋର ସନ୍ତୋଷରେ

।।

ବାଳକ ବୁଦ୍ଧି ସେ ଯେସନେ

ତେମନ୍ତ ପ୍ରାୟେ ଆମ୍ଭେମାନେ

।।

ପଣ୍ଡିତ ପରମ ପୁରୁଷେ

ସ୍ତୁତି କରନ୍ତି ସେ ବିଶେଷେ

।।

ପରମ ଦୟାଳୁ ସାଗର

ରାଜାକୁ ପ୍ରଭୁ କୃପାକର

।।

ଏମନ୍ତ ସ୍ତୁତି ଅନୁସାରେ

ଜଗତ ପ୍ରଭୁ ସେ ଅଗ୍ନିରେ

।।

ରାଜାର ଚକ୍ଷୁର ଗୋଚରେ

ହୋଇଲେ ଅତି ମନୋହରେ

।।

ଯେ ଅସତ୍ସଙ୍ଗୁ ପାପ ଥିଲା

ତକ୍ଷଣେ ସର୍ବନାଶ ଗଲା

।।

ପୁଣି ବୋଲନ୍ତି ଦ୍ୱିଜଗଣ

ଭୋ ନାଥ ସାବଧାନେ ଶୁଣ

।।

ଜ୍ଞାନ ଅନଳେ ପାପ ଦହି

ତୋ ପାଦପଦ୍ମ ଯୁଗ ଧ୍ୟାୟି

।।

ଯେବା ଆଶ୍ରମେ ମୁନିଗଣେ

ସେବନ୍ତି ତୋହର ଚରଣେ

।।

ତୋହର ଗୁଣ ଗୁଣି ମନେ

ସେବନ୍ତି ଅବିରତେ ଧ୍ୟାନେ

।।

ତୁ ନାଥ ଅଖିଳ ଠାକୁର

ପରମ ମଙ୍ଗଳର ପର

।।

ଆମ୍ଭେ ଅକର୍ମି ହୀନଜନ

କାହିଁ କରିବୁ ସୁମରଣ

।।

ସକଳ କଳୁଷ ନାଶନ

ନିର୍ମଳ ତୋର ଗୁଣମାନ

।।

ଆମ୍ଭର ମରଣ ଦଶାରେ

ତୋ ନାମ ଥିବ ବଚନରେ

।।

ଏମନ୍ତ ଆଜ୍ଞା ପ୍ରଭୁଙ୍କର

ଅଖିଳ ବ୍ରହ୍ମାଣ୍ଡଠାକୁର

।।

ଏବେ ତୁ ଶୁଣ ଭାବଗ୍ରାହୀ

ଏ ରାଜା ପୁତ୍ରକାମୀ ହୋଇ

।।

ତୋର ପ୍ରସାଦୁଁ ଏ କୁମର

ମାଗଇ ତୋର ସାଦୃଶର

।।

ସେ ସ୍ୱର୍ଗ ଭୋଗ ମୋକ୍ଷପଦ

ସକଳ ଦାତା ତୁ ଗୋବିନ୍ଦ

।।

ନିର୍ଦ୍ଧନ ପ୍ରାଣୀଏ ଯେସନେ

ମାଗନ୍ତି ଧନବନ୍ତ ଜନେ

।।

ଏ ଅନନ୍ତରେ ସେ ରାଜନ

ନିଶ୍ଚଳ ହୋଇ ଏକମନ

।।

ବିଷ୍ଣୁର ମୁଖକୁ ସେ ଚାହିଁ

ପଙ୍କଜ ବଦନେ ସେ କହି

।।

ଭୋ ନାଥ ପରମ ମଙ୍ଗଳ

ପ୍ରସନ୍ନ ହୁଅ ଆଦିମୂଳ

।।

ତୋହର ଚରଣାରବିନ୍ଦ

ଆଶ୍ରୟ ନ କରି ଗୋବିନ୍ଦ

।।

ଏ ଭବ ସାଗରେ ଯେ ଜନ

ମାୟାରେ ହୁଅନ୍ତି ଅଧୀନ

।।

ସେ ମୂଢ଼ ପ୍ରାଣୀମାନଙ୍କର

ଭୋ ନାଥ ଏମନ୍ତ ବେଭାର

।।

ତୋର ଚରଣେ ନ ସେବନ୍ତି

ଅଜ୍ଞାନେ ସଂସାରେ ଭ୍ରମନ୍ତି

।।

ସକଳ କର୍ତ୍ତା ତୁ ଈଶ୍ୱର

ତୋର ଭିଆଣ ଏ ସଂସାର

।।

ଏମନ୍ତ ନାଭ ସ୍ତୁତି ଶୁଣି

ଦେବାଧି ଦେବ ଶିରୋମଣି

।।

ଅଖିଳ ବୃନ୍ଦାରକଗଣ

ସେବନ୍ତି ଯାହାର ଚରଣ

।।

ସେ ଦୟା ଚିତ୍ତେ ଭଗବାନ

କହନ୍ତି କୋମଳ ବଚନ

।।

ପଞ୍ଚମ ସପ୍ତଦଶାଧ୍ୟାରେ

ନବର୍ଷେ ସ୍ତୁତି ଦେବତାରେ

।।

ନମସ୍ତେ ପରମ ପୁରୁଷ

ଅଶେଷ ଗୁଣ ଯହିଁ ବାସ

।।

ଅବ୍ୟକ୍ତ ଅନନ୍ତ କାରଣ

ଭଜନ୍ତି ତୋହର ଚରଣ

।।

ବ୍ରହ୍ମା ଶିବର ପରେ ତୁହି

ପ୍ରକୃତି ଥାଇ ତୋର ତହିଁ

।।

ଭୂତ ଭାବନ ତୋର ନାମ

ନାମରେ ଏ ଭବ ଖଣ୍ଡନ

।।

ତୋହର ନାମ ଗୁଣ କର୍ମ

ମନ ବଚନେ ନୋହେ ଗମ୍ୟ

।।

ଆପଣା ମାୟା ଗୁଣେ ଛନ୍ଦି

ସଂସାରେ କରୁ ଅଛୁ ବନ୍ଦି

।।

ଯାହାର ସଦୃଶ ଅପରେ

ନାହିଁ ଏ ବ୍ରହ୍ମାଣ୍ଡ ଭିତରେ

।।

ଉନ୍ନତି ପ୍ରଳୟ ପାଳନ

ଏ ସର୍ବ ଯାହାର ଭିଆଣ

।।

ଯାହାର ଆଦି ଅନ୍ତନାହିଁ

ଅନନ୍ତ ନାମ ସେ ବୋଲାଇ

।।

ଯାର ଅସଂଖ୍ୟ ଶିରୀ ପ୍ରାଣ

ନମସ୍ତେ ପୁରୁଷ ପୁରାଣ

।।

ଯାହାର ତହୁଁ ଜନ୍ମ ହୋଇ

ଦୁର୍ଜୟ ସଂସାର କରଇ

।।

ବ୍ରହ୍ମା ରୁଦ୍ରାଦି ଏ ସକଳେ

ସେବନ୍ତି ଯାର ପାଦତଳେ

।।

ରଜ୍ଜୁ ବନ୍ଧନ ପ୍ରାୟେ ହୋଇ

ଜନ୍ମିତ ହୋଇଛନ୍ତି ତହିଁ

।।

ଅନୁଗ୍ରହରୁଟି ଯାହାର

ଭିଆଣ କରେ ଏ ସଂସାର

।।

ତ୍ରିଗୁଣ ସଙ୍ଗତେ ବନ୍ଧନ

ଯାର ମାୟାରେ ପ୍ରାଣୀମାନ

।।

ତ୍ରିଗୁଣ ମତେ ହୋଇ ମୋହୀ

ଜନ୍ମିଣ ତତ୍ତ୍ୱ ନ ଜାଣଇ

।।

ଏସନ ମାୟାକୁ ବିସ୍ତାରି

ଯେ ପ୍ରଭୁ ଜଗତେ ବିହରି

।।

ତାହାକୁ ମୋର ନମସ୍କାର

ଯେ ପ୍ରଭୁ ଜଗତ ଠାକୁର

।।

ପଞ୍ଚମ ଅଷ୍ଟାଦଶାଧ୍ୟାୟେ

ଭଦ୍ର ସ୍ତବରେ ସ୍ତୁତି ହୋଏ

।।

ନମଇଁ ଧର୍ମ ଅବତାର

ଆତ୍ମା ଅଶେଷ ପ୍ରାଣୀଙ୍କର

।।

ଏ ହୃଦେ ଆଚାର୍ଯ୍ୟ ମହତ୍ତ୍ୱ

ପ୍ରଭୁର ଯେତେ ବିଚେଷ୍ଟତ

।।

ଶରୀର ମାତ୍ର ସେ ହୁଅଇ

ତଥାପି ପ୍ରାଣୀ ନ ଜାଣଇ

।।

ମିଥ୍ୟା ସଂସାରେ ମୂର୍ଖ ଜନେ

ସତ୍ୟ କରନ୍ତି ଅନୁକ୍ଷଣେ

।।

ପଣ୍ଡିତ ଜନେ ଏହା ଜାଣି

ମିଥ୍ୟା ଏ ମନେ ପରିମାଣି

।।

ତଥାପି ଯାହାର ମାୟାରେ

ପଣ୍ଡିତ ଭ୍ରମନ୍ତି ସଂସାରେ

।।

ଯେ ଅଜ ବ୍ରହ୍ମାଣ୍ଡ ଠାକୁର

ତାହାକୁ କରୁଁ ନମସ୍କାର

।।

ସକଳ ଆବୃତ ଯେ ହୋଇ

ତାହାର ଆଚରଣ ମହୀ

।।

ଏ କଥା ଉଚିତ ତୋହର

କାର୍ଯ୍ୟ କାରଣ ତୁ ଠାକୁର

।।

ନାନା ଶରୀରବନ୍ତ ହୋଇ

ସର୍ବ ଭୋଗକୁ ଭୁଞ୍ଜୁ ତୁହି

।।

ତୋତେ ଆମ୍ଭର ନମସ୍କାର

ଭୋ ନାଥ ସକଳ ଈଶ୍ୱର

।।

ଏମନ୍ତେ ନାନାସ୍ତୁତି ଯେତେ

ସେବନ୍ତି ତାଙ୍କ ପାଦଗତେ

।।

ପ୍ରହଲାଦ ସଙ୍ଗତେ ପୁଣ

ସ୍ତବନ୍ତି ନୃସିଂହ ଚରଣ

।।

ଏହି ଅଷ୍ଟାଦଶ ଅଧ୍ୟାରେ

ହରି ବରଷ ଲୋକ ଧୀରେ

।।

ନମସ୍ତେ ପ୍ରଭୁ ଦଇତ୍ୟାରି

ଯାହାର ତେଜେ ଦିଗ ପୂରି

।।

ନଖଙ୍କ ତେଜର ପ୍ରକାଶ

ରବି କିରଣ କରେ ନାଶ

।।

କରାଳ ଦଂଷ୍ଟ୍ର ସେ ବଦନ

ଅଗ୍ନିର ପ୍ରାୟେକ ଲୋଚନ

।।

ଯାହାର ନାମେ ଦୁଷ୍ଟ ଡରେ

ନମଇଁ ତାହାଙ୍କ ପୟରେ

।।

ଭୋ ନାଥ ତୋହର ପ୍ରସାଦେ

ପ୍ରାଣୀ ତରନ୍ତି ଅପ୍ରମାଦେ

।।

ତୁମ୍ଭର ଅଭୟ ଚରଣ

ମନ ମୋ ରହୁ ଅନୁକ୍ଷଣ

।।

ଏ ଯେ ତନୟ ଗୃହ ମୋର

ଏଣେ ମୋ ମନ ବିଘ୍ନ କର

।।

ତୁମ୍ଭର ଭକ୍ତ ଜନ ସଙ୍ଗେ

ସୁଖେ ବଞ୍ଚିବି ନାନାରଙ୍ଗେ

।।

ଆତ୍ମାକୁ ପ୍ରିୟ ଯେ ଅପରେ

ନାହିଁ ଏ ଅଖିଳ ସଂସାରେ

।।

ସକଳ ଆତ୍ମା ତୋ ଠାକୁର

ଏଣୁ ତୁ ପ୍ରିୟ ପ୍ରାଣିଙ୍କର

।।

ତୁମ୍ଭର ନାମ ଯେ ସ୍ମରଣ

ଅଶେଷ ପରମ କାରଣ

।।

ଏମନ୍ତ ଯାହାର ପ୍ରଭାବ

ତାହାଙ୍କୁ କେବା ନ ସେବିବ

।।

ତୋହର ତହିଁ ଭକ୍ତି ଯାର

ପୁଣ୍ୟ ସେ ହେବ ମାନବର

।।

ସକଳ ପୁଣ୍ୟ ତାଙ୍କ ଠାରେ

ଆଶ୍ରୟ କରନ୍ତି ନିର୍ଭରେ

।।

ତୋର ଅଭକ୍ତି ପ୍ରାଣିମାନେ

ସଂସାରେ ବନ୍ଧନ କାରଣେ

।।

ଏହା ଜାଣିଣ ଯେଉଁ ନର

ଭଜନ୍ତି ନୃସିଂହ ପୟର

।।

ଅଶେଷ ଭୟରୁ ତରଇ

କର୍ମ ବନ୍ଧନ କ୍ଷୟ ଯାଇଁ

।।

ଏହି ଅଧ୍ୟାରେ ସ୍ତବ ପୁଣ

କେତୁବରଷଇ ଯେ ଜନ

।।

ଲକ୍ଷ୍ମୀ କାମଦେବ ପୟରେ

ସ୍ତବନ୍ତି ଏହି ଯେ ସ୍ତବରେ

।।

ନମଇଁ ପ୍ରଭୁ ହୃଷୀକେଶ

ସକଳ ଗୁଣେ ତୁ ପ୍ରକାଶ

।।

ଷୋଡ଼ଶ କଳାବନ୍ତ ତୁହି

ବେଦ ତୋହର ନିଜ ଦେହୀ

।।

ସକଳ ଆତ୍ମା ତୁ ଈଶ୍ୱର

ଅମୃତମୟ ତୋ ଶରୀର

।।

ତୁମ୍ଭେ ପରମ ଶୁଭ କର

ତୁ ନାଥ ଶୁଭଙ୍କ ଈଶ୍ୱର

।।

ଅତି ସୁଶୀଳ ଶାନ୍ତତୁହି

ତୋ ତହୁଁ ଆନ ଦେବ ନାହିଁ

।।

ଭୋ ନାଥ ତୋ ପାଦ କମଳ

ସେବି ଲଭନ୍ତି ନାନା ଫଳ

।।

ତୋହର ଜନ ହେବା ପାଇଁ

ତାଙ୍କୁ ସଙ୍କଟୁ ତାରୁ ତୁହି

।।

ତୋ ପାଦ ସରୋରୁହ ଦୁଇ

ନିରତେ ଯେ ମନେ ସେବଇ

।।

ଏମନ୍ତ ଆଜ୍ଞା ମୋତେ କର

ତୁ ନାଥ କରୁଣା ସାଗର

।।

ତୋତେ ଯେ ଭାବେ ଆରାଧଇ

ତୋହରେ ମନୋରଥ ଦେଇ

।।

ତୋହର ପରସନ୍ନୁ ତାର

ସକଳ ହୁଅଇ ସଫଳ

।।

ଏଣୁ ତୁ ସକଳ ଈଶ୍ୱର

ଦ୍ୱିତୀୟ ନାହିଁ ପଟାନ୍ତର

।।

ଭୋ ନାଥ ତୁମ୍ଭେ ନାନା ଦେହ

ସାଧୁଙ୍କ ନିସ୍ତାରଣେ ବହ

।।

ତୁମ୍ଭର ଚେଷ୍ଟା ଏ ସଂସାରେ

ବ୍ରହ୍ମାଦି କେବା ଜାଣିପାରେ

।।

ଏହି ଅଧ୍ୟାରେ ବିଶ୍ୱ ବର୍ଷେ

ଲୋକେ ସ୍ତବନ୍ତି ମତ୍ସ୍ୟ ପାଶେ

।।

ନମଇଁ ପରମ ଈଶ୍ୱର

ଯାହାର ଯଶ ଅଗୋଚର

।।

ବିସ୍ତାର ମତ୍ସ୍ୟ ତୋ ଶରୀର

ତୁ ପ୍ରଭୁ ସର୍ବ ପ୍ରାଣୀଙ୍କର

।।

ଥାଉ ତୁ ଅନ୍ତର ବାହାରେ

ସେ ମାୟା କେବା ଜାଣିପାରେ

।।

ଏ ତୋର ମୀନ ମାୟା ଦେହୀ

ଦେବ ମାନବେ ଦେଖାନାହିଁ

।।

ସଂସାର ସାଗରେ ଯେ ଜନ୍ମ

ମାୟା ତରଙ୍ଗେ ଯହିଁ ଭ୍ରମ

।।

ପରମ ମହାବଳ ହେଉ

ସଂସାରେ ନାନା ଦେହ ବହୁ

।।

ଜଗତ ପ୍ରାଣ ତୁ ଠାକୁର

ତୋ ପାଦେ ପ୍ରଣାମ ମୋହର

।।

ଏହି ଅଧ୍ୟାରେ ପିତୃପତି

କୂର୍ମଙ୍କ ଚରଣେ ସ୍ତବନ୍ତି

।।

ନମଇ ସର୍ବ ସତ୍ୱଗୁଣ

ଲକ୍ଷ୍ମୀ ଲଭଇ ଯାର ସ୍ଥାନ

।।

ଅଶେଷ ସ୍ଥାନର ତୁ ସ୍ଥାନ

ନମଇଁ ପ୍ରଭୁ ଭଗବାନ

।।

ଜୀବ ମାୟାରେ ଦେହ ଧରି

ଅଶେଷ ଦେହକୁ ଆବୋରି

।।

ନାନା ଜନ୍ମରୁ ଯେ ପ୍ରସିଦ୍ଧି

ତା ପାଦପଦ୍ମେ ମୋର ବୁଦ୍ଧି

।।

ଚର ଅଚର ପିତୃ ଭୂତ

ଇନ୍ଦ୍ରିୟ ଆଦି ଯେ ସମସ୍ତ

।।

ଆକାଶ ଆଦି ମହୀସ୍ଥଳ

ଗିରି କାନନ ନାନା ଜଳ

।।

ଦ୍ୱୀପ ବରଷ ଯେ ସାଗର

ଏ ସର୍ବ ନାମଟି ତୋହର

।।

ବ୍ରହ୍ମାଣ୍ଡେ ଯେତେକ ଅଛନ୍ତି

କବିଏ ଯେତେ ବିଚାରନ୍ତି

।।

ଏ ସର୍ବ ରୂପେ ତୁ ଠାକୁର

ନମଇଁ ତୋହର ପୟର

।।

ଏହି ଅଷ୍ଟାଦଶ ଅଧ୍ୟାରେ

ଉତ୍ତର ବରଷ ଯେ ନରେ

।।

ବରାହ ରୂପକୁ ସେବନ୍ତି

ଏହି ସ୍ତବେ ସ୍ତୁତି କରନ୍ତି

।।

ନମଇଁ ଅନାଦି ଅବ୍ୟୟ

ସକଳ ଯଜ୍ଞ ତୋର ଦେହ

।।

ସକଳ ଯଜ୍ଞ ରୂପଧର

ନମଇଁ ତୋହର ପୟର

।।

ନିବୃତ୍ତି ତୃଷ୍ଣା ଜ୍ଞାନ ଜନ

ମାୟା ଯାହାରେଟି ଖଣ୍ଡନ

।।

ସୃଷ୍ଟି ଉଦୟ ସ୍ଥିତି ଲୟ

ଯେ ଧରେ ଗୁଣ ତିନିଦେହ

।।

ସେ ତୋର ମାୟାରେ ଭ୍ରମନ୍ତି

ତୋ ମାୟା କେହି ନ ଜାଣନ୍ତି

।।

ସର୍ବ କର୍ମରେ ତୁ ଈଶ୍ୱର

ଭୋ ନାଥ ତୋତେ ନମସ୍କାର

।।

ସଂଗ୍ରାମେ ନାଶି ଦୁଷ୍ଟଗଣ

ମାୟାଚକ୍ରରେ ତୋର ଜନ୍ମ

।।

ଉଗ୍ର ଦନ୍ତରେ ମୋର ତ୍ରାଣ

ଭୋ ନାଥ ପ୍ରଭୁ ନାରାୟଣ

।।

ତୁମ୍ଭର ପଦ୍ମ ପାଦ ଦୁଇ

ଆନନ୍ଦେ ମୁହିଁ ଯେ ନମଇଁ

।।

ଭଣଇଁ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ କୃପାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତ୍‌ବାକ୍ୟଂ ନାମ

ଦଶମୋଽଧ୍ୟାୟଃ ।

Image

 

ଏକାଦଶ ଅଧ୍ୟାୟ

 

ପଞ୍ଚମ ଅଧ୍ୟା ଊନବିଂଶେ

ପରମ ପୁରୁଷ ବରଷେ

।।

ତହିଁ ଅଛନ୍ତି ସୀତାରାମ

ଲକ୍ଷ୍ମଣ ଆଦି ହନୁମାନ

।।

ଅଶ୍ୱସେନ ଗନ୍ଧର୍ବଗଣ

ଏ ସ୍ତୁତି କରନ୍ତି ଗାୟନ

।।

ଉତ୍ତମ ଶ୍ଳୋକ ତୁ ଠାକୁର

ତୋତେ ମୋହର ନମସ୍କାର

।।

ସର୍ବ ଲକ୍ଷଣେ ତୋର ଦେହୀ

ସୁଶୀଳ ତହିଁ ତୁ ଗୋସାଇଁ

।।

ସର୍ବ ବନ୍ଧନ ତୁ ଠାକୁର

ତୋତେ ମୋହର ନମସ୍କାର

।।

ନମଇଁ ବ୍ରହ୍ମାଣ୍ଡ ଈଶ୍ୱର

ସକଳ ଦେବଙ୍କର ପର

।।

ମହା ପୁରୁଷ ମହାରାଜ

ନମଇଁ ବ୍ରହ୍ମାଣ୍ଡର ବୀଜ

।।

ସତେଜେ କରି ତିନି ଗୁଣ

ବିନାଶ କରୁ ନାରାୟଣ

।।

ପ୍ରଶାନ୍ତ ସାଧୁ ତୁ ଠାକୁର

ଜ୍ଞାନୀଙ୍କ ଜ୍ଞାନ ଯେ ଗୋଚର

।।

ତୋହର ନାମ ଗୁଣ ଯେତେ

କେହି ନ ଜାଣନ୍ତି ଜଗତେ

।।

ସଂସାରେ ତୋର ମାୟା ଜନ୍ମ

ରାକ୍ଷସ ସଂହାର କାରଣ

।।

ଅନ୍ୟଥା ନାହିଁ ଭଗବାନ

ସୀତା ହରଣେ ଯେ ବ୍ୟସନ

।।

ଅଖିଳ ବ୍ରହ୍ମାଣ୍ଡ ଠାକୁର

ତୁମ୍ଭେ ବା କି କରି ନ ପାର

।।

ତେବେ ଯେ ପତ୍ନୀ ନିମିତ୍ତରେ

କ୍ଳେଶ ମାନବ ଅବତାରେ

।।

ଏହି ତୋହରେ ସମ୍ଭବଇ

ଭୋ ନାଥ ତୋର ମାୟାଏହି

।।

ଜନ୍ମ ମରଣ ଯାର ନାହିଁ

ଅଖିଳ ପ୍ରଭୁ ଭାବଗ୍ରାହୀ

।।

ସୁର ଅସୁର ଆଦି କରି

ବ୍ରହ୍ମାଣ୍ଡେ ଯେତେ ଦେହଧାରୀ

।।

ଏମନ୍ତ ଆତ୍ମା ଯେ ଈଶ୍ୱର

କି ଅବା ଅକର୍ତ୍ତବ୍ୟ ତାର

।।

ଉତ୍ତର କୋଶଳରେ ଜାତ

ଯେ ପ୍ରଭୁ ନର ଦେହବନ୍ତ

।।

ସେ ରାମ ପାଦତଳେ ମୁହିଁ

ସହସ୍ର ପ୍ରଣାମ କରଇ

।।

ଏହି ଅଧ୍ୟାରେ ଯେ ଭାରତ

ବରଷେ ନାରାୟଣ ଚିତ୍ତ

।।

ତାଙ୍କୁ ନାରଦ ଭକ୍ତ ମେଳେ

ସ୍ତୁତି କରନ୍ତି ସେ ନିଶ୍ଚଳେ

।।

ନମସ୍ତେ ସ୍ୱଭାବ ସୁଶୀଳ

ତୋ ରୂପ ଅକିଞ୍ଚନ ମୂଳ

।।

ଋଷିଙ୍କ ବର ତୁ ଠାକୁର

ତୋତେ ମୋହର ନମସ୍କାର

।।

ନର ନାରାୟଣ ଶରୀର

ପରମହଂସ ତୁ ଠାକୁର

।।

ସକଳ ଆତ୍ମାଭୂତ ତୁହି

ତୋ ପାଦ ପଦ୍ମେ ମୁଁ ନମଇଁ

।।

ସକଳ କର୍ତ୍ତା ତୁ ଈଶ୍ୱର

ହିଂସ୍ରକ ନାହିଁ ଯେ ତୁମ୍ଭର

।।

ତୁ ଯେ ମାନବଙ୍କ ଶରୀର

ଶରୀର ଭୋଗ ନାହିଁ ତୋର

।।

ସକଳ ଦେଖନ୍ତି ଠାକୁର

ଗୁଣରେ ତୋଷ ନାହିଁ ତୋର

।।

ସକଳ ଗୁଣେ ତୋ ବିହାର

ସର୍ବ ବିଷୟ ନିର୍ବିକାର

।।

ତୋହର ତହିଁ ଯଇ ମନ

ତାହାର ସଂସାର ଖଣ୍ଡନ

।।

ଦାରା ତନୟ ଧନ ଘର

ଏଣେ ତୃଷିତ ମନ ଯାର

।।

ସେ ତୋତେ ପାଇବେଟି କାହିଁ

ଶ୍ରମ କେବଳ ତାର ଦେହୀ

।।

ମୋହର ମୂଢ଼ମତି ତୁହି

ବିନାଶ କର ଭାବଗ୍ରାହି

।।

ତୁମ୍ଭର ଠାରେ ମୋର ମନ

ନିଶ୍ଚଳେ ରହୁ ଭଗବାନ

।।

ପଞ୍ଚମ ବିଂଶତି ଅଧ୍ୟାରେ

ପକ୍ଷଦ୍ୱୀପରେ ଯେତେ ନରେ

।।

ସୂର୍ଯ୍ୟଙ୍କୁ ପୂଜନ୍ତି ବିଧାନେ

ସ୍ତବ କରନ୍ତି ଏ ବଚନେ

।।

ବିଷ୍ଣୁର ରୂପକୁ ସେ ଧରି

ଅଖିଳ ପ୍ରକାଶକୁ କରି

।।

ତୁ ସତ୍ୟ ବ୍ରତ ଯେ ପୁରୁଷ

ସକଳ ଭୂତେ ତୋର ବାସ

।।

ତୁ ଯେ ଅଶେଷ ବହୁ ନାମ

ତୋ ପାଦେ ଆମ୍ଭର ପ୍ରଣାମ

।।

ଏହି ଅଧ୍ୟାରେ ଶାକଲ୍ୟରେ

ସ୍ତବ କରନ୍ତି ସେ ଭୂପରେ

।।

ଭୋ ନାଥ ତୋର ସୁଧାରସ

ପିତୃ ଦେବତାଙ୍କ ସନ୍ତୋଷ

।।

ଏହି ଅଧ୍ୟାରେ କୁଶଦ୍ୱୀପ

ଲୋକେ ପୂଜନ୍ତି ଅଗ୍ନିରୂପ

।।

ପରମ ବ୍ରହ୍ମର ମୂରତି

ଯେ ରୂପ ଯୋଗିଜନେ ଚିନ୍ତି

।।

ସଂସାରେ ଯେତେ ସାଧୁଜନେ

ଯଜ୍ଞ କରନ୍ତି ତୋଷ ମନେ

।।

ଏହି ଅଧ୍ୟାରେ କ୍ରୌଞ୍ଚଦ୍ୱୀପ

ଲୋକେ ସ୍ତବନ୍ତି ଆପଦ୍ୱୀପ

।।

ଯେ ଆପମୟ ତୁ ଈଶ୍ୱର

ଭୁବନ ପବିତ୍ର ତୁ କର

।।

ତୁମ୍ଭର ପାଦରେ ବନ୍ଦନ

ଆମ୍ଭର ଏଣୁ କରି ମନ

।।

ଏହି ଅଧ୍ୟାରେ ଶାକଲ୍ୟରେ

ଲୋକେ ସ୍ତୁତି ପବନଠାରେ

।।

ଭୋ ଦେବ ପବନ ଆକାର

ତୋତେ ଆମ୍ଭର ନମସ୍କାର

।।

ପ୍ରାଣିଙ୍କ ଅନ୍ତର ବାହାରେ

ତୁ ନାଥ ଥାଉ ନିରନ୍ତରେ

।।

ଏହି ଅଧ୍ୟାରେ ପୁଷ୍କରରେ

ଜନେ ସ୍ତୁତି ବ୍ରହ୍ମା ରୂପରେ

।।

ସେ ବ୍ରହ୍ମ ବିଶ୍ୱରୂପ ହୋଇ

ଅଖିଳ ସୃଷ୍ଟିକି ଭିଆଇ

।।

ସେ ବ୍ରହ୍ମରୂପ ଯେ ଠାକୁର

ନମଇଁ ତାହାଙ୍କ ପୟର

।।

ପଞ୍ଚମ ତେଇଶ ଅଧ୍ୟାରେ

କୁଣ୍ଡଳ ନକ୍ଷତ୍ର ଉପରେ

।।

ସେ ଭଗବାନଙ୍କ ମୂରବି

ତାଠାରେ ଏହି ବାକ୍ୟେ ସ୍ତୁତି

।।

ନମଇଁ ଜ୍ୟୋତି ଲୋକମୟ

କାଳ ଅଦ୍ଭୁତ ଯାର ଦେହ

।।

ସକଳ ଦେବ ସ୍ୱାମୀ ତୁହି

ତୋ ପାଦେ ଆନନ୍ଦେ ନମଇଁ

।।

ଗ୍ରହ ଋକ୍ଷ ଯେ ତାରାଗଣ

ସର୍ବାଧି ନାମ ନାରାୟଣ

।।

ଯେ ତିନି ସନ୍ଧ୍ୟାବେଳେ ନର

ସ୍ମରଣ କରି ନମସ୍କାର

।।

ଅହୋରାତ୍ରର ପାପ ତାର

ଦହନ ହୋଏ ତତପର

।।

ଭଣଇଁ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉଁ ସୁଜନେ କୃପା କର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତବାକ୍ୟଂ

ନାମ ଏକାଦଶୋଽଧ୍ୟାୟଃ ।

Image

 

ଦ୍ୱାଦଶ ଅଧ୍ୟାୟ

 

ଷଷ୍ଠସ୍କନ୍ଦ ଚତୁର୍ଥାଧ୍ୟାୟେ

ଦକ୍ଷ ପ୍ରଭୁ ଚରଣେ ଧ୍ୟାୟେ

।।

ଏହି ସ୍ତବରେ କଲେ ସ୍ତୁତି

ଯେଣେ ପ୍ରସନ୍ନ ଶିରୀପତି

।।

ନମସ୍ତେ ପ୍ରଭୁ ଅଧିଭୂତ

ତ୍ରିଭୁବନେ ଯାହାର ବ୍ୟକ୍ତ

।।

ଅଦୃଷ୍ଟି ଯାହାର ମହିମା

ଗୁଣ ବୁଦ୍ଧିରେ ନୋହେ ସୀମା

।।

ଯାହାର ଆଜ୍ଞାରୁ ସମ୍ଭବ

ନମସ୍ତେ ପ୍ରଭୁ ଅସମ୍ଭବ

।।

ସଂସାରେ ଅଛୁ ପୂର୍ଣ୍ଣ ହୋଇ

ଯାହାର ଶତ୍ରୁ ମିତ୍ର ନାହିଁ

।।

ସେ ମହେଶ୍ୱରଙ୍କୁ ରମଇଁ

ଗୁଣର ଗୁଣ ପ୍ରାଏ ହୋଇ

।।

ଯାହାର ଗୁଣ ଏ ସଂସାରେ

ସୃଷ୍ଟି ସୁମୂର୍ତ୍ତି ଅଗୋଚରେ

।।

ସକଳ ଭୂତରେ ଯେ ଥାଇ

ତାହାକୁ କେହି ନ ଜାଣଇଁ

।।

ସର୍ବଜ୍ଞ ଅନନ୍ତ ଅଟଇ

ତାହାକୁ ନମସ୍କାର ହୋଇ

।।

ଯାହାର ରୂପ ଦୃଷ୍ଟିସ୍ମୃତ

କରଇ ପ୍ରାଣୀର ଅତୀତ

।।

ଯେ ପ୍ରଭୁ ସମଜ୍ଞରେ କରି

ଅଶେଷ ଘଟେ ଛନ୍ତି ପୂରି

।।

ହଂସ ଶିଖରେ ଶୁକ୍ଳ ଘର

ତାହାକୁ ମୋର ନମସ୍କାର

।।

ହୃଦ ପଦ୍ମରେ ଯାକୁ ଧରି

ପଣ୍ଡିତେ ତପକୁ ଆଚରି

।।

ସର୍ବ ବିଶେଷ ଯାର ମାୟା

ନିଃଶେଷ ମୋକ୍ଷ ସୁଖ ଯାହା

।।

ସେ ସର୍ବ ରୂପ ସର୍ବ ନାମ

ସକଳ ଯାହାର ଭିଆଣ

।।

ସେ ପ୍ରଭୁ ହୁଅନ୍ତୁ ପ୍ରସନ୍ନ

ସର୍ବ କାରଣ ଭଗବାନ

।।

ଭଜନ କରନ୍ତି ଯେ ଜନେ

ବୁଦ୍ଧ୍ୟାଦି ଇନ୍ଦ୍ରିୟ ବନ୍ଧନେ

।।

ଯେ ପ୍ରଭୁ ଏଥୁ ଅଗୋଚର

ତାହାକୁ ମୋର ନମସ୍କାର

।।

ଯାହା ଠାବରେ ଯାର ତହୁଁ

ଏ ସର୍ବ ରୂପ ଏକ ଦେହୁଁ

।।

ଯେ କାର୍ଯ୍ୟ କରାଇ କରଇ

ଯାହାର ତହୁଁ ଅନ୍ୟ ନାହିଁ

।।

ପରମାନଙ୍କର ଯେ ପର

ଆଦ୍ୟରୁ ସିଦ୍ଧ ଯେ ଈଶ୍ୱର

।।

ଏମନ୍ତ ବ୍ରହ୍ମର ଯେ ପୁର

ତାହାକୁ ମୋର ନମସ୍କାର

।।

ନିଜ ଶକ୍ତିମାନେ ଯାହାର

ବକ୍ତା ବିବାଦିମାନଙ୍କର

।।

ବିବାଦ ସମ୍ପଦରେ କରି

ପ୍ରାଣୀମାନଙ୍କୁ ଚିତ୍ତେ ଧରି

।।

ଏମନ୍ତ ଅନନ୍ତ ଯା ଗୁଣ

ନମଇଁ ତାହାର ଚରଣ

।।

ସଂସାରେ ଆସ୍ତି ନାସ୍ତି ଯେତେ

ବିଷ୍ଣୁର ନିଷ୍ଠା ଏହି ମତେ

।।

ଭିନ୍ନେ ବିବିଧ କର୍ମ ସେହି

ତା ବିନୁ ଅନ୍ୟ କେହି ନାହିଁ

।।

ସାଂଖ୍ୟ ଯୋଗର ପରଭୂତ

ସେ ସର୍ବ ଅଳପ ବହୁତ

।।

ପଦ ପାଦରେ ଯେ ଭଜଇ

ତାହାର ଅନୁଗ୍ରହ ପାଇ

।।

ଜନମ ନାମରୂପେ କରି

ଶରୀର ବହୁ ନରହରି

।।

ସେ ମୋତେ ହୁଅନ୍ତୁ ପ୍ରସନ୍ନ

ସର୍ବ କାରଣ ଭଗବାନ

।।

ସୁକୃତ ଜ୍ଞାନ ପଥେ କରି

ଯେ ପ୍ରଭୁ ସର୍ବଘଟେ ପୂରି

।।

ନିବିଡ଼ ଅଙ୍ଗ ବନମାଳ

ଶୋଭିତ ମକର କୁଣ୍ଡଳ

।।

ଶୋଭିତ କୌସ୍ତୁଭ ବିରାଜେ

କିରୀଟ କୁଣ୍ଡଳ ସମାଜେ

।।

କରେ ଅଙ୍ଗଦ ରତ୍ନ ମୁଦି

ବଳୟ ନୂପୁର ପ୍ରସିଦ୍ଧି

।।

ରୂପେ ତ୍ରୈଲୋକ୍ୟ ମନୋହର

ଧରିଣ ବ୍ରହ୍ମାଣ୍ଡ ଠାକୁର

।।

ନନ୍ଦ ନାରଦ ଆଦି ଯେତେ

ବେଷ୍ଟିତ ହୋଇଣ ସମସ୍ତେ

।।

ବିଷ୍ଣୁଙ୍କୁ କରନ୍ତି ଗାୟନ

ସିଦ୍ଧ ଗନ୍ଧର୍ବ ଯେ ଚାରଣ

।।

ଆଦି ଆଚାର୍ଯ୍ୟ ନରହରି

ଦକ୍ଷ ଦେଖିଣ ଭୟ କରି

।।

ନମିଲେ ଦଣ୍ଡ ପ୍ରାଏ ହୋଇ

ଆନନ୍ଦ କେ ପାରିବ କହି

।।

ହରଷେ ବିହ୍ୱଳିତ ହୋଇ

କିଛୁ ବୋଲିତେ ଶକ୍ଷ ନାହିଁ

।।

ଇନ୍ଦ୍ରିୟ କରୁ ପୂର୍ଣ୍ଣ ମନେ

ନିର୍ଭରେ ଦରିଦ୍ର ଯେସନେ

।।

ମନେ ଭକତି ପ୍ରଜାକାମ

ଏମନ୍ତ ଜାଣି ଭଗବାନ

।।

ଷଷ୍ଠସ୍କନ୍ଧ ନବମଧ୍ୟାରେ

ଦେବେ ବୃତ୍ତାସୁର ଭୟରେ

।।

କୃଷ୍ଣରେ ମନ ସ୍ଥିର କଲେ

ମହା ପୁରୁଷ ଆରାଧିଲେ

।।

ପବନ ଆକାଶ ଏ ଅଗ୍ନି

ଜଳର ସହିତେ ଅବନୀ

।।

ସେ ପ୍ରଭୁରେ ଆମ୍ଭେ ଶରଣ

ରଖନ୍ତୁ ଅଖିଳ କାରଣ

।।

ଅବିସ୍ମିତ ଯେ ପୂର୍ଣ୍ଣ କାମ

ପ୍ରଶାନ୍ତ ସର୍ବଭୂତେ ସମ

।।

ଏମନ୍ତେ ଯେ ପରମେଶ୍ୱର

ତା ବିନୁ ସଙ୍କଟ କେ ପାର

।।

ଯେ ଜନ ଇଚ୍ଛଇ ଅନ୍ୟକୁ

ବାଳକ ବୁଦ୍ଧି ବୋଲି ତାକୁ

।।

ଶ୍ୱାନ ପୁଚ୍ଛକୁ ଧରି କରେ

ଅଜ୍ଞାନୀ ଯେହ୍ନେ ସିନ୍ଧୁତୀରେ

।।

ନଉକା ରୂପେଣ ସଂସାର

ଶୃଙ୍ଗରେ ବାନ୍ଧିଛି ଯାହାର

।।

ମଣୁ ଅଛନ୍ତି ଦ୍ରୁମତରୁ

ତାରୁ ଅଛନ୍ତି ସଙ୍କଟରୁ

।।

ଏମନ୍ତ ଯେହୁ ମହାବାହୁ

ତାରିବେ ବୃତ୍ରାସୁର ତହିଁ

।।

ଦୃଦାନ୍ତ ପାପ ଯେ ଦାରୁଣ

ତହୁଁ ରଖନ୍ତୁ ନାରାୟଣ

।।

ଯେ ଏକଈଶ୍ୱର ଅଟଇ

ମାୟାରେ ଆମ୍ଭଙ୍କୁ ସର୍ଜଇ

।।

ଯାର ପ୍ରସାଦୁଁ ଆମ୍ଭେମାନେ

କରୁଛୁଁ ଜଗତ ପାଳନେ

।।

ଯାହାର ମହିଁମା ପ୍ରସିଦ୍ଧି

ଆମ୍ଭେ ନ ଜାଣୁ ମନ୍ଦବୁଦ୍ଧି

।।

ଆମ୍ଭେ ଈଶ୍ୱର ବୋଲି ମାନି

ମୋହରେ ଯେସନେ ଅଜ୍ଞାନୀ

।।

ଶତ୍ରୁରଠାରେ ଆମ୍ଭେମାନେ

ଦୁଃଖ ପାଇଲୁ ଅନୁକ୍ଷଣେ

।।

ଋଷିମନୁଷ୍ୟ ପଶୁ ଆଦି

ସଂସାରେ ଯେତେକ ପ୍ରସିଦ୍ଧି

।।

ଆମ୍ଭେଟି ସର୍ବେ ଅରକ୍ଷିତ

ରଖନ୍ତୁ ପ୍ରଭୁ ସେ ଅଚ୍ୟୁତ

।।

ଯେ ପ୍ରଭୁ ଧରି ଅବତାର

ଖଣ୍ଡିବେ ଦୁଃଖକୁ ଆମ୍ଭର

।।

ସେ ଯୁଗେ ଯୁଗେ ରକ୍ଷାକରୁ

ଯାର ମହିମା ମହାମେରୁ

।।

ପରମ ପ୍ରଧାନ ପୁରୁଷ

ଅଖିଳ ସଂସାରର ଈଶ

।।

ଅଖିଳ ଜନଙ୍କ ଶରଣ

ଏମନ୍ତ ଯେଉଁ ନାରାୟଣ

।।

ଆମ୍ଭେ ତାହାଙ୍କର ଶରଣ

ଆମ୍ଭଙ୍କୁ କରନ୍ତୁ କଲ୍ୟାଣ

।।

ଋଷିରୁବାଚ

ଦେବଙ୍କ ଶ୍ରୁତି ଏ ବଚନ

ଶୁଣିଣ ପ୍ରଭୁ ଭଗବାନ

।।

ପୂର୍ବ ଦିଗରେ ହେ ରାଜନ

ହୋଇଲେ ଆସି ସେ ପ୍ରସନ୍ନ

।।

ଶଙ୍ଖ ଚକ୍ର ଗଦା କମଳ

ଧରିଣ ପ୍ରଭୁ ଆଦିମୂଳ

।।

ଆତ୍ମା ତୁଲ୍ୟ ସେ ଯେଉଁ ଜନ

ସେବୁ ଅଛନ୍ତି ଅନୁକ୍ଷଣ

।।

ଶ୍ରୀବତ୍ସ କଉସ୍ତୁଭ ବର୍ଣ୍ଣେ

ପୂର୍ଣ୍ଣ ହୋଇଣ ସର୍ବଗୁଣେ

।।

ଶରଦ କମଳଲୋଚନ

ଦେବେ ଦେଖିଣ ହୃଷ୍ଟମନ

।।

ଇନ୍ଦ୍ରାଦି ଯେତେ ଦେବବଳେ

ପ୍ରଭୁଙ୍କୁ ନମିଲେ ସକଳେ

।।

ଦଣ୍ଡବତ ପ୍ରାୟେ ରାଜନ

ସ୍ତୁତି କରି ବେଦ ବଚନ

।।

ଦେବା ଉଚୁଃ

ତୁମ୍ଭେ ଯେ ସର୍ବ ଯଜ୍ଞବର

ତୁମ୍ଭଙ୍କୁ କରୁ ନମସ୍କାର

।।

ସକଳ ବୟୋଽଧିକ ତୁମ୍ଭେ

ତୁମ୍ଭ ଚରଣେ ବନ୍ଦୁ ଆମ୍ଭେ

।।

ଅଖିଳ ଈଶ୍ୱର ଯେ ତୁହି

ନମସ୍ତେ ପ୍ରଭୁ ଭାବଗ୍ରାହି

।।

ନମସ୍ତେ ପ୍ରଭୁ ଚକ୍ରଧର

ତୁ ଗୁରୁ ହିତ ଶ୍ରେଷ୍ଠବର

।।

ବ୍ୟାପକ ଆଦି ତୁ ବ୍ରହ୍ମର

ତୁମ୍ଭ ଗତି କ୍ରୀଡ଼ା ବେଭାର

।।

ଏହା ସଂଖ୍ୟାକରିବା ପାଇଁ

ବିଧାତା ସମର୍ଥ ନୁହଇ

।।

ହେ ଭଗବାନ ବାସୁଦେବ

ନାରାୟଣ ମହାନୁ ଭାବ

।।

ଆଦି ପୁରୁଷ ସର୍ବେଶ୍ୱର

କେବଳ ଜଗତ ଆଧାର

।।

ପରମହଂସ ଲକ୍ଷ୍ମୀନାଥ

ଭକତଜନଙ୍କର ପଥ

।।

ଭୋ ନାଥ ପରମମଙ୍ଗଳ

ପରମ କଲ୍ୟାଣର ମୂଳ

।।

ହେ ସର୍ବ ପରମ କାରଣ

ଅଖିଳ ଭୁବନ ତାରଣ

।।

ପରମଯୋଗ ସମାଧିରେ

ଭଜନ ବିବିଧ ପ୍ରକାରେ

।।

ପରମହଂସ ମୁନିଜନେ

ସେବନ୍ତି ଯାହାର ଚରଣେ

।।

ପରମ ହଂସ ଧର୍ମକରି

ଅଜ୍ଞାନ ହରେ ପରିହରି

।।

ଏମନ୍ତ ଆତ୍ମା ଲୋକଙ୍କର

ପ୍ରଭାବେ ଯାହାର ବେଭାର

।।

ଏମନ୍ତ ପ୍ରଭୁ ଯେ ଈଶ୍ୱର

ନମସ୍ତେ ବ୍ରହ୍ମାଣ୍ଡ ଠାକୁର

।।

ତୋହର ମହିଁମା ବେଭାର

ବ୍ରହ୍ମାରେ ନୁହଇ ଗୋଚର

।।

ଏ ଆତ୍ମା ଅଖିଳ ସଂସାର

ଭୋ ପ୍ରଭୁ ଭିଆଣ ତୋହର

।।

ତ୍ରିଗୁଣ ଘେନି ପ୍ରଭୁ ମହୀ

ସର୍ଜି ପାଳୁ ସଂହାରୁ ତୁହି

।।

ଭୋ ଦେବ ଏ ମାୟା ସଂସାରେ

ତ୍ରିଗୁଣ ଜଡ଼ି ଯେଉଁ ନରେ

।।

ପରତନ୍ତ୍ରରେ ବଶ ହୋଇ

ଶୁଭାଶୁଭ କର୍ମ କରଇ

।।

ତାହାର ଶୁଭାଶୁଭ ଫଳ

ତୁମ୍ଭର ତହିଁ ଆଦିମୂଳ

।।

ଭୋ ସ୍ୱାମି ତୁମ୍ଭେ ଆତ୍ମାରାମ

ସକଳ କାର୍ଯ୍ୟେ ଉପଶମ

।।

ତୁ ସର୍ବ ବସ୍ତୁରୁ ବାହାର

ଏମନ୍ତ ମଣୁଁ ଚକ୍ରଧର

।।

ତୋର ବିରୋଧ ନାହିଁ ପୁଣ

ଅପରୀକ୍ଷତ ତୋର ଗୁଣ

।।

ସଂଖ୍ୟା ନୁହଇ ତୋ ମହିମା

ତୋତେ ବା କେ କରିବ ସୀମା

।।

ବିତର୍କ ବିକଳ୍ପ ବିଚାର

ପ୍ରମାଣ ନ କରି ଯାହାର

।।

ନାନା ବିଚାର ଶାସ୍ତ୍ର ଆଦି

ସଂସାରେ ଯେତେକ ପ୍ରସିଦ୍ଧି

।।

ଏହା ବିଚାରି ସାଧୁଜନେ

ତୋତେ ଚିନ୍ତନ୍ତି ଦିବ୍ୟଜ୍ଞାନେ

।।

କ୍ଷଣକେ ମାୟା ତାହାଙ୍କର

ଭସ୍ମ କରାଉ ଚକ୍ରଧର

।।

ସମସ୍ତ ମାୟାମୟ ହେଉ

ନଟର ପ୍ରାୟେ ତୁ ଦେଖାଉ

।।

ଯଦ୍ୟପି ଏକ ରୂପ ହୁଅ

ନାମ ରୂପକୁ ତୁମ୍ଭେ ବହ

।।

ବିଷମ ମତ ତାହାଙ୍କର

ପ୍ରବେଶ ହେଉଛ ମନର

।।

ରଜ୍ଜୁରେ ସର୍ପ ବୁଦ୍ଧି ଯେହ୍ନେ

ଏକ ତୁ ଦିଶୁ ଭିନ୍ନେ ଭିନ୍ନେ

।।

ବିଚାରେ ଏକ ବସ୍ତୁ ତୁହି

ସର୍ବ ବିଷୟ ତୁ ଗୋସାଇଁ

।।

ସକଳ ଜଗତକାରଣ

ଶୋଭା ପାଉଛ ସର୍ବଗୁଣ

।।

ପ୍ରତ୍ୟକ୍ଷେ ଆତ୍ମା ରୂପଧରି

ଲକ୍ଷିତ ହେଉ ନରହରି

।।

ଏକ ତୁ ପରମ ପୁରୁଷ

ସକଳ ଠାବେ ଅବଶେଷ

।।

ଭୋ ପ୍ରଭୁ ମହିଁମା ତୁମ୍ଭର

ଅମୃତ ରସର ସାଗର

।।

ତାହା ଆସ୍ୱାଦ କରି ମନେ

ଏକ ତୁ ଭୃଙ୍ଗବତ ଯେହ୍ନେ

।।

ସେ ନ ଜାଣନ୍ତି ଦୁଷ୍ଟ ଚିତ୍ତ

ସ୍ଥିର ଚିତ୍ତରେ ଅବିରତ

।।

ବିଷୟ ସୁଖ ଲେଶ ଛାଡ଼ି

ନିତ୍ୟେ ତୋ ରସେ ଥାନ୍ତି ବୁଡ଼ି

।।

ସର୍ବାତ୍ମା ସର୍ବଭୂତପ୍ରିୟ

ଭଗବାନ ସ୍ୱରୂପ ହୁଅ

।।

ଏ ସର୍ବଗୁଣେ ପୂର୍ଣ୍ଣ ହୋଇ

କେ ତୋତେ ଜାଣେ ଭାବଗ୍ରାହୀ

।।

ଅନବ୍ରତରେ ସ୍ଥିର ମନ

ତୁମ୍ଭରେ କରି ନିବେଦନ

।।

ଏ ମଧୁ ସନ୍ଥଜ ଈଶ୍ୱର

ଆତ୍ମା କୁଶଳ ସାଧୁଙ୍କର

।।

କମଳ ଚରଣେ ତୁମ୍ଭର

ସେବୁ ଅଛନ୍ତି ନିରନ୍ତର

।।

ଯେ ପାଦପଙ୍କଜର ଧ୍ୟାନ

ସଂସାରେ ଗତାଗତ ଜନ

।।

ନୁହଇ ଯାହାର ପ୍ରମାଦେ

ଗତି ଲଭଇ ଅପ୍ରମାଦେ

।।

ତ୍ରିଭୁବନେ ଯେ ଭଗବାନ

ହେ ତ୍ରିବିକ୍ରମ ତ୍ରିଲୋଚନ

।।

ତିନି ଲୋକର ମନୋହର

ଯଥା ଅପ୍ରାଧେ ଦଣ୍ଡକର

।।

ଏମନ୍ତେ ଯେତେକ ଦଇତ୍ୟ

ତୁମ୍ଭ ପ୍ରକୃତିରୁ ଉଦିତ

।।

ଏହାର ଅଳ୍ପ କର୍ମଫଳ

ଶାନ୍ତିକି କର ଆଦିମୂଳ

।।

ଆତ୍ମା ସହିତେ ସୁର ନର

ମୃଗ ସହିତେ ଜଳଚର

।।

ଏ ଆଦି ଯେତେକ ଅପର

ଯଥା ଅପ୍ରାଧେ ଦଣ୍ଡକର

।।

ଏମନ୍ତ ତୁମ୍ଭେ ଯେ ଈଶ୍ୱର

ବୃତ୍ରାକୁ ଭୋ ନାଥ ସଂହାର

।।

କହିଲୁ ପ୍ରଭୁ ଭାବଗ୍ରାହୀ

ଯେବେ ତୁମ୍ଭର ଇଚ୍ଛା ହୋଇ

।।

ତୋର ତନୟ ଆମ୍ଭେ ହୋଇ

ଭୋ ନାଥ ଆମ୍ଭ ପିତା ତୁହି

।।

ତୋହର ଚରଣ ନଳିନ

ବନ୍ଦୀ ହୋଇଛି ଆମ୍ଭ ମନ

।।

ଆପଣା କରି ଆମ୍ଭ ମନ

ରଖିଣ ଅଛୁ ଭଗବାନ

।।

ଆମ୍ଭଙ୍କୁ ଅନୁକମ୍ପା କରି

ଏହା ଦେଖାଅ ନରହରି

।।

ବିଶଦ ହାସ ମନୋହର

ବନ୍ଦନ ଲକ୍ଷଣ ତୁମ୍ଭର

।।

ସବୁ ଯେ ଅଛି ମଧୁରସ

ଅମୃତ କରି ପୀତବାସ

।।

ଆମ୍ଭଙ୍କୁ ତ୍ରାସୁ ଦୂର କର

ଭୋ ନାଥ ଶରଣ ତୋହର

।।

ଉତ୍ପତ୍ତି ସ୍ଥିତି ଯେ ପ୍ରଳୟ

ଏଥିକାରେଣି ତୁମ୍ଭେ ହୁଅ

।।

ସକଳ ଜୀବଠାରେ ତୁହି

ଥାଉ ତୁ ଆତ୍ମା ରୂପ ହୋଇ

।।

ତୁ ସର୍ବ ମାୟାମୟ ରୂପ

ଅଶେଷ ପ୍ରଧାନ ସ୍ୱରୂପ

।।

ତୁ ଦେଶ କାଳ ପାତ୍ର ହୋଇ

ସକଳଠାରେ ଅଛୁ ତୁହି

।।

ପରମବ୍ରହ୍ମ ରୂପ ତୁହି

ଥାଉ ତୁ ଆତ୍ମା ରୂପ ହୋଇ

।।

ଆମ୍ଭେ ଅଗ୍ନିର କଣାପ୍ରାୟ

କିସ କହିବୁ ଦେବରାୟ

।।

ଆମ୍ଭ ପରମ ଗୁରୁ ତୁହି

ତୋ ପାଦ ଶତଦଳ ହୋଇ

।।

ବିବିଧ କର୍ମେ ମନ ମୋହି

ସଂସାରେ ପରିଶ୍ରମ ପାଇ

।।

ଛେଦଇ ଏ ଦଳ କମଳ

ତୋର ମାୟାକୁ ଆଦିମୂଳ

।।

ଆଶ୍ରୟ କରି ଆମ୍ଭ ମନ

ଅଛୁଁ ଯେ ପ୍ରଭୁ ଭଗବାନ

।।

ଆମ୍ଭର କାର୍ଯ୍ୟ ଆଦିମୂଳ

ଭୋ ନାଥ କର ତୁ ସୁଫଳ

।।

ଗ୍ରାସୁଛି ବୃତ୍ରା ତ୍ରିଭୁବନ

ଏହା ସଂହାର ଭଗବାନ

।।

ତେଜ ଆୟୁଧ ଯେ ଆମ୍ଭର

ନାଶିଲା ପାପି ବୃତ୍ରାସୁର

।।

ନମସ୍ତେ ପ୍ରଭୁ ଶୁଦ୍ଧ ହଂସ

ନିରାକାର ତୁ ପୀତବାସ

।।

ନମସ୍ତେ ପ୍ରଭୁ କୃଷ୍ଣ ତୁହି

ବ୍ରାହ୍ମଣେ ଯାର ନାମେ ମୋହି

।।

ଭବସାଗର ଗ୍ରସ୍ତ ଶ୍ରମ

ତୁ ନାଥ ନାଶୁ ଭଗବାନ

।।

ପରମଗତି ଶ୍ରେଷ୍ଠ ତୋର

ନମସ୍ତେ ଜଗତ ଈଶ୍ୱର

।।

ଏଗାର ଅଧ୍ୟା ଅଷ୍ଟମରେ

ବୃତ୍ର ସ୍ତବ ଯୁଦ୍ଧ ଭୂମିରେ

।।

ଭୋ ପ୍ରଭୁ ତୁମ୍ଭ ପଦ୍ମପାଦେ

ଭୃତ୍ୟର ଭୃତା ମୁଁ ଆନନ୍ଦେ

।।

ହୋଇବ ଏ ମୋହର ମନ

ସେବା କରିବି ଅନୁକ୍ଷଣ

।।

ଯେ ଗୁଣ କର୍ମଟି ତୁମ୍ଭର

ତାହା ଶୁଣିବ ଶ୍ରବଣର

।।

ସ୍ୱର୍ଗ ଲୋକ ବ୍ରହ୍ମ ଲୋକରେ

ମହାରାଜାର ସମ୍ପଦରେ

।।

ପାତାଳ ଅଧିପତି ଦେହୀ

ଏଣେ ମୋହର କାର୍ଯ୍ୟ ନାହିଁ

।।

ଯୋଗସିଦ୍ଧି ପୂର୍ଣ୍ଣ କାମରେ

କାର୍ଯ୍ୟ ମୋ ନାହିଁ ଏହାଙ୍କରେ

।।

ଏମନ୍ତ ତୁମ୍ଭ ପଦ୍ମପାଦ

ବାଞ୍ଛା କରଇଁ ଚକ୍ରାୟୁଧ

।।

ଅଜାତ ପକ୍ଷି ଖଗ ଯେହ୍ନେ

ମାତା ଲୋଡ଼ଇ ଅନୁକ୍ଷଣେ

।।

କ୍ଷୁଧାର୍ତ୍ତୀ ହୋଇଣ ବାଛୁରୀ

ମାତାଙ୍କ ସ୍ତନ ଯେହ୍ନେ ଲୋଡ଼ି

।।

ସ୍ୱାମିଙ୍କି ପ୍ରିୟା ଲୋଡ଼େ ଯେହ୍ନେ

ମୋ ମନ ହୋଇବ ତେସନେ

।।

ଭୋ ପ୍ରଭୁ କମଳଲୋଚନ

ତୋ ପାଦେ ରହୁ ମୋର ମନ

।।

ଆପଣା କର୍ମ ବନ୍ଧେ ଜଡ଼ି

ସଂସାର ଚକ୍ରେ ଅଛି ପଡ଼ି

।।

ଏମନ୍ତ ପାପୀ ମୁହିଁ ଯହୁଁ

ଉତ୍ତମ ଲୋକ ସଙ୍ଗ ହେଉ

।।

ଦାରା ତନୟ ଗୃହ ମୋର

ଭୋ ନାଥ ମନେ ମୋ ନଧର

।।

ଭଣଇଁ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ କୃପାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବଦ୍‌ ବାକ୍ୟଂ

ନାମ ଦ୍ୱାଦଶୋଽଧ୍ୟାୟଃ ।

Image

 

ତ୍ରୟୋଦଶ ଅଧ୍ୟାୟ

 

ଅଷ୍ଟମସ୍କନ୍ଧ ଷୋଳାଧ୍ୟାରେ

ଚିତ୍ରକେତୁ ଏ ସ୍ତବ କରେ

।।

ସ୍ୱଭାବେ ତୁମ୍ଭେ ଯେ ଅଜିତ

ସମବର୍ତ୍ତୀ ଲୋକରେ ଜାତ

।।

ସୃସାଧୁ ଆତ୍ମା ଲୋକଙ୍କର

ଜୀବ ତୁ ହେଉ ହେ ଈଶ୍ୱର

।।

ଯେ ତୋତେ କରଇ ଭଜନ

ତାହାଙ୍କ ପୂର୍ଣ୍ଣ କରୁ କାମ

।।

ଅତି ଦୟାଳୁରୂପ ଧର

ଜଗତ ବିଭବ ତୋହର

।।

ଅନାଦି ସାଧ ତୋର ତହୁଁ

ଉଦୟ ସ୍ଥିତି ଭିନ୍ନ ହେଉ

।।

ସୃଷ୍ଟିର କର୍ତ୍ତା ଅଛି ଆର

ବୋଲଇ ସୁଜ୍ଞ ଯେଉଁ ନର

।।

ପରମ ଅଣୁ ପର ହେଉ

ଆହତ ତେଜକୁ ତୁ ବହୁ

।।

ଅତ୍ୟନ୍ତ ଅନ୍ତର୍ଗତ ସ୍ଥିତ

ଆଦି ଅନ୍ତରେ ତୁ ପୂରିତ

।।

ହେ ଦେବ ପ୍ରାଣିମାନଙ୍କର

ସାକ୍ଷ ରୂପକୁ ତୁମ୍ଭେ ଧର

।।

କ୍ଷିତି ଆଦି ଯେ ପଞ୍ଚଭୂତ

ଏଥିରେ ହୋଇଣ ନିର୍ମିତ

।।

ସେହି ମହତ ଅଣ୍ଡକୋଷ

ଏହାର ତହିଁ ତୋର ବାସ

।।

ବିଷୟ ଜଡ଼େ ମୋହ ହୋଇ

ଯେ ନର ବିଭୁତି ଚିନ୍ତଇ

।।

ତୁମ୍ଭ ଅର୍ଚ୍ଚନାକୁ ନ ଚିନ୍ତେ

ଗ୍ରାମରେ ପଶୁ ଦେବୀ ହିତେ

।।

ଭୋ ପ୍ରଭୁ ତୁମ୍ଭର କଲ୍ୟାଣ

କେବେହେଁ ନୁହଇଟି ଶୂନ୍ୟ

।।

ଆନନ୍ଦ ଆତ୍ମା ଅନ୍ୟ ଗୁଣ

ଆତ୍ମାର କ୍ଷାନ୍ତି ନାରାୟଣ

।।

ଅନ୍ୟାତ୍ମା ଅନ୍ୟ ଗୁଣମୟ

ଅଜିତ ଭଗବାନ ହୁଅ

।।

ତୁମ୍ଭେ ଯେ ଭାଗବତ ଧର୍ମ

କହିଲ ପୁରୁଷ ଉତ୍ତମ

।।

ନିଷ୍କାଞ୍ଚନ ଯେ ଆତ୍ମ ରାମ

ଯେମନ୍ତ ଯେଉଁ ମୁନିମାନ

।।

ମୋକ୍ଷ ନିମିତ୍ତେ ଯେଉଁ ଧର୍ମ

ଯହିଁରେ ନାହିଁ ଶୁଭ କର୍ମ

।।

ସ୍ଥାବର ଚାରି ଜୀବଙ୍କରେ

ଅଭିନ୍ନ ଭାବେ ଯେଉଁ ନରେ

।।

ସେ ନିତ୍ୟେ ପାଦ ପଙ୍କଜରେ

ସେବା କରନ୍ତି ନିରନ୍ତରେ

।।

ପାଷଣ୍ଡ ବୁଦ୍ଧି ଯେଉଁ ନରେ

ଏ ପାଦ ଦୁର୍ଲ୍ଲଭ ତାହାରେ

।।

ପରମ ମଙ୍ଗଳ ଯା ନାମ

ଏହା ନ କରେ ଉଚ୍ଚାରଣ

।।

ଯେ ନାମ ସ୍ମରଣରୁ କରି

ପାପୀ ସଂସାରୁ ଯାନ୍ତି ତରି

।।

ଏ ଅନନ୍ତରେ ଏବେ ଶୁଣ

ଭୋ ପ୍ରଭୁ ଅଖିଳ କାରଣ

।।

ତୋର ଦରଶନୁ ମୋହର

ପବିତ୍ର ହୋଇଲା ଶରୀର

।।

ଯାହା କହିଲେ ସେ ନାରଦ

କେମନ୍ତେ ଅନ୍ୟଥା ହୋଇବ

।।

ଜଗତ ଆତ୍ମା ଯେ ଅନନ୍ତ

ସକଳ ଜାଣିଲି ତଦନ୍ତ

।।

ଏ ଘୋର ସଂସାରର ଜନ

କେ ତୋତେ ଜାଣୁ ଭଗବାନ

।।

ତୁମ୍ଭେ ଅଦ୍ଭୁତ ଦେବରାଏ

ନରଟି ଖଦ୍ୟୋତ ପରାଏ

।।

ଜଗତ ଉତ୍ପତ୍ତି ପାଳନ

ପ୍ରଳୟ ହେତୁ ନାରାୟଣ

।।

ପରମ ହଂସ ରୂପ ତୁହି

ନମସ୍ତେ ପ୍ରଭୁ ଭାବଗ୍ରାହୀ

।।

ଯାର ସ୍ୱାମିକି ଅନୁସରି

କମ୍ପିତ ହୋଏ ବସୁନ୍ଧରୀ

।।

ପ୍ରାଣୀ ସମୂହ ଆଦି କରି

ଅବନୀ ଅଛି ଯେହୁ ଧରି

।।

ସହସ୍ର ମସ୍ତକ ଯାହାର

ନମସ୍ତେ ବ୍ରହ୍ମାଣ୍ଡ ଠାକୁର

।।

ଊନବିଂଶ ଅଧ୍ୟା ଷଷ୍ଠମେ

ଯେ ବ୍ରତ ପୁଂସବନ ନାମେ

।।

ପୂଜିବ ଲକ୍ଷ୍ମୀ ଦାମୋଦର

ଏ ସ୍ତୋତ୍ର କରିବ ଉଚ୍ଚାର

।।

ତୁମ୍ଭେ ଯେ ତ୍ରୈଲୋକ୍ୟ ଈଶ୍ୱର

ସକଳ ବ୍ରହ୍ମାଣ୍ଡ ଠାକୁର

।।

ସଂସାର ପରମ କାରଣ

ତୁମ୍ଭେ ଯେ ଅଟ ନାରାୟଣ

।।

ଏ ଯେ ସୂକ୍ଷ୍ମ ମାୟା ପ୍ରକୃତି

ଦୂରନ୍ତ ଅଟଇ ଶକତି

।।

ଏହାର ତୁମ୍ଭେ ଅଧୀଶ୍ୱର

ସାକ୍ଷାତ ପୁରୁଷ ଈଶ୍ୱର

।।

ତୁମ୍ଭେ ସକଳ ଶକ୍ତି ବହ

ଭାର୍ଯ୍ୟା ରୂପରେ ଲକ୍ଷ୍ମୀ ଦେହ

।।

ଅଶେଷ କ୍ରିୟାର ଈଶ୍ୱର

କ୍ରିୟା ଅଖିଳ ଚକ୍ରଧର

।।

ଗୁଣବିଗୁଣର କାରଣ

ଯାହାର ଭାବ ଭବବର୍ଣ୍ଣ

।।

ଶରୀର ଆତ୍ମା ପ୍ରଭୁ ତୁହି

ଲକ୍ଷ୍ମୀର ପ୍ରିୟ ପଣ ହୋଇ

।।

ନାନା ରୂପରେ ଉତପତ୍ତି

ଆଶ୍ରୟ ରୂପେ ତୁମ୍ଭେ ସ୍ଥିତି

।।

ଏମନ୍ତେ ତୁମ୍ଭେ ବ୍ରହ୍ମାଣ୍ଡର

ବରକୁ ଦିଅ ହେ ଈଶ୍ୱର

।।

ତେମନ୍ତ ହୋଇ ଚକ୍ରଧର

ସର୍ବ ମଙ୍ଗଳ ହେଉ ମୋର

।।

ଲକ୍ଷ୍ମୀ ନିବାସ ଯେ ପୁରୁଷ

ଏହି ସ୍ତୁତିରେ କଲି ତୋଷ

।।

ଭଣଇଁ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣ ପାଦେ ଦୃଢ଼

।।

ହେଉ ସୁଜନେ ଆଜ୍ଞାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୂମେ ଶ୍ରୀମଦ୍ଭାଗବଦ୍‌ବାକ୍ୟଂ

ନାମ ତ୍ରୟୋଦଶୋଽଧ୍ୟାୟଃ ।

Image

 

ସ୍ତବକଳ୍ପଦ୍ରୁମ

ଚତୁର୍ଦ୍ଦଶ ଅଧ୍ୟାୟ

 

ସପ୍ତମ ଚତୁର୍ଥ ଅଧ୍ୟାରେ

ହିରଣ୍ୟ କଶିପୁର ଡରେ

।।

କ୍ଷୀରାବ୍ଧିକୁଳେ ସର୍ବ ସୁର

ଡାକନ୍ତି ରଖ ଚକ୍ରଧର

।।

ମହା ମହିମା ଭଗବାନ

ପରମ ଆତ୍ମା ନିରଞ୍ଜନ

।।

ସଦା ଆନନ୍ଦଙ୍କ ସମୂହ

ନମସ୍ତେ ପ୍ରଭୁ ଦିବ୍ୟ ଦେହ

।।

ଏମନ୍ତ ଦେବ ସ୍ତୁତି ଶୁଣି

ସ୍ଫୁରିଲା ଅନ୍ତରୀକ୍ଷ ବାଣୀ

।।

ସପ୍ତମସ୍କନ୍ଧ ଅଷ୍ଟଧ୍ୟାୟେ

ନୃସିଂହେ ସ୍ତୁତି ଦେବତାଏ

।।

ବ୍ରାହ୍ମୋବାଚ

ବ୍ରହ୍ମା ନୃସିଂହ ମୁଖ ଚାହିଁ

ବୋଲଇ ଶିରେ କର ଦେଇ

।।

ନମସ୍ତେ ଅନନ୍ତ ମୂରତି

ଦୂରନ୍ତ ବୀର୍ଯ୍ୟ ତୋ ଶକତି

।।

ବିଚିତ୍ରବୀର୍ଯ୍ୟ ଶୁଦ୍ଧକର୍ମା

ବିଶେଷ ତୋହର ମହିମା

।।

ଗୁଣ ସଂଯୋଗେ ନୀଳାମତେ

ସଂସାର ସର୍ଜି ସୃଷ୍ଟି ଅନ୍ତେ

।।

ଅଶେଷ ତୋହର ମହିଁମା

କେ କହି ପାରେ ଗୁଣସୀମା

।।

ମହାଦେବ ଉବାଚ

ଯୁଗାନ୍ତ କାଳେ ତୋର କୋପ

ସ୍ୱଭାବେ ଏ ଅସୁର ଅଳ୍ପ

।।

ତୁ ନାଥ ଭକତ ବତ୍ସଳ

ଆରତ ଜନ ଏବେ ପାଳ

।।

ଏ ସର୍ବ ତୋହର କିଙ୍କର

ଜଗତ ତୋର ଲୀଳାଘର

।।

ଇନ୍ଦ୍ର ଉବାଚ

ଇନ୍ଦ୍ର ବୋଲେ ଶ୍ରୀମୁଖ ଚାହିଁ

ନୃସିଂହ କଲୁ ମୋତେ ତ୍ରାହି

।।

ଏ ମହାସୁର ଅତି ବେଗ

ଯଜ୍ଞେ ଆମ୍ଭର ହବିର୍ଭାଗ

।।

ବେଳେ ଭୁଞ୍ଜଇ ଏ ଆକର୍ଷି

ଆମ୍ଭ ହୃଦୟ ପଦ୍ମ ଶଶୀ

।।

ତୁ ନାଥ ସର୍ବ ପ୍ରାଣିଙ୍କର

ହୃଦୟ ପଦ୍ମେ ତୋର ଘର

।।

ସେ ପଦ୍ମ ଅସୁର ଶଶାଙ୍କେ

ମୁଦ୍ରିତେ ଥିଲା ଅତିରେକେ

।।

ତୁ ଏବେ ଅର୍କରୂପ ଧରି

ହୃଦୟ ପଦ୍ମ ବୋଧ କରି

।।

ତୋହର ଗୃହ ତୁ ମାର୍ଜିଲୁ

ଆମ୍ଭଙ୍କୁ ଯଥା ଭାଗଦେଲୁ

।।

ଏ ଭବ ସଂସାର ସାଗରେ

ପ୍ରାଣି ଜୀବନ ନିରନ୍ତରେ

।।

ଜ୍ଞାନ କରଇ ନିତ୍ୟେ ଗ୍ରନ୍ଥ

କିବା କହିବୁଁ ତୋ ଅଗ୍ରତ

।।

ତୋର ସେବକ ପ୍ରାଣିଙ୍କର

ତୁ ନାଥ ଶରଣ ସୋଦର

।।

ଋଷିରୁବାଚ

ତୋର ଚରଣ ଧ୍ୟାନ ଅର୍ଥେ

ତପ ସମାଧି ଏ ଜଗତେ

।।

ତୋର ବଚନେ ଆମ୍ଭେ ରହି

ସଂସାରେ ବିପ୍ର ତନୁ ବହି

।।

ସେ ତପ ସାଧିବାର କଷ୍ଟ

ବଳେ ହିରଣ୍ୟ କଲା ନଷ୍ଟ

।।

ତୋର ବଚନେ ତୋତେ ସେବି

ଦୃଢ଼େ ପଦାରବିନ୍ଦେ ଭାବି

।।

ସେ ମନ ଭାଞ୍ଜିଲା ଆମ୍ଭର

ନିଜ ପ୍ରତାପେ ଏ ଅସୁର

।।

ଏବେ ଏହାକୁ ନାଶ କଲ

ଆମ୍ଭର ତପ ରକ୍ଷାକର

।।

ରଖିଲୁ ବିପ୍ର ଋଷି ଧର୍ମ

ତୁ ନାଥ ସର୍ବ କୁଳ କର୍ମ

।।

ପିତୃଗଣ ଉବାଚ

ଆମ୍ଭର ଶ୍ରାଦ୍ଧ ଧର୍ମ ଯେତେ

ପୂର୍ବେ କରନ୍ତି ବେଦମତେ

।।

ଆମ୍ଭ ଦିବସା ଶ୍ରାଦ୍ଧକାଳେ

ଅସୁର ଭୁଞ୍ଜେ ଆସି ବଳେ

।।

ତିଳ ଉଦକ ଯେତେ ତୀର୍ଥେ

ପୁତ୍ରେ କରନ୍ତି ବେଦମତେ

।।

ସେ ଶ୍ରାଦ୍ଧଜଳ ପାନକରେ

ଅର୍ପିତ ଦାନ ବଳେ ହରେ

।।

ଆମ୍ଭର ଜଳ ପିଣ୍ଡ ଯେତେ

ଥିଲା ଅସୁର ଗର୍ଭଗତେ

।।

ନଖ ଅଙ୍କୁରେ ତାହା ଚିରି

ଆମ୍ଭଙ୍କୁ ଦେଲୁ ନରହରି

।।

ସିଦ୍ଧଗଣ ଉବାଚ

ଆମ୍ଭର ଯଜ୍ଞ ସିଦ୍ଧଗତି

ବଳେ ହରିଲା ଦୈତ୍ୟପତି

।।

ତାହାକୁ ନଖେ ବିଦାରିଲୁ

ତୁ ନାଥ ଆମ୍ଭଙ୍କୁ ରଖିଲୁ

।।

ତୋର ଚରଣେ ନମସ୍କାର

ଯେଣୁ ତୁ ଶରଣସୋଦର

।।

ବିଦ୍ୟାଧର ଉବାଚ

କର ପ୍ରସାରି ବିଦ୍ୟାଧର

ବୋଲନ୍ତି ନୃସିଂହ ଛାମୁର

।।

ଆମ୍ଭର ଅନ୍ତର୍ଦ୍ଧାନ ଗତି

ବଳେ ହରିଲା ଦୈତ୍ୟପତି

।।

ତାହାକୁ ପଶୁ ବଧ ପ୍ରାୟେ

ସଂହାର କଲୁ ଦେବରାୟେ

।।

ମହା ନୃସିଂହ ଭୟଙ୍କର

ଆମ୍ଭେ ଯେ ଶରଣ ତୋହର

।।

ନାଗ ଉବାଚ

ଆମ୍ଭର ଶିରେ ଯେତେ ମଣି

ଯା ଗୃହେ ଉତ୍ତମ ରମଣୀ

।।

ସବୁ ହରିଲା ବାହୁବଳେ

ଅଜୟେ ଅବନୀମଣ୍ଡଳେ

।।

ସେ ଭୟେ ନିବାରି ଗୋବିନ୍ଦ

ଆମ୍ଭଙ୍କୁ ଦେଲୁ ତୁ ଆନନ୍ଦ

।।

ତୁ ନାଥ ସଂସାର ଉଦ୍ଧର

ତୋର ଚରଣେ ନମସ୍କାର

।।

ମନୁରୁବାଚ

ବିଧାତା ବଂଶେ ଅବତରି

ତୋହର ଆଜ୍ଞା ଶିରେ ଧରି

।।

ମନୁ ବୋଲାଉ ଏ ଜଗତେ

ଆମ୍ଭେ ଯେ ତୋହର ଆୟତ୍ତେ

।।

ଧର୍ମେ ସଂସାର ଜନ ପାଳୁଁ

ତୁ ନାଥ ପରମ ଦୟାଳୁ

।।

ତୋର ଆଜ୍ଞାରେ ଆମ୍ଭ ଦେହ

କିବା କରିବୁଁ ନାଥ କହ

।।

ପ୍ରଜାପତିରୁବାଚ

ତୋ ପ୍ରଜା ସୃଷ୍ଟିର ପାଳନେ

ଆମ୍ଭେ ସର୍ଜ୍ଜିଲୁ ବିଦ୍ୟମାନେ

।।

ରଖିଲୁ ପ୍ରଜା ପାଳିକରି

ଆମ୍ଭେ ତୋ ଆଜ୍ଞା ଶିରେ ଧରି

।।

ସୃଷ୍ଟି ପାଳନ କରୁ ଭଲେ

ମାନବ ପ୍ରଜାପତି ତୁଲେ

।।

ଅସୁର ଭୟ ଚିତ୍ତେ ବହି

ସ୍ଥାନେ ନ ପାରୁ ଆମ୍ଭେ ରହି

।।

ସେ ବୀର ତୋର ନଖଘାତେ

ମରି ସୋଇଲା ଭୂମିଗତେ

।।

ତୁ ସତ୍ୟ ମୂର୍ତ୍ତି ଦାମୋଦର

ଏ ତୋ ନୃସିଂହ ଅବତାର

।।

ଜଗତ ମଙ୍ଗଳ ତୋ ବାନା

ଭକତ ଜନେ ବଜ୍ରସେନା

।।

ଗନ୍ଧର୍ବ ଉବାଚ

ଭୋ ନାଥ ତୋହର ବଚନେ

ନିତ୍ୟେ ଦେବଙ୍କ ସନ୍ନିଧାନେ

।।

ନୃତ୍ୟ ଖଟଣି ଗୀତ ସ୍ୱରେ

ଖଟୁ ଯେ ଦେବଙ୍କ ଆଗରେ

।।

ଏବେ ଖଟୁଁ ଆମ୍ଭର ପାଶେ

ନିତ୍ୟେହେଁ ଖଟୁ ଅବକାଶେ

।।

ଭୟେ ନ ପାରୁ ସ୍ଥାନେ ରହି

ତାହାର ଆଜ୍ଞା ଶିରେ ବହି

।।

ଉତ୍ପଥ ପାପିଜନଙ୍କର

କେବେହେଁ ନାହିଁ ସୁଖ ଘର

।।

ସଂସାର ନିବୃତ୍ତି କାରଣ

ଭୋ ନାଥ ତୋହର ଚରଣ

।।

ସେ ପାଦ ସେବା ଆମ୍ଭେ ଛାଡ଼ି

ଅସୁର ଘରେ ବନ୍ଦୀପଡ଼ି

।।

ସେ ମନ ଦୁଃଖ ଏବେ ଗଲା

ଯେଣୁ ଅସୁର ବୀର ମଲା

।।

ଯକ୍ଷ ଉବାଚ

ସେବକ ଲୋକ ଆମ୍ଭେ ତୋର

ନିରତେ ଚରଣେ କିଙ୍କର

।।

ଅନେକ ପୁଣ୍ୟ ସାଧି ପୂର୍ବେ

ତୋର ଚରଣ ସେବୁଁ ଆମ୍ଭେ

।।

ଆମ୍ଭଙ୍କୁ ଦିତିସୁତ ନେଇ

ବାହାନ କରି ନିତ୍ୟେ ବହି

।।

ସେ ପୁଣି ଜନ ପରିତାପେ

ପ୍ରାଣ ଛାଡ଼ିଲା ଯୋର କୋପେ

।।

କିଂପୁରୁଷ ଉବାଚ

ତୁ ମହା ପୁରୁଷ ଈଶ୍ୱର

ଆମ୍ଭେ କିଙ୍କରଗଣ ତୋର

।।

କୁଣ୍ଠିତ ପୁରୁଷ ଏ ଦୁଷ୍ଟ

ସାଧୁ ବର୍ଜିତ ମହାନଷ୍ଟ

।।

ଉଚିତ କର୍ମ ଏ ନ କଲା

ତୋର ପ୍ରତାପେ ନାଶ ଗଲା

।।

ବୈତାଳିକ ଉବାଚ

ଆମ୍ଭେ ସାଧୁଙ୍କ ସଭାମଧ୍ୟେ

ଯଜ୍ଞ ଆରମ୍ଭ ପରିବନ୍ଧେ

।।

ତୋର ନିର୍ମଳ ଯଶ ଗାଇ

ସତ୍ୱର ଧର୍ମ ପୂଜା ପାଇଁ

।।

ଆନନ୍ଦେ ଭୁଞ୍ଜୁ ସାଧୁ ମେଳେ

ଏ ମହାସୁର ମହାବଳେ

।।

ତୋହର ଯଶ ନାଶକଲା

ଆମ୍ଭଙ୍କୁ ମହା କଷ୍ଟ ଦେଲା

।।

ଏ ଆମ୍ଭ ଦେହେଁ ବ୍ୟାଧି ଥିଲା

ତୋର ପ୍ରସାଦେ ନାଶଗଲା

।।

କିନ୍ନର ଉବାଚ

ତୋର କିଙ୍କରଗଣ ଆମ୍ଭେ

ତୋ ଅନୁଗ୍ରହେ ଥାଉ ଆମ୍ଭେ

।।

ଏ ଦିତିସୁତ ମହାନଷ୍ଟ

ଆମ୍ଭଙ୍କୁ ଦେଲା ମହାକଷ୍ଟ

।।

ତୁ ଏ ଅସୁର ନାଶକଲୁ

ଆମ୍ଭମାନଙ୍କୁ ଉଦ୍ଧରିଲୁ

।।

ତୁ ନାଥ ଦେବଙ୍କର ଦେବ

ଆମ୍ଭର ମାନ ଉଦ୍ଧାରିବ

।।

ବିଷ୍ଣୁପାର୍ଷଦ ଉବାଚ

ଭୋ ନାଥ ଏ ରୂପ ତୋହର

ଅଦ୍ଭୁତ ମହା ଭୟଙ୍କର

।।

ନୟନେ ଦେଖି ସର୍ବଜନେ

ଭୟେ କମ୍ପିଲେ ତ୍ରିଭୁବନେ

।।

ତାହାଙ୍କ କର୍ମ ଦାତା ତୁହି

ଆମ୍ଭଙ୍କୁ କର ନାଥ ତ୍ରାହି

।।

ଯେଣୁ ନାଶିଲୁ ମହାସୁର

ଆମ୍ଭଙ୍କୁ ଅନୁଗ୍ରହ କର

।।

ଏମନ୍ତେ ନୃସିଂହ ସମୀପେ

ସ୍ତୁତି ବଚନ ଏକେ ଏକେ

।।

ଭଣଇଁ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ ଆଜ୍ଞା କର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗତ ବାକ୍ୟଂ

ନାମ ଚତୁର୍ଦ୍ଦଶୋଽଧ୍ୟାୟଃ ।

Image

 

ପଞ୍ଚଦଶ ଅଧ୍ୟାୟ

 

ସପ୍ତମସ୍କନ୍ଧ ନ ଅଧ୍ୟାରେ

ପ୍ରହ୍ଲାଦ ନୃସିଂହ ଛାମୁରେ

।।

ବେନି ଚାଳିଶ ପଦ ଶ୍ଳୋକେ

ସ୍ତୁତି କରଇ ଏକେ ଏକେ

।।

ବ୍ରହ୍ମାଦି ସୁର ମୁନିଗଣେ

ସ୍ୱଭାବେ ସାତ୍ୱିକ୍ୟ ଲକ୍ଷଣେ

।।

ଅମୃତ ବଚନ ପ୍ରବାହେ

ନିର୍ମଳ ଗୁଣ ବହି ଦେହେ

।।

ନାନା ପ୍ରକାରେ ବହୁ ଗୁଣେ

ଆରାଧି ନ ପାରିଲେ ରଣେ

।।

ସେ ହରି କାହିଁ ମୋତେ ବଶ

ସ୍ୱଭାବେ ମୁଁ ଅସୁର ବଂଶ

।।

ଧ୍ୟାନ ଭଜନ ଜପ ତପ

ସୂର୍ଯ୍ୟର ପ୍ରାୟେ ତେଜରୂପ

।।

ବଳ ପୌରୁଷ ବୁଦ୍ଧି ଯୋଗ

ବିଭୂତି ପୂର୍ବଫଳ ଭାଗ

।।

ଏ ଆଦି ଯେତେଗୁଣ ଗ୍ରାମ

ନୁହନ୍ତି କୃଷ୍ଣ ତୋଷେ କ୍ଷମ

।।

କେବଳ ଭକ୍ତିଯୋଗେ ବଶ

ଗଜେନ୍ଦ୍ର ଯେସନେ ବିଶ୍ୱାସ

।।

ଦ୍ୱାଦଶ ଗୁଣେ ବିପ୍ରଯୁକ୍ତ

ସେ ଯେବେ ନୁହେ ବିଷ୍ଣୁଭକ୍ତ

।।

ସେ ବିପ୍ର ଶ୍ରେଷ୍ଠ ସେ ବୋଲଇ

ସଂସାରୁ ତିରିବଟି କାହିଁ

।।

ଯେବେ ଦ୍ୱାଦଶ ଗୁଣ ଧରେ

ସେ ବିପ୍ର ସଂସାର ବେଭାରେ

।।

ସ୍ୱଭାବେ ସତ୍ୟ ଧର୍ମ ଦମ

ଅହିଂସା ତପ କ୍ଷମାଜ୍ଞାନ

।।

ଅପରେ ଦାନ ବ୍ରତ ଧୃତି

ଶଉଚ ଆଦି ଶ୍ରୁତିକୃତି

।।

ଦ୍ୱାଦଶ ବ୍ରାହ୍ମଣ ଲକ୍ଷଣ

ଦେବେ ବର୍ଣ୍ଣିତ ଏତେ ଗୁଣ

।।

ଏମନ୍ତ ବିପ୍ର ହୋଇ ଯେବେ

ଭକ୍ତି ନ କରେ କୃଷ୍ଣ ଭାବେ

।।

ଚାଣ୍ଡାଳ ଜନ୍ମଦୋଷେ ଯେବେ

ମନ ବଚନ କୃଷ୍ଣ ଭାବେ

।।

ଆତ୍ମା ପବିତ୍ର ବେଗେ କରେ

ଚାଣ୍ଡାଳ କୁଳକୁ ଉଦ୍ଧରେ

।।

ବ୍ରାହ୍ମଣ ସର୍ବ ମାନ୍ୟ ହୋଇ

ଆତ୍ମା ଉଦ୍ଧରି ନ ପାରଇ

।।

ଯେ ହରି ନିଜ ଧାମେ ପୂର୍ଣ୍ଣ

ଆତ୍ମା ପ୍ରକାଶି ନିରଞ୍ଜନ

।।

ସେ ଜ୍ଞାନ ସଂକଳ୍ପ ବିକଳ୍ପେ

ଆତ୍ମାର ପୂଜା ମାନସିକେ

।।

ଯେଣୁ ଦୟାଳୁ ସେ ବୋଲାଇ

ଏଣୁ ଭରସା ପ୍ରାଣୀ ବହି

।।

କରନ୍ତି ପୂଜା ବିଧି ଯେତେ

ଆତ୍ମା ମଙ୍ଗଳ ପ୍ରାପ୍ତି ଅର୍ଥେ

।।

ସ୍ୱଭାବେ ନିଜ ଆତ୍ମା ଦିଶେ

ଯେସନେ ଦର୍ପଣେ ପ୍ରକାଶେ

।।

ତେଣୁ ଭରଷା ପାଇ ମୁହିଁ

ଈଶ୍ୱର ମହିମା ବର୍ଣ୍ଣଇଁ

।।

ଯଦ୍ୟପି ନିଜ ଦେହେଁ ମୋର

ସ୍ୱବର୍ଣ୍ଣେ ନାହିଁ ଅଧିକାର

।।

ଅବିଦ୍ୟା ବଳେ ଏ ସଂସାରେ

ଏ ଜୀବ ବିଶେଷ ଶରୀରେ

।।

କର୍ମର ବଳେ ସଞ୍ଚରଇ

ହରି ଭଜନେ ନିସ୍ତରଇ

।।

ତୁ ସତ୍ୟବ୍ରତ ଦାମୋଦର

ଆମ୍ଭେ ଯେ ତୋହର କିଙ୍କର

।।

ବ୍ରହ୍ମାଦି ଯେତେ ଦେବଗଣେ

ସେ ସର୍ବେ ତୋହର ଚରଣେ

।।

ତୋତେ ଡରନ୍ତି ଭୟ ଚିତ୍ତେ

ପାଦେ ସେବନ୍ତି ଅବିରତେ

।।

ଏଣୁ ସଂସାର କ୍ଷେମ ଅର୍ଥେ

ତୋ ଅବତାର ଏ ଜଗତେ

।।

ଏଣେ ଏ କୋପ ତୁ ସଂହର

ତୁ ନାଥ ଜଗତ ଈଶ୍ୱର

।।

ତୁ ଏ ଅସୁର ନାଶ କଲୁ

ସଂସାର ଭୟ ନିବାରିଲୁ

।।

ଆନନ୍ଦ ସାଧୁଙ୍କର ମନେ

ସ୍ୱର୍ଗ ବୃଷ୍ଟିରେ ଶସ୍ୟ ଯେହ୍ନେ

।।

ଲୋକେ ଆନନ୍ଦ ମନେ ସମ

ଭଜିଲେ ତୋହର ଚରଣ

।।

ଏ ତୋର ରୂପ ଭୟଙ୍କର

ଲୋକଙ୍କ ଭୟ ତୁ ସଂହର

।।

ଶୁଣ ହେ ପ୍ରଭୁ ଚକ୍ରଧର

ଏ ରୂପ ମହା ଭୟଙ୍କର

।।

ଜିହ୍ୱା ଚଞ୍ଚଳ ସୌଦାମିନୀ

ଆଦିତ୍ୟ ପ୍ରାୟେ ନେତ୍ର ବେନି

।।

ଭୃକୁଟୀ କୁଟିଳ ପ୍ରଚଣ୍ଡ

ଦଂଷ୍ଟ୍ର କରାଳ ପାଟି ତୁଣ୍ଡ

।।

ହୃଦୟ ଅସୁର ରୁଧିରେ

ଅସୁର ପୁଷ୍ପମାଳା ଭରେ

।।

କେଶ ଦିଶଇ ଶୋଣି ବର୍ଣ୍ଣ

ରୁଧିରେ ଊର୍ଦ୍ଧ୍ୱ ବେନି କର୍ଣ୍ଣ

।।

ତୋହର ଘୋର ନାଦ ଶୁଣି

ପ୍ରଳୟ ବଜ୍ର ପ୍ରାୟେ ମଣି

।।

ଅଇରାବତ ଆଦି ନାଗେ

ପଳାଇ ଗଲେ ଅଷ୍ଟଦିଗେ

।।

ଅନଳ ପ୍ରାୟେ ମୁଖକାନ୍ତି

ଅସୁର ରୁଧିର ପିବନ୍ତି

।।

ଏମନ୍ତ ରୂପ ତୋର ଚାହିଁ

ଭୋ ନାଥ ମୋର ଭୟ ନାହିଁ

।।

ତୁ ନାଥ ଶରଣ ବତ୍ସଳ

ଅବ୍ୟୟ ଆତ୍ମା ଆଦିମୂଳ

।।

ତୋର ସଂସାର ମଧ୍ୟେ ପଡ଼ି

ଆତ୍ମାର ନିଜ ପଥ ହୁଡ଼ି

।।

ସେ ମାୟା ଚକ୍ର ମୋତେ ଘେନି

କାଳେ ଭ୍ରମଇଁ ନାନାଯୋନି

।।

ସ୍ୱକର୍ମ ବଦ୍ଧେ ମୋ ଜୀବନ

ଏଣୁ ହରଇ ନିଜଜ୍ଞାନ

।।

ଏବେ ତୋହର ପାଦମୂଳେ

ଶରଣ ପଶିଲି ନିଶ୍ଚଳେ

।।

ତୋତେ ନ ଭଜି ନାରାୟଣ

ମୋର ଜୀବନ ଗତି ଶୁଣ

।।

ଏ ଘୋର ସଂସାର ସାଗରେ

ଜନ୍ମ ମରଣ ଅଭ୍ୟନ୍ତରେ

।।

ସେ ଯୋଗ ବିଯୋଗେ ଅଜ୍ଞାନ

ଶୋକ ଅନଳେ ଦହେ ମନ

।।

ଏ ଦେହ ସର୍ବ ଦୁଃଖ ବ୍ୟାଧି

ତୋର ଚରଣ ମଉଷଧି

।।

ସେ ପାଦ ଛାଡ଼ି ମୁହିଁ ଦୂରେ

ଭ୍ରମଇ ଘୋର ଅନ୍ଧକାରେ

।।

ଏବେ ଏମନ୍ତ ଆଜ୍ଞା କର

ଯେମନ୍ତେ ପାଦ ସେବୁଁ ତୋର

।।

ତୁ ନାଥ ପ୍ରାଣୀଙ୍କ ଜୀବନ

ପ୍ରିୟ ଦେବତା ବନ୍ଧୁଜନ

।।

ତୋର ଚରିତ ଲୀଳା କଥା

ବିରଞ୍ଚି ସଭାମଧ୍ୟେ ଜ୍ଞାତା

।।

ମୁଁ ତୋର ଲୀଳା ଗୁଣ ଗୁଣି

ତରିବି ଭବତରଙ୍ଗିଣୀ

।।

ତୋ ପାଦପଦ୍ମ ବନମଧ୍ୟେ

ଯେ ହଂସ ଖେଳନ୍ତି ଆନନ୍ଦେ

।।

ତାହାଙ୍କ ସଙ୍ଗେ ମୋତେ କର

ଏ ମାୟା ସଂସାରୁ ଉଦ୍ଧର

।।

ବାଳକ ରକ୍ଷଣ ସଂସାରେ

ପିତା ମାତାହୁଁ ନାହିଁ ପରେ

।।

ଅଗାଧ ସମୁଦ୍ର ଲଙ୍ଘନେ

ପ୍ରାଣୀଙ୍କି ନଉକା ଯେସନେ

।।

ପଥେ ତୃଷିତ ପ୍ରାଣୀ ଯେହ୍ନେ

ଜୀବନ ରଖେ ଜଳ ପାନେ

।।

ତେସନେ ତୋହର ଚରଣ

ଏଣୁ ମୁଁ ଗଲି ତୋ ଶରଣ

।।

ଭୋ ନାଥ ତୋର ମାୟାବଳେ

ପ୍ରକୃତି ଏ ମାୟା ସୟଳେ

।।

କାଳର ବଳେ ସଙ୍ଗୀ ହୋଇ

ଯାହାକୁ ଯେମନ୍ତ ଭାବଇ

।।

ଯେଣେ ଯାହାକୁ ନିଯୋଜଇ

ସେ ଫଳ ଯାର ହସ୍ତେ ଦେଇ

।।

ଯହୁଁ ଆସଇ ଯାର ହୋଇ

ଯହିଁ ଯାହାକୁ ନେଇ ଥୋଇ

।।

ଜୀବକୁ କରେ ନାନାକୃତି

ଏମନ୍ତ ସାତ୍ୱିକ ପ୍ରକୃତି

।।

ସେ ଜୀବ ତାର ସଙ୍ଗେ ରହେ

ଭାବେ ଭ୍ରମଇ ସର୍ବ ଦେହେ

।।

ଯେ ଜୀବ ତୋର ଅଂଶୁ ଜାତ

ତାହାର ବଶ ଏ ଜଗତ

।।

ତାହାକୁ କୁକର୍ମ ଏ କରି

ଏ ମାୟାମୟ ରୂପ ଧରି

।।

କାଳରବଳେ ବଶ ହୋଇ

ବେଦବଚନେ ବଧ ଦେହୀ

।।

ସଂସାରଚକ୍ର ଷୋଡ଼ଶାରେ

କ୍ରମେ ଭ୍ରମଇଁ ଅତି ଖରେ

।।

ଦଶ ଇନ୍ଦ୍ରିୟଙ୍କର ସଙ୍ଗ

ଶବସ୍ପରଶ ରୂପ ଗନ୍ଧ

।।

ରସେ ରସଇ ସର୍ବକାଳେ

ଏମନ୍ତେ ଭ୍ରମେ ଇନ୍ଦ୍ରିବଳେ

।।

ଏମନ୍ତ ଚକ୍ରେ ମନ ରସି

କର୍ମ ବିଷୟ ରସେ ରସି

।।

ଚକ୍ରେ ଭ୍ରମଇଁ ଦୁଃଖ ସହି

ତୋ ବିନୁ ତାର ମୋକ୍ଷନାହିଁ

।।

ନିତ୍ୟ ବିଷୟ ଆତ୍ମା ଗୁଣ

ସ୍ୱତେଜ ବଳେ ନାରାୟଣ

।।

କାଳକୁ ଆତ୍ମା ବଶ କରି

ବିଃସର୍ଗ ଶକ୍ତିକି ବିସ୍ତାରି

।।

ସେ ଶକ୍ତି କାଳଚକ୍ରେ ଥୋଇ

ସେ ଚକ୍ରେ ଜୀବକୁ ବସାଇ

।।

ପୀଡ଼ଇ ଇକ୍ଷୁଦଣ୍ଡ ପ୍ରାଏ

ତେଣୁ ଡରଇ ମୋର କାୟେ

।।

ଏବେ ମୁଁ ତୋ ଚରଣ ଗତେ

ଚକ୍ରୁ ଉଧର ନାଥ ମୋତେ

।।

ମୁଁ ଏବେ ଦେଖିଲି ପ୍ରତ୍ୟକ୍ଷେ

ଭୋ ନାଥ ତୋହର ସମକ୍ଷେ

।।

ବ୍ରହ୍ମାଣ୍ଡ ମଧ୍ୟେ ଯେତେ ଦେବା

ମନୁଷ୍ୟ କରନ୍ତି ତା ସେବା

।।

ଇଚ୍ଛନ୍ତି ଆୟୁ ଶ୍ରିୟଭୋଗ

ସାତୁକ୍ୟେ ମୁଁ ଯୋନି ଉଦ୍ଭବ

।।

ଯେ ଜନ ମୋର ପିତା ପାଶେ

ନିତ୍ୟେ ଖଟନ୍ତି ଅବକାଶେ

।।

ଚାହାଣି ଭ୍ରୁକୁଟୀ କୁଟିଳ

ଭୟେ ଡରନ୍ତି ଅନ୍ତରାଳ

।।

ତୁ ଏବେ ତାହାକୁ ନିବାରି

ରଖିଲୁ ସର୍ବ ଦେବ ପୂରି

।।

ତେଣୁ ମୁଁ ପ୍ରାଣୀଙ୍କ ଆଶିଷେ

ଯେ ଫଳ ଏ ଭୂତ ଭବିଷ୍ୟେ

।।

ଆୟୁ ସମ୍ପଦ ଭୋଗ ଅର୍ଥେ

ଇନ୍ଦ୍ରିୟ ସୁଖ ପରମାର୍ଥେ

।।

ସେ ସର୍ବ ବାଞ୍ଛା ତୋର ବଳେ

କାଳ ହରଇ ଅବହେଳେ

।।

ତେଣେ ମୋହର କାର୍ଯ୍ୟ ନାହିଁ

ତୋ ପାଦେ ରଖ ଭାବଗ୍ରାହୀ

।।

ତୋ ମାୟା ଅଶେଷ ସଂସାରେ

ସ୍ୱପ୍ନ ମୃଗତୃଷ୍ଣା ଆକାରେ

।।

ଏ କଳେବରର ମହିମା

ଅଶେଷ ଚରଙ୍କର ସୀମା

।।

ଏ ସର୍ବ ଶ୍ରୁତି ମୁଖେ ଭଣି

ସ୍ୱପ୍ନର ପ୍ରାୟେ ପରିମାଣି

।।

ଅଛଇ ତୋର ମାୟା ମୋହେ

କେବେହେଁ ବିରକ୍ତ ଏ ନୁହେଁ

।।

କାମ ଅନଳେ ମଧୁ ଲୋଭ

କେମନ୍ତେ ଲିଭିବ ସ୍ୱଭାବ

।।

ମୋହର ଜନ୍ମ ରଜଗୁଣେ

ଅଧିକ ତାମସ ଲକ୍ଷଣେ

।।

ଅସୁର କୁଳେ ଜାତ ମୁହିଁ

ତୋ ଅନୁକମ୍ପା ମୋତେ କାହିଁ

।।

ଭୋ ନାଥ ମୋର ଶିରେ ଆଣି

ପ୍ରସନ୍ନେ ଦେଲୁ ପଦ୍ମପାଣି

।।

ତୋର ପ୍ରସନ୍ନେ ପଦ୍ମଲାଭ

ବ୍ରହ୍ମା ଶଙ୍କରେ ସୁ ଦୁର୍ଲ୍ଲଭ

।।

କମଳା ତୋର ପାଦେ ଥାଇ

ସେବା ପାଇବ ତାହା କାହିଁ

।।

ତୋର ମହିଁମା ଭାବଗ୍ରାହୀ

ପର ଅପର ତୋର ନାହିଁ

।।

ଏ ଜୀବ ପରାପର ଜାଣେ

ସଂସାର ଗତି ନ ପ୍ରମାଣେ

।।

ଉତ୍ତମ ସେବା ତୋ ଚରଣେ

ଯେ ପ୍ରାଣୀ କରେ ଅନୁକ୍ଷଣେ

।।

ସେ ପାଦ ଯାରେ ଦୟା କରେ

ପ୍ରସନ୍ନ କଳ୍ପଦ୍ରୁମ ତାରେ

।।

ସେବାନରୂପେ ଫଳ ପାଇ

ପର ଅପର ତୋର ନାହିଁ

।।

ଏମନ୍ତ ଭବବନ୍ଧ କୂପେ

ବେଢ଼ି ଅଛନ୍ତି କାଳସର୍ପେ

।।

ସେ କୂପେ ପଡ଼ି ସର୍ବ ଜନେ

କାମ ସଂକଳ୍ପ ନିତ୍ୟେ ଧ୍ୟାନେ

।।

ତାହାଙ୍କ ସଙ୍ଗେ ପଛେ ଥାଇ

କାମ କଳୁଷ ଇଚ୍ଛି ମୁହିଁ

।।

ନାରଦ ମୁନି ମହାଶୟ

ସେ ମୋତେ କଲେ ଅନୁଗ୍ରହ

।।

ଏଣୁ ସାଧୁଙ୍କ ସଙ୍ଗ ଭାବି

ତୋ ସେବା କେମନ୍ତେ ଛାଡ଼ିବି

।।

ଅନନ୍ତ ମୋ ପ୍ରିୟ ରକ୍ଷଣେ

ପିଅର ମରଣ ରକ୍ଷଣେ

।।

ଭକ୍ତ ବାକ୍ୟ ରକ୍ଷଣ ଅର୍ଥେ

ତୋ ଅବତାର ଏ ଜଗତେ

।।

ମୋ ପିତା ଖଡ଼୍ଗ ଧରି ହସ୍ତେ

ପ୍ରତିଜ୍ଞା କଲା ମୋ ଅଗ୍ରତେ

।।

ବୋଇଲା ଦେଖା ତୋ ଠାକୁର

ନୋହିଲେ ଛେଦିବି ତୋ ଶିର

।।

ମୁହିଁ ଈଶ୍ୱର ତିନିପୁରେ

ମୋ ତହୁଁ କେବା ଅଛିପରେ

।।

ଏଣୁ ମୋ ବାକ୍ୟ ସତ୍ୟ କରି

ତୋ ଅବତାର ନରହରି

।।

ତୁମ୍ଭେ ଜଗତେ ରୂପ ଧରି

ଜନଙ୍କ ମଧ୍ୟେ ଅବତରୀ

।।

ପ୍ରକାଶୁ ସ୍ଥୂଳ ସୂକ୍ଷ୍ମରୂପେ

ନିର୍ଲେପ ରୂପେ ରହୁ ଏକେ

।।

ତ୍ରିଗୁଣେ ସର୍ଜୁ ଗୁଣମୟେ

ମାୟା ପ୍ରକାଶୁ ନାନା ଦେହେଁ

।।

ବିହରୁ ଗୁଣମଧ୍ୟେ ପଶି

କେ କହୁ ତୋ ରୂପ ବିଶେଷି

।।

ସତ୍ୟ ଅସତ୍ୟ ଏ ଜଗତେ

ତୋ ତହୁଁ ନାହିଁ ଭିନ୍ନମତେ

।।

ମାୟାର ଆତ୍ମାର ପ୍ରକାରେ

ଅଶେଷ ଶରୀରେ ବିହରେ

।।

ସ୍ଥିତି ପାଳନ ଅନ୍ତ ଦୃଷ୍ଟି

ତରୁ ପଲ୍ଲବପ୍ରାଏ ସୃଷ୍ଟି

।।

ତୁ ଏ ଜଗତେ ଆତ୍ମାବଳେ

ଆତ୍ମାରେ ଥାଉ ଅନ୍ତକାଳେ

।।

ସୃଷ୍ଟି ସଂହରୁ ମହାଜଳେ

ନାଗ ଶୟନ ତୁ ନିଶ୍ଚଳେ

।।

ତୋ ନିଜ ସୁଖ ଅନୁଭବ

ନିରୁହ ରୁହ ପଦ୍ମନାଭ

।।

ଉନ୍ମିଳଲୋଚନ ମୁରାରି

ନିଦ୍ରାକୁ ହୃଦୟେ ସଂହାରି

।।

ତୋର ଆୟତେ ରହୁ ତୁହି

ତ୍ରିଗୁଣେ ତୋର କାର୍ଯ୍ୟ ନାହିଁ

।।

ସେ ଗୁଣମୟ ଯେ ଶରୀରେ

ଚେତଇ ନିଦ୍ରା ଅଭ୍ୟନ୍ତରେ

।।

କାଳର ବଳେ ତୋ ନୟନେ

ଯୋଗ ସମାଧି ଅବଧାନେ

।।

ତୋ ନାଭିମଧ୍ୟୁଁ ଜନ କଣେ

ବୀଜ ପ୍ରକାଶୁ ତତକ୍ଷଣେ

।।

କଳ୍ପବଟର ପ୍ରାୟେ ହୋଇ

ପଦ୍ମମୃଣାଳ ପ୍ରକାଶଇ

।।

ସେ ପଦ୍ମମଧ୍ୟୁଁ ବ୍ରହ୍ମା ଜାତ

ନ ଜାଣେ ଆତ୍ମାର ତଦନ୍ତ

।।

ତୁ ବୀଜ ଆତ୍ମା ତା ଶରୀରେ

ପ୍ରକାଶୁ ବାହ୍ୟ ଅଭ୍ୟାନ୍ତରେ

।।

ତାହା ନ ଜାଣେ ବେଦମୁଖ

ବାହାରେ ଖୋଜିଲା ଅନେକ

।।

କାହୁଁ ଅଇଲି ବୋଲି ଚିନ୍ତି

ଭୟେ ଭାଳଇ ପ୍ରଜାପତି

।।

ପୁଣି ପଶିଲା ପଦ୍ମନାଳେ

ସତେ ବରଷ ପଦ୍ମମୂଳେ

।।

ଅଙ୍କୁର ମାର୍ଗେ ବୀଜ ଲୋଡ଼ି

ଭ୍ରମିଲା ବହୁ ଦୁଃଖେ ପଡ଼ି

।।

ରହି ନ ପାରି ମହାଜଳେ

ପୁଣି ଉଠିଲା ପଦ୍ମନାଳେ

।।

ଭାଳଇ ପଦ୍ମନାଳେ ଥାଇ

ତୋ ଅନ୍ତ ପାଇବେ ସେ କାହିଁ

।।

ତୋତେ ନ ପାଇ ପ୍ରଜାପତି

ତପ ସାଧନେ କଲା ମତି

।।

ଅନେକ କାଳ ସାଧି ତପ

ତୋ ରୂପ ଦେଖିଲା ସମୀପ

।।

ତୋ ରୂପ କରି ଅନୁମାନେ

ଭୂମିରୁ ଗନ୍ଧ ମାତ୍ରା ଯେହ୍ନେ

।।

ସହସ୍ର ବଦନ ନୟନ

ସହସ୍ର ଶିର ନାସା କର୍ଣ୍ଣ

।।

ସହସ୍ର ଉର ସସ୍ରେ ପାଦ

ସହସ୍ରେ ଭୂଜ ସସ୍ରାୟୁଧ

।।

ତୋ ମାୟାମୟ ରୂପ ସୁଖେ

ବିଧାତା ଦେଖିଲା ସମ୍ମୁଖେ

।।

ତୋହର ଦେଖି ଦିବ୍ୟ ବେଶ

ବିଧାତା ଲଭିଲା ହରଷ

।।

ବ୍ରହ୍ମାର ଅର୍ଥେ ପଦ୍ମଲାଭ

ରୂପ ପ୍ରକାଶି ହୟଗ୍ରୀବ

।।

ବିଷ୍ଣୁର ଯୋଗ ନିଦ୍ରାକାଳେ

ଶ୍ରବଣ ମଳି ପଡ଼ି ଜଳେ

।।

ରଜତାମସ ଗୁଣେ ଜାତ

ମଧୁକୈଟଭ ବେନି ଦୈତ୍ୟ

।।

ଦେବ ଦଳନ ମହା ଘୋର

ତେଜ ପ୍ରଚଣ୍ଡ ଭୟଙ୍କର

।।

ତାହାଙ୍କୁ ମାରି ସୃଷ୍ଟି ଗୁଣ

ବ୍ରହ୍ମାକୁ କଲ ସମର୍ପଣ

।।

ଏହି ପ୍ରକାରେ ନରହରି

ନୃପତି ଋଷି ରୂପ ଧରି

।।

ଦେବତା ଜଳ ଜନ୍ତୁରୂପେ

ତୋ ଅବତାର ମହୀ କଳ୍ପେ

।।

ଦୁଷ୍ଟ ନିବାରି ସନ୍ଥ ପାଳୁ

ତୁ ନାଥ ପରମଦୟାଳୁ

।।

ଯୁଗାନୁମତେ ଧର୍ମ ଯୁତେ

ତୁ ନାଥ ପାଳୁ ଏ ଜଗତେ

।।

କଳିକଳୁଷ ଆଦି ଯେତେ

ଯାଗ ସ୍ୱଧର୍ମ ପାପ ଚିତ୍ତେ

।।

ନିରତେ ମାୟା ଜଡ଼େ ଛନ୍ନ

ପାପ ସଙ୍କଳ୍ପେ ଦୃଢ଼ମନ

।।

ଏଣୁ ତୋ କଥାମୃତେ ରତି

ଯେ କରିପାରେ ଦୃଢ଼ମତି

।।

କାମ ସଂକଳ୍ପେ ମୁଁ ଆତୁର

କାହିଁ ଜାଣିବ ଗତି ତୋର

।।

ଏ ଦେହ ଇନ୍ଦ୍ରିୟଙ୍କ ଗୁଣ

ଭୋ ନାଥ ସାବଧାନେ ଶୁଣ

।।

ଏ ଆତ୍ମା ରହି ହୃଦଗତେ

ନ ପାରେ ଇନ୍ଦ୍ରିୟ ଆୟତ୍ତେ

।।

କ୍ଷୁଧା ଲାଗିଲେ ଜିହ୍ୱା ଧରେ

ତୃଷିତେ କୃଷ୍ଣ ବଳ କରେ

।।

ଉପସ୍ଥ ଧରେ କାମ ଭୋଗେ

ଗୁହ୍ୟ ଧରଇ ମଳୋତ୍ସର୍ଗେ

।।

ଚର୍ମ ଧରଇ ଶୀତ ଦୃମେ

ଉଦର ଧରେ ଭକ୍ଷ୍ୟ କର୍ମେ

।।

ଶ୍ରବଣ ଶବ୍ଦ ଅର୍ଥେ ଧରେ

ଗନ୍ଧାର୍ଥେ ନାସିକା ବିବରେ

।।

ଚିତ୍ତ ସଂଯୋଗେ ଦୃଷ୍ଟି ରହେ

ବଳେ ବା କର୍ମ ଶକ୍ତି ବହେ

।।

ଏମନ୍ତ ଇନ୍ଦ୍ରିଗଣ ବଳେ

ପ୍ରାଣୀ ନମନ୍ତି ଅବହେଳେ

।।

ବହୁ ସପତ୍ନୀ ଯାର ଘରେ

ଗୃହସ୍ଥ ମରେ ନିରନ୍ତରେ

।।

ସେ ଯେହ୍ନେ ପତ୍ନୀଙ୍କ ଆୟତ୍ତେ

ନିରତେ ରମେ ଯେଝାମତେ

।।

ସେ ନାରୀଗଣେ ତାର ଚିତ୍ତ

କରନ୍ତି ଆତ୍ମାର ଆୟତ୍ତ

।।

ଯେ ଯାହା ମତେ ସ୍ନେହ ଚିନ୍ତି

ସ୍ୱାମି ଜୀବନ ସେ ହରନ୍ତି

।।

ଏମନ୍ତ କର୍ମପାଶ ବଳେ

ବଇତରଣୀ ବ୍ରାହ୍ମୀକୂଳେ

।।

ଜନ୍ମ ମରଣ ପ୍ରାଣୀ ବହେ

ଅନ୍ୟାନ୍ୟ ଘଟଣ ବିଗ୍ରହେ

।।

ସ୍ୱପର ଭେଦେ ପଥ ହୁଡ଼ି

ଯାତନା ମଧ୍ୟେ ଛନ୍ତି ପଡ଼ି

।।

ଏହାଙ୍କ ମଧ୍ୟେ ମୁହିଁ ଥାଇଁ

ଆତ୍ମାର ଗତି ମନେ ଧ୍ୟାଇ

।।

ତୋ ପାଦେ ପଶିଲି ଶରଣ

ମୋତେ ଉଦ୍ଧର ନାରାୟଣ

।।

ଦୁଃଖୀଜନଙ୍କ ଦୁଃଖ ହରେ

ତୋ ବିନୁ ନାହିଁ ଏ ସଂସାରେ

।।

ସଂସାର ଉତ୍ପତ୍ତି ପାଳଣ

ଇଷିତେ କରୁ ନାରାୟଣ

।।

ମୂଢ଼ ପ୍ରାଣୀଙ୍କି ତୋର ଦୟା

କେ ଜାଣିପାରେ ତୋର ମାୟା

।।

ଅରତ ଜନ ବନ୍ଧୁ ହେଉ

କରୁଣାସିନ୍ଧୁ ନାମ ବହୁ

।।

ତୋହର ସେବକ ତାରଣେ

ତୁ ନାଥ ଥାଉ ଅନୁକ୍ଷଣେ

।।

ଏଣୁ ମୋହର ଭୟ ନାହିଁ

ତୋହର ପାଦପଦ୍ମ ଧ୍ୟାୟି

।।

ତୋର ମହିଁମା ଗୁଣ ଗୁଣି

ନିଶ୍ଚଳ ଚିତ୍ତେ ପରିମାଣି

।।

ତୋର ବିମୁଖ ଯେତେ ଜନ

ସେ ଜଳେ ସେ ପ୍ରାଣୀ ନିମଗ୍ନ

।।

କୁଟୁମ୍ବ ଭରଣ ନିମିତ୍ତ

ଭାବ ବହଇ ଅବିରତେ

।।

ଇନ୍ଦ୍ରିୟ ସୁଖେ ଗୃହେ ବହେ

କୁଟୁମ୍ବ ସ୍ନେହେ ମାୟାମୋହେ

।।

ଏଣୁ ସକଳ ମୁନିଜନେ

ନିର୍ମଳ ନିଶ୍ଚଳ ଚେତନେ

।।

ମାୟା କଳ୍ପନା ଦୂର କରି

ମଉନ ବ୍ରତେ ବ୍ରହ୍ମଚାରୀ

।।

ଜୀବନ କରନ୍ତି ନିର୍ମଳ

ଲଭନ୍ତି ପରମାର୍ଥ ଫଳ

।।

ତାହାଙ୍କ ସଙ୍ଗେ ଅନୁଦିନେ

କଳ୍ପଇ ଆତ୍ମା ଅନୁକ୍ଷଣେ

।।

ତାରେ ଭ୍ରମଇଁ ପ୍ରାଣୀଙ୍କର

ତୋ ତହୁଁ ରକ୍ଷକେ ବିଚାର

।।

ଏ ଗୃହେ ମୈଥୁନାଦି ସୁଖେ

ପ୍ରାଣୀ କ୍ରୀଡ଼ନ୍ତି ଦୁଃଖ ସୁଖେ

।।

କଣ୍ଡୁ ଯେସନେ ନଖେ ମଜି

ନିମିଷ ସୁଖ ପ୍ରାୟେ ବୁଝି

।।

କଣ୍ଡୁ ଅନ୍ତରେ ମହାଦୁଃଖ

ତେସନେ ଗୃହ ବନ୍ଧସୁଖ

।।

ଏଣେ ନ ରମେ ଜ୍ଞାନିଜନ

ତୋ ପାଦପଦ୍ମେ ଯାର ମନ

।।

ମଉନ ବ୍ରତ ଶୌଚ ତପ

ଅଧ୍ୟାନ ସ୍ୱଧର୍ମାଦି ଜପ

।।

ଏକାନ୍ତ ବାସ ଯୋଗ ସିଦ୍ଧି

ନିର୍ମଳ ନିଶ୍ଚଳ ସମାଧି

।।

ଯେ ଅପବର୍ଗ ସାଧ୍ୟ ଅର୍ଥେ

ପ୍ରାଣୀ ଜଡ଼ନ୍ତି ଏ ଜଗତେ

।।

ତାହାଙ୍କ ସୁଖ ଲେଶ ନାହିଁ

ମାୟା ସଂସାରେ ଭ୍ରମୁଥାଇ

।।

ତୋର ଚରଣ ଅବିରତ

ଜ୍ଞାନିଜନଙ୍କ ହୃଦେ ସ୍ଥିତ

।।

ତୋତେ ଲଭନ୍ତି ଭାବଗ୍ରାହୀ

ଦମ୍ଭେ ଲଭିବେ ତାହା କାହିଁ

।।

ଏ ସୃଷ୍ଟି ମଧ୍ୟେ ପଦ୍ମମୁଖ

ଅସତ୍ୟେ ସତ୍ୟ ତୋର ରୂପ

।।

ବୀଜରୁ ଅଙ୍କୁର ଯେମନ୍ତ

ପ୍ରକାଶ କରେ ଏ ଜଗତ

।।

ସେ ବୀଜ ଅଙ୍କୁର ତୋ ଦେହୀ

ତୋର ପ୍ରକାଶୁ ଦୃଢ଼େ ରହି

।।

ସତ୍ୟେ ଭଜଇ ଅବିରତେ

ତୋରୂପ ନ ଜାଣଇଁ ଚିତ୍ତେ

।।

ଯୋଗ ସାଧନ ମାର୍ଗେ ସାଧେ

ଅନଳ ଯେହ୍ନେ ଦାରୁ ମଧ୍ୟେ

।।

ଗଗନ ସମୀର ଅନଳ

ଅବନୀ ଆଦି ମହାଜଳ

।।

ମାତ୍ରା ସ୍ୱରୂପି ଇନ୍ଦ୍ରିଗଣ

ଚତୁର୍ଥ ଅନ୍ତରେ କାରଣ

।।

ତୋ ଅନୁଗ୍ରହେ ଦେହେଁ ରହି

ଗୁଣ ବିଗୁଣ ଯେତେ ହୋଇ

।।

ମନ ବଚନେ ଯେତେ କରି

ତୁ ସର୍ବରୂପେ ନରହରି

।।

ତ୍ରିଗୁଣ ମଦ ଅହଙ୍କାର

ମନ ପ୍ରକୃତି ବେଦ ସୁର

।।

ଏ ଆଦିଅନ୍ତ ମଧ୍ୟେ ଥାଇଁ

କେବେହେଁ ତୋତେ ନ ଜାଣଇଁ

।।

ଏ ଭାବ ଜାଣି ମୁନିଜନେ

ନିଶ୍ଚଳ ହୋଇଲେ ମଉନେ

।।

ଭୋ ନାଥ ଯେତେ ନମସ୍ତୁତି

ତୋ ପୂଜା ଦୃଢ଼େ ଯାର ମତି

।।

ନିତ୍ୟେ ଚିନ୍ତନ୍ତି ତୋ ଚରଣ

ଯେ ଗୁଣ ନିରତେ ଶ୍ରବଣ

।।

ସୁପୁଣ୍ୟ କର୍ମ ଅର୍ପି ତୋତେ

ଏ ଷଡ଼ ଅଙ୍ଗ ଭକ୍ତି ମତେ

।।

ଯେ ଅବା ଶାନ୍ତି ଏ ଜଗତେ

ସେ ତୋତେ ଭଜନ୍ତି ଉଚିତେ

।।

ଏରୂପେ କିବା ପ୍ରୟୋଜନ

ଯେବେ ତୋ ଭାବେ ନାହିଁ ମନ

।।

ଭୋ ନାଥ ଅନନ୍ତ ମୂରତି

ପରମ ଯୋଗିଙ୍କର ପତି

।।

ସେ ପ୍ରହଲାଦ ଦିବ୍ୟ ସ୍ତୁତି

ଶୁଣି ସନ୍ତୋଷ ପ୍ରଭୁ ମତି

।।

ଭଣଇଁ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣ ପାଦେ ଦୃଢ଼

।।

ହେଉ ସୁଜନେ ଆଜ୍ଞାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତବାକ୍ୟଂ

ନାମ ପଞ୍ଚଦଶୋଽଧ୍ୟାୟଃ ।

Image

 

ଷୋଡ଼ଶ ଅଧ୍ୟାୟ

 

ସପ୍ତମସ୍କନ୍ଧ ଦଶାଧ୍ୟାରେ

ବ୍ରହ୍ମାର ସଙ୍ଗେ ସର୍ବସୁରେ

।।

ଆନନ୍ଦେ କର ଦେଇ ଶିରେ

ପବିତ୍ର ବାକ୍ୟେ ସ୍ତୁତି କରେ

।।

ଭୋ ଦେବ ଦେବଙ୍କର ବର

ଅଖିଳ ସର୍ଜି ସୃଷ୍ଟି କର

।।

ଭୂତଭାବନ ପୂର୍ବ ସିଦ୍ଧି

ତୁ ନାଥ କରୁଣ-ବାରିଧି

।।

ଲୋକ ସନ୍ତାପୁ ଏ ଅସୁର

ଭୋ ନାଥ କଲୁ ତୁ ନିବାର

।।

ମୋହର ତହୁଁ ବର ପାଇ

ମୋ ସୃଷ୍ଟି ମଧ୍ୟେ ମୁହିଁ ନାହିଁ

।।

ତପର ତେଜ ବଳେ ଦୃଷ୍ଟି

ନିଗମ ମାର୍ଗ କଲା ନଷ୍ଟି

।।

ତୁ ନାଥ ତାହାଙ୍କୁ ସଂହରି

ରଖିଲୁ ବେଦମାର୍ଗ ଶିରୀ

।।

ଏହାର ପୁତ୍ର ମହାଭାଗ

କୃଷ୍ଣ ଭକତଙ୍କ ଦୁର୍ଲ୍ଲଭ

।।

ତାଙ୍କୁ ରଖିଲୁ ପିତା ମାରି

ମରଣ ସଂକଟୁ ଉଦ୍ଧରି

।।

ଏଯେ ନୃସିଂହ ରୂପ ତୋର

ଧ୍ୟାନେ ଚିନ୍ତିବେ ଯେତେ ନର

।।

ସର୍ବ ସଂକଟୁ ସେ ତରିବେ

ସ୍ମରଣେ ମରଣ ଜିଣିବେ

।।

ଏମନ୍ତେ ବ୍ରହ୍ମାଙ୍କ ବଚନ

ଶୁଣି କହନ୍ତି ଭଗବାନ

।।

ତୃତୀୟ ଅଧ୍ୟା ଅଷ୍ଟମରେ

ଗଜେନ୍ଦ୍ର ସ୍ତବ ଶ୍ରୀ ପୟରେ

।।

ଓଁ କାର ବ୍ରହ୍ମ ଆଦିପଦେ

ବୋଲେ ଆନନ୍ଦ ଗଦଗଦେ

।।

ନମସ୍ତେ ପ୍ରଭୁ ଭଗବାନ

ଅଶେଷ ବ୍ରହ୍ମାଣ୍ଡ ଜୀବନ

।।

ତୋର ମହିମା ଚିଦାତ୍ମିକ

ଅନାଦି ପୁରୁଷ ବିବେକ

।।

ଜୀବର ଆଦି ଜୀବ ତୁହି

ପରମେଶ୍ୱର ଆଦି ଦେହୀ

।।

ଯାହାର ଦେହେଁ ବିଶ୍ୱବଂଶେ

ସ୍ୱଭାବେ ସ୍ୱରୂପ ପ୍ରକାଶେ

।।

ଜୀବ ପରମ ଆତ୍ମାପର

ତୁ ବ୍ରହ୍ମ ଶରଣ ସୋଦର

।।

ଏ ଯେ ସଂସାର ମାୟାବଳେ

ଆତ୍ମାରୁ କଳ୍ପିଲୁ ନିଶ୍ଚଳେ

।।

ପ୍ରକାଶୁଁ କରି ତିରୋହିତ

ଯେସନେ ଉର୍ଣ୍ଣନାଭି ମତ

।।

ମଧ୍ୟେ ଦେଖଇ ସାକ୍ଷି ଯେ

କ୍ରୀଡ଼ା କରଇ କଳ୍ପେ କଳ୍ପେ

।।

ସେ ହରି ରଖୁ ମୋର ପ୍ରାଣ

ତା ପାଦେ ପଶିଲି ଶରଣ

।।

କାଳେ ସକଳ ଦେହଧାରୀ

ଅନ୍ତକ ରୂପେଣ ସଂହରି

।।

ସକଳ ଜନ୍ତୁ କରେ ଅନ୍ତ

ତମ ନିବିଡ଼ ଘୋର ପଥ

।।

ପୁଣି ତାମସ ଗଣେ ବସେ

ବିରାଜ ରୂପ ପରକାଶେ

।।

ତୋର ମହିଁମା ବିଚାରଣେ

ଏ ତିନି ଦେବ ଋଷିଗଣେ

।।

କେହି ନ ଜାଣେ ପ୍ରଭୁ ତୋତେ

ଅନେକ ଶାସ୍ତ୍ରେ ଯୋଗିମତେ

।।

କେ ମୋର ମହିମା ଜାଣିବ

ଯହିଁ ଭ୍ରମନ୍ତି ସଦାଶିବ

।।

ନଟ ଆକୃତି ପ୍ରାୟେ ଖେଳେ

ଏ ମାୟା ମୋହନ ଶୟଳେ

।।

ମନ କର୍ମକୁ ଦୂର ଯେହି

ସେ ହରି ରଖୁ ମୋର ଦେହୀ

।।

ଯାର ମହିମା ମୁନିଜନେ

ଶକଳ ଶାସ୍ତ୍ର ଅନୁମାନେ

।।

ବିମୁକ୍ତ ପାଶେ ସାଧୁଜନେ

ତପ ସାଧନ୍ତି ଘୋର ବନେ

।।

ଭୂତଙ୍କ ଆତ୍ମା ଭୂତ ଯେହୁ

ସେ ହରି ମୋତେ ଦୟାବହୁ

।।

ଯାହାର କର୍ମ ନାମ ନାହିଁ

ଅପରେ ଗୁଣଦୋଷ କାହିଁ

।।

ତଥାପି ଲୋକ ରକ୍ଷାଅର୍ଥେ

ଉଗ୍ର ସମ୍ଭବ ଏ ଜଗତେ

।।

ତୋ ମାୟା ବଳେ ଏ ଜଗତ

ସୃଷ୍ଟି ପାଳିଣ କରୁ ଅନ୍ତ

।।

ରୂପ ଅରୂପ ଯେ ଅଦ୍ଭୁତ

ମାୟା ପ୍ରଦୀପ ସାକ୍ଷୀମତ

।।

ମନ ବଚନେ ଦୁରାନ୍ତର

ପରମ ଆତ୍ମା ସୁଖପର

।।

ସୂକ୍ଷ୍ମ ନିର୍ମଳ ରୂପ ଯାର

ଦୁସ୍ତର ତପେ ମହାଘୋର

।।

ଯାହାକୁ ସତ୍ୟଗୁଣେ ପାଇ

ନିଷ୍କାମ ଚିତ୍ତେ ଯେବା ଧ୍ୟାୟି

।।

କୈବଲ୍ୟ ନାଥ ନମସ୍ତୁତେ

ନିର୍ମାଣ ମୁକ୍ତି ଯାର ଚିତ୍ତେ

।।

ତୁ ନାଥ ଶାନ୍ତି ଘୋର ରୂପି

ଦୃଢ଼ ଧର୍ମେଣ ବିଶ୍ୱ ବ୍ୟାପି

।।

ଯେ ନିର୍ବିକଳ୍ପ ଶାନ୍ତ ରୂପି

ସୁଜ୍ଞାନ ଘନ ଘନ ବ୍ୟାପି

।।

କ୍ଷତ୍ରଜ୍ଞ ରୂପ ନମୋନମଃ

ସର୍ବତ୍ର ସାକ୍ଷୀ ନିତ୍ୟ ଧାମ

।।

ଯେ ଏ ଜଗତ ଆଦି ମୂଳ

ପ୍ରକୃତି ରୂପେ ସୂକ୍ଷ୍ମ ସ୍ଥୂଳ

।।

ସର୍ବ ଇନ୍ଦ୍ରିୟଗଣ ଦୃଷ୍ଟି

ସର୍ବଶରୀର ଆଦିସୃଷ୍ଟି

।।

ଅଭକ୍ତ ଜନେ ଅପ୍ରକାଶ

ଭକତ ପଦ୍ମେ ରବି ତ୍ରାସ

।।

ଅଖିଳ କାରଣ ସ୍ୱରୂପୀ

ଅଦ୍ଭୁତ ରୂପେ ବିଶ୍ୱ ବ୍ୟାପି

।।

ପୁଣ୍ୟ ପ୍ରାଣୀତ ଗୁଣ ପାଶେ

ବନ୍ଧନ ତୋ ମାୟା ବିଶ୍ୱାସେ

।।

ତୁ ନାଥ କରୁଣାସାଗର

ତୋ ପାଦେ ଶରଣ ମୋହର

।।

ଅଶେଷ ଜନ୍ତୁ ହୃଦଗତେ

ତୋର ପ୍ରକାଶ ଆତ୍ମା ହିତେ

।।

ସକଳ ଦେଖୁ ନାଥ ତୁହି

ତୋ ଅନୁଭବ କେ ଜାଣଇଁ

।।

ତୁ ବ୍ରହ୍ମ ପରମ ମଙ୍ଗଳ

ନମସ୍ତେ ପ୍ରଭୁ ଆଦି ମୂଳ

।।

ଆତ୍ମା ଆତ୍ମିକ ଗୃହଗତେ

ମମତା ପଣେ ଦୃଢ଼ ଚିତ୍ତେ

।।

ଯେ ପ୍ରାଣୀ ଗୃହବନ୍ଧେ ମଜ୍ଜେ

ସେ ତୋତେ କେବେହେଁନଭଜେ

।।

ଯେ ସାଧୁ ସଙ୍ଗେ ଏ ଜଗତେ

ସେ ତୋତେ ଭଜେ ଅବିରତେ

।।

ଏଣୁ ବିବେକ ପ୍ରାଣିଙ୍କର

ତୁ ନାଥ ଶୁଭ ସୁଖ ଘର

।।

ଧର୍ମାର୍ଥ କାମେ ଯେ ବିମୁକ୍ତ

ନିଷ୍କାମେ ଭଜେ ଅବିରତ

।।

ଅନ୍ତେ ଲଭଇ ଇଷ୍ଟଗତି

ଦୁଃଖ ସଂକଟେ ନ ପଡ଼ନ୍ତି

।।

ଅଭେଦ ସ୍ଥାନେ ରହେ ମନ

ଏଣୁ ଲଭନ୍ତି ଦିବ୍ୟ ଜ୍ଞାନ

।।

ହେ ପ୍ରଭୁ ଶରଣ ସୋଦର

ଏ ଗ୍ରାହା ଗ୍ରସ୍ତୁପାରି କର

।।

ଏକାନ୍ତ ସୁଖେ କେ ରସନ୍ତି

ବିଷୟ ସୁଖ ନ ବାଞ୍ଛନ୍ତି

।।

ତୋ ଜ୍ଞାନେ ସୁଧା ସୁଖ ଯାଇ

ଅଧିକ ବ୍ୟଥା ତାଙ୍କ ନାହିଁ

।।

ଅତି ଅଦ୍ଭୁତ ତୋ ଚରିତ

ଆନନ୍ଦରୂପ ସୁଲଳିତ

।।

ତୋ କଥା ସୁଧା ସିନ୍ଧୁଜଳେ

ଅବଗାହନ ସୁଖଭୋଳେ

।।

କରି ତରନ୍ତି ଦିବ୍ୟ ଦେହୀ

ଏଣୁ ତୋ ମହିମା କେ କହି

।।

ଅକ୍ଷ ଅକ୍ଷର ନାହିଁ ଯାର

ଯେ ବହ୍ମ ପରମଈଶ୍ୱର

।।

ଅବ୍ୟକ୍ତ ଅଧ୍ୟାତ୍ମ ସ୍ୱରୂପି

ପରମ ଯୋଗବଳେ ବ୍ୟାପି

।।

ଏଣୁ ଏ ଅତି ଦୂରେ ରହେ

ଅତ୍ୟନ୍ତ ସୂକ୍ଷ୍ମେ ସୂକ୍ଷ୍ମ ପ୍ରାୟେ

।।

ଏଣୁ ଅନନ୍ତ ଆଦି ଶୂନ୍ୟ

ସେ ହରି ରଖୁ ମୋ ଜୀବନ

।।

ମନ ବଚନ ତା ଚରଣେ

ନିବେଦ କଲି ଅନୁକ୍ଷଣେ

।।

ଏ ଘୋର ଗ୍ରାହାବନ୍ଧ ପାଶୁ

ଉଦ୍ଧରି ସେ ମୋତେ ଅଶ୍ୱାସୁ

।।

ଯାର ଚରିତ ବଳ ଘେନି

ବ୍ରହ୍ମାଦି ଯେତେ ସୁରମୁନି

।।

ସଂସାର ସୁଖ ତ୍ୟାଗ କରି

ମାୟା ସଂସାରୁ ଗଲେ ତରି

।।

ଅଗ୍ନି ସବିତା ଜ୍ୟୋତି ଯେହ୍ନେ

ପ୍ରକାଶି ପ୍ରବେଶ ଗଗନେ

।।

ଏଣୁ ଏ ପ୍ରବାହ ସଂସାର

ଇନ୍ଦ୍ରିୟ ବୁଦ୍ଧି ଅହଙ୍କାର

।।

ଶରୀର ଆଦି ଏହିମତେ

ପ୍ରବେଶ ହୋନ୍ତି ତୋର ଗାତ୍ରେ

।।

ଯେ ନୋହେ ଦେବାସୁର ମତେ

ନ ସ୍ତିରୀ ନ ପୁରୁଷ ଗାତ୍ରେ

।।

ଜନ୍ତୁ ଶରୀର ପଶୁ ଆଦି

ଯେରୂପେ ତୋ ରୂପ ସମ୍ପାଦି

।।

କେବେହେଁ ନୋହେ କର୍ମଗୁଣ

ତୁ ସତ୍ୟ ଅସମ୍ଭବ ଜ୍ଞାନ

।।

ନିଶେଷ ଶେଷ ପୂର୍ଣ୍ଣ ବାଣୀ

ଏଥୁ ଏ ଅନାଦି କାରେଣି

।।

ନମସ୍ତେ ନମସ୍ତେ ଅନନ୍ତ

ଅସଂଖ୍ୟ ବେଗ ବଳବନ୍ତ

।।

ଅଖିଳ ବୁଦ୍ଧି ଗୁଣ କ୍ରିୟା

ଏ ସର୍ବ ବୁଦ୍ଧି ଗୁଣେ ଦୟା

।।

ପ୍ରଣତ ଜନ ଯେ ପାଳଇ

ଦୁରନ୍ତ ଶକ୍ତି ଯାର ଦେହୀ

।।

କୁତ୍ସିତ ଇନ୍ଦ୍ରିଗଣେ ଯାର

ମାର୍ଗେ ନ କରନ୍ତି ଗୋଚର

।।

ମୁଁ ଗ୍ରାହାଗ୍ରସ୍ତେ ଗ୍ରସ୍ତ ହୋଇ

ଆତ୍ମା ଶରୀର ନ ଜାଣଇ

।।

ତୋହରି ସଂସାର କାରଣ

ତା ପାଦେ ପଶିଲି ଶରଣ

।।

ରଖୁ ନ ରଖୁ ସେ ଜାଣଇଁ

ତା ବିନୁ ଅନ୍ୟ ଗତି ନାହିଁ

।।

ଏମନ୍ତ ଗଜରାଜ ସ୍ତୁତି

ଦେଇ ଗୋବିନ୍ଦ ପାଦେ ମତି

।।

ଭଣଇ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ଦେଇ ସୁଜନେ କୃପାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତବାକ୍ୟଂ

ନାମ ଷଷ୍ଠଦଶୋଽଧ୍ୟାୟଃ ।

Image

 

ସପ୍ତଦଶ ଅଧ୍ୟାୟ

 

ଏବେ ହୋ ଶୁଣ ଅଷ୍ଟମରେ

ଲେଖନ ଅଛି ଏ ବିଧିରେ

।।

ଗଜ ବିକଳ ଶୁଣି ହରି

ଆନନ୍ଦ ଚିତ୍ତେ ମୋଦଭରି

।।

ଯେ ହରି ସର୍ବ ଦେବମୟେ

ଅଶେଷ ବିଶ୍ୱଯାର ଦେହେଁ

।।

ସର୍ବ ଦେବଙ୍କୁ ଘେନି ସଙ୍ଗେ

ସୁବାକ୍ୟ ସ୍ତୋତ୍ର ମନରଙ୍ଗେ

।।

ଗରୁଡ଼ ପୃଷ୍ଠେ ବିଜେ କରି

କରେ ପ୍ରଚଣ୍ଡ ଚକ୍ର ଧରି

।।

ବେଗେ ମିଳିଲେ ଗଜ ପାଶେ

ବିବୁଧେ ଦେଖନ୍ତି ଆକାଶେ

।।

ସେ ଗଜ ଦେଖି ଚକ୍ରଧର

ଚରଣେ ଗୃହୀତ କୁମ୍ଭୀର

।।

ପଦ୍ମ ଗୋଟିଏ ଘେନି ହସ୍ତେ

ଊର୍ଦ୍ଧ୍ୱେ ଚାହିଁଲା ଶୂନ୍ୟପଥେ

।।

ଦେଖଇ ପ୍ରଭୁ ବନମାଳି

କୋଟି ଆଦିତ୍ୟ ପ୍ରାୟେ ଝଳି

।।

ଚକ୍ର ବିରାଜେ ଦକ୍ଷ କରେ

ସୂର୍ଯ୍ୟ କି ଉଦିତ ଅମ୍ବରେ

।।

ଡାକଇ ଆତଙ୍ଗ ଭଞ୍ଜନ

ଭୋ ନାଥ ରଖ ମୋ ଜୀବନ

।।

ଭୋ ନାରାୟଣ ବିଶ୍ୱଗୁରୁ

ଆରତ ଜନ ଦୁଃଖ ହରୁ

।।

ନମସ୍ତେ ପ୍ରଭୁ ଭଗବାନ

ତୁ ନାଥ ଜଗତ ଜୀବନ

।।

ଅଷ୍ଟମସ୍କନ୍ଧ ପଞ୍ଚାଧ୍ୟାରେ

ଲକ୍ଷ୍ମୀ ନ ଦେଖି ବେଦବରେ

।।

ସଙ୍ଗେ ସମସ୍ତ ଦେବ ଘେନି

ବୈକୁଣ୍ଠନାଥରେ ଦଇନୀ

।।

ସତ୍ୟ ସନନ୍ତ ଅବିକାର

ଯେ ନିରଞ୍ଜନ ନିର୍ବିକାର

।।

ନିଜ ବିଧୃତି ଅଗୋଚର

ଜନ୍ତୁଙ୍କ ହୃଦେ ଯାର ଘର

।।

ରୂପ ଅରୂପ ଯାର ନାହିଁ

ମନ ବଚନେ ଭେଦ କାହିଁ

।।

ବନ୍ଦନେ ବେଦବର ପାଦେ

ଆମ୍ଭେ ମିଳିଲୁ ଅପ୍ରମାଦେ

।।

ସ୍ୱଭାବେ ମନ ବୁଦ୍ଧି ପ୍ରାଣ

ଏ ଯହି ଭେଦେ ନୋହେ କ୍ଷମ

।।

ଇନ୍ଦ୍ରିୟଗଣେ ଯେ ଅଦୃଶ୍ୟ

ଉନ୍ନିଦ୍ର ଭାବେ ଅବିଳାସ

।।

ଛାୟା ଶରୀରେ ଯେ ନିମିଷେ

ଅକ୍ଷୟ ଶୂନ୍ୟ ସେ ପ୍ରକାଶେ

।।

ତ୍ରିଜଙ୍ଗରୂପ ଯେ ବୋଲାଇ

ଆମ୍ଭେ ଶରଣ ଗଲୁ ତହିଁ

।।

ଯେ କାଳରୂପ ଚକ୍ରଧରେ

ସବିତା ମଣ୍ଡଳ ବିହରେ

।।

ସେ ଚକ୍ର ପଞ୍ଚଦଶ ଅର

ତ୍ରିନାଡ଼ ଷଡ଼ ଋତୁଙ୍କର

।।

ଅକ୍ଷୟ ଆତ୍ମା ସୂକ୍ଷ୍ମ ରୂପୀ

ଯେ ଆଦି ଅନ୍ତ ମଧ୍ୟେ ବ୍ୟାପୀ

।।

ସେ ସତ୍ୟ ନାଥର ଚରଣେ

ଆମ୍ଭେ ଯେ ପଶିଲୁ ଶରଣେ

।।

ଯାହାର ଜ୍ୟୋତି ପରକାଶ

ନିର୍ମଳ କରେ ଦଶଦିଶ

।।

ଯୋଗୀଏ ଯୋଗମାର୍ଗେ ଧ୍ୟାଇ

କାଳ ହରନ୍ତି ଯୋଗ ଧ୍ୟାଇ

।।

ଯହିଁ ନ ଲାଗେ ମାୟା ଭ୍ରମ

ରୂପ ସ୍ୱଭାବେ ଶୁଭ କର୍ମ

।।

ଯେ ମାୟା ଜଗତେ ସଞ୍ଚରେ

ଅନନ୍ତ ନାମ ଶକ୍ତି ଧରେ

।।

ନିର୍ଜିତ ଆତ୍ମା ଆତ୍ମାଗୁଣ

ପରମ ପୁରୁଷ ପ୍ରମାଣ

।।

ଜନ୍ତୁଙ୍କ ଦେହେଁ ସମରୂପୀ

ଯେତେ ସଞ୍ଚରେ ସର୍ବ ବ୍ୟାପି

।।

ତାର ଚରଣେ ନମସ୍କାର

ଯେ ପ୍ରଭୁ ପରମ ଈଶ୍ୱର

।।

ଏ ଦେବଗଣ ବ୍ରହ୍ମାଆଦି

ଯା କ୍ରୀଡ଼ା ଅନ୍ତରେ ସମ୍ପାଦି

।।

ସତ୍ୟ ସଂଯୋଗେ ସୃଷ୍ଟି କରି

ତହିଁ ଯେ ସୂକ୍ଷ୍ମ ରୂପ ଧରି

।।

ଦିଶଇ ଅନ୍ତର ଯେ ବାହ୍ୟେ

ପ୍ରଦୀପ ଯେହ୍ନେ ଗୃହମାଝେ

।।

ଯାହାର ସୂକ୍ଷ୍ମଗତି ଆମ୍ଭେ

ଜାଣି ନ ପାରୁ ଜ୍ଞାନ ଦମ୍ଭେ

।।

ସଂସାର ମଧ୍ୟେ ଛନ୍ତି ଯେତେ

ସେ ଅବା ଜାଣିବେ କେମନ୍ତେ

।।

ଏମନ୍ତ ଯାର ବେନିପାଦ

ସୁକୃତେ ଭଜେ ଚତୁର୍ବେଦ

।।

ଯେ କର୍ମ ଗହନେ ସଞ୍ଚରି

ଶରୀର ଦହୁ ନରହରି

।।

ମହା ପୁରୁଷ ଆତ୍ମାବନ୍ତ

ମହା ବିଭୂତି ବ୍ରହ୍ମ ତତ୍ତ୍ୱ

।।

ପ୍ରସନ୍ନ ହେଉ ସେ ଆମ୍ଭଙ୍କୁ

ଶରଣ ପଶିଲୁ ତାହାଙ୍କୁ

।।

ଜଳ ଯାହାର ବୀର୍ଯ୍ୟେ ହୋଇ

ସ୍ୱଭାବେ ନିଜ ତେଜ ବହି

।।

ଭୂତେ ସଞ୍ଚରେ ଆତ୍ମାରୂପେ

ମହତ ବୁଦ୍ଧି ଅନୁକମ୍ପେ

।।

ମଧ୍ୟେ ତ୍ରିଭୁବନ ଅଖିଳ

ଜୀବନ ବ୍ୟାପୀ ରହେ କାଳ

।।

ଜଳଧି ଭୂମି ବ୍ରହ୍ମ ଯେହୁ

ଆମ୍ଭ ବିଷୟେ ଦୟା ବହୁ

।।

ସୋମ ଯାହାର ମନ ହୋଏ

ଦେବଙ୍କ ଆତ୍ମା ଏକେ ବହେ

।।

ସ୍ଥାବରଙ୍କର ଯେ ଈଶ୍ୱର

ପ୍ରଜାଙ୍କ ରକ୍ଷା ନିର୍ବିକାର

।।

ମହା ବିଭୂତି ବ୍ରହ୍ମରୂପ

ଆତ୍ମାକୁ ରଖୁ ହରି ଦୁଃଖ

।।

ଯାହାର ମୁଖୁ ଅଗ୍ନିଜାତ

ତେଜେ ପ୍ରତାପଇ ଜଗତ

।।

କ୍ରିୟା କାଣ୍ଡେ ସମେ ଯେ ଜନ୍ମ

ଯେ ସିଦ୍ଧ ସାଧେ ଶୁଦ୍ଧକର୍ମ

।।

ଅନ୍ତର୍ଗତରେ ଥାଇ ଯେହି

ଆହାର ରୂପେ ଯେ ଭୁଞ୍ଜଇ

।।

ଯାହାର ଚକ୍ଷୁ ମାରତଣ୍ଡ

ତେଜେ ପ୍ରକାଶଇ ବ୍ରହ୍ମାଣ୍ଡ

।।

ଯେ ଦେବମାନଙ୍କ ଆଶ୍ରୟ

ସୁ ବ୍ରହ୍ମସ୍ଥାନ ଶୁଦ୍ଧ ଦେହ

।।

ମୁକ୍ତିର ଦ୍ୱାର ଯେ ବୋଲାଇ

ଅମୃତ୍ୟୁ ମୃତ୍ୟୁ ରୂପ ହୋଇ

।।

ଚରାଚରଙ୍କ ଯେଉଁ ପ୍ରାଣ

ଯେ କରେ ଜୀବ ପରିତ୍ରାଣ

।।

ପ୍ରକାଶ ଶଉର୍ଯ୍ୟର ବଳେ

ଯାର ବିହାର ଏ ଶୟଳେ

।।

ଯାର ଶ୍ରବଣ ଅଷ୍ଟଦିଶ

ହୃଦୟ ପରମ ଆକାଶ

।।

ଯାହାର ନାଭି ଅନ୍ତରୀକ୍ଷେ

ଶିର ଶୋଭିତ ସ୍ୱର୍ଗଦେଶେ

।।

ପ୍ରାଣ ଇନ୍ଦ୍ରିୟ ଆତ୍ମା ହେତୁ

ଯାର ପ୍ରସନ୍ନେ ଜ୍ଞାନ ତତ୍ତୁଁ

।।

ଯାହାର ବଳୁ ଇନ୍ଦ୍ରି ଜାତ

ତ୍ରିଦଶ ଦେବଙ୍କ ସାମନ୍ତ

।।

ଯାହାର ପ୍ରାଣେ ଜଳ ପ୍ରାଣ

ଏଣୁ ଏ ସର୍ବ ପରିତ୍ରାଣ

।।

ଯାହା ପ୍ରଭାବୁଁ ଯେବେ ହୋନ୍ତି

କ୍ରୋଧରୁ ହୋଏ ପଶୁପତି

।।

ହରଷୁ ବ୍ରହ୍ମା ଜାତହୋଏ

ଲୋକ ପ୍ରକାଶ ଯାର ଦେହେଁ

।।

ଯାହାର ଇନ୍ଦ୍ରି ସାତଛନ୍ଦେ

ମେଢ଼୍ରେ ପ୍ରଜାପତି ଆନନ୍ଦେ

।।

କମଳା ଯାର ବକ୍ଷସ୍ଥଳେ

ଗଗନ ଯାର ଶିରଭାଗେ

।।

ହାସରୁ ଅପସରାଗଣ

ସେ ଆମ୍ଭ କରୁ ପରିତ୍ରାଣ

।।

ବିପ୍ର ଯାହାର ମୁଖୁଁ ଜାତ

ବ୍ରହ୍ମ ନିବାସ ହୃଦଗତ

।।

ଭୁଜୁ ଜନମ କ୍ଷତ୍ରିବଳ

ଉରୁଁ ସମ୍ଭବ ବୈଶ୍ୟକୁଳ

।।

ଶୁଦ୍ର ଚରଣୁ ଉତପତ୍ତି

ଯେ ବ୍ରହ୍ମ ପରମ ବିଭୁତି

।।

ଓ ପର ଓଷ୍ଠୁ ଲୋଭ ଜାତ

ଅଧରୁ କ୍ରୋଧ ଯେ ସମ୍ଭୂତ

।।

ସ୍ୱରସେ କାମର ସମ୍ଭବ

ଯମ ଯାହାର ଗୁହ୍ୟଭାଗ

।।

କାଳ ସମ୍ଭବେ ପୃଷ୍ଠଦେଶେ

କରାଳ ବଶେ ବେନିପାଶେ

।।

ଶ୍ରୀ ମଦ ଦିଶେ କର୍ମଗୁଣ

ଏ ମାୟା ପ୍ରକାଶ ଲକ୍ଷଣ

।।

ଯେ ଦେହେ ଶାନ୍ତି ଶକ୍ତି ବହେ

ଆମ୍ଭେ ଯେ ରମୁ ତାର ପାଏ

।।

ସ୍ୱଭାବେ ଗତି ଯେ ପୂଜିତ

ମାୟା ଚରିତ ଗୁଣେ ଖ୍ୟାତ

।।

ସେ ହରି ଦେଖାଉ ଶରୀର

ଯେ ବୋହେ ବଚନେ ଗୋଚର

।।

ତା ଦେହ ଦେଖିବାର ଅର୍ଥେ

ଶରଣ ଗଲୁଁ ପାଦଗତେ

।।

ଏମନ୍ତ ଦେବ ସ୍ତୁତି ଶୁଣି

ଶୂନ୍ୟେ ପ୍ରକାଶ ଚକ୍ରପାଣି

।।

ଏ ଷଷ୍ଠାଧ୍ୟାରେ ବେଦପତି

ଶୂନ୍ୟେ ଦେଖି ଗୋବିନ୍ଦ ସ୍ତୁତି

।।

ଧ୍ୟାନେ ଗୋବିନ୍ଦ ପାଦେ ପଡ଼ି

ସ୍ତୁତି କରଇ କରଯୋଡ଼ି

।।

ରାଜସ ଜନ ଏ ସ୍ୱଭାବେ

ସୃଷ୍ଟି ସ୍ଥିତି ପାଳନ ଲାଭେ

।।

ଗୁଣ ବିଶ୍ରାମ ତୁମ୍ଭେ କର

ମହିଁମା ଅମୃତ ସାଗର

।।

ଅଗୁରୁ ଅଣୁ ଭାବ ହୋଇ

ସ୍ୱକାୟା ସୁଖେ ଯେ ଭଜଇ

।।

ମହାନୁଭାବେ ଏ ଜଗତେ

ମହାପୁରୁଷ ନମୋଽସ୍ତୁତେ

।।

ତୁ ନାଥ ସଂସାର ଧାରଣେ

ଏଣୁ ସକଳ ମୁନିଜନେ

।।

ଆଗମ ନିଗମେ ସମ୍ପାଦି

ବିଚାରି ଯେତେ ଯୋଗବିଧି

।।

ବେଦ ବିହିତ ରବିତଳେ

ମନପବନ ସୁନିଶ୍ଚଳେ

।।

ତୁମ୍ଭର ରୂପ ଧ୍ୟାନ କରି

ମାୟାଗହନୁ ଯାନ୍ତି ତରି

।।

ତୁ ନାଥ ଆଦି ମଧ୍ୟ ଅନ୍ତେ

ଯେବା କରାଉ ଆତ୍ମାତନ୍ତ୍ରେ

।।

ଜଗତେ ଆଦି ମଧ୍ୟ ତୁହି

ତୋ ରୂପ କେ ପାରିବ କହି

।।

ଚିତ୍ତକୁ ସ୍ୱପ୍ନ ପ୍ରାୟେ ହୋଇ

ତୋ ରୂପ ବିଶ୍ୱେ ପ୍ରକାଶଇ

।।

ଆତ୍ମା ଆଶ୍ରୟେ ମାୟା କରି

ତୁ ଏ ସଂସାରେ ରୂପ ଧରି

।।

ସଂସାରେ ପଶୁ ଆତ୍ମାରୂପେ

ସୁଖେ ବିହରୁ କଳ୍ପେ କଳ୍ପେ

।।

ନିର୍ମଳ ଚେତା ମୁନିଗଣେ

ତୋତେ ଦେଖନ୍ତି ଶୁଦ୍ଧ ମନେ

।।

ଯଥା ଅନଳ କଷ୍ଟେ ଥାଏ

ଯେହ୍ନେ ଅମୃତ ଗୋରୁ ଦେହେଁ

।।

ଧରଣୀ ଦେହେଁ ଯେହ୍ନେ ଅନ୍ନେ

ସଂଯୋଗେ କୃଷି କରଷଣେ

।।

ମନୁଷ୍ୟେ ନାନା ଯୋଗବଳେ

ଭଜନ୍ତି ତୋ ପାଦ କମଳେ

।।

ସର୍ବେ ନମନ୍ତି ତୋ ଚରଣେ

ତୁ ନାଥ ସଂସାର ଧାରଣେ

।।

ବାଞ୍ଛିତ ଅର୍ଥ ଫଳ ପାନ୍ତି

ନାନାପ୍ରକାରେ ଯେ ଚିନ୍ତନ୍ତି

।।

ତୋ ରୂପ ଆତ୍ମାଗତେ ଦେଖି

ସଂସାର ତେଜି ହ୍ୱନ୍ତି ସୁଖୀ

।।

ଯେସନେ ଗଜ ଦାବାନଳେ

ପ୍ରବେଶକରେ ଅବହେଳେ

।।

ଆମ୍ଭେ ସକଳ ଲୋକପାଳେ

ଶରଣ ତୋ ପାଦ କମଳେ

।।

ଏ ଦେହ ବାହାର ଅନ୍ତରେ

ତୋ ତହୁଁ କେବା ଅଛି ପରେ

।।

ଏ ଦେବଗଣ ମୋର ତୁଲେ

ଦକ୍ଷାଦି ପ୍ରଜାପତି ମେଳେ

।।

ତୋ ଅନୁଗ୍ରହେ ବହୁ ଅଙ୍ଗ

ଅନଳେ ଯେସନେ ପତଙ୍ଗ

।।

କିବା କହିବୁ ତୋ ଅଗ୍ରତେ

ଆମ୍ଭଙ୍କୁ ରଖ ଏ ଜଗତେ

।।

ଭଣଇ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ ଆଜ୍ଞାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତ୍‌ବାକ୍ୟଂ ନାମ

ସପ୍ତଦଶୋଽଧ୍ୟାୟଃ ।

Image

 

ସ୍ତବକଳ୍ପଦ୍ରୁମ

ଅଷ୍ଟାଦଶ ଅଧ୍ୟାୟ

 

ବାର ଅଧ୍ୟା ଅଷ୍ଟମସ୍କନ୍ଧେ

ହର ସ୍ତବ ଶ୍ରୀହରି ପାଦେ

।।

ହେ ଦେବଦେବ ଜଗତ୍‌ବ୍ୟାପି

ଜଗଦୀଶ୍ୱର ବିଶ୍ୱବ୍ୟାପୀ

।।

ସର୍ବ ଶରୀରେ ଆତ୍ମା ରୂପେ

ତୁ ନାଥ ବସୁ ମୋହକଳ୍ପେ

।।

ସକଳ ହେତୁ ତୋ ଗୋଚର

ତୁ ନାଥ ଧର୍ମ ନିରାକାର

।।

ଜଗତ ଆଦି ମଧ୍ୟ ଅନ୍ତ

ଏଣୁ ତୁ ବୋଲାଉ ଅନନ୍ତ

।।

ଚରଣ କମଳ ତୋହର

ଚିନ୍ତନ୍ତେ ଶ୍ରେୟ ପ୍ରାଣୀଙ୍କର

।।

ବିଷୟ ସଙ୍ଗ ଦୂର କରି

ମୁନି ସନ୍ନ୍ୟାସୀ ବ୍ରହ୍ମଚାରୀ

।।

ଚିନ୍ତନ୍ତେ ତୋ ଚରଣ ହୃଦେ

ଅନ୍ତେ ପଶନ୍ତି ମୋକ୍ଷ ପଦେ

।।

ତୁ ପୂର୍ଣ୍ଣବ୍ରହ୍ମ ସୁଧାଧାର

ନିର୍ଗୁଣ ବିଶୋକ ମନ୍ଦିର

।।

ଆତ୍ମା ଆନନ୍ଦ ନିର୍ବିକାର

ଅନ୍ୟୋନ୍ୟ ଭାବେ ଅନ୍ୟନ୍ତର

।।

ଈଶ୍ୱର ହେତୁ ନିରଞ୍ଜନ

ସ୍ଥିତି ଉଦୟେ ସଞ୍ଜମନ

।।

ଆତ୍ମାରେ ଆତ୍ମା କାଳରୂପି

ଯେଣୁ ଅଶେଷ ଦେବେ ବ୍ୟାପି

।।

ସଦ ଅସଦ ଏକରୂପୀ

ବ୍ୟୟ ଅବ୍ୟୟ ବିଶ୍ୱବ୍ୟାପୀ

।।

ତୁ ବ୍ରହ୍ମ ହେ ତୁ ଚିଦାନନ୍ଦ

ଆନନ୍ଦ କଳ୍ପ ଆଦିକନ୍ଦ

।।

ସଦ ଅସଦ ଗୁରୁ ମୂର୍ତ୍ତି

ପରମ ପୁରୁଷ ପ୍ରକୃତି

।।

ଆନନ୍ଦେ ବହନ୍ତି ତୋ ଗତି

ତୋ ଦେହେଁ ସାଯୁଜ୍ୟେବସନ୍ତି

।।

ଅବେଦ ଅନାମୟରୂପୀ

ତୁ ନାଥ ସ୍ଥୂଳ ଶୂନ୍ୟ ବ୍ୟାପୀ

।।

ଦେବ ଦାନବ ଦୈତ୍ୟ ଯେତେ

ତୋ ମାୟାବଳେ ଏ ଜଗତେ

।।

ତୋ ରୂପ ନ ଜାଣନ୍ତି କେହି

ଦୁଷ୍ଟେ ଜାଣିବେ ଅବା କାହିଁ

।।

ଜଗତ ସ୍ଥିତି ଜନ୍ମ ନାଶ

ଭୂତଙ୍କ ଦେହେ ତୁ ପ୍ରକାଶ

।।

ଜୀବର ବଧ ମୋକ୍ଷ ବେନି

ତୁ ନାଥ କରୁ ମାୟା ଘେନି

।।

ଆକାଶେ ଯେହ୍ନେ ବାୟୁ ରହେ

ପାର୍ଥିବରେଣୁ ବହେ ଦେହେଁ

।।

ତୋ ଦେହ କେହି ନ ଭଜନ୍ତି

ଏମନ୍ତ ଈଶ୍ୱରର ଭାନ୍ତି

।।

ସଚରାଚର ତୋର ଦେହେଁ

ପବନ ରେଣୁପ୍ରାଏ ରହେ

।।

ତୁ ଏ ସଂସାର ଉପକାରେ

ତ୍ରିଗୁଣେ ନାନାରୂପ ଧରେ

।।

ଯେତେ ସାଧିଲୁ କ୍ରୀଡ଼ା ଅର୍ଥେ

ସ୍ୱରୂପ ଦେଖିଲି ମୁଁ ତୋତେ

।।

ଏବେ ଏ ସମୁଦ୍ର ମନ୍ଥନେ

ଦେବ ଦାନବେ ଏକମନେ

।।

ଅମୃତ ଅର୍ଥେ ଅନ୍ୟୋଅନ୍ୟେ

ତା ଦେଖି ଦେବେ ଦୁଃଖମନେ

।।

ତୋତେ ଚିନ୍ତିଲେ ଧ୍ୟାନକରି

ତୁ ନାଥ ମାୟାରୂପ ଧରି

।।

ମୋହିନୀରୂପେ ଭଗବାନ

ମୋହିଲୁ ଅସୁରଙ୍କ ମନ

।।

ସେ ରୂପ ଦେଖାଅ ତୁ ମୋତେ

ଦେଖିବି ଗଉରୀ ସମେତେ

।।

ତୋ ରୂପ ପରମ ମଙ୍ଗଳ

ମୁଁ ଯେ ଦେଖିବି କୁତୂହଳ

।।

ଅଷ୍ଟମସ୍କନ୍ଧ ଷଡ଼ଦଶ

ଅଧ୍ୟାରେ ହୋଇଛି ପ୍ରକାଶ

।।

ଅଦିତି ଇନ୍ଦ୍ରର ନିମିତ୍ତେ

ସ୍ତୁତି କରଇ ଜଗନ୍ନାଥେ

।।

ହେ ଯୋଗେଶ୍ୱର ଜଗନ୍ନାଥ

ତୋର ଚରଣେ ସର୍ବ ତୀର୍ଥ

।।

ସର୍ବ ମଙ୍ଗଳ ତୋର ନାମ

ରୂପ ଅରୂପ ଅନୁପମ

।।

ଶରଣାଗତ ଦୁଃଖ ହର

ତୁ ନାଥ କରୁଣାସାଗର

।।

କରୁଣାକର ବିଶ୍ୱରୂପୀ

ବିଶ୍ୱଭାବନ ବିଶ୍ୱବ୍ୟାପୀ

।।

ସ୍ଥିତି ଉତ୍ପତ୍ତି ସଂହାରଣ

ତୁ ନାଥ ପରମକାରଣ

।।

ଆମ୍ଭ ସମ୍ପଦ ବୁଦ୍ଧି ଜ୍ଞାନ

ତୋର ପ୍ରସନ୍ନେ ପାନ୍ତି ଜ୍ଞାନ

।।

କୈବଲ୍ୟ ଜ୍ଞାନ ତୋ ସନ୍ତୋଷେ

ଅନ୍ତେ ପରମପଦେ ମିଶେ

।।

ଭୋନାଥ ତୋହର ଚରଣ

ଯେ ପ୍ରାଣୀ ପଶନ୍ତି ଶରଣ

।।

ସମସ୍ତ ଦୁର୍ଗତି ତରନ୍ତି

ଜନ୍ମ ମରଣୁ ନିସ୍ତରନ୍ତି

।।

ଭୋ ନାଥ ପ୍ରଭୁ ଆଦିମୂଳ

ଶୁଣିମା ମୋହର ବିକଳ

।।

ଦୁଃଖେ କୁତ୍ସିତ ମୋର ପ୍ରାଣ

ପଶିଲି ତୋ ପାଦେ ଶରଣ

।।

ପୁତ୍ରେ ନ ରହି ସ୍ୱର୍ଗପୁରେ

ଲୁଚିଲେ ବନ ଗିରି ଘୋରେ

।।

ସର୍ବ ଦାନବ ସଙ୍ଗେ ମିଳି

ବସିଲା ଇନ୍ଦ୍ରାସନେ ବଳୀ

।।

ଶୁକ୍ରର ତେଜେ ଯଜ୍ଞ ବଳେ

ଭୟେ ଭାଜିଲେ ଦିଗପାଳେ

।।

ଇନ୍ଦ୍ର ହୋଇଲା ଅରକ୍ଷିତ

ଅମରେ ବସିଲେ ଦଇତ

।।

ମୋର ପୁତ୍ରଙ୍କୁ ରକ୍ଷାକର

ଭୋ ନାଥ ଶରଣ ତୋହର

।।

ସପତ୍ନୀ ଦୁଃଖ କି ନ ଜାଣୁ

ତୁ ନାଥ ଅନ୍ତର ପ୍ରମାଣୁ

।।

ଏହି ଅଧ୍ୟାରେ ବ୍ରହ୍ମା ଯାଇଁ

ଅଦିତିଗର୍ଭକୁ ଅନାଇଁ

।।

ଦେଖିଲେ ଛନ୍ତି ଲକ୍ଷ୍ମୀପତି

ଆନନ୍ଦେ କଲେ ଦିବ୍ୟସ୍ତୁତି

।।

ଜୟ ଅନନ୍ତରୂପ କର୍ମ

ନମୋ ନମସ୍ତେ ତ୍ରିବିକ୍ରମ

।।

ନମୋ ବ୍ରହ୍ମନ୍ୟ ଭଗବନ୍ତ

ନମସ୍ତେ ତ୍ରିଗୁଣ ଅତୀତ

।।

ନମସ୍ତେ ବିଶ୍ୱଗର୍ଭ ରୂପି

ନମସ୍ତେ ତ୍ରିୟବେଦ ବ୍ୟାପି

।।

ତ୍ରିନାରି ତ୍ରିପିଷ୍ଟ ଏ ନାମ

ସ୍ଥିତି ଚେଷ୍ଟିତ ରୁଦ୍ର ଧାମ

।।

ଏ ସୃଷ୍ଟି ଆଦି ମଧ୍ୟ ଅନ୍ତେ

ତୁ ନାଥ ବିହରୁ ନିଶ୍ଚିନ୍ତେ

।।

ତୁ ସେ ଅନନ୍ତ ଶକ୍ତି ଘର

ମନ ବଚନେ ଅତି ଦୂର

।।

ତୁ କାଳରୂପ ଏ ଜଗତ

ସୃଷ୍ଟି ପାଳିଣ କରୁ ଅନ୍ତ

।।

ନୀର ଯେସନେ ବୃଷ୍ଟି ଅନ୍ତେ

ତୁ ନାଥ ବିହରୁ ନିଶ୍ଚିନ୍ତେ

।।

ପଶି ଜଳଧି ଗର୍ଭଗତେ

ଅନନ୍ତ ଶୟନ ନିଶ୍ଚିନ୍ତେ

।।

ସ୍ଥାବର ଆଦି ଜନ୍ମ ଚାରି

ତୁ ବସୁ ଆତ୍ମା ରୂପ ଧରି

।।

ତୋର ମାୟାରବଳେ ଜନେ

ତୋରୂପ ଜାଣିବେ କେସନେ

।।

ଜନ୍ତୁଙ୍କ ହୃଦୟାଭ୍ୟାନ୍ତରେ

ତୋ ତହୁଁ କେବା ଅଛି ପରେ

।।

ଜଳେ ବୁଡ଼ନ୍ତି ଯେତେ ପ୍ରାଣୀ

ଦେବେ ନ ମଜନ୍ତି ତୋ ବାଣୀ

।।

ସେ କାହିଁ ଜଳଧି ତରିବେ

ଯେ ନ ପଶନ୍ତି ତୋର ଭାବେ

।।

ଏକବିଂଶ ଅଧ୍ୟା ଅଷ୍ଟମେ

ବଳୀକି ଦେଖିଣ ବନ୍ଧନେ

।।

ଆନନ୍ଦେ ହୋଇ ଗଦଗଦ

ସ୍ତୁତି କରଇ ପ୍ରହଲାଦ

।।

ତୁ ନାଥ ଅନୁଗ୍ରହ ମନେ

ଏହାକୁ ସ୍ଥାପି ଇନ୍ଦ୍ରସ୍ଥାନେ

।।

ପୁଣି ଭ୍ରମାଇ ଶୂନ୍ୟ ସ୍ଥାନୁ

ଯେଣୁ ହୋଇଲା ତୋର ମନ୍ୟୁ

।।

ନିଶ୍ଚୟେଁ କଲୁ ଅନୁଗ୍ରହ

ଯେଣୁ ନାଶିଲୁ ମାୟା ମୋହ

।।

ନମସ୍ତେ ଜଗତ ଈଶ୍ୱର

ନମସ୍ତେ ଚକ୍ର ଗଦାଧର

।।

ତୁ ନାରାୟଣ ବିଶ୍ୱରୂପୀ

ବିଶ୍ୱ ସଂସାରେ ବିଶ୍ୱବ୍ୟାପୀ

।।

ମହା ମହିଁମା ତୋର ପାଦେ

ଚତୁର ମୁଖେ ବେଦନାଦେ

।।

ବଳୀର ପତ୍ନୀ ଆସି ବେଗେ

ବିଷ୍ଣୁ ଚରଣେ ଅନୁରାଗେ

।।

ସ୍ୱାମିକଷଣେ ଅତି ଦୁଃଖୀ

ସ୍ତୁତି କରଇ ଅଶ୍ରୁମୁଖୀ

।।

ଭୋନାଥ ତୋର କ୍ରୀଡ଼ା ଅର୍ଥେ

ତୋର ପ୍ରକାଶ ଏ ଜଗତେ

।।

ତୋହର ମହିଁମା ନ ଜାଣି

ଗର୍ବ ବହନ୍ତି ଯେତେ ପ୍ରାଣୀ

।।

ଜ୍ଞାନ ହରାନ୍ତି ସୁଖ ଭୋଳେ

ସେ କାହିଁ ଥିବେ ଏ ଶୟଳେ

।।

ତୁ ଯେ ବାମନ ଭୂତ ଈଶ

ହେ ଦେବ ଦେବ ଜଗଦୀଶ

।।

ଅଷ୍ଟମ ଅଧ୍ୟା ତ୍ରିବିଂଶତି

ସତ୍ୟ ବ୍ରତ ରାଜାର ସ୍ତୁତି

।।

ଭୋ ନାଥ ସଂକଟତାରଣ

ତୋ ପାଦେ ପଶିଲି ଶରଣ

।।

ତୁ ନାଥ ତାପ ତ୍ରୟ ତାରୁ

ଅଶେଷ ଗୁରୁଙ୍କର ଗୁରୁ

।।

ଅନାଦି ଅବିଦ୍ୟାର ବଳେ

ପ୍ରାଣୀ ଭ୍ରମନ୍ତି ଏ ଶୟଳେ

।।

ଯାବତ ତୋ ପାଦ ନ ଚିନ୍ତେ

ତାବତ ସୁଖ କେ ଜଗତେ

।।

ଅଜ୍ଞାନୀ ଜନ ଏ ଜଗତେ

ନିର୍ବନ୍ଧ କର୍ମର ଆୟତ୍ତେ

।।

ସୁଖର ଲାଭେ ଦୁଃଖେ ପଡ଼େ

ଯାବତ ଭକ୍ତ ମାର୍ଗ ହୁଡ଼େ

।।

ତାବତ ମୁଖ ନାହିଁ ତାର

ଲଭଇ ଦୁଃଖ ମହାଘୋର

।।

ଯାବତ ନ ଜାଣଇ ତୋତେ

ତାବତ ଭ୍ରମଇ ଜଗତେ

।।

ତୋହର ମାୟା ଏ ସଂସାର

ଦୁର୍ଗମ ଘୋର ଅନ୍ଧକାର

।।

ତୋର ଭଜନ ରବି ତ୍ରାସ

ଆତ୍ମାର ତମ କରେ ନାଶ

।।

ଭଣଇ ବଳଭଦ୍ର ମୂଢ଼

ମୋଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ କୃପାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତବାକ୍ୟଂ

ନାମ ଅଷ୍ଟାଦଶୋଽଧ୍ୟାୟଃ ।

Image

 

ଊନବିଂଶ ଅଧ୍ୟାୟ

 

ନବମ ଚତୁର୍ଥ ଅଧ୍ୟାରେ

ଦୁର୍ବାସା ଚକ୍ରରେ ଭୟରେ

।।

ତାତରେ କମ୍ପଇ ଶରୀର

ଭାବଇ ପ୍ରଭୁ କର ପାର

।।

ଭୋ ନାଥ ଅନାଦି ଅଚ୍ୟୁତ

ସନ୍ଥ ଜନଙ୍କର ତୁ ନାଥ

।।

ମୁଁ ତୋତେ ଅପରାଧ କରି

ଶରଣ ଗଲି ରଖ ହରି

।।

ମୁଁ ତୋର ମହିଁମା ନ ଜାଣି

ସଂଙ୍କଟେ ପଡ଼ିଗଲି ପୁଣି

।।

ତୋର ସେବକେ ଅପରାଧ

କଲି ମୁଁ ରଖହେ ଯାଦବ

।।

ତୋର ଭକତ ତୋର ଲୋକ

ମୋତେ ଏ ଚକ୍ରତେଜୁଁ ରଖ

।।

ନବମ ପଞ୍ଚମ ଅଧ୍ୟାରେ

ଅମ୍ବରୀଷ ସ୍ତବ ଚକ୍ରରେ

।।

ସୁଦରଶନ ମୁଖ ଚାହିଁ

ଭାବଇ କର ତ୍ରାହି ତ୍ରାହି

।।

ଭୋ ଚକ୍ର ତୋ ମହିମା ଯେତେ

କେ ମୁଖେ କହିପାରେ ତୋତେ

।।

ତୁ ଅଗ୍ନି ତୁ ଆଦିତ୍ୟ ସୋମ

ସର୍ବ ଜ୍ୟୋତିଙ୍କ ସୂକ୍ଷ୍ମ ଧାମ

।।

ତୁ ଆପ କ୍ଷିତି ବ୍ୟୋମ ରୂପି

ନିଜ ପ୍ରକାଶ କର୍ମ ବ୍ୟାପୀ

।।

ତୁ ତନୁ ମାତ୍ର ଇନ୍ଦ୍ରିଗଣେ

ବିରାଜ ପୁରୁଷ କାରଣେ

।।

ଭୋ ଚକ୍ର ତୋତେ ନମସ୍କାର

ସ୍ୱଭାବେ ତୁ ସହସ୍ର ଧାର

।।

ବିଷ୍ଣୁର ନିଜ ପ୍ରିୟ ତୁହି

ତୋ ଭାବ ନ ଜାଣନ୍ତି କେହି

।।

ସକଳ ତେଜ ସହସ୍ରରୁ

ତୋର ମହିଁମା ମହାମେରୁ

।।

ତ୍ରୈଲୋକ୍ୟ ପାଳ ସର୍ବଆତ୍ମା

ତୋ ତେଜ ପୁରୁଷ ମହାତ୍ମା

।।

ତୁ ସର୍ବ କର୍ମ ଧର୍ମ ହେତୁ

ଅଧର୍ମ କୁଳ ଧୁମକେତୁ

।।

ତ୍ରୈଲୋକ୍ୟ ପାଳ ଶୁଦ୍ଧଚେତା

ମନହୁଁ ବେଗ ବଳବନ୍ତା

।।

ତୋହର ବଳ ନିଜ ତ୍ରାସେ

ସଂସାର ଘୋର ତମ ନାଶେ

।।

ଶ୍ରୁତି ତୋ ମହିମା ନ ଜାଣେ

କେବଳ ପ୍ରକାଶ ପ୍ରମାଣେ

।।

ମନ୍ତ୍ର ଅମନ୍ତ୍ର ରୂପ ତୋର

ବ୍ରହ୍ମା ଶିବଙ୍କୁ ଅଗୋଚର

।।

ଦାନବ ବଳ ଭୟେ ହରି

ତୋତେ ଭଜିଲେ ତପକରି

।।

ତୁ ଦୈତ୍ୟବଳ ମଧ୍ୟେ ପଶି

ସକଳ ନିଜ ତେଜେ ଧ୍ୱଂସି

।।

ଅସୁର ରଣେ ତୋର ତେଜ

ଦେଖି କମ୍ପିଲେ ଗ୍ରହରାଜ

।।

ଏଣୁ ଜଗତ ତ୍ରାଣ ଅର୍ଥେ

ଖଳ ବିନାଶି ହରି ହସେ

।।

ତୋ ବଳେ ବଳ ଗଦାଧର

ତୁ ଏବେ ମୋତେ ତ୍ରାହି କର

।।

ଏ ବିପ୍ର ଦେବକୁଳ ମୋର

ଏହା ଜୀବନ ରକ୍ଷାକର

।।

ମୁଁ ଯେ ଦେବତା ଯଜ୍ଞ କରି

ସ୍ୱଧର୍ମ ମାର୍ଗକୁ ଆଚରି

।।

ବ୍ରାହ୍ମଣ ଚରଣ କମଳେ

ଯେବେ ସେବିତ ମୋର କୁଳେ

।।

ସେ ଧର୍ମେ ଯେବେ ମୋର ଦୀକ୍ଷା

ଏ ବିପ୍ର ହେଉ ପ୍ରାଣରକ୍ଷା

।।

ଯେବେ ଗୋବିନ୍ଦ ପ୍ରୀତି ଅର୍ଥେ

ମୁଁ ଯେବେ ଦେଖେ ସର୍ବଭୂତେ

।।

ଅଷ୍ଟମ ଅଧ୍ୟା ଯେ ନବମ

ଅଶ୍ୱ ଖୋଜିବାରେ ଆଗମ

।।

କପଳ ପଡ଼ି ପାଦତଳେ

ପୂଜିଲା ଚରଣ କମଳେ

।।

ବୋଲଇ ଶିରେ କର ଦେଇ

ଭୋ ନାଥ କର ମୋତେତ୍ରାହି

।।

ଶକ୍ର ବିରଞ୍ଚି ମହାଦେବ

ସେ କାହିଁ ଜାଣିମେ ତୋ ଭାବ

।।

ତୁ ଜ୍ଞାନିଜନ ମୋହ ନାଶୁ

ସଂସାରେ ସ୍ୱତେଜ ପ୍ରକାଶୁ

।।

ସନନ୍ତ ଆଦି ମୁନି କେତେ

ବିଶେଷେ ଭାବନ୍ତି ସେ ତୋତେ

।।

ତୋ ମାୟା ଜୀବ ଜ୍ଞାନ ହରେ

ସଂସାରେ ଜନ୍ମ ମୃତ୍ୟୁ କରେ

।।

ଜୀବର ଜ୍ଞାନ ଦେବା ଅର୍ଥେ

ତୋର ପ୍ରକାଶ ଏ ଜଗତେ

।।

ଏ ବିଦ୍ୟା କର୍ମପଥେ ଜଡ଼େ

ତୋ ମାୟା ଗହନ ନିବିଡ଼େ

।।

ଆଜଟି ନିସ୍ତରିଲି ମୁହିଁ

ଭୋ ନାଥ ତୋ ଚରଣ ଚାହିଁ

।।

ଭଣଇ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ ଆଜ୍ଞାକର

ନମଇ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତବାକ୍ୟଂ ନାମ

ଉନବିଂଶୋଽଧ୍ୟାୟଃ ।

Image

 

ବିଂଶ ଅଧ୍ୟାୟ

 

ଦଶମସ୍କନ୍ଧ ଯେ ପ୍ରଥମ

ଅଧ୍ୟାରେ କବିର ସ୍ତବନ

।।

ନମଇଁ ପ୍ରଭୁ ନରହିର

ହିରଣ୍ୟ କଶ୍ୟପୁ ବିଦାରି

।।

ଉଦିତ ରବି ଜିଣି ତେଜ

ସୁନ୍ଦର ଦିଶେ ଚତୁର୍ଭୁଜ

।।

କୁଣ୍ଡକ ଶଶୀ ଭାନୁକର

ନକ୍ଷତ୍ର ମାଳ ହୃଦେ ହାର

।।

ବ୍ରହ୍ମାଣ୍ଡ ମାଳ ମାଳ ହୋଇ

ତୋ ଲୋମ କୂପେ ଛନ୍ତି ରହି

।।

ଧର୍ମ ପାଳଣ ତୁ ଜଗତେ

ଶରୀର ବହୁ ଭୃତ୍ୟହିତେ

।।

ଦୁଷ୍ଟ ନିବାରି ସନ୍ଥ ପାଳୁ

ତୁ ନାଥ ପରମ ଦୟାଳୁ

।।

କର ସଦୟେ ନରହରି

ତୋ ଲୀଳା କହିବି ବିସ୍ତାରି

।।

ପରମ ମଙ୍ଗଳ ତୋ ନାମ

ଖଣ୍ଡେ ସକଳ ବିଘ୍ନମାନ

।।

ଏଣୁ ମୋହର ନାହିଁ ଭୟେ

ଯାହାର ନାମେ ଯମ ଜୟେ

।।

ଦଶମ ତୃତୀୟ ଅଧ୍ୟାରେ

ଦେବକୀ ଦେବୀ ବନ୍ଦିଘରେ

।।

ଗର୍ଭକୁ ଚାହିଁ ଗଙ୍ଗାଧର

ସ୍ତୁତି କରଇ ବେଦବର

।।

ବାସବ ଆଦି ବେଦପତି

ଯେ ଯାହା ମତେ କଲେ ସ୍ତୁତି

।।

ଜୟ ଗୋବିନ୍ଦ ଦାମୋଦର

ସତ୍ୟ ବଚନ ସ୍ୱାମି ତୋର

।।

ଆବୋରି ଅଛୁ ତିନି ସତ୍ୟ

ଦେହ ଅବନୀ ପରମାର୍ଥ

।।

ସତ୍ୟେ ବ୍ରହ୍ମାଙ୍କୁ କଲୁ ଜାତ

ସତ୍ୟ ସ୍ୱରୂପୀ ତୁ ଅଚ୍ୟୁତ

।।

ସତ୍ୟେ ତୋହର ଆତଯାତ

ଆମ୍ଭେ ଜାଣିଲୁ ତୋର ସତ୍ୟ

।।

ତୋହର ସଞ୍ଚିଲା ଶୟଳ

ଅସାଧୁ ମାରି ସାଧୁପାଳ

।।

ସଂସାର ମଧ୍ୟେ ଦେହବୃକ୍ଷେ

ଏଥେ ମିଳିଲୁ ତୁ ପ୍ରତ୍ୟକ୍ଷେ

।।

ବୃକ୍ଷର ଯେତେ ଗୁଣମାନ

ଶରୀରେ ତୋହର ଭିଆଣ

।।

ଏକଇ ବୃକ୍ଷେ ବେନିଫଳ

ଚତୁର ରସ ତିନିମୂଳ

।।

ପଞ୍ଚ ଶିଖକୁ ତଳେ ଗଣ୍ଠୀ

ଆତ୍ମା ଏହାର ଷଡ଼ ଗୋଟି

।।

ସାତ ବକଳ ଦେହେଁ ଜଡ଼ି

ଅଷ୍ଟମ ଡାଳେଛନ୍ତି ବେଢ଼ି

।।

ଗଣ୍ଠି ସ୍ୱଭାବେ ନବନେତ୍ର

ବିସ୍ତାର ହୋଇ ଦଶପତ୍ର

।।

ଉପରେ ଅଛି ବେନି ପକ୍ଷୀ

ଏମନ୍ତ ବୃକ୍ଷ ଦେହେଁ ଲାକ୍ଷି

।।

ମୁନି କହନ୍ତି ରାଏ ଶୁଣ

ଦେହେଁ କହନ୍ତି ବୃକ୍ଷ ଗୁଣ

।।

ବୃକ୍ଷର ପ୍ରାୟେ ଦେହ ଏକ

ଫଳ ଯୋଡ଼ିଏ ଦୁଃଖ ସୁଖ

।।

ଧର୍ମ ସମ୍ପଦ କାମ ମୋକ୍ଷ

ଏ ଚାରି ରସଟି ପ୍ରତ୍ୟକ୍ଷ

।।

ଶବଦ ରୂପ ରସ ଗନ୍ଧ

ସ୍ପର୍ଶରେ ପଞ୍ଚମାତ୍ରା ଭେଦ

।।

ଜନ୍ମ ହୋଇଣ ଦେହ ବହି

ବାଳୁତ ପୌଗଣ୍ଡେ ବଢ଼ଇ

।।

ତରୁଣ ବୃଦ୍ଧ ପୁଣ ମୃତ୍ୟୁ

ଏ ଷଡ଼ ବିକାରାତ୍ମା ହେତୁ

।।

ଚର୍ମ ଶୋଣିତ ମାଂସ ମେଦ

ଅସ୍ଥି ମଜ୍ଜାରେ ଧାତୁ ଛନ୍ଦ

।।

ସପତ ବକଳ ଏହାର

ମୁନି କହନ୍ତି ଜ୍ଞାନ ସାର

।।

ଭୁବନ ଅନଳ ସମୀର

ଗଗନ ବୁଦ୍ଧି ଅହଂଙ୍କାର

।।

ଏ ଅଷ୍ଟଡ଼ାଳଟି ଏହାର

ନବମଛନ୍ଦ ନବଦ୍ୱାର

।।

ଦଶ ଇନ୍ଦ୍ରିୟ ପତ୍ରଲେଖି

ଜୀବ ପରମ ବେନି ପକ୍ଷୀ

।।

ଏମନ୍ତ ବୃକ୍ଷ ରୂପ ବହି

ଭାରା ଉଶ୍ୱାସି ରଖ ମହୀ

।।

ଜଗତ ତୋର ତହୁଁ ଜାତ

ସ୍ଥିତି ପାଳନ ଜଗନ୍ନାଥ

।।

ତୋର ମାୟାରେ ମୂର୍ଖଜନ

ଆତ୍ମାକୁ ଦେଖନ୍ତି ସେ ଭିନ୍ନ

।।

ପଣ୍ଡିତେ ଦେଖନ୍ତି ସେ ଏକ

ମାୟାରେ ଦିଶୁ ତୁ ଅନେକ

।।

ତୁ ଏ ସଂସାରେ ଦୁଃଖେ ସୁଖେ

ଶରୀର ବହୁ ତୋର ଶକ୍ୟେ

।।

ସାଧୁଙ୍କୁ ଦିଶୁ ତୁ ନିର୍ଜଳ

ଖଳ ଲୋଚନେ ଯମ କାଳ

।।

ଯେ ତୋର ତହିଁ ପଦ୍ମଲାଭ

କରନ୍ତି ଜ୍ଞାନ ହୀନ ଭାବ

।।

ତୋହର ନାମ ନାବ କରି

ହେଳେ ତରନ୍ତି ଭବବାରି

।।

ଭୋ ନାଥ କମଳଲୋଚନ

ମାୟାରେ ମୋହୁ ପ୍ରାଣିମନ

।।

ଯେ ତୋର ନାମ ନ ଭଜନ୍ତି

ମାୟା ପଟଳ ଆବୋରନ୍ତି

।।

ତୀର୍ଥ ସେବନ୍ତି ଦାନ ତପେ

ତରିଲୁ ବୋଲୁଥାନ୍ତି ଥୋକେ

।।

କରନ୍ତି ସିଦ୍ଧଙ୍କ ଉପାୟେ

ଭେଦନ୍ତି ବ୍ରହ୍ମଲୋକ ଯାଏ

।।

ତୋ ପାଦ ନ କରି ଆଦର

ହୃଦେ ବହନ୍ତି ଅହଂଙ୍କାର

।।

ତହୁଁ ପଡ଼ନ୍ତି ଦେହ ଘେନି

ଜନ୍ମ ହୁଅନ୍ତି ପୁଣ ଯୋନି

।।

ଯେ ତୋର ତହିଁ ମିତ୍ରପଣେ

ଚିତ୍ତ ଖଟାନ୍ତି ଅନୁକ୍ଷଣେ

।।

ନିର୍ଭୟେ ବୁଲନ୍ତି ସଂସାରେ

ନୃତ୍ୟ କରନ୍ତି ଯମଶିରେ

।।

ସତ୍ୟ ନିର୍ମଳ ପୁଣ ହେଉ

ଭକତ ପାଇଁ ଦେହ ବହୁ

।।

ତପ ସମାଧି ଯୋଗକ୍ରିୟା

ବେଦେ କହନ୍ତି ମୁନି ଯାହା

।।

ତୋ ତହୁଁ ଅନ୍ୟ ଧ୍ୟାନ ନାହିଁ

ପୂରିଛୁ ସ୍ଥୂଳ ସୂକ୍ଷ୍ମ ହୋଇ

।।

ତୁ ଯେବେ ନୋହିବୁ ଜଗତେ

ଅଜ୍ଞାନ ନାଶିବୁ କେମନ୍ତେ

।।

ଯେ ତୋତେ ଯେମନ୍ତେ ଚିନ୍ତଇ

ପୁଣି ପ୍ରକାଶ ଦେହ ବହି

।।

ତୋହର ଗୁଣ କର୍ମମାନ

ସଂଖ୍ୟା କେ କରୁ ଭଗବାନ

।।

ମନ ବଚନେହେଁ ନ ଜାଣି

କେବଳ ଦେହେଁ ପରିମାଣି

।।

ତୋ ପାଦ ପୂଜାର ବିଧାନ

ଏଣେ ଯେ ହୋଏ ସାବଧାନ

।।

ଜନ୍ମ ମରଣ ତାର ନାହିଁ

ଏମନ୍ତ ପ୍ରଭୁ ଭାବଗ୍ରାହୀ

।।

ତୋହର ପାଦରଜ ଦେଇ

ଉଶ୍ୱାସ କରୁ ନାଥ ମହୀ

।।

ସ୍ୱର୍ଗେ ବସିବୁଁ ପଦ୍ମଲାଭ

ତହିଁ ଦେଖିବୁଁ ତୋର ପାଦ

।।

ଏ ତୋର ଦେହବନ୍ତ ପଣ

ଆମ୍ଭେ ଜାଣିଲୁଁ ନାରାୟଣ

।।

ମନୁଷ୍ୟ ଲୀଳାଏ ତୋ ସାଧ୍ୟ

ତୋ ରୂପ ନ ଜାଣଇଁ ବେଦ

।।

ମତ୍ସ୍ୟ କଚ୍ଛପ ନରସିଂହ

କୋଳ ବାମନ ହୟ ଗ୍ରୀବ

।।

ରାଜନ ଋଷିଙ୍କର ବଂଶେ

ଜନ୍ମ ତୁ ହେଉ ଯୋଗଅଂଶେ

।।

ତିନି ଭୁବନ ଦୁଃଖ ନାଶି

ଆମ୍ଭଙ୍କୁ ପାଳୁ ବ୍ରହ୍ମରାଶି

।।

ଅବନୀ ଭରା ଏବେ ଦର

ଭୋ ନାଥ ଶରଣ ତୋହର

।।

ଦଶମ ଚତୁର୍ଥ ଅଧ୍ୟାରେ

ଶ୍ରୀକୃଷ୍ଣ ଜନ୍ମ ବନ୍ଦିଘରେ

।।

ଦେଖିଣ କାତର ସେ ହୋଇ

ସ୍ତୁତି କରଇ କୃଷ୍ଣ ଚାହିଁ

।।

ବୋଲଇ ବସୁଦେବ ଶୋକେ

ତୁ କିପାଁ ଜନ୍ମ ମଞ୍ଚଲୋକେ

।।

କୃଷ୍ଣ ଚରଣେ ଦେଇ ଶିର

ସଭୟେ ବୋଲଇ ଉତ୍ତର

।।

ତେଜେ ବିରାଜେ ବନ୍ଦିଘର

ତିଳେହଁ ନ ଦିଶେ ଅନ୍ଧାର

।।

ତୋହର ଆଦି ଅନ୍ତନାହିଁ

ପ୍ରକୃତି ତୋତେ ନ ଜାଣଇ

।।

କେବଳ ସ୍ଥୂଳରୂପ ଶୂନ୍ୟ

ମୁନିଙ୍କ ଚିତ୍ତେ ଜ୍ଞାନଗମ୍ୟ

।।

ତୋହର ମାୟାରେ ଜଗତ

ତୁହି ହୋଇଲୁ ଦେହବନ୍ତ

।।

ବାହାର ଭିହିରେ ଅନନ୍ତ

ସୃଷ୍ଟି କରଇ ଆତଯାତ

।।

ହରନ୍ତି ଅନ୍ତକାଳେ ଜୀବ

ନାହିଁ ତାହାଙ୍କର ସ୍ୱଭାବ

।।

ଜଗତ ତୋର ତହୁଁ ଜାତ

ସର୍ଜି ପାଳିଣ କରୁ ଅନ୍ତ

।।

ଜଗତର ଉପୁଜିବା ବେଳେ

ଅରୁଣ ବର୍ଣ୍ଣ ହେଉ ବଳେ

।।

ଜଗତ କରୁ ଆତଯାତ

ତୁ ଦେବ ଅନାଦି ଅନନ୍ତ

।।

ବୁଦ୍ଧି ଲକ୍ଷଣ ଦେହ ଘେନି

ତୋତେ ଚିନ୍ତନ୍ତି ବ୍ରହ୍ମଜ୍ଞାନୀ

।।

କାହିଁ ଦେଖିବେ ଦେହବନ୍ତ

ମହତ ଆଦି ପଞ୍ଚଭୂତ

।।

ପାଳିବା ବେଳେ ଶୁକ୍ଳ ବର୍ଣ୍ଣ

ସଂସାରେ ବୋଲାଉ ତୁ ଧର୍ମ

।।

ସଂହାର କାଳେ କୃଷ୍ଣ ରୂପ

ତୋର ବିକାରେ ମୋକ୍ଷ କଳ୍ପ

।।

ତୁ ଏବେ ମୋର ଘରେ ନାଥ

ଅଂଶେ ହୋଇଲୁ ଦେହବନ୍ତ

।।

ଜାଣିଲି ଯେତେକ ଅସୁର

ନାଶି କରିବୁ ମହୀ ସ୍ଥିର

।।

ତୋହର ଜନ୍ମ ମୋର ଘରେ

ଶୁଣିଣ କଂସ କୋପଭରେ

।।

ଛପୁତ୍ର ମାଇଲା ମୋହର

ତୁ କି ନ ଜାଣୁ ଚକ୍ରଧର

।।

ପାହାରୀମାନେ ଜଗିଛନ୍ତି

ଶୁଣନ୍ତୁ ବୋଲି ମନେ ଭ୍ରାନ୍ତି

।।

କଂସକୁ କହିବେ ତୁରିତେ

ସେ ଆସି ମାରିବେଟି ତୋତେ

।।

ତୋତେହେଁ ତୁହି ରକ୍ଷାକର

ମୋ ଛାର ମନୁଷ୍ୟ ମାତର

।।

ଏହି ଅଧ୍ୟାରେ ଦେବକୀର

ଶ୍ରୀକୃଷ୍ଣପାଦେ ସ୍ତବ ଗିର

।।

ଭୋ ନାଥ ନିସ୍ତରିଲି ମୁହିଁ

ତୋହର ଆଦିଅନ୍ତ ନାହିଁ

।।

ମନବଚନେହେଁ ନ ପାଇ

ପ୍ରସନ୍ନ ହୁଅ ମୋତେ ତୁହି

।।

ଜ୍ୟୋତି ସ୍ୱରୂପେ ନିରଞ୍ଜନ

ନିର୍ମଳଶୂନ୍ୟ ଦିବ୍ୟଜ୍ଞାନ

।।

ବେଦେ ଗୋଚର ନୋହେ ଯେହୁ

ଅଧ୍ୟାତ୍ମା ଜ୍ଞାନ ମହାବାହୁ

।।

ବ୍ରହ୍ମାର ଅନ୍ତେ ମହୀ ନଶେ

ବ୍ରହ୍ମାଣ୍ଡ ଲୁଚନ୍ତି ଆକାଶେ

।।

ମନର ମୂଳେ ପଞ୍ଚଜନ

ତୋହର ଦେହେଁ ହୋନ୍ତି ଲୀନ

।।

ରବି ଶଶାଙ୍କ ନାହିଁ କେହି

ତୁ ମାତ୍ର ରହୁ ଦେହ ବହି

।।

ନିମିଷ ଆଦି ଯେଉଁ କାଳ

ତୋହର ଚେଷ୍ଟା ଅନ୍ତରାଳ

।।

ଦେଖଇ ପ୍ରାଣିଙ୍କି ନିରତେ

କରଇ କ୍ଷଣେ କ୍ଷଣେ ଗ୍ରସ୍ତେ

।।

ଶରଣ ତୋର ପାଦେ ଯେହୁ

ମୃତ୍ୟୁ ପାଇବେ ସେ ବା କାହୁଁ

।।

ବାହୁଡ଼ି ହୋଏ ସେ ନିରାଶ

ସେ ପ୍ରାଣୀ ରହେ ତୋର ପାଶ

।।

ତୁ ଏବେ ରଖ ହରି ତୋତେ

କଂସକୁ ନ ଯାଇ ପରତେ

।।

ମୋର ଉଦରେ ତୋର ଜାତ

ଲୋକେ କରିବେ କାହୁଁ ସତ

।।

ତୋ ରୂପ ନ ଜାଣନ୍ତି କେହି

କଂସକୁ ଡରେ ମୋର ଦେହୀ

।।

ଦଶମ ଏଗାର ଅଧ୍ୟାରେ

କୁବେର ପୁତ୍ର ସ୍ତବ କରେ

।।

ଚିତ୍ତ ନିବେଶି ପଦ୍ମପାଦେ

ବୋଲନ୍ତି ଶୋକ ଗଦଗଦେ

।।

କୃଷ୍ଣ ପରମାନନ୍ଦ ହରି

ପରମ ପୁରୁଷ ମୁରାରି

।।

ଲୀଳାଏ କରି ବିଶ୍ୱମାୟା

ଭକ୍ତ ଜନରେ କରି ଦୟା

।।

ତୋହର ରୂପ ଗୁଣ ଯେତେ

ବିପ୍ରେ ଜାଣନ୍ତି ବେଦମତେ

।।

ପୃଥିବୀ ଆଦି ପଞ୍ଚଭୂତ

ମନ ଅହଙ୍କାର ମହତ

।।

କାଳସ୍ୱଭାବେ ଜନ୍ମ ମୃତ୍ୟୁ

ଜୀବ ପରମ ଆତ୍ମା ହେତୁ

।।

ଭକତଜନ ନିସ୍ତାରଣେ

ଶରୀର ବହୁ ତୁ କାରଣେ

।।

ତୋ ନାମ ପରମ ମଙ୍ଗଳ

ତ୍ରାହି କରିବା ଆଦି ମୂଳ

।।

ଅଷ୍ଟାଙ୍ଗ ଯୋଗେ ଧ୍ୟାନ ଘେନି

ଯାହା ଚିନ୍ତନ୍ତି ବ୍ରହ୍ମଜ୍ଞାନୀ

।।

ନାରଦ ଦେଖି ବାର ଫଳେ

ତୋତେ ଦେଖିଲୁ ଚର୍ମଡ଼ୋଳେ

।।

ଚକ୍ଷୁ ଶ୍ରବଣ ବୁଦ୍ଧି ଶିରୀ

ମନ ବଚନ ବେନି କରି

।।

ତୋହର ପାଦେ ଧ୍ୟାନ ହେଉ

ତୋ ନାମ ଧରି ଦିନ ଯାଉ

।।

ଅନେକ ଜନ୍ମେ ତପ କରି

ତୋତେ ଭେଟିଲୁ ନରହରି

।।

ତୋର ସେବକ ମିତ୍ରପଣେ

ଖଟିବୁଁ ତାହାଙ୍କ ଚରଣେ

।।

ଏମନ୍ତେ ବେନି କର ଯୋଡ଼ି

ଆଜ୍ଞା ମାଗିଲେ ପାଏ ପଡ଼ି

।।

ଭଣଇଁ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ ଆଜ୍ଞା କର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବଦ୍‌ବାକ୍ୟଂ

ନାମ ବିଂଶୋଽଧ୍ୟାୟଃ ।

Image

 

ଏକବିଂଶ ଅଧ୍ୟାୟ

 

ଦଶମ ପଞ୍ଚଦଶାଧ୍ୟାୟେ

ବ୍ରହ୍ମା ସ୍ତବ ଶ୍ରୀକୃଷ୍ଣ ପାୟେ

।।

ସଭୟେ ବେନିକର ଯୋଡ଼ି

କ୍ଷଣ କ୍ଷଣକେ ପାଦେ ପଡ଼ି

।।

କୃଷ୍ଣ ଚରଣେ ଦେଇ ଶିର

କହ ତୋ ମାୟାର ଶରୀର

।।

ତନୁ ତୋ ନୀଳଘନ ତ୍ରାସ

ବିଜୁଳି ପ୍ରାୟେ ପୀତବାସ

।।

ଗୁଞ୍ଜରା ମାଳି ଶିଖି ପୁଚ୍ଛ

ଏଣେ ନିର୍ମଳ ଚୂଳ ସଞ୍ଚ

।।

ଅଳପସ୍ମିତ ରଙ୍ଗମୁଖ

ଚିନ୍ତିଲେ ଖଣ୍ଡେ ଭବଦୁଃଖ

।।

ବନମାଳାଏ ଲମ୍ୱେ ଉରେ

ଅନ୍ନ ପୁଡ଼ାଏ ବାମକରେ

।।

ବେତ ମୁରଲୀ ଶିଂଙ୍ଗା କର

କମଳା ସେବଇ ପୟର

।।

ଏ ଯେତେ ବାତ୍ସୁରୀ କୁମର

ତୋହର ଶରୀରୁ ବାହାର

।।

ତୋ ଅବତାର ମୋର ହିତେ

ଗୁଣ ସ୍ୱରୂପ ଅବିରତେ

।।

ଇଚ୍ଛାରେ ହୋଇଅଛୁ ଜାତ

ନିର୍ମାଣେ ନୋହେ ପଞ୍ଚଭୂତ

।।

ଏ ଦେହ ମହିଁମା ନ ଜାଣି

ବେଦ ପୁରାଣେ ପରିମାଣି

।।

ଜ୍ଞାନର ପଥ ଛାଡ଼ି ଥୋକେ

ତୋତେ ଭଜନ୍ତି ସର୍ବ ଲୋକେ

।।

ସାଧୁଜନଙ୍କ ମୁଖୁଶୁଣି

ତୋର ମହିଁମା ହୃଦେ ଗୁଣି

।।

ମନ ପବନ କରି ଏକ

ହେଳେ ଜିଣନ୍ତି ତିନି ଲୋକ

।।

ତୋର ଚରଣ ପୂଜା ଛାଡ଼ି

ଯେ ଭ୍ରମେ ଯେ ତାପଥ ମାଡ଼ି

।।

ମନ ପବନ ହୃଦେ ଛନ୍ଦି

ତପେ ଇନ୍ଦ୍ରିୟ ବଳ ରୁନ୍ଧି

।।

ଯେତେ କରନ୍ତି ଦେହେଁ ଶ୍ରମ

ତୋର ମାୟାରେ ମତି ଭ୍ରମ

।।

କେବଳ ଲାଭମାତ୍ର ପ୍ରାସ

ସେ ପ୍ରାଣୀ ହୁଅଇ ନିରାଶ

।।

ଚଣ୍ଡୁଳ ଅର୍ଥେ ଚଷୁ କୁଟି

ଝଡ଼ି ଯେସନେ ପ୍ରାଣୀ ଫୁଟି

।।

ନିରାଶ ହ୍ୱନ୍ତି ବେନି ପଥ

ପଶୁ ଯୋନିରେ ହ୍ୱନ୍ତି ଜାତ

।।

ତୋତେ ନ ପାଇ ନରହରି

ଭ୍ରମନ୍ତି ତୋ ମାୟା ଆବୋରି

।।

ପୂର୍ବେ ବହୁତ ମୁନିଜନେ

ସେବନ୍ତି ତୋହର ଚରଣେ

।।

ନିଜ କରମଫଳ ଭୁଞ୍ଜି

ଭକତି ଏକୁ ଆରେ ହେଜି

।।

ପାଇଲେ ତୋ ପରମପଦ

ଖଣ୍ଡିଲେ ବିଷୟା ବିଷାଦ

।।

ନିର୍ମଳ ଆତ୍ମା ମୁନିଗଣେ

ତୋର ମହିଁମା ପରିମାଣେ

।।

ତୋର ବିକାର ନ ପାଇଲେ

ଭକତି ହେଜି ତରିଗଲେ

।।

ନିର୍ଗୁଣେ ଆତ୍ମା ଗୁଣବନ୍ତ

ତୋର ମହିଁମା ଗୋପୀନାଥ

।।

ବ୍ରହ୍ମାଣ୍ଡେ ଦେହବନ୍ତ ହୋଇ

ତୋ ଗୁଣ କେ ପାରିବ କହି

।।

ଭୂମିରେ ରେଣୁ କୁଝ୍ଝଟିକା

ଆକାଶେ ନକ୍ଷତ୍ର ମାଳିକା

।।

ଏ ତିନି ଗଣି ସାମରଥ

ଲୋକେ ଅଛନ୍ତି ଏ ଜଗତ

।।

ତୋର ମହିଁମା ଗୁଣ ଗୁଣି

ସଂସାରେ ଅଛି କେ ପ୍ରମାଣି

।।

ଯାହାକୁ ହେଉ ତୁ ସଦୟେ

ସେ ନ ପଡ଼ଇ ମାୟା ମୋହେ

।।

ତୋର ଭକତି ହୃଦେ ହେଜି

ଅର୍ଜିଲା କର୍ମଫଳ ଭୁଞ୍ଜି

।।

ଚିନ୍ତନ୍ତି ଶିବ ତୋର ପାଦେ

ସଂସାରୁ ତରେ ମୋକ୍ଷପଦେ

।।

ଅଜ୍ଞାନପଣ ଦେଖ ମୋର

ତୋତେ ଭଣ୍ଡିଲି ଗଦାଧର

।।

ଅନାଦି ଆଦି ପଞ୍ଚଭୂତେ

ଚେତନା ବୃଦ୍ଧି ଅହଂକୃତେ

।।

ମାୟାବି-ମାନଙ୍କର ଶ୍ରେଷ୍ଠ

ତୋତେ ମୁଁ କଲି ମାୟାହଟ

।।

ଅନଳ ପର୍ବତର ତଳେ

ଖଣାଏ ଖୋଳିଲି ମୁଁ ବଳେ

।।

ଅଳପ ଲୋକେ ଅଧିକାର

କିପାଇଁ ଦେଲୁ ଦାମୋଦର

।।

ବ୍ରହ୍ମା ବୋଲଇ ମୋର ଗର୍ବ

ତୋତେ ଭଣ୍ଡିଲି ପଦ୍ମନାଭ

।।

ଏଣୁ ହୋଇଲି ଅପରାଧୀ

ତୁ ନାଥ କରୁଣାବାରିଧି

।।

ପ୍ରଳୟ ଜଳେ ଥିଲୁ ଶୋଇ

ତୋ ରୂପ ଦେଖିଲଇଁ ମୁହିଁ

।।

ଅପ୍ରାଧ କ୍ଷମାକର ମୋର

ଭୋନାଥ ଶରଣ ତୋହର

।।

ମୁଁ ତୋର ଭୃତ୍ୟଙ୍କର ଭୃତ୍ୟ

ତୁ କି ନ ଜାଣୁ ଜଗଦ୍ଭୁତ

।।

ମୁଁ ତୋତେ କେତେକ ଅନ୍ତର

ତୁ କି ନ ଜାଣୁ ଚକ୍ରଧର

।।

ଅବନୀ ଆଦି ପଞ୍ଚଭୂତେ

ଚେତନା ବୁଦ୍ଧି ଅହଂକୃତେ

।।

ଜୀବ ପରମ ଭାବ ଦେଇ

ବ୍ରହ୍ମାଣ୍ଡ କରୁ ନାଥ ତୁହି

।।

ବ୍ରହ୍ମାଣ୍ଡ ତୋର ଲୋମମୂଳେ

ଉଡ଼ୁଅଛନ୍ତି ଅନ୍ତରାଳେ

।।

ଜଳାକବାଟୀ ତେଜମାନେ

ରେଣୁଏ ଉଡ଼ନ୍ତି ଯେସନେ

।।

ତହୁଁ ବ୍ରହ୍ମାଣ୍ଡଙ୍କ ଭିତରେ

ସପତସାଗର ମଧ୍ୟରେ

।।

ଅଛଇ ଜୀବଆତ୍ମା ଧରି

ତୋ ମାୟା ପଟଳ ଆବୋରି

।।

ଏତେ ଅନ୍ତର ତୋର ମୋର

ତୋତେ ଭଣ୍ଡିଲି ଚକ୍ରଧର

।।

ଗର୍ଭ ଭିତରେ ସୁତ ଥାଇ

ସେ ଯେହ୍ନେ ପାଦ ପ୍ରହାରଇ

।।

ତୋ ଅପରାଧ ମନେ ଘେନି

କୋପ କି କରଇ ଜନନି

।।

ତୋ ନାଭି କମଳରୁ ଜାତ

ତୋତେ ଭଣ୍ଡିଲି ଜଗନ୍ନାଥ

।।

ତୋହର ଉଦରେ ପଶିଲି

ଅଶେଷ ବ୍ରହ୍ମାଣ୍ଡ ଦେଖିଲି

।।

ଜଳଧି ଶୟନର କାଳେ

ଏ କଥା ଜାଣନ୍ତି ସକଳେ

।।

ସ୍ଥଳ ଅନଳ ଜଳବ୍ୟାପି

ତୁ ନାଥ ନାରାୟଣ ରୂପୀ

।।

ପ୍ରଳୟ ଜଳେ ଥିଲୁ ଶୋଇ

ତୋ ରୂପ ଦେଖିଲଇଁ ମୁହିଁ

।।

ଦେଖି ସାନନ୍ଦ ମୋର ମନ

କୃପା ତୁ କଲୁ ଭଗବାନ

।।

ମିଥ୍ୟା ନୁହଇଟି ସେ କଥା

ତୋତେ ହେ ସାକ୍ଷୀ ତୋରମାତା

।।

ଗୋପାଳ କୁମାରଙ୍କ ମେଳେ

ମାଟି ଭକ୍ଷିଲୁ ଯେତେବେଳେ

।।

ଯଶୋଦା ଦେଖିଲା ତୋ ତୁଣ୍ଡ

ଗର୍ଭରେ ଅଶେଷ ବ୍ରହ୍ମାଣ୍ଡ

।।

ବାହାର ଭିତରେ ଆଚ୍ଛାଦି

ତୋ ମାୟାବଳେ ଅଛୁ ବନ୍ଦି

।।

ଏବେ ଏ ବୃନ୍ଦାବନେ ମୋତେ

ମାୟା ନ କଲୁ କେତେ କେତେ

।।

ପ୍ରଥମେ ଦେଖିଲଇ ଏକ

କ୍ଷଣକେ ହୋଇଲୁ ଅନେକ

।।

ଯେତେ ବାଛୁରୀ ଗୋପପୋଏ

ଦିଶିଲେ ତୋହର ପରାୟେ

।।

ତୁହି ତୋହର ମାୟା ବହୁ

ତୋହରି ମାୟା ତୁହି ହେଉ

।।

ମୁନିମାନଙ୍କ ମନ ମୋହି

ବ୍ରହ୍ମାଶଙ୍କରେ ତୋରଦେହି

।।

ସୃଷ୍ଟିର ଅଗ୍ରେ ମୋତେ କରି

ଶଙ୍ଖୋଳି ଦେଲୁ ବେଦଚାରି

।।

ଜଗତ କରଇଁ ଭିଆଣ

ତୁ ତାହା ପାଳୁ ନାରାୟଣ

।।

ଶଙ୍କର ରୂପେ କରୁ ଅନ୍ତ

ଏଣୁ ତୁ ବୋଲାଉ ଅନନ୍ତ

।।

ଦେବ ବ୍ରାହ୍ମଣ ଋକ୍ଷ ପଶୁ

ଏଣୁ ତୁ ଶରୀର ପ୍ରକାଶୁ

।।

ଦୁଷ୍ଟ ନିବାରି ସନ୍ଥ ପାଳୁ

ଦୟାରେ ଧର୍ମ ତୁ ସମ୍ଭାଳୁ

।।

କାହୁଁ ଅଇଲି କଲି କିସ

ଅନ୍ତେ ହୋଇବ କାହିଁ ବାସ

।।

ଏ ତିନିଭ୍ରାନ୍ତି ତୋର ମାୟା

କେ ଜାଣିପାରେ ପ୍ରଭୁ ଏହା

।।

ଯୋଗେଶ୍ୱରଙ୍କୁ ଆଗୋଚର

ଭୋନାଥ ମହିଁମା ତୋହର

।।

ତେଣୁ ଏ ମାୟାରେ ଜଗତ

ତୋହରେ ହୋନ୍ତି ଆତଯାତ

।।

ବିଜୁଳି ଝଟକ ଯେସନ

ମେଘରେ ପଶି ହ୍ୱନ୍ତି ଲୀନ

।।

ତୁ ନାଥ ପୁରୁଷ ପୁରାଣ

ଜ୍ୟୋତି ଆଦିତ୍ୟ ଆଦି ଶୂନ୍ୟ

।।

ନିୟତ ସୁଖ ନିରଞ୍ଜନ

ମୋକ୍ଷର ଦଧି ସୁଧାପୂର୍ଣ୍ଣ

।।

ସକଳ ଜନ୍ତୁ ମଧ୍ୟେ ଥାଇଁ

ବିହରୁ ଆତ୍ମ ରୂପ ବହି

।।

ସୂର୍ଯ୍ୟର ତହୁଁ ବେଦସାର

ତେଣେ ଯେ କରନ୍ତି ବିଚାର

।।

ସେ ଭବ ଜଳଧି ତରନ୍ତି

ମାୟା ପଟଳ ପ୍ରକାଶନ୍ତି

।।

ଆତ୍ମାକୁ ଆତ୍ମାରୂପ ଜାଣି

ଚିନ୍ତା କରନ୍ତି ସୁଜ୍ଞପ୍ରାଣୀ

।।

ଅଜ୍ଞାନ ଭାବ ଜ୍ଞାନେ ନାଶ

ରବିରେ ଯେହ୍ନେ ସର୍ବତ୍ରାସ

।।

ଜୀବର ବଦ୍ଧ ମୋକ୍ଷ ଦୁଇ

ଅଜ୍ଞାନ ଭାବୁ ଜାତ ହୋଇ

।।

ତୋହର ତତ୍ତ୍ୱ ବିଚାରିଲେ

ଦିବା ରଜନୀ ଦିନ କରେ

।।

ତୋତେ ସେ ଚିହ୍ନି ନ ଜାଣନ୍ତି

ଆତ୍ମାକୁ ବାହାରେ ଲୋଡ଼ନ୍ତି

।।

ଶ୍ରମ ସେ ଲାଭ ତାହାଙ୍କର

ନାହିଁ ତୋ ଭିତର ବାହାର

।।

ଜ୍ଞାନୀଜନଙ୍କର ଏ ମତ

ତୋହର ଦୟାରେ ଏମନ୍ତ

।।

ନିକଟେ ସର୍ପ ଯାର ଥାଇ

ସେ କି ଆନକୁ ପାରେ ଚାହିଁ

।।

ସର୍ପର ପ୍ରାୟେ ତୁ ସମୀପେ

ଜ୍ଞାନୀଙ୍କି ତାରୁ ତୁ ଅଳପେ

।।

ତୋର ଦୟାରେ ତୋତେ ଜାଣି

ଭାବି ତରନ୍ତି ସାଧୁ ପ୍ରାଣୀ

।।

ତୋ ଅନୁଗ୍ରହ ଯାକୁ ନାହିଁ

ବ୍ରହ୍ମାଣ୍ଡେ ଲୋଡ଼ିଲେ ନ ପାଇ

।।

କେତେ କହିବି ସ୍ୱାମୀ ତୋତେ

ଏମନ୍ତ ଆଜ୍ଞାଦିଅ ମୋତେ

।।

ନାନା ଯୋନିରେ ଜାତହୋଇ

ସେବକମଧ୍ୟେ ତୋତେଥୋଇ

।।

ଅପ୍ରାଧୁଁ କ୍ଷମାକର ମୋତେ

ତୋପାଦେ ସେବଇଁ ଯେମନ୍ତେ

।।

ଗୋପେ ଅଛନ୍ତି ଯେତେ ଜନ୍ତୁ

କେ ତାଙ୍କ ପୁଣ୍ୟକରେ ହେତୁ

।।

ହୋଇଣ ବାଛୁରି କୁମର

ସ୍ତନ ପିଇଲୁ ତାହାଙ୍କର

।।

ତୋ ମନରଞ୍ଜନେ ଅନନ୍ତ

କେହି ନୋହିଲେ ସାମରଥ

।।

ନନ୍ଦ ଗୋପାଳ ବ୍ରଜଲୋକ

ଅନେକ କରିଛନ୍ତି ତପ

।।

ତୁ ନାଥ ମିତ୍ର ତାହାଙ୍କର

ବ୍ରହ୍ମା ଶଙ୍କରେ ଅଗୋଚର

।।

ତୋ ପଦ୍ମ ପାଦରୁ ଅମୃତ

ତେଣେ ଲୋଭିତ ଯାର ଚିତ୍ତ

।।

ମନ ଭ୍ରମରେ କରି ପାନ

ତେଣେ ବିଭ୍ରମ ମାୟାଭ୍ରମ

।।

କାଷ୍ଠ ପାଷାଣ ତୃଣ ହୋଇ

ତୋ ପାଶେ ପଡ଼ିଥିବି ମୁହିଁ

।।

ହୋଇବି ଗୁଳ୍ମ ଲତାମାନ

ଆଶା ମୋହର ଭଗବାନ

।।

ଗୋପୀଜନଙ୍କ ପାଦଧୂଳି

ପଡ଼ିବ ଏ ମୋର ମଉଳି

।।

ଶୋଭା ମୋ ଦିଶିବ ଶରୀର

କୃପାସାଗର କୃପାକର

।।

ଦେବେ ନ ପାନ୍ତି ଯାକୁ ଖୋଜି

ଗୋବିନ୍ଦ ମିତ୍ରପଣେ ଭଜି

।।

ପୂତନା ସଗୋତ୍ର ସହିତେ

ଶତୃ ହୋଇଲେ ସ୍ୱାମି ତୋତେ

।।

ତାହାର ଗୋତ୍ର କରି ମୋକ୍ଷ

ଆମ୍ଭଙ୍କୁ ଥୋଇଅଛୁ କିସ

।।

ଏଣୁ ତୋ ନାହିଁ ମିତ୍ରଐରୀ

ଜଗତ ଜୀବନ ମୁରାରି

।।

ତୋହର ପାଦେ ଗୋପୀନାଥ

ଶରଣ ନ ପଶେ ଯାବତ

।।

ତାବତ କାମକ୍ରୋଧ ବଳେ

ଡକା କରନ୍ତି ଅବହେଳେ

।।

ଗୃହହିଁ ହୋଇ ବନ୍ଦିଘର

ମୋହ ଶାଙ୍କୁଳି ଏ ପୟର

।।

ଦାରା ତନୟ ଧନେ ହୁଡ଼ି

ଦୁଃଖ ସଂକଟେ ଥାଇଁ ପଡ଼ି

।।

ଭଣଇ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ ଆଜ୍ଞାକର

ସେବଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତ ବାକ୍ୟେ ନାମ

ଏକବିଂଶୋଽଧ୍ୟାୟଃ ।

Image

 

ଦ୍ୱାବିଂଶ ଅଧ୍ୟାୟ

 

ଦଶମ ସପ୍ତଦଶ ଅଧ୍ୟା

କୃଷ୍ଣକାଳିଆ ପାଇଁ ବାଧା

।।

ପାଦେ ପଡ଼ିଲେ ସର୍ବ ନାରୀ

ଆନନ୍ଦେ ଚାହାନ୍ତି ମୁରାରି

।।

କେଶ ବସନ ଅସମ୍ଭାଳ

ନୟନୁ ବହେ ଅଶ୍ରୁ ଜଳ

।।

ଉଠି କରନ୍ତି ଜୟେ ଜୟେ

ସ୍ୱର୍ଗେ ଦେଖନ୍ତି ଦେବତାଏ

।।

ବୋଲନ୍ତି ଶରଣ ସୋଦର

ତ୍ରାହିକରିବା ଚକ୍ରଧର

।।

ସର୍ପକୁ ଦଣ୍ଡିବା ଯୁକତ

ଭାରା ନିବାରେ ତୋର ଜାତ

।।

ଯେଣୁ ତୋ ମିତ୍ର ଐରି ନାହିଁ

ତୋର ଭିଆଣ ସର୍ବଦେହୀ

।।

ଭକତି କରନ୍ତି ଯେ ତୋତେ

ଯେ ଅବା ଭଜେ ଶତ୍ରୁମତେ

।।

ଦୁହିଙ୍କି ଦେଉ ଏକଗତି

ଦୟାସାଗର ଦାଶରଥି

।।

ଆମ୍ଭଙ୍କୁ କର ଅନୁଗ୍ରହ

ଦେହୁଁ ନାଶିଲୁ ସର୍ବମୋହ

।।

ସର୍ପ ହୋଇଲା ପାପକାରୀ

ତୋତେ ଦଂଶିଲା ନରହରି

।।

ତାହାରେ ତରିଲୁଁ ସକଳେ

ବନ୍ଧୁ ବାନ୍ଧବ ନାଗବଳେ

।।

ଯେତେ ଏ ପୂର୍ବେ ତପକଲା

ବହୁତ ଅନ୍ନ ଦାନଦେଲା

।।

ଜଳ ଦେଉଳ ନାନାମତେ

ଜନ୍ତୁଙ୍କୁ ଦୟା ହୃଦଗତେ

।।

ତୋ ନାମ ଭାବି ଏ ଆନନ୍ଦ

ଏଣୁ ପାଇଲା ପଦ୍ମପାଦ

।।

କେତେକ ତପ ଅଛି କରି

ତୋ ପାଦ ରେଣୁ ଶିରେ ଧରି

।।

ଯାହା ପାରିବ ବୋଲି ପୁଣି

ତପ କରଇ କମଳିନୀ

।।

ତୋ ପାଦ ରଜ ପାଇ ଜନେ

ଅଧିକ ନ ବାଞ୍ଛନ୍ତି ମନେ

।।

ସ୍ୱର୍ଗ ଭୋଗକୁ ତୁଚ୍ଛ କରି

ବ୍ରହ୍ମା ପଦକୁ ନ ବିଚାରି

।।

ସପତ ଦ୍ୱୀପେ ରାଜା ପଦ

ଯୋଗ ସମାଧି ଦେହ ସିଦ୍ଧ

।।

ଏଣେ ନୁହଇ ସାବଧାନ

ତୋ ପାଦେ ଥାଇ ଯାର ମନ

।।

ଦୁର୍ଲ୍ଲଭ ଅଟେ ଦୃଷ୍ଟି ପାତେ

ଏ ତୋତେ ପାଇଲା କେମନ୍ତେ ।।

 

ତମ ଗୁଣରେ ଅଛି ଭେଦି

ବିଶେଷେ ସର୍ପ ପରମାଦି

।।

ଏ ତୋତେ ନିକଟେ ପାଇଲା

ଯେଣୁ ଅନେକ ପୁଣ୍ୟକଲା

।।

ନିର୍ଗୁଣ ଆତ୍ମା ଗୁଣବନ୍ତ

ନମଇଁ ପ୍ରଭୁ ଭଗବତ

।।

ପଞ୍ଚଭୂତଙ୍କ ଆତ୍ମା ତୁହି

ତୋହର ଆଦି ଅନ୍ତ ନାହିଁ

।।

ଜ୍ଞାନ ବିଜ୍ଞାନ ହେତୁ ହେଉ

ତ୍ରିଗୁଣ ମାୟା ରୂପ ବହୁ

।।

ସୃଷ୍ଟି ପାଳନ ସ୍ଥିତି ଅନ୍ତ

ତୁ କାଳରୂପୀ ଗର୍ଭଗତ

।।

ଅନନ୍ତରୂପି ଶୂନ୍ୟମୟେ

ନିର୍ଗୁଣ ଭେଦ ନିଜଦେହେ

।।

ତ୍ରିଗୁଣ ରୂପେ ମାୟା କରି

ଜଗତେ ହେଉ ରୂପକାରୀ

।।

ତୋହର ଦେହେଁ ତିନିଲୋକ

କର୍ମ ଭୁଞ୍ଜନ୍ତି ଦୁଃଖ ସୁଖ

।।

ଯେ ସାଧୁମତେ ତୋତେ ଭଜେ

ସେ ତୋର ଦେଲା ଫଳଭୁଞ୍ଜେ

।।

ତୋତେ ଯେ ନ ଜାଣନ୍ତି ମନେ

ସେ ପ୍ରାଣୀ ତରିବେ କେସନେ

।।

ଆମ୍ଭର ସ୍ୱାମି ଏକାବେଳେ

ଦୋହ ଯେ କଲା ପାଦତଳେ

।।

ସେ ଦୋଷ ସହିବା ମୁରାରି

ଆମ୍ଭେ ତୋହର ପରିବାରୀ

।।

ପ୍ରାଣ ଛାଡ଼ିବ ଏହିକ୍ଷଣି

ତୁକି ନ ଜାଣୁ ଚକ୍ରପାଣି

।।

ଆମ୍ଭଙ୍କୁ ଦିଅ ସ୍ୱାମି ଦାନ

ତୋର ଶରଣ ଭଗବାନ

।।

ଏବେ କରିବୁ କିସ କହ

ବିଚାରି ପ୍ରଭୁ ଆଜ୍ଞାଦିଅ

।।

କାଳୀୟ ଏହି ଯେ ଅଧ୍ୟାରେ

ଶ୍ରୀକୃଷ୍ଣ ପାଦେ ସ୍ତବକରେ

।।

କାଳୀୟ ଜୀବନ ପାଇଲା

ଶ୍ରୀକୃଷ୍ଣ ମୁଖକୁ ଚାହିଁଲା

।।

ସଭୟେ ଶୋକ ଗଦ ଗଦେ

ପୁଣି ପଡ଼ିଲା ପଦ୍ମପାଦେ

।।

ବୋଲଇ ଶୁଣ ନାରାୟଣ

ଜଗତ ତୋହର ଭିଆଣ

।।

ସର୍ପ ତୁ କଲୁ ଜାତ ମୋତେ

ସ୍ୱଭାବ ଛାଡ଼ିବି କେମନ୍ତେ

।।

ତାମସ ଗୁଣେ ଜାତ କରି

ଗରଳେ କଲୁ ଅଧିକାରୀ

।।

ଏଣୁ କ୍ରୋଧରେ ବଶ ହୋଇ

ସ୍ୱଭାବ ଛାଡ଼ି ନ ପାରଇ

।।

ତୋହର ମାୟା ଜାଣୁ ତୁହି

ଭୋ ନାଥ ରଖ ଭାବଗ୍ରାହୀ

।।

ମୁଁ ତୋତେ କଲି ଅପରାଧ

ବିଚାରି ଦଣ୍ଡ ମୋତେ ସାଧ

।।

ଯେ ତୋର ଇଚ୍ଛା ମୋତେ କର

ତୋରେ ଶରଣ ଚକ୍ରଧର

।।

ଏହି ଅଷ୍ଟାଦଶ ଅଧ୍ୟାରେ

ଗୋପାଳେ ଅଗ୍ନିର ଭୟରେ

।।

ଡାକନ୍ତି ରଖ ନାରାୟଣ

ଗୋକୁଳ ତୋହର ଶରଣ

।।

ଭୋ ସ୍ୱାମି ସଙ୍କଟୁ ତାରିଲୁ

ଯେଣୁ ତୁ ପରମ ଦୟାଳୁ

।।

ଏବେ ଆପଦୁଁ ରଖ ତୁହି

ଅନାଥ ହୋଇଲୁ ଗୋସାଇଁ

।।

ଗୋରୁ ଗୋପାଳ ଗୋପୀ ଆଦି

ଅନଳ ଆଣିଲା ନିରୋଧି

।।

ଛଡ଼ବିଂଶ ଅଧ୍ୟା ଦଶମେ

ଇନ୍ଦ୍ର ବିବାଦେ ଗୋପିଜନେ

।।

ଅନାଥ ହୋଇଲୁ ଗୋକୁଳ

ବୋଲନ୍ତି ରଖ ଆଦିମୂଳ

।।

ତୋହର ବୋଲେ ଗୋପପୁରୀ

ନିଶ୍ଚେ ନାଶିଲୁ ନରହରି

।।

ଗୋରୁଏ ଶୀତ ଜଳେ କମ୍ପି

କୃଷ୍ଣଙ୍କୁ ଚାହାନ୍ତି ନିରୋପି

।।

ଲାଞ୍ଜ ଆଚ୍ଛାଦି ମୁଖଦେଶେ

ମିଳିଲେ ଗୋବିନ୍ଦର ପାଶେ

।।

ବୃଦ୍ଧ ଗୋପାଳେ ଥରହର

ଡାକନ୍ତି ରଖ ଦାମୋଦର

।।

ତୋର ଶରଣ ଗୋପପୁର

ତୁ ନାଥ ଆମ୍ଭ ବଳିଆର

।।

ତୁ ନାଥ ଆମ୍ଭର ଜୀବନ

ତୋ ବୋଲେ ଗଲା ଆମ୍ଭପ୍ରାଣ

।।

ଥୋକେ ବୋଲନ୍ତି ବାଇପଣେ

ଯଜ୍ଞ ଭାଙ୍ଗିଲୁ ଅକାରଣେ

।।

ଏ କାହିଁ ରଖିବ ଗୋକୁଳ

ମନୁଷ୍ୟ ଜନ୍ମ ନନ୍ଦବାଳ

।।

ସକଳେ ହୋଇଲୁ ନିରକ୍ଷ

ଡାକିଲେ ନାରାୟଣ ରଖ

।।

ମଧୁସୂଦନ ଚକ୍ରଧର

ଅନାଦି ଧର୍ମ ନିରାକାର

।।

ତୋର ଶରଣୁଁ ଆନ ନାହିଁ

ଗୋକୁଳ ରଖ ଭାବଗ୍ରାହୀ

।।

ଇନ୍ଦ୍ରରେ ହୋଇଲୁ ବଇରୀ

ବୁଡ଼ିଲା ଗୋପପୁର ଶିରୀ

।।

ଏମନ୍ତେ ହୋଇଲେ ନିରାଶ

ଛାଡ଼ିଲେ ଜୀବନର ଆଶ

।।

ଅଷ୍ଟାବିଂଶ ଅଧ୍ୟା ଦଶମେ

ସୁରଭୀ ଘେନି ମଘବାନେ

।।

ସ୍ତୁତି କରଇ କୃଷ୍ଣେ ଚାହିଁ

ବୋଲଇ ଶିରେ କରଦେଇ

।।

ଭୋ ନାଥ ଶୁଣ ପଦ୍ମନାଭ

ଇନ୍ଦ୍ର ଯେ କଲା ଅପରାଧ

।।

ଘୋର ବରଷଣ ବିବାଦେ

ଦ୍ରୋହ ଯେ କଲା ପଦ୍ମପାଦେ

।।

ସମ୍ପଦ ଦେଇଅଛୁ ତାରେ

ଏବେ ଶରଣ ଗଲା ତୋରେ

।।

ଲୁଚି ଅଛଇ ମୋର ପଛେ

ଭୋନାଥ ଦେଖିବା ପ୍ରତ୍ୟକ୍ଷେ

।।

ଶୁଣି ଚାହିଁଲେ ମାୟାଧର

ବାସବ ପଡ଼ିଲା ପୟର

।।

ଭୟେ କମ୍ପଇ ତାର ଦେହୀ

ବଚନ ନ ପାରଇ କହି

।।

ପୁଣି ଉଠିଲା ଭୟ ଚିତ୍ତେ

କର ଅଞ୍ଜଳି ଦେଇ ମାଥେ

।।

ଶିର ନିବେଶି ପଦ୍ମପାଦେ

ବୋଲଇ ଶୋକ ଗଦଗଦେ

।।

ଭୋନାଥ ଦେବ ନିରଞ୍ଜନ

ଜ୍ୟୋତି ପ୍ରକାଶ ମହାଶୂନ୍ୟ

।।

ଗୁଣ ପ୍ରକାଶ ତୋର ନାହିଁ

ଭକତ ହିତେ ତୋର ଦେହି

।।

ମାୟା ମୋହିତ ଭବଜଳେ

ତୋର ବିହାର ଯୋଗବଳେ

।।

ଲୋଭର ମୂଳ ଷଡ଼ଐରୀ

ତୋହର ମହିଁମା ପାଶୋରି

।।

ଜଗତେ ହ୍ୱନ୍ତି ଆତଜାତ

ତୋହର ମାୟାରେ ଅନନ୍ତ

।।

ତୁହି ସେ ମାୟାକୁ ଆବୋରି

ଶରୀର ବହୁ ନରହରି

।।

ଦୁଷ୍ଟକୁ ଦଣ୍ଡିବାର ଆଶେ

ଜଗତ ରଖୁ ତୁ ବିଶ୍ୱାସେ

।।

ଜଗତ ଜନନୀ ପିଅର

ତୁ ଦଣ୍ଡଧର ଦାମୋଦର

।।

ତୋହର ସମ୍ପଦ ଆବୋରି

ଗର୍ବ ଯେ କରନ୍ତି ମୁରାରି

।।

ତୁ ଜାତ ହେଉ ଏ ସଂସାରେ

ତାହାଙ୍କ ଗର୍ବ ଗଞ୍ଜିବାରେ

।।

ମୋହର ପ୍ରାୟେ ନରହରି

ଯେ ତୋର ସମ୍ପଦ ଆବୋରି

।।

ଦୁଷ୍ଟ ଦଳନ ଦେଖି ତୋତେ

ଏବେ ଡରନ୍ତି ଭୟ ଚିତ୍ତେ

।।

ପୁଣି ଭଜନ୍ତି ସାଧୁପଥେ

ଫଳନାଶନ ଦେଖି ତୋତେ

।।

ଏବେ ମୁଁ କଲି ଅପରାଧ

ଭୋନାଥ ତୋର ପଦ୍ମପାଦ

।।

ଏ ଅପରାଧ କ୍ଷମାକର

ଭୋନାଥ ଶରଣ ତୋହର

।।

ଅଜ୍ଞାନମତେ ଭୋଗପାଇ

ଭୋଳ ହୋଇଲି ଭାବଗ୍ରାହୀ

।।

ଭାରା ନିବାରେ ତୋର ଜାତ

ତୋହର ସଞ୍ଚିଲା ଜଗତ

।।

ଅସୁର ବଳ ନାଶକରି

ସାଧୁକୁ ରଖ ନରହରି

।।

ନମଇଁ ପରମ ମଙ୍ଗଳ

ପରମ ଆତ୍ମା ଆଦିମୂଳ

।।

ନମଇଁ ବସୁଦେବ ସୁତ

ଯାଦବ ବଂଶ ଦଇବତ

।।

ଶୁଦ୍ଧ ସୁଚିତ୍ତ ଦିବ୍ୟଜ୍ଞାନ

ଇଚ୍ଛାରେ ହେଉ ଉତପନ୍ନ

।।

ସକଳ ଜୀବ ଆଦି ପିତା

ନମଇଁ କଇବଲ୍ୟ ଦାତା

।।

ତୋହରେ ଇନ୍ଦ୍ରପଦ ମୋତେ

ଦ୍ରୋହ ଚିନ୍ତିଲି ସ୍ୱାମି ତୋତେ

।।

ଅଳପ ଲୋକ ମୁଁ ସ୍ୱଭାବେ

ମୋତେ ଥୋଇଲୁ ଇନ୍ଦ୍ରପଦେ

।।

ମୋ ଛାର ନୁହଇ ଭାଜନ

ତୁକି ନ ଜାଣୁ ଭଗବାନ

।।

ଅଳପ ଲୋକେ ସୁଖ ଦେଲେ

ଆବୋରି ନ ପାରନ୍ତି ଭଲେ

।।

ଏବେ ହୋଇଲି ଅପରାଧୀ

ତୁ ନାଥ କରୁଣାବାରାଧି

।।

ତୋର ଚରଣୁ ନାହିଁ ଆନ

ଶରଣ ରଖ ଭଗବାନ

।।

ଏହି ଅଧ୍ୟାରେ ପୁଣ ସ୍ତବ

କରେ ସୁରଭୀ ଲଭି ଭାବ

।।

ତକ୍ଷଣେ ଲକ୍ଷେ ରୂପ ହୋଇ

ସ୍ତୁତି କରଇ କୃଷ୍ଣ ଚାହିଁ

।।

ହେ କୃଷ୍ଣ ପରମ ମଙ୍ଗଳ

ବିଶ୍ୱ ସଂସାରେ ବିଶ୍ୱମ୍ଭର

।।

ତୁ ଆମ୍ଭ ପାଳକ ଗୋପାଳ

ନମସ୍ତେ ପ୍ରଭୁ ଆଦିମୂଳ

।।

ଆମ୍ଭର ଇଷ୍ଟ ଅଟୁ ତୁହି

ତୋ ତହୁଁ ଅନ୍ୟ ଗତି ନାହିଁ

।।

ଗୋରୁ ଗୋପାଳ ଦେବଙ୍କର

ତୁ ନାଥ ଶରଣ ସୋଦର

।।

ବ୍ରହ୍ମାର ବଚନେ ମୁଁ ତୋତେ

ପୂଜିବି ଅଭିଷେକ ମତେ

।।

ତୁ ନାଥ ଗୋକୁଳର ଇନ୍ଦ୍ର

ନାମ ମୁଁ ଦେବଇଁ ଗୋବିନ୍ଦ

।।

ଭଣଇ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେ ସୁଜ୍ଞଜନେ ଆଜ୍ଞାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତ ବାକ୍ୟେ

ନାମ ଦ୍ୱାବିଂଶୋଽଧ୍ୟାୟଃ ।

Image

 

ସ୍ତବକଳ୍ପଦ୍ରୁମ

ତ୍ରୟୋବିଂଶ ଅଧ୍ୟାୟ

 

ଦଶମସ୍କନ୍ଧ ଊନତ୍ରିଂଶ

ଅଧ୍ୟାୟେ ସ୍ତବ ଜଳଈଶ

।।

ପୁଣି ପଡ଼ିଲା ପଦ୍ମପାଦେ

ବୋଲଇ ଶୋକ ଗଦେ ଗଦେ

।।

ଆଜ ଜୀବନ ମୋର ଧନ୍ୟ

ଦେଖିଲି ପ୍ରଭୁ ଭଗବାନ

।।

ପୁତ୍ର କୁଟୁମ୍ୱ ଘରଦ୍ୱାର

ସୁଫଳ ହୋଇଲା ମୋହର

।।

ତୋହର ପାଦରଜ ପାଇ

ଜନ୍ମ ମରଣେ ଭୟନାହିଁ

।।

ବ୍ରହ୍ମା ଶଙ୍କର ଇନ୍ଦ୍ର ନିତ୍ୟେ

ନାମ ଜପନ୍ତି ଅବିରତେ

।।

ତୋହର ପଦ ଧ୍ୟାନ କରି

ସୁଖେ ତରନ୍ତି ଭବବାରି

।।

ଅରୂପ ହୋଇ ରୂପ ରାଶି

ମନୁଷ୍ୟ ରୂପ ପରକାଶି

।।

ଏ ରୂପ ଦେଖିବାର ପାଇଁ

ନିଶ୍ଚେ ମୁଁ ହୃଦରେ ଗୁଣଇ

।।

ବୋଲଇ ନନ୍ଦକୁ ଆଣିବି

କୃଷ୍ଣ ଚରଣକୁ ପୂଜିବି

।।

ଯେ ଯାହା ମନରେ ବାଞ୍ଛନ୍ତି

ତୁ ତାହା ଦେଉ ଦାଶରଥି

।।

ମୋହର ମନ ବାଞ୍ଛା ପୂରି

ଚରଣ ଦେଖିଲି ମୁରାରି

।।

ଭୋନାଥ ଗର୍ବ ମୁହିଁ ବହି

ତୋହର ପିତାକୁ ଅଣାଇ

।।

ତୋତେ ଦେଖିବା ମୋର ସଧ

ଭୋ ନାଥ କଲି ଅପରାଧ

।।

କ୍ଷେମା ସାଗର ନରହରି

ଶରଣ ରକ୍ଷଣ ମୁରାରି

।।

ଏଣୁ ବହୁତ ପ୍ରତିଆଶ

ଜଗି ଅଛଇ ପୀତବାସ

।।

ନନ୍ଦକୁ ଆଣିଲେ ମୋ କାର୍ଯ୍ୟ

ସିଦ୍ଧି ହୋଇବ ଦେବରାଜ

।।

ଆଣିଲି ତୋହଭାବ ଚିତ୍ତେ

ଚରଣ ପୂଜିବା ନିମନ୍ତେ

।।

ତିରିଶି ଅଧ୍ୟ ରେ ଯେ ଗୋପୀ

ଶ୍ରୀକୃଷ୍ଣ ବଦନ ନିରୋପି

।।

ଶିର ଲଗାଇ ପଦ୍ମପାଦେ

ବୋଲଇ ଶୋକ ଗଦଗଦେ

।।

ଭୋ ନାଥ ଶୁଣ ଭାବଗ୍ରାହି

ଏମନ୍ତ ବୋଲୁ କାହିଁପାଇଁ

।।

ତୁ କହୁ ଯଶୋଦା ନନ୍ଦନ

ଅନାଦି ଜ୍ୟୋତି ନିରଞ୍ଜନ

।।

ଆମ୍ଭେ ଅଭାଗୀ ଦୁଃଖୀ ନାରୀ

ଆଉକି ଯିବୁଁ ଗୋପପୁରୀ

।।

ଛାଡ଼ିଲୁଁ ବିଷୟା ବିଷାଦ

ପାଇ ତୋହର ପଦ୍ମପାଦ

।।

ଆମ୍ଭଙ୍କୁ ତେଜୁ କାହିଁପାଇଁ

ତୋ ତହୁଁ ଅନ୍ୟଗତି ନାହିଁ

।।

ତୋପାଦ ପଙ୍କଜର ମୂଳେ

ଜ୍ଞାନୀ ଚିନ୍ତନ୍ତି ଅନ୍ତକାଳେ

।।

ସେ ପାଦପଦ୍ମ ଆମ୍ଭେ ପାଇ

କାହିଁକି ଯିବୁ ଭାବଗ୍ରାହି

।।

ତୋହର ପାଇଁ ଦାମୋଦର

ଛାଡ଼ିଲୁ ସୁତ ପତି ଘର

।।

ବହନ୍ତି ଯେ ତୋହର ନାମ

ତାହାଙ୍କୁ ନାହିଁ ଦୁଃଖ ଶ୍ରମ

।।

ଆମ୍ଭେ ତୋ ପାଦେ ଚିତ୍ତ ଦେଇ

ନିରାଶ ହୋଇଲୁ ଗୋସାଇଁ

।।

ଉଭୟେ ନ ପାଇଲୁ କୂଳ

ତୁ ଯେ ବୋଲାଉ ଆଦିମୂଳ

।।

ଧର୍ମ୍ମଦେବତାଙ୍କର ଗୁରୁ

ତୋର ମହିମା ମହାମେରୁ

।।

ଯାହା କହିଲୁ ବେଦମତେ

ଭୋ ନାଥ ଶୁଣ ଏକଚିତ୍ତେ

।।

ସ୍ତିରୀ ଜନ୍ମର ସାଧୁପଣ

ସେବିବ ସ୍ୱାମିଙ୍କ ଚରଣ

।।

ଏକଥା ଉଚିତ ଆମ୍ଭର

ଭୋ ନାଥ ଶୁଣ ବେଦସାର

।।

ତୁ ସେ ସକଳ ପ୍ରାଣିଙ୍କର

ଦେହ ଜୀବନର ଠାକୁର

।।

ଯେ ପ୍ରାଣୀ ତୋହରେ ଭଜଇ

ତାହାର ଜନ୍ମ ବଧ କାହିଁ

।।

ଅନେକ ପୁଣ୍ୟ କରିଥିଲେ

ତୋ ନାମ ଧରେ ଅନ୍ତକାଳେ

।।

ଅଭୟ ବ୍ରହ୍ମେ ସେ ପଶନ୍ତି

ଆମ୍ଭର କାହିଁ ମନଭ୍ରାନ୍ତି

।।

ଆଉକି ଗୋପପୁର ଯିବୁ

ପତିତନୟ ଆବୋରିବୁଁ

।।

ଆମ୍ଭର ତେଣେ ନାହିଁ ଆଶା

ତୋ ନାମ କରିଛୁ ଭରସା

।।

ମନ କି ନ ଜାଣୁ ଆମ୍ଭର

ଆଶା ବିଶ୍ରାମ ବାନା ତୋର

।।

କାଳନ୍ଦିତୀରେ ନୃତ୍ୟକରି

ପୂଜିଲୁ ଶଙ୍କର ଗଉରୀ

।।

ବର ମାଗିଲୁ ଆମ୍ଭେ ଯାହା

ଭୋ ନାଥ ନ ଜାଣୁ କି ତାହା

।।

ଆମ୍ଭର ବସ୍ତ୍ର ଚୋରୀକରି

ତୁ ଯେ ବୋଲାଉ ନରହରି

।।

ରମିବି ବୃନ୍ଦାବନେ ମୁହିଁ

ନିୟମ କଲୁ ବେଣୁ ଛୁଇଁ

।।

ଆମ୍ଭର ସାକ୍ଷ ଏ ମୁରଲୀ

କିପାଁ ପାସୋରୁ ବନମାଳୀ

।।

ତୋହର ଯେବେ ଦୟା ନାହିଁ

କିପାଁ ରାଇଲୁ ବେଣୁ ବାଇ

।।

ଆମ୍ଭର ମନ ନିଜ ଘରେ

ବୁଡ଼ାଇଥିଲୁ ମୁହାସରେ

।।

ଶ୍ରବଣେ ମୁରଲୀ ଶୁଭିଲା

କର ଚରଣ ନ ଚଳିଲା

।।

ଜୀବନ ହାରିଲୁ ଆମ୍ଭର

ଏବେତ କହିଲୁ ନିଷ୍ଠୁର

।।

ଭୋନାଥ କର ପ୍ରାଣରକ୍ଷା

ଆମ୍ଭେ ପାଇଲୁ ବେଣୁ ଦୀକ୍ଷା

।।

ତୋର ଅଧରୁ ସୁଧାରସ

ଆମ୍ଭର ମୁଖରେ ବରଷ

।।

ଜୀବନ ରଖ ନନ୍ଦବାଳ

ଆମ୍ଭର ପୂରିଲାଟି କାଳ

।।

କ୍ରୋଟ ଅନଳ ପ୍ରାୟ ହୋଇ

କାମ ଅନଳ ହୃଦେ ଦହି

।।

ଲିଭାଅ ମୁଖ ରସ ଦେଇ

ଦାସ ବତ୍ସଳ ଭାବଗ୍ରାହୀ

।।

ଯେବେ ନ ରଖୁ ବନମାଳୀ

ମରିବୁ ସକଳ ଗୁଆଳୀ

।।

ହତ୍ୟା ହୋଇବ ତୋର କନ୍ଧେ

ଶୁଣି ହସନ୍ତି ଆଦିକନ୍ଦେ

।।

ଗୋପୀ ବୋଲନ୍ତି କୃଷ୍ଣ ଚାହିଁ

ପୂତନା ପ୍ରାଣ ଅଛୁ ଖାଇ

।।

ତୁ କାହିଁ ରଖିବୁ ଆମ୍ଭନ୍ତ

ଏ ବନେ ହେଲୁ ତୁ କୃତାନ୍ତ

।।

ମରିବୁ ତୋହର ଉପରେ

ଜୀବନ ନ ରହେ ଶରୀରେ

।।

ଭୋ ନାଥ ତୋହର ପୟରେ

କମଳା ସେବେ ନିରନ୍ତରେ

।।

ଆମ୍ଭର ପ୍ରିୟ ଅଟୁ ତୁହି

ଆଶା ନ ଛେଦ ଭାବଗ୍ରାହୀ

।।

ତୋହର ପାଦର ତୁଳସୀ

ମାଳାକରିବୁ ବ୍ରହ୍ମରାଶି

।।

କବରୀଭାର ସଜକରି

ତୋପାଦେ ସେବିବୁ ମୁରାରି

।।

ତୋହର ପାଦ ଦୃଢ଼ ଚିତ୍ତେ

ମୁନିଏ ଖୋଜୁଥାନ୍ତି ନିତ୍ୟେ

।।

ସେପାଦେ ପଶିଲୁ ଶରଣ

ଜୀବନ ରଖ ନାରାୟଣ

।।

ତୋର ଚରଣ ନରହରି

ସ୍ତନ ବଦନ ଶିରେ ଧରି

।।

ଆମ୍ଭର ତାପ ହୃଦୁ ଯିବ

ଶରଣ ରଖ ପଦ୍ମନାଭ

।।

ଭୋ ନାଥ ତୋର ମୁଖ ଦେଖି

ପିଛାଡ଼ି ନ ପାରୁ ଯେ ଆଖି

।।

ତୋହର ରୂପ ହୃଦେ ଗୁଣି

ବ୍ରହ୍ମାଣ୍ଡେ ଯେତେକ ତରୁଣୀ

।।

କେ ଦେହ ଧରିବ ନିର୍ଭରେ

ଶୁଣିଲା ନାହିଁ ତିନିପୁରେ

।।

ତୋହର ରୂପ ଦେଖି ବନେ

ପୁଲକ ହ୍ୱନ୍ତି ତରୁମାନେ

।।

ଭଣଇଁ ବଳଭ୍ରଦ ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ ଆଜ୍ଞାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତ ବାକ୍ୟେ ନାମ

ତ୍ରୟବିଂଶୋଽଧ୍ୟାୟଃ ।

Image

 

ଚତୁର୍ବିଂଶ ଅଧ୍ୟାୟ

 

ଦଶମ ଦ୍ୱାତ୍ରିଂଶ ଅଧ୍ୟାରେ

ଗୀତାଏ ଗୋପୀ ସ୍ତବ କରେ

।।

ଭୋନାଥ ଯଶୋଦା କୁମର

ତୋ ଜନ୍ମକାଳୁ ଗୋପପୁର

।।

ଦରିଦ୍ର ଦୁଃଖିତ ନ ଜାଣି

ଆମ୍ଭର ଘରେ କମଳିନୀ

।।

ଅନେକ ହୋଇଲା ସମ୍ପଦ

କେ କହୁ ଆମ୍ଭର ଆନନ୍ଦ

।।

ଆମ୍ଭ ଜୀବନ ଅଟୁ ତୁହି

ତୋ ତହୁଁ ଆନ ଗତି ନାହିଁ

।।

ତୋର ସମ୍ପଦ ଭୋଗକରି

ତୋ ମୁଖ ଚାହିଁ ଦିନ ହରି

।।

ମୁରଲୀ ନାଦେ ଅଣାଇଲୁ

ମୁଖୁ ଅମୀୟ ରସ ଦେଲୁ

।।

ଘୋର ଗହନ ବନେ ଥୋଇ

ଅନାଥ କରିଗଲୁ କାହିଁ

।।

ଏବେ ଦେଖାଅ ପଦ୍ମମୁଖ

ଆମ୍ଭ ଜୀବନ ବାରେ ରଖ

।।

ତୋହର ଆମ୍ଭେ ପରିବାରୀ

ଏ ବନେ ତୋତେ ଅନୁସରି

।।

ଆମ୍ଭର ଆରତ ବିନାଶୁ

କୋଟିଏ କାମ ପ୍ରାୟେ ଦିଶୁ

।।

ତୋର ସେବକ ଆମ୍ଭେମାନେ

ତୋ ମୁଖ ନ ଦେଖି ନୟନେ

।।

ପଥ ନ ଦିଶେ ରାତ୍ରକାଳେ

ବୁଡ଼ାଇଗଲୁ ଶୋକଜଳେ

।।

ଭୋ ନାଥ କାଳ ଲୋଚନ

ଦେଖାଅ ନିର୍ମଳ ବଦନ

।।

ତୋ ମୁଖ କମଳର ତେଜେ

ପଦ୍ମ କୁମୁଦ ଲକ୍ଷ୍ମୀ ଗଞ୍ଜେ

।।

ସେ ଧନେ କିଣିଲୁ ଆମ୍ଭନ୍ତ

ଏ ବନେ କଲୁ ତୁ ଅନାସ୍ତ

।।

ସୁରତିନାଥ ତୁ ଆମ୍ଭର

କିଣିଲା ଦାସୀ ଆମ୍ଭେ ତୋର

।।

ଯାହାକୁ କିଣି ଧନ ଦେଇ

କେ ତାହା ଛାଡ଼େ ଭାବଗ୍ରାହୀ

।।

ସେ କି ନୁହଇ ତାର ବଧ

ବେଦ ପୁରାଣେ ହୋଏ ବାଦ

।।

ଅନେକ ଦୁଃଖୁଁ ଅଛୁ ରଖି

ଏ ବନେ କଲୁ ନିରୀମାକ୍ଷି

।।

ବିଷଉଦକ ଅଘାସୁର

ଇନ୍ଦ୍ର ବରଷା ମହାଘୋର

।।

ବନ ଅନଳ ଷଣ୍ଢା ମୁଖୁଁ

ତୁ ନାଥ ରଖିଛୁ ଆମ୍ଭଙ୍କୁ

।।

ତୋହର ପାଦ ଆଶ୍ରେକରି

ଜନ୍ମ ମରଣକୁ ନ ଡରି

।।

ତୁ ନୋହୁ ଯଶୋଦା କୁମର

ଜୀବନ ଅଟୁ ପ୍ରାଣୀଙ୍କର

।।

ସକଳ ଜନ୍ତୁ ହୃଦେ ଥାଇ

ଅନ୍ତର ଜାଣୁ ଭାବଗ୍ରାହୀ

।।

ତୋତେ ଚିନ୍ତିଲା ବେଦବର

ନାଶିଲୁ ଅବନୀର ଭାର

।।

ତେଣୁ ଯାଦବକୁଳେ ଜାତ

ତୋହର ନାହିଁ ଆଦି ଅନ୍ତ

।।

ଭୋ ବିଷ୍ଣୁ ବଂଶ ଚୂଡ଼ାମଣି

ଆମ୍ଭର ଶିରେ ଦିଅ ପାଣି

।।

ତୋହର କରେ ବ୍ରହ୍ମରାଶି

ଶରଣ ଜନ ଭୟ ନାଶି

।।

ପଦ୍ମହୁଁ ଅତି ସୁକୁମାର

କମଳା ବରିଅଛି ବର

।।

ତୋହର ପଦ୍ମପାଦ ଦୁଇ

ବନେ ଗୋରୁଙ୍କ ପଛେ ଥାଇ

।।

ପ୍ରାଣୀଙ୍କ ଦେହୁଁ ପାପ ନାଶେ

ଜଳଧି ତନୟା ବିଶ୍ୱାସେ

।।

ସହସ୍ରେ ଫଣା କାଳୀୟର

ସୁନ୍ଦର କଲା ଚିତ୍ରକର

।।

ଆମ୍ଭର କୁଚେ ତା ଲଗାଅ

କାମ ଅନଳ ତୁ ଲିଭାଅ

।।

ତୋହର ମଧୁର ବଚନ

ହୃଦେ ଭାବନ୍ତି ମୁନିଜନ

।।

ଆମ୍ଭେ ତୋହର ପରିବାରୀ

ମୂର୍ଚ୍ଛିତ ହୋଇଲୁ ମୁରାରୀ

।।

ତୋର ଅଧରୁ ରସ ଦେଇ

ଜୀବନ ରଖ ଭାବଗ୍ରାହୀ

।।

ତୋର ଚରିତ ସୁଧା ବାରି

ସ୍ତୁତି କରନ୍ତି ବ୍ରହ୍ମଚାରୀ

।।

ଜନ୍ମ ମରଣ ତାପ ନାଶେ

ଦୁରିତମାନ ଦେହୁଁ ଧ୍ୱଂସେ

।।

ମଙ୍ଗଳ କରେ ଶ୍ରୁତିପଥେ

ଶବ ଜପଇ ଅବିରତେ

।।

ତେଣେ ଯେ ହୋନ୍ତି ଉନମତ୍ତା

ସେ ନର ଚଉବର୍ଗ ଦାତା

।।

ତୋହର ହର୍ଷିତ ବଦନ

କୋମଳ ମଧୁର ବଚନ

।।

ଧ୍ୟାନେ ମଙ୍ଗଳ ବନେ ରୂପ

ଏକାନ୍ତ କଥା ହୃଦେ ତାପ

।।

କପଟ ପ୍ରାୟେ ତୋର ଗତି

ଆମ୍ଭର ମନ ଏ ଦହନ୍ତି

।।

ତୁ ନାଥ ଗୋରୁଙ୍କର ମେଳେ

କାନନେ ଯାଉ ଯେତେବେଳେ

।।

କୋମଳ ପାଦପଦ୍ମ ଚାହିଁ

ଆମ୍ଭର ହୃଦୟ ଦହଇ

।।

କାଷ୍ଠ ପାଷାଣ ତୃଣ ଲାଗି

ନପୁଣ ହୁଏ ଦୁଃଖଭାଗୀ

।।

ଯେବେ ଲୋଚନେ ଦେଖୁ ତାହା

ତେବେ ସେ ସ୍ଥିର ହୁଏ ହିଆ

।।

ବନୁ ଯେ ଆସୁ ଦିନ ଅନ୍ତେ

ବାହାର ହୋଇ ଦେଖୁ ପଥେ

।।

କପୋଳେ କୁଟିଳ କୁନ୍ତଳ

ହୃଦେ ଲମ୍ୱଇ ବନମାଳ

।।

ଗୋରଜ ଦେଖି ତୋର ଦେହେ

ଆମ୍ଭ ଜୀବନ କାମ ଦହେ

।।

ତୋର ଅଭୟ ପଦ୍ମପାଦ

ଶରଣଜନଙ୍କ ସମ୍ପଦ

।।

କମଳା ଦଣ୍ଡେ ନ ଛାଡ଼ଇ

ଆପଦ କାଳେ ଯାହା ଧ୍ୟାଇ

।।

ରଖ ଆମ୍ଭଙ୍କୁ ହସ୍ତ ଦେଇ

ତୋର ଚରଣେ ସର୍ବଗୋଈ

।।

ତୋର ଅଧର ସୁଧାରସ

ଦେଇ ଆମ୍ଭର ମନ ତୋଷ

।।

ସୁରତି ପଣେ ବଳିୟାର

ଶୋକନାଶନ ପ୍ରାଣିଙ୍କର

।।

ସୁସ୍ୱରେ ବେଣୁନାଦ ସ୍ଫୁରେ

ଜନ୍ମ ମରଣ ତାପ ହରେ

।।

ଗୋରୁ ଚରାଇ ଯାଉ ବନେ

ତୋତେ ନ ଦେଖିଲେ ନୟନେ

।।

ନିମିଷ ଯୁଗ ପ୍ରାୟେ ମଣୁ

ଗୁରୁ ଗୌରବ ତ ନ ଗଣୁ

।।

ତୁ ଯେତେବେଳ ଗୋପେ ପଶୁ

ପଥେ ମୁରଲୀ ନାଦଘୋଷୁ

।।

କୁଟିଳ କୁନ୍ତଳ ବଦନ

ଦେଖି ନ ଚଳଇ ନୟନ

।।

ପତି ତନୟ ବନ୍ଧୁ ଭାଇ

ଆମ୍ଭେ ତେଜିଲୁ ତୋରପାଇଁ

।।

ସୁସ୍ୱରେ ଗାଉ ବେଣୁ ଗୀତ

ଆମ୍ଭେ ହୋଇଲୁ ମୂରୁଛିତ

।।

ରାତ୍ରେ ଆଣିଲୁ ଘୋରବନେ

ଆମ୍ଭନ୍ତ ତେଜିଲୁ କେସନେ

।।

ଏଡ଼େ ନିର୍ଦ୍ଦୟା ହୃଦ ତୋର

ବିଶ୍ୱାସି ନାଶିଲୁ ଆମ୍ଭର

।।

ଶୁଣି ତୋ ଏକାନ୍ତ ବଚନ

ହୃଦୟ ଦହଇ ମଦନ

।।

ଅଳପ ହାସ ମୁଖ ଦେଖି

ପିଛାଡ଼ି ନପାରୁ ଯେ ଆକ୍ଷି

।।

ତୋର ଶ୍ରୀମୁଖକୁ ଅନାଇଁ

ଆମ୍ଭର ମନ ଏ ଦହଇ

।।

ଆମ୍ଭ ଆରତ ଖଣ୍ଡିବାରେ

ତୋହର ଜନ୍ମ ଗୋପପୁରେ

।।

ସୁଫଳ କରଇ ସଂସାର

ଦେହୁଁ ଗଞ୍ଜଇ ତମଘୋର

।।

ତୋ ପାଦୁଁ ଅନ୍ୟ ଗତି ନାହିଁ

ନିରାଶ ନକର ଗୋସାଇଁ

।।

ଯେବଣ ପାଦ ଆମ୍ଭେ ଧରି

ସ୍ତନରେ ଚାପୁଁ ଗୋପନାରୀ

।।

କଠିନ ସ୍ତନ ଯେ ଆମ୍ଭରି

ପ୍ରାସ କରଇ ବୋଲି ଡରି

।।

ସେ ପାଦ ଘେନି ତୃଣାଙ୍କୁରେ

ଏବେ ଚାଲିବୁଁ ବନଘୋରେ

।।

ନପୁଣ କ୍ଷତ ହୋଏ ପାଦ

ମନରେ ଯାଉଛୁ ବିଷାଦ

।।

ଭଣଇ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ ଆଜ୍ଞାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବ କଳ୍ପଦ୍ରୁମେ ଶ୍ରୀମଦ୍ଭାଗବତ ବାକ୍ୟେ

ନାମ ଚତୁର୍ବିଂଶୋଽଧ୍ୟାୟଃ ।

Image

 

ପଞ୍ଚବିଂଶ ଅଧ୍ୟାୟ

 

ଦଶମ ପଞ୍ଚତ୍ରିଂଶୋଧ୍ୟାୟେ

ନନ୍ଦ ଯେ ଅଜଗର ଭୟେ

।।

ସର୍ପ ଉଦରେ ଥାଇ ନନ୍ଦ

ବିକଳେ ଡାକଇ ଗୋବିନ୍ଦ

।।

ହେ କୃଷ୍ଣ ସର୍ପ ବଳିଆର

ଗିଳିଲା ମୋହର ଶରୀର

।।

ବହନ ଆସ ବେନି ଭାଇ

ପିତା ତୁମ୍ଭର ନାଶ ଯାଇ

।।

ଦଶମ ଚାଳିଶ ଅଧ୍ୟାରେ

ନାରଦ ଅତି ଆନନ୍ଦରେ

।।

କେଶୀ ମରଣ ଦେଖି ହସି

ଆସି ମିଳିଲେ ବ୍ରହ୍ମଋଷି

।।

ଏକାନ୍ତେ ଦେଖି ନରହରି

ସ୍ତୁତି କରନ୍ତି ପାଦ ଧରି

।।

ଉଠି ଗୋବିନ୍ଦ ମୁଖ ଚାହିଁ

ବୋଲନ୍ତି ଶିରେ କର ଦେଇ

।।

ଭୋ କୃଷ୍ଣ ପ୍ରଭୁ ଯୋଗେଶ୍ୱର

ଯାଦବ ବଂଶର ଠାକୁର

।।

ଅଶେଷ ଜନ୍ତୁ ହୃଦଗତେ

ଜ୍ଞାନୀ ଚିନ୍ତନ୍ତି ଯୋଗମତେ

।।

ଜ୍ୟୋତି ସ୍ୱରୂପ ନିରଞ୍ଜନ

ସକଳ ଆତ୍ମାରେ ଅଭିନ୍ନ

।।

ମନ ବୁଦ୍ଧିରେ ଅଗୋଚର

ତୁ ଆତ୍ମା ପୁରୁଷ ଈଶ୍ୱର

।।

ତୋହର ମାୟା ତୁ ଆବୋରି

ଶରୀର ଧରୁ ନରହରି

।।

ସଂସାର କରୁ ତୁ ଭିଆଣ

ସୃଷ୍ଟି ପାଳନ ସଂହାରଣ

।।

ଭରା ନିବାରେ ଦେହ ବହି

ସାଧୁଙ୍କୁ ରଖୁ ଭାବଗ୍ରାହି

।।

ଲୀଳାଏ ମାଇଲୁ ଅସୁର

ଦେଖି ଡରନ୍ତି ସୁରନର

।।

ଦେବେ ନ ରହନ୍ତି ଆକାଶେ

ଏ କେଶୀ ଦଇତ୍ୟର ତ୍ରାସେ

।।

ଭୋ ନାଥ ଶୁଣ ଚକ୍ରଧର

ମାରିବୁ ମୁଷ୍ଟିକ ଚାଣୁର

।।

ଧନୁ ଭାଞ୍ଜିବୁ ବାମକରେ

ହସ୍ତୀ ମାରିବୁ ରଙ୍ଗଦ୍ୱାରେ

।।

କଂସ ମାରିବୁ ଚାରିଦିନେ

ରାଜ୍ୟ ନିବେଶ ଉଗ୍ରସେନେ

।।

କଂସର ଅଷ୍ଟମଲ୍ଲ ନାଶି

ଯାଦବ ବଂଶକୁ ଆଶ୍ୱାସି

।।

ବାଳଦମନ ଷଣ୍ଢାସୁର

ସୁର ନାରକା ବେଗେ ମାର

।।

ଇନ୍ଦ୍ର ଭୁବନ ପାରିଜାତ

ବଳେ ଆଣିବୁ ଗୋପୀନାଥ

।।

ବୀର ରାଜାଙ୍କ କନ୍ୟା ଆଣି

ବିଭା ହୋଇବୁ ଚକ୍ରପାଣି

।।

ଜରାସନ୍ଧର ଭୟେ ଯାଇଁ

ସମୁଦ୍ରେ ଦ୍ୱାରକା ଭିଆଇ

।।

ନୃଗ ରାଜାଙ୍କୁ ଦେବୁ ସୁଖ

ନାଶିବୁ କୃକଲାଶ ରୂପ

।।

ତୋହର ପୁରେ ଶକ୍ରାଜିତ

ତୋତେ ବରିବ ଗୋପୀନାଥ

।।

ସତ୍ୟଭାମାର ତୁଲେ ମଣି

ତୋହର ତୁଲେ ଦେବେ ଆଣି

।।

ଘୋର ଦଇତ ପୁଣ୍ଡରୀକ

ତାହାକୁ ଦେବୁ ଆତ୍ମାସୁଖ

।।

ଦହନ କରି କାଶୀ ପୁର

ମାରିବୁ ଦନ୍ତବକ୍ରବୀର

।।

ପାଣ୍ଡବ ଯଜ୍ଞସଭାତଳେ

ଚକ୍ରେ ଛେଦିବୁ ଶିଶୁପାଳେ

।।

ଦ୍ୱାରକାପୁରେ ବନମାଳି

ଯେତେ କରିବୁ ସୁଖ କେଳି

।।

ମୁଁ ତାହା ଦେଖିବି ଲୋଚନେ

ପୁରାଣେ ଶୁଣି ଅଛି କର୍ଣ୍ଣେ

।।

ଅର୍ଜୁନ ରଥେ ତୁ ସାରଥି

ମୁଁ ପୁଣି ଥିବି ତୋର କତି

।।

ଅନେକ ରାଜା ସୈନ୍ୟବଳ

ସଂହାର କରିବୁ ଗୋପାଳ

।।

ସାଧୁ ବିବେକ ନିରଞ୍ଜନ

ଆଦି ଅନାଦି ଠୁଳ ଶୂନ୍ୟ

।।

ଅଶେଷ ପୁଣ୍ୟଫଳ ଦାତା

ତୁମ୍ଭେ ଜଗତ ପିତା ମାତା

।।

ଆପଣା ତେଜେ ମାୟା କରି

ଗୁଣେ ପ୍ରକାଶ ନରହରି

।।

ମନୁଷ୍ୟ ରୂପେ ଅବତାର

ଯାଦବ ବଂଶର ଠାକୁର

।।

ଦଶମସ୍କନ୍ଧ ତେୟାଳିଶି

ଅଧ୍ୟରେ ସ୍ତବ ହୃଦେ ଘୋଷି

।।

ଅକ୍ରୁର ଶିରେ କରଦେଇ

ବୋଲଇ କୃଷ୍ଣମୁଖ ଚାହିଁ

।।

ନମଇଁ ଅନାଦି ପୁରୁଷ

ଅଖିଳ ଜ୍ୟୋତିର ପ୍ରକାଶ

।।

ମାୟାର ହେତୁ ନାରାୟଣ

ନିର୍ଗୁଣ ପୁରୁଷ ପୁରାଣ

।।

ଅଭୟ ବ୍ରହ୍ମ ନିରାକାର

ବ୍ରହ୍ମା ତୋ ନାଭିରୁ ବାହାର

।।

ତୋହର ତହୁଁ ଏ ଜଗତ

ଏକେ ହୁଅନ୍ତି ଆତଯାତ

।।

ପୃଥିବୀ ଉଦକ ଅନଳ

ପବନ ଆକାଶ ମଣ୍ଡଳ

।।

ମହତ ଆଦି ପଞ୍ଚଭୂତେ

ମନଇନ୍ଦ୍ରିୟ ଜୀବ ମତେ

।।

ଇନ୍ଦ୍ରିୟ ଅର୍ଥେ ସୁରଗଣ

ତୋର ଏ ଜଗତ ଭିଆଣ

।।

ଏମାନେ ତୋହର ଶରୀର

ତୁ ଆଦିଧର୍ମ ନିରାକାର

।।

ବ୍ରହ୍ମାଣ୍ଡ ତୋର ଦେହେ ଥାନ୍ତି

ତୋ ରୂପ କହି ନୋହେ ଶକ୍ତି

।।

ତ୍ରିଗୁଣ ବ୍ରହ୍ମ ଜଡ଼ହୋଇ

ତୋର ସ୍ୱରୂପ ନ ଜାଣଇ

।।

ସନକ ଆଦି ଯୋଗିଜନେ

ପୂଜନ୍ତି ତୋହର ଚରଣେ

।।

ମହା ପୁରୁଷ ଶୂନ୍ୟରୂପ

ଜୀବ ସଞ୍ଚରେ ତିନିତାପ

।।

କର୍ମ ଯୋଗିଏ କର୍ମପଥେ

ତୋତେ ପୂଜନ୍ତି ଯଜ୍ଞମତେ

।।

ଅଖିଳ କର୍ମ ଦେଖି ତୋରେ

ଜ୍ଞାନୀ ସେବନ୍ତି ଜ୍ଞାନ ଭରେ

।।

ନିଶ୍ଚଳ ସମାଧିରେ ମନ

ତୋର ଚରଣେ ଜ୍ଞାନଗମ୍ୟ

।।

ଦେବେ ପୂଜନ୍ତି ଯଜ୍ଞମତେ

ତୋତେ ପୂଜନ୍ତି ତୋରମତେ

।।

ଏକରୁ ଅନେକ ଯେ ରୂପୀ

କେ ତୋତେ ଜାଣଇ ନିରୋପି

।।

ଶିବ ପୁରାଣର ଉକତେ

ଯେ ତୋତେ ପୂଜେ ଶିବମତେ

।।

ଅନେକ ଋଷିଙ୍କ ସଙ୍ଗତେ

ଶଙ୍କର ପୂଜୁଥାନ୍ତି ତୋତେ

।।

ତୁ ନାଥ ସର୍ବ ଦେବମୟେ

ସର୍ବେ ପୂଜନ୍ତି ତୋର ପାଏ

।।

ନାନା ଦେବଙ୍କୁ ଯେ ପୂଜନ୍ତି

ସେ ଭିନ୍ନ ବୁଦ୍ଧି ଆଚରନ୍ତି

।।

ଅନେକ ଯୋଗ କର୍ମେ ଭ୍ରମି

ଫୁଟି ହୁଅନ୍ତି ପଥଶ୍ରମୀ

।।

ନଦୀ ପୂରନ୍ତି ବୃଷ୍ଟି ଜଳେ

ସମୁଦ୍ରେ ହୋନ୍ତି ଏକମେଳେ

।।

ସର୍ବ ଦେବତା ଏହିମତେ

ଭଜନ୍ତି ତୋର ପାଦଗତେ

।।

ତୋର ପ୍ରକୃତି ତହୁଁ ଜାତ

ତାମସରଜ ଗୁଣ ସତ୍ୟ

।।

ଇନ୍ଦ୍ରିୟବଳେ ଗୁଣ ଛନ୍ଦି

ଜନ୍ତୁଏ ମାୟାବଳେ ବନ୍ଦି

।।

ତୋତେ ପାଇବେ ଅବା କାହିଁ

ତୋହର ଆଦିଅନ୍ତ ନାହିଁ

।।

ନମଇଁ ପ୍ରଭୁ ଜ୍ଞାନ ଆଖି

ସକଳ ବୁଦ୍ଧିଙ୍କର ସାକ୍ଷୀ

।।

ଦେବ ମନୁଷ୍ୟ ପଶୁ ଆଦି

ତୋର ମାୟାରେ ଅଛୁ ଛନ୍ଦି

।।

ଅନଳ ତୋର ମୁଖୁଁ ଜାତ

ଚରଣୁ ଅବନି ସମ୍ଭୂତ

।।

ଆଦିତ୍ୟ ତୋହର ନୟନ

ନାଭିରୁ ପ୍ରକାଶେ ପବନ

।।

ଶ୍ରବଣୁ ତୋର ଦଶଦିଶ

ଶିର ତୋହର ସ୍ୱର୍ଗଦେଶ

।।

ଭୁଜ ତୋ ଦଶଦିଗପାଳ

ଉଦର ବଡ଼ବା ଅନଳ

।।

ପଞ୍ଚ ପବନ ତୋର ପ୍ରାଣ

ବୃକ୍ଷ ଔଷଧି ଲୋମଗଣ

।।

ମେଘ ତୋହର କେଶ ଶିରେ

ତୋ ଅସ୍ଥି ନଖ ଗିରିବରେ

।।

ନିମିଷ ହ୍ୱନ୍ତି ଦିବା ରାତି

ତୋହ ବୃଷଣ ପ୍ରଜାପତି

।।

ତେଜ ତୋହର ଦେବରାଜ

ଏ ବୃଷ୍ଟି ବଂଶ ତୋର ବୀର୍ଯ୍ୟ

।।

ଅବ୍ୟୟ ପୂର୍ଣ୍ଣ ନିରଞ୍ଜନ

ତୋ ଦେହେଁ ଚଉଦ ଭୁବନ

।।

ବାସବ ଆଦି ଦେବଗଣେ

ସ୍ଥାବର ଆଦି ଚାରିଜଣେ

।।

ବ୍ରହ୍ମାଣ୍ଡ ତୋହର ଶରୀର

ମାୟା ଯେସନେ ଉଡ଼ୁମ୍ୱର

।।

ମନର ଆଦିଅନ୍ତ ରୂପି

ଜଗତେ ଅଛୁ ନାଥ ବ୍ୟାପି

।।

ସଂସାର ଲୀଳା ଏ ଶରୀର

ଭୋ ତାତ ଯେତେରୂପ ତୋର

।।

ତେଣେ ମଜ୍ଜଇ ହୋଇ ଚିତ୍ତ

ତୋ ଯଶ ଭାବନ୍ତି ଜଗତ

।।

ନମଇଁ ମତ୍ସ୍ୟ ରୂପଧାରୀ

ପ୍ରଳୟ ଉଦକବିହାରୀ

।।

ହୟଶିରୀଷ ତୋ ଶରୀର

ମଧୁକୈଟଭ ଯେ ସଂହାର

।।

କମଠ ରୂପୀ କଳେବର

ନମଇଁ ଶଙ୍ଖ ଚକ୍ରଧର

।।

ନମସ୍ତେ ଗଦା ପଦ୍ମ ତେଜ

ଦିବ୍ୟ ଆୟୁଧ ନାନା ଭୁଜ

।।

ନମୋ ପ୍ରଚଣ୍ଡ ବିଶ୍ୱରୂପି

ଘୋଟିଲୁ ମହା ମହୀ ବ୍ୟାପି

।।

ଦନ୍ତ ଅଗ୍ରତେ ମହୀ ଧରି

ନମଇଁ ପ୍ରଭୁ ଦଇତାରି

।।

ନୃସିଂହ ମୂର୍ତ୍ତି ତୋ ଶରୀର

ତୋ ରୂପ ଜନେ ଉପକାର

।।

ପ୍ରଚଣ୍ଡ ମହାଭୟଙ୍କର

ଆକାଶେ ଲାଗେ ଜଟା ଶିର

।।

ଦଶନ ରଟ ମଟ ଭ୍ରାନ୍ତି

କାଳଚକ୍ରର ରୂପ କାନ୍ତି

।।

ଗର୍ଜନ ନାଦେ ମେଘ ଫୁଟି

ହିରଣ୍ୟଦୈତ୍ୟ ଦେହଘୋଟି

।।

ବାମନରୂପେ ବଳି ଚାପି

ନମଇଁ ତ୍ରିବିକ୍ରମ ରୂପୀ

।।

ଦୁଷ୍ଟ କ୍ଷତ୍ରିୟ ନିବାରଣ

ନମସ୍ତେ ପ୍ରଭୁ ଭୃଗୁରାମ

।।

ଜାନକୀ ଛଳେ ଦାଶରଥି

କୋପେ ନାଶିଲୁ ଲଙ୍କପତି

।।

ନମସ୍ତେ ବସୁଦେବ ସୁତ

ରୋହିଣୀ ପୁତ୍ର ବଳବନ୍ତ

।।

ରୁକିଣୀ ଦେବୀ ନିଜ କାନ୍ତ

ପ୍ରଦ୍ୟୁମ୍ନ ଦେବ ତୋର ସୁତ

।।

ନମୋ ଗୋବିନ୍ଦ ଦାମୋଦର

ଗିରି ତୋଳିଲୁ ବାମକର

।।

ବଉଦ୍ଧରୂପୀ ତ୍ରିବିକ୍ରମା

ଅସୁର ଦଳନ ତୋ ବାନା

।।

ମ୍ଳେଚ୍ଛ କ୍ଷତ୍ରିୟ ଯେ ଦଳନ୍ତା

କଳକିରୂପ ସାମରଥା

।।

ତୋହର ମାୟାରେ ଜଗତ

ଅଜ୍ଞାନେ ହୋଏ ଆତଜାତ

।।

ପର ଆପଣା ବୋଲି ହୁଡ଼ି

ଭ୍ରମନ୍ତି ମାୟାଚକ୍ରେ ପଡ଼ି

।।

ମୋହର ଆତ୍ମା ପୁତ୍ର ଘର

ଦାରା ସମ୍ପଦ ବନ୍ଧୁ ମୋର

।।

ସ୍ୱପନ ପ୍ରାୟ ଏ ଜଗତେ

ଆବୋରିଛନ୍ତି ମୋହଗତେ

।।

ଅନିତ୍ୟ ସଂସାର ସାଗରେ

ମୁଁ ଯେ ବୁଡ଼ିଲି ଦୁଃଖଘୋରେ

।।

ଆତ୍ମାର ଗତି ନ ଜାଣଇଁ

ଭୋ ନାଥ ରଖ ଭାବଗ୍ରାହୀ

।।

ଶୀତଳ ଜଳ ଛାଡ଼ି ମୁହିଁ

ମୃଗ ତୃଷ୍ଣାରେ ଅଛି ଧ୍ୟାଇ

।।

ତୃଷିତ ହୋଇଲି ଅପାର

ତୋତେ ନ ଜାଣି ଚକ୍ରଧର

।।

ଅଳପ ବଳେ ନାଥ ମୋର

କର୍ମ ଅଶେଷ ବଳୀୟାର

।।

ମନ ପଶିଲା କର୍ମମେଳେ

ହାରିଲି ଇନ୍ଦ୍ରିୟଙ୍କ ବଳେ

।।

ଇନ୍ଦ୍ରିୟ ଅର୍ଥେ ବିପରୀତ

ହସ୍ତରୁ ପକାଇ ଅମୃତ

।।

ବିଷ ଭକ୍ଷଇ ସ୍ୱାଦୁ ମଣି

ଆତ୍ମାର ଗତି ନ ପ୍ରମାଣି

।।

ମନକୁ ନ ପାରିଲି ଧରି

ତୁ ମୋତେ ରଖ ନରହରି

।।

ତୋହର ଚରଣ କମଳେ

ଶରଣ ରଖ ମୋତେ ବେଳେ

।।

ଅଭୟ ଚରଣ ତୋହର

ଅଜ୍ଞାନୀଜନେ ଅଗୋଚର

।।

ସଂସାର ତୁଟଇ ଯାହାର

ସେ ତୋତେ କରଇ ବିଚାର

।।

ତୋର ଚରଣେ ଭଗବାନ

ନିଶ୍ଚଳ କର ମୋର ମନ

।।

ଜ୍ଞାନ ବିଜ୍ଞାନ ଦାତାରୂପୀ

ସର୍ବ ସମ୍ପଦ ମାୟାବ୍ୟାପି

।।

ପ୍ରଧାନ ପୁରୁଷ ବିଧାତା

ଅନନ୍ତରୂପୀ ବଳବନ୍ତା

।।

ନମଇଁ ପ୍ରଭୁ ବାସୁଦେବ

ଭବସାଗରେ ସୁଖନାବ

।।

ଇନ୍ଦ୍ରିୟମାନଙ୍କ ଈଶ୍ୱର

ଭୋନାଥ ଶରଣ ତୋହର

।।

ଭଣଇଁ ବଳଭଦ୍ର ମୃଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ ଆଜ୍ଞାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀ ମଦ୍ଭାଗବତ ବାକ୍ୟେ

ନାମ ପଞ୍ଚବିଂଶୋଽଧ୍ୟାୟଃ ।

Image

 

ଷଡ଼୍‌ବିଂଶ ଅଧ୍ୟାୟ

 

ଦଶମ ଅଧ୍ୟା ପଞ୍ଚାବନ

ମୁଚୁକୁନ୍ଦ ସ୍ତବରଞ୍ଚନ

।।

ଭୋ ନାଥ ତୋର ମାୟାବଳେ

ମୋହିତ ପ୍ରାଣୀଏ ଶୟଳେ

।।

ଅନର୍ଥ ଅର୍ଥ ପ୍ରାୟେ ଜାଣେ

ନ ଭଜେ ତୋହର ଚରଣେ

।।

ଦୁଃଖ ଗହନ ସୁଖ ଆଶେ

ପଡ଼ଇ ଦାରା ମୋହଫାଶେ

।।

ଶୁଣ ହେ ମଦନ ଗୋପାଳ

ନିଶ୍ଚଳେ ଗଲା ଏତେକାଳ

।।

ରାଜ୍ୟ ସମ୍ପଦେ ଭୋଳ ହୋଇ

ଆତ୍ମାର ଗତି ନ ଜାଣଇ

।।

ଦେହାବିଧାନ ବୁଦ୍ଧିବଳେ

ସୁତ କଳତ୍ର ମୋହଜଳେ

।।

ଦୁସ୍ତର ଚିନ୍ତା ଶାନ୍ତପଥେ

ତୋତେ ନଭଜି ଯଦୁନାଥେ

।।

ମୃତ୍ତିକା ଘଟ ମଧ୍ୟେ ଥାଇ

ବୋଲଇ ନରଦେବ ମୁହିଁ

।।

ରଥ କୁଞ୍ଜର ଅଶ୍ୱପଥେ

ପଦାତି ବଳ ଅପ୍ରମିତେ

।।

ଖେଳଇ ଏ ମହୀମଣ୍ଡଳେ

ତୋତେ ନଜାଣେ ମତ୍ତଭୋଳେ

।।

ପଶୁଙ୍କ ପ୍ରାୟ ଏ ସଂସାରେ

ପଶି ଗହନ ଚିନ୍ତାଘୋରେ

।।

ବିଷୟ ସୁଖେ ଲୋଭ ବଢ଼ି

ତୋ ପାଦପଦ୍ମ ଚିନ୍ତା ଛାଡ଼ି

।।

ପଡ଼ନ୍ତି ତୋର ମାୟାବଳେ

ତୁ ତାହା ନାଶୁ ଅବହେଳେ

।।

ତ୍ରାସଇ ତୋର କାଳରୂପ

ଇନ୍ଦୁରେ ଯେହ୍ନେ କାଳସର୍ପ

।।

ପୂର୍ବେ ସୁବର୍ଣ୍ଣ ମୟରଥେ

କୁଞ୍ଜର କନ୍ଧେ ନାନାରଥେ

।।

ନର ଦେବତା ନାମ ବହି

ଭ୍ରମଇଁ ମତ୍ତ ଭୋଳହୋଇ

।।

ସେ ହରି ତୋର ଅଂଶୁକାଳ

କରଇ କୃମି ଭସ୍ମ ମଳ

।।

ଶୁଣ ପୁରୁଷ ଚୂଡ଼ାମଣି

ମୋର ଅଶେଷ ଜନ୍ମ ବାଣୀ

।।

ସଂଗ୍ରାମେ ଦଶଦିଗ ବାହି

ଅଦ୍ଭୁତ ବିଗ୍ରହ ବୋଲାଇ

।।

ଉତ୍ତମ ସିଂହାସନେ ପୂଜା

ପାଦେ ସେବନ୍ତି ସର୍ବ ରାଜା

।।

ଏମନ୍ତ ପ୍ରାଣୀଙ୍କି ତୁ ଧରି

ସ୍ତିରୀଙ୍କି କ୍ରୀଡ଼ାମୁର୍ଗିକରି

।।

ମୈଥୁନ ସୁଖେ ଗୃହମଧ୍ୟେ

ଇନ୍ଦ୍ରିଙ୍କ କ୍ରୀଡ଼ା ଏ ଆନନ୍ଦେ

।।

ସୁଦୃଢ଼ ଭୋଗେ ମହାଶ୍ରମ

ତପ ଆରାଧି ନାନାକର୍ମ

।।

ଦେବତା ବରଦାନ କାଳେ

ପୁଣ ମାଗଇ ସୁଖ ଭୋଳେ

।।

କଲଇଁ ସ୍ୱର୍ଗ ଭୋଗଦୀକ୍ଷା

ନିର୍ମାଣ ଭୋଗେ ନାହିଁ ଇଚ୍ଛା

।।

ଜନ୍ତୁ ମରଣ ବେନିପଥେ

ସେ ପ୍ରାଣୀ ରମୁଥାନ୍ତି ନିତ୍ୟେ

।।

କାମ ସଂକଳ୍ପେ ଚିତ୍ତଭ୍ରମି

ନିରାଶ ପଥେ ମହାଶ୍ରମୀ

।।

ଯାହାର ଯେବେ ଭାଗ୍ୟ ଥାଇ

ସୁସାଧୁ ସଙ୍ଗତ ମିଳଇ

।।

ତକ୍ଷଣେ ପାପ ଯାଇ ନାଶ

ନିର୍ମଳେ ପ୍ରକାଶଇ ଯଶ

।।

ପରମବ୍ରହ୍ମ ତୋର ପାଦେ

ଯେ ପ୍ରାଣୀ ଭଜଇ ଆନନ୍ଦେ

।।

ତୋହର ପଥେ ହୋଇ ଗତି

ତୁଟଇ ଭବଭୟ ଭ୍ରାନ୍ତି

।।

ଭୋ ନାଥ ଜାଣିଲି ମୁଁ ତୋତେ

ତୋହର ଅନୁଗୃହ ମୋତେ

।।

ରାଜ୍ୟ ସମ୍ପଦ ବନ୍ଧୁ ଦାସ

ଏବେ ହୋଇଲା ମୋ ଉଶ୍ୱାସ

।।

ଅଖଣ୍ଡ ଅବନୀ ମଣ୍ଡଳେ

ଅଶେଷ ଭୋଗ ମହୀତଳେ

।।

ଯେ ଛାଡ଼ି ଭଜେ ତୋ ଚରଣ

ଏହା ବୋଲନ୍ତି ବନେ ବନ

।।

ଅଶେଷ ଘୋର ତପ କରି

ଯାହା ଚିନ୍ତନ୍ତି ବ୍ରହ୍ମଚାରୀ

।।

ଭୋ ନାଥ ପରମ ମଙ୍ଗଳ

ଅନାଦି ଧର୍ମ୍ମ ଆଦିମୂଳ

।।

ତୋହର ଅଭୟ ଚରଣ

ନିତ୍ୟ ସେବିବି ନାରାୟଣ

।।

ଆନ ସମ୍ପଦେ କାର୍ଯ୍ୟ ନାହିଁ

ଏ ବର ଦିଅ ମୋତେ ତୁହି

।।

ତୁ ଜୀବ କଇବଲ୍ୟଦାତା

ଦୁଃଖିଜନଙ୍କ ପିତା ମାତା

।।

ତୋହର ଦରଶନ ପାଇ

ଆତ୍ମାର ବୋଧି ନ ମାଗଇ

।।

ତାହାକୁ ବୋଲାଇ ପଣ୍ଡିତ

ତୋର ମାୟାରେ ଜ୍ଞାନ ହତ

।।

ଭୋ ନାଥ ପରମ ଈଶ୍ୱର

ତୁ ଯେ ଯାଚିଲୁ ମୋତେ ବର

।।

ତ୍ରିଗୁଣ ବଦ୍ଧ ମୋହ ଫାଶ

ସେବାରେ ନାହିଁ ମୋର ଆଶ

।।

ନିର୍ଗୁଣ ନିରଞ୍ଜନ ପର

କେବଳ ଆତ୍ମାଜ୍ଞାନ ସାର

।।

ଏମନ୍ତ ପୁରୁଷର ପାଦେ

ଶରଣ ଯିବି ଅପ୍ରମାଦେ

।।

ଏହୁ ସଂସାରମଧ୍ୟେ ମୁହିଁ

ଅଶେଷ ଜନ୍ମ ଦୁଃଖ ପାଇ

।।

ବାସନାବଳେ କରି ପାପ

ସୁମରି ପଥେ ଅନୁତାପ

।।

ସେ ତାପେ ପୀଡ଼ିତ ଜୀବନେ

ଭ୍ରମଇଁ ଦୁଃଖ ସୁଖ ଶ୍ରମେ

।।

ତୃଷିତେ ଜଳପାନ ଚିନ୍ତି

କେବେହେଁ ନୋହେ ତୃଷାଶାନ୍ତି

।।

ସେ ଜଳ ତୋର ପାଦେ ଥାଇ

ସଂସାର ତାପ ନିବାରଇ

।।

ନିର୍ଭୟ ନିତ୍ୟ ସୁଖସାର

ଭୋ ନାଥ ଶରଣ ସୋଦର

।।

ଆପଦକାଳେ ସୁଖ ଦେଇ

ସେ ପାଦେ କର ମୋତେ ତ୍ରାହି

।।

ଦଶମଷାଠିଏ ଅଧ୍ୟାରେ

ଜାମ୍ୱବ ସ୍ନେହେ ସ୍ତବ କରେ

।।

ବୋଲଇ କୃଷ୍ଣମୁଖ ଚାହିଁ

ଭୋ ନାଥ କର ମୋତେ ତ୍ରାହି

।।

ତୁ ସର୍ବ ଜନ୍ତୁ ତେଜବଳ

ମହାପୁରୁଷ ଆଦିମୂଳ

।।

ପୁରାଣ ପୁରୁଷ ମୁରାରି

ସଂସାର ମାୟା ବଳେ କରି

।।

ପ୍ରଭବ ବିଷ୍ଣୁ ତୁ ଈଶ୍ୱର

ମହା ମହିଁମ ଯୋଗେଶ୍ୱର

।।

ବ୍ରହ୍ମାଦି ଯେତେ ସୃଷ୍ଟିପାଳ

ତାହାଙ୍କ ସ୍ୱାମି ତୁ ଗୋପାଳ

।।

ସୃଷ୍ଟିର ଅନ୍ତେ ତୋର ଦେହେଁ

ପଶନ୍ତି ପରମାଣୁ ପ୍ରାୟେ

।।

କାଳହରଣ ବାନା ତୋର

ପରମଆତ୍ମା ଯୋଗେଶ୍ୱର

।।

ଇଷିତହାସ ତୋ ବଦନ

ଦେଖି ଜଳଧି ଭୟ ମନ

।।

ଘୋର ଗଭୀର ଗ୍ରାହଗଣ

କ୍ଷୋଭିତ ଲଭି ଅନୁକ୍ଷଣ

।।

ତୋହର ଚରଣେ ପଡ଼ିଲା

ଲଙ୍କାକୁ ମାର୍ଗ ତୋତେ ଦେଲା

।।

ପର୍ବତେ ସେତୁବନ୍ଧ କରି

ଘୋର ସମୁଦ୍ରେ ଗଲେ ତରି

।।

ଲଙ୍କା ଦଇତ୍ୟ ଘୋର ଦୃଷ୍ଟି

ରାବଣ ଦଶମୁଣ୍ଡ କାଟି

।।

ରାକ୍ଷସ ଶିର ମହୀସ୍ଥଳି

ଯୁଦ୍ଧେ କାଟିଲୁ ବନମାଳୀ

।।

ଏମନ୍ତ ମହିଁମା ଯାହାର

ଭୋ ନାଥ ଶରଣ ମୁଁ ତୋର

।।

ଭଣଇ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ ଆଜ୍ଞା କର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତ୍‌ବାକ୍ୟେ ନାମ

ଷଡ଼୍‌ବିଂଶୋଽଧ୍ୟାୟଃ ।

Image

 

ସପ୍ତଦିଂଶ ଅଧ୍ୟାୟ

 

ଦଶମ ଚୌଷଠି ଅଧ୍ୟାରେ

ଭୂମି ଶ୍ରୀକୃଷ୍ଣ ସନ୍ନିଧିରେ

।।

ଭୁଜ ଯୁଗଳ ଦେଇ ଶିରେ

ସ୍ତୁତି କରଇ ଶୋକଭରେ

।।

ଭୂମି ବୋଲଇ ଯୋଡ଼ି କର

ତୁ ନାଥ ଦେବଙ୍କର ବର

।।

ଶଙ୍ଖ କମଳ ଗଦା ହସ୍ତେ

ଦେବାଧି ଦେବ ନମୋଽସ୍ତୁତେ

।।

ଯେ ତୋତେ ଯେମନ୍ତେ ଲୋଡ଼ଇ

ସେ ଅନୁରୂପେ ତୋତେ ପାଇ

।।

ପରମ ଆତ୍ମା ଆଦି ମୂଳ

ନମସ୍ତେ ପରମ ମଙ୍ଗଳ

।।

ପଙ୍କଜନାଭ ପଦ୍ମମାଳି

ପଦ୍ମଲୋଚନ ସୁଧାମାଳି

।।

ପଙ୍କଜ ନିଧି ତୋ ପୟରେ

ଭୋନାଥ ଶରଣ ମୁଁ ତୋରେ

।।

ନମସ୍ତେ ପ୍ରଭୁ ଭଗବାନ

ବିଷ୍ଣୁ ବାସୁଦେବ ବିଧାନ

।।

ଆଦିପୁରୁଷ ଜୀବ ଆଦି

ସର୍ବେ ସମ୍ପୂର୍ଣ୍ଣ ତୁ ପ୍ରସିଦ୍ଧି

।।

ଜଗତ ଜନ୍ମ କରୁ ତୁହି

ଜନ୍ମ ମରଣ ତୋର ନାହିଁ

।।

ବ୍ରହ୍ମସ୍ୱରୂପୀ ନମୋନମଃ

ଅନନ୍ତ ଶକ୍ତି ଅନୁପମ

।।

ପରମ ପରଂ ଭୂତଆତ୍ମା

ପରମନନ୍ଦ ପରଂ ବ୍ରହ୍ମା

।।

ଗୁଣେ ପ୍ରକାଶ ଭୂତ ଆତ୍ମା

ସକଳ ତୋହର ମହିମା

।।

ଏ ସୃଷ୍ଟି ଉପୁଜିବା କାଳେ

ତୁ ରଜଗୁଣ ଅବହେଳେ

।।

ନିରୋଧକାଳେ ତମଗୁଣ

ଆନନ୍ଦେ ବହୁ ନାରାୟଣ

।।

ସନ୍ଥ ପାଳନ ଧର୍ମ ମୁଖେ

ସତ୍ୟଗୁଣରେ ପାଳୁ ସୁଖେ

।।

ପ୍ରଧାନପୁରୁଷ ତୁ କାଳ

ତ୍ରିଗୁଣଆତ୍ମା ନନ୍ଦବାଳ

।।

ମୋ ଆଦି ସଲିଳ ଅନଳ

ପବନ ଆକାଶ ମଣ୍ଡଳ

।।

ଶବ୍ଦପ୍ପରସ ରୂପ ରସ

ଗନ୍ଧ ଇନ୍ଦ୍ରିୟ ଏକାଦଶ

।।

ସୃଷ୍ଟିପାଳକ ଦେବଗଣ

ତୁ ଆଦି ପରମ କାରଣ

।।

ତୁ ଅହଂକାର ଭୂତ ଆଦି

ସଚରାଚର ସର୍ବ ସିଦ୍ଧି

।।

ଏ ମାୟା ତୋର ଦେହୁଁ ଜନ୍ମ

ତୁ ଏକ ପ୍ରଭୁ ସତ୍ୟବ୍ରହ୍ମ

।।

ତୁ ଏବେ ନାଶିଲୁ ତନୁଜା

ଏ ତୋର ପୁତ୍ର ଦେବରାଜ

।।

ଏ ତୋର ପୁତ୍ର ଅଛି ଏକ

ଭୋ ନାଥ ହୋଇଲା ନୀରେଖ

।।

ତୋ ପାଦପଦ୍ମେ ଅଛି ଶୋଇ

ଭୁଜ ଯୁଗଳ ଶିରେ ଦେଇ

।।

ଏହାକୁ ରଖ ଜଗନ୍ନାଥ

ଶିରେ ନିବେଶି ପଦ୍ମହସ୍ତ

।।

ଦଶମ ଛଷଠି ଅଧ୍ୟାରେ

ରୁକ୍ମିଣୀ ଦେବୀ ସ୍ତବକରେ

।।

ରୁକ୍ମିଣୀ କହଇ ମଧୁର

ଭୋ ନାଥ ଶୁଣ ଦାମୋଦର

।।

ଅମଳ କମଳ ଲୋଚନ

ତୋହର ସତ୍ୟ ଏ ବଚନ

।।

ଅନାଦି ପ୍ରଭୁ ନିରଞ୍ଜନ

ମୁଁ ତୋର ନୁହଇ ଭାଜନ

।।

ନିଜମହିଁମା ରୂପ ବହୁ

ତ୍ରିଗୁଣେ ଅତୀତ ବୋଲାଉ

।।

ଗୁଣେ ପ୍ରକୃତିବଦ୍ଧ ମୁହିଁ

ତୋର ଚରଣତଳେ ଥୋଇ

।।

ଏତେ ଅନ୍ତର ତୋର ମୋର

ତୁ ନୋହୁ ପ୍ରକୃତି ଗୋଚର

।।

ଗୁଣ ଦୋଷକୁ ଭୟ କରି

ପ୍ରଳୟ ବ୍ରହ୍ମ ରୂପ ଧରି

।।

ଆତ୍ମା ସ୍ୱରୂପ ମାତ୍ର ଲକ୍ଷେ

ସମୁଦ୍ରେ ଶୋଉ ତୁ ପ୍ରତ୍ୟକ୍ଷେ

।।

ଇନ୍ଦ୍ରିୟଗଣେ ତୋର ବାଦ

ତୋ ରୂପ ନ ଜାଣଇଁ ବେଦ

।।

ତୋର ସେବକ ଯେତେ ପ୍ରାଣୀ

ସମ୍ପଦ ତୁଚ୍ଛପ୍ରାୟେ ମଣି

।।

ତୋ ପାଦପଦ୍ମ ମକରନ୍ଦ

ନିତ୍ୟେ ପିବନ୍ତି ମୁନିବୃନ୍ଦ

।।

ଅଭେଦ ତାହାଙ୍କର ଗତି

ନୃପ ସମ୍ପଦ ନ ଇଚ୍ଛନ୍ତି

।।

ତୋର ମହିଁକା ଇହଲୋକେ

ଗୋଚର କେ କରୁ ଅନେକେ

।।

ତୋର ସେବକ ଯେତେ ଜନ

ତୋ ତହୁଁ ନ ଜାଣନ୍ତି ଆନ

।।

ବୋଲୁ ଯେ ନିଷ୍କାଞ୍ଚନ ମୁହିଁ

ଯେଣୁ ତୋ ତହୁଁ ଅନ୍ୟ ନାହିଁ

।।

ବ୍ରହ୍ମାଦିମୁନି ଯେତେ ଛନ୍ତି

ସେ ତୋ ମହିଁମା ନ ଜାଣନ୍ତି

।।

ପୂଜନ୍ତି ତୋହର ଚରଣ

ତୁ ଆଦି ପରମକାରଣ

।।

ଇନ୍ଦ୍ରିୟ ଅର୍ଥେ ତୋଷ ଯେହୁ

ସେ ତୋତେ ପାଇବେଟି କାହୁଁ

।।

ଦାରା ସମ୍ପଦେ ଅନ୍ଧପ୍ରାଣୀ

ସେ ତୋତେ ନିକଟେ ନ ଜାଣି

।।

ତୋର ମାୟାରେ ପଶୁଲୋକେ

ନିକଟେ ନ ଚିନ୍ତେ ଅନେକେ

।।

ଦେବେ ପୂଜନ୍ତି ଯଜ୍ଞବଳି

ସେ ତୋର ପାଦେ ବନମାଳୀ

।।

ପୂଜା କରନ୍ତି ବଳିଦେଇ

ତାହାଙ୍କ ଇଷ୍ଟଦେବ ତୁହି

।।

ପରମ ଆତ୍ମା ଆଦିମୂଳ

ଅଛିଦ୍ରେ ପୂରିଛି ସକଳ

।।

ତାହା ଲଭିବା ଇଚ୍ଛା କରି

ସଂସାର ଛାଡ଼ି ବ୍ରହ୍ମଚାରୀ

।।

ତାହାଙ୍କୁ ହେଉ ତୁ ସୁଲଭ

ସଂସାରଜନେ ତୁ ଦୁର୍ଲ୍ଲଭ

।।

ସକଳ ଜନଙ୍କର ହୃଦେ

ତୁ ନାଥ ଭକତି ସୁହୃଦେ

।।

ଏଣୁ ବରିଲି ତୋତେ ମୁହିଁ

ତୋ ତହୁଁ ଅନ୍ୟଗତି ନାହିଁ

।।

ତୋର ଭୃକୁଟି ଭଙ୍ଗି ମାର

ସଂସାର ମଧ୍ୟେ ମହାବୀର

।।

ସେ କାଳବଳେ ହୋନ୍ତି ଅନ୍ତ

ଭବ ବିରଞ୍ଚି ସୁରନାଥ

।।

ଉଡ଼ନ୍ତି ଧୂଳିପ୍ରାୟେ ହୋଇ

ଅନ୍ୟ କେ ଅଛି ଦେହବହି

।।

ଶାରଙ୍ଗ ଧନୁର ପ୍ରସାଦେ

ରାଜାଙ୍କୁ ଜିଣି ଅପ୍ରମାଦେ

।।

ହରିଆଣିଲୁ ମୋତେ ହେଳେ

ସିଂହ ଯେସନେ ବାହୁବଳେ

।।

ପଶୁଙ୍କ ମଧ୍ୟୁ ମହାବେଗ

ଆକର୍ଷି ଭୁଞ୍ଜେ ମାଂସ ଭାଗ

।।

ସେ ଜରାଭୟେ ନାରାୟଣ

ସମୁଦ୍ରେ ପଶିଲୁ ଶରଣ

।।

ସତ୍ୟବଚନ ଏ ତୋହର

ଯେଣୁ ବରିଲୁ ଗୋପପୁର

।।

ତୋ ପାଦ ଲଭିବାର ଆଶେ

ବିତର୍କ ବୁଦ୍ଧି ମୋହପାଶେ

।।

ବେନକୁମର ଯଏତନ

ନହୁଷ ସହସ୍ରା ଅର୍ଜୁନ

।।

ଚିତ୍ତ ନିବାରି ରାଜ୍ୟସୁଖେ

ବନେ ପଶିଲେ ଘୋରଦୁଃଖେ

।।

କଠୋରେ ଯୋଗ କରି ସାଧ୍ୟ

ଲଭିଲେ ତୋର ପଦ୍ମପାଦ

।।

ତୋ ପାଦ ସରୋଜର ଗନ୍ଧ

ପୁଣ୍ୟ ପବିତ୍ର ମକରନ୍ଦ

।।

ଆଘ୍ରାଣ ନାସାରନ୍ଧ୍ରେ କରି

କେ ମୂଢ଼ ନାରୀ ଅନ୍ୟେ ବରି

।।

ତୁ ନାଥ ଜଗତ ଈଶ୍ୱର

ସକଳ ଆତ୍ମା କାମପର

।।

ବିବାହକାଳେ ଏ ସଂସାରେ

ତୋତେ ବରିଲି ମୁହିଁ ବରେ

।।

ତୋ ମାୟାବଳେ ଅନ୍ୟଜନ

ତୋର ଜଗତେ ଭଗବାନ

।।

ଇନ୍ଦ୍ରିୟ ଅର୍ଥେ ଲୋଭ ସୁଖେ

ନିର୍ବନ୍ଧ ଗୃହବନ୍ଧ କୂପେ

।।

ଗୋରୁ ଗନ୍ଧର୍ବ ଶ୍ୱାନ ପ୍ରାୟେ

ଅଶ୍ୱ ବିଡ଼ାଳ ଭୂତ ଦେହେଁ

।।

ସେବନ୍ତି ନାରୀଙ୍କ ଚରଣ

ସେ ହୋନ୍ତି ତାହାଙ୍କ ରମଣ

।।

ତୋର ମହିଁମା ଦାମୋଦର

ନ ଶୁଣେ ଯାର କର୍ଣ୍ଣଦ୍ୱାର

।।

ସେ କର୍ଣ୍ଣ ବିଳବୋଲି ଜାଣ

ନିଶ୍ଚେ ଅଟଇ ଅକାରଣ

।।

ଭବବିରଞ୍ଚି ଆଦି ସଭା

ମଧ୍ୟେ ତୋହର କଥାଶୋଭା

।।

କୁନ୍ତଳ କେଶ ଚର୍ମ ଦାଢ଼ି

ଦେହ ଉପରେ ଛନ୍ତି ବେଢ଼ି

।।

ରୁଧିର ମାଂସ ମଜ୍ଜା ଅସ୍ଥି

ଶିର ନିର୍ବନ୍ଧ ମଧ୍ୟେ ସ୍ଥିତି

।।

ଅନ୍ତରେ ମଳ କୃମି ପିତ୍ତ

ଯଜ୍ଞ ଦୁର୍ଜୟ ମହାବାତ

।।

ଏଣେ ନିର୍ମିତ ଯାର ଦେହୀ

ଜୀବନ୍ତେ ମୃତ୍ୟୁପିଣ୍ଡ ସେହି

।।

ତାହାଙ୍କୁ ସ୍ୱାମିପଣେ ବରି

ଜୀବନବହେ ଦୁଷ୍ଟ ନାରୀ

।।

ତୋରଚରଣ ମକରନ୍ଦ

ଆଘ୍ରାଣ ନ କଲା ଯେ ଗନ୍ଧ

।।

ତୋରଚରଣ ଉପାସନ

ନିଶ୍ଚଳକର ମୋର ମନ

।।

ସ୍ୱଭାବେ ଆତ୍ମାରତ ତୁହି

ପର ଅପର ତୋର ନାହିଁ

।।

ତୁ ଯେବେ ରଜଗୁଣ ମଧ୍ୟେ

ମୋତେ ଦେଖିଲୁ ଅନୁବନ୍ଧେ

।।

ଏ ବର ନିତ୍ୟେ ମୋତେ ହେଉ

ତୋ ପାଦ ସେବି ଦିନଯାଉ

।।

ଭୋ ନାଥ ତୋର ବାକ୍ୟ ମୁହିଁ

କପଟ ପ୍ରାୟ ନ ମଣଇଁ

।।

ଅମ୍ୱା କନ୍ୟାର ଚିତ୍ତ ଯେହ୍ନେ

ଭିକ୍ଷୁହୁଁ ନ ବରିଲା ଅନ୍ୟେ

।।

ଦୁଷ୍ଟ ଯୁବତୀଙ୍କର ମନ

ଭଜନ୍ତି ଅଭିନବ ଜନ

।।

ଅସତ୍ୟ ବାଦୀ ବୋଲି ତାହା

ପଣ୍ଡିତେ ନ ଗଣନ୍ତି ଏହା

।।

ଯେ ଲୋକ ତୋତେ ଅବିଶ୍ୱାସ

ଉଭୟ ଲୋକେ ସେ ବିନାଶ

।।

ଭଣଇଁ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେ ସୁଜ୍ଞଜନେ ଆଜ୍ଞାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତ ବାକ୍ୟେ

ନାମ ସପ୍ତବିଂଶୋଽଧ୍ୟାୟଃ ।

Image

 

ସ୍ତବକଳ୍ପଦ୍ରୁମ

ଅଷ୍ଟାବିଂଶ ଅଧ୍ୟାୟ

 

ଦଶମ ଅଠାଇଶି ଅଧ୍ୟା

ଶିବଜ୍ୱର ପାଇଣ ବାଧା

।।

ଅଞ୍ଜଳି କରି ବେନିକର

ସ୍ତୁତି କରଇ ଶିବଜ୍ୱର

।।

ନମଇଁ ପ୍ରଭୁ ଭାବଗ୍ରାହୀ

ଅନନ୍ତ ସ୍ୱୟଂ ଅଟୁ ତୁହି

।।

ପରମ ଈଶ୍ୱର ତୁ ହରି

ଭକତେ ଆତ୍ମା ରୂପ ଧରି

।।

ତୋହର ନାହିଁ ଆଦିଅନ୍ତ

କେବଳ ଆତ୍ମଜ୍ଞାନ ତତ୍ତ୍ୱ

।।

ସୃଷ୍ଟି ପାଳନ ସଂହାରଣ

ତୁ ନାଥ ପରମ କାରଣ

।।

ଯେ ଦେବବ୍ରହ୍ମ ଲିଙ୍ଗତତ୍ତ୍ୱ

ବେଦାନ୍ତେ ବୋଲନ୍ତି ପ୍ରସ୍ଥିତ

।।

କାଳ ଦଇତ କର୍ମ ଜୀବ

ଏମନ୍ତ ପଞ୍ଚ ଏ ସ୍ୱଭାବ

।।

ତୁ ଦେବ କ୍ଷେତ୍ରପାଳ ଆତ୍ମା

ବିଚାରେ ପଞ୍ଚତ୍ୱ ମହିଁମା

।।

ଏ ଦଶଗୁଣ ଏକକରି

ତୋ ମାୟା ଜୀବ ରୂପ ଧରି

।।

ଅଙ୍କୁରି ଫଳଇ ବ୍ରହ୍ମାଣ୍ଡ

ଏଣେ ନିମଗ୍ନ ତୋର ପିଣ୍ଡ

।।

ଲୀଳାଏ ଉତପନ ହୋଇ

ତୁ ନାଥ ଭାବେ ବହୁ ଦେହୀ

।।

ଦେବତା ସାଧୁ ଲୋକ ଧର୍ମ

ଯଜ୍ଞାଦି ଯେତେ ଶୁଭକର୍ମ

।।

ଏ ଆଦି ଯେତେ ଧର୍ମ ହେତୁ

ଏହାଙ୍କ ରକ୍ଷଣେ ତୁ ସେତୁ

।।

ସାଧୁ ହିଁସନ୍ତି ଯେତେ ପ୍ରାଣୀ

ତାହାଙ୍କୁ ଦଣ୍ଡୁ ଚକ୍ରପାଣି

।।

ଭୂମିରଭାରା ଖଣ୍ଡିବାରେ

ତୋହର ଜନ୍ମ ଏ ସଂସାରେ

।।

ତୋହର ତେଜେ ବିଷ୍ଣୁଜ୍ୱର

ଦୁଃସହ ଘୋର ଭୟଙ୍କର

।।

ତାହାର ତେଜେ ସ୍ମିତ ମୁହିଁ

ବ୍ରହ୍ମାଣ୍ଡେ ଭ୍ରମି ଶ୍ରମପାଇ

।।

ପଶିଲି ତୋହରେ ଶରଣ

ତୁ ମୋତେ ରଖ ନାରାୟଣ

।।

ଯାବତ ଜନ ତୋର ପାଦେ

ଶରଣ ନ ପଶି ପ୍ରମାଦେ

।।

ତାବତ ତାପତ୍ରୟେ ଦୁଃଖୀ

କର୍ମ ବନ୍ଧନେ ଉପଲକ୍ଷି

।।

ଏହି ଅଧ୍ୟାରେ ବିଶ୍ୱନାଥ

ଶିରେ ନିବେଶି ବେନି ହସ୍ତ

।।

ବୋଲନ୍ତି ଚକ୍ରାୟୁଧ ଚାହିଁ

ତୁ ନାଥ ନୋହୁ ଭୂତଦେହୀ

।।

ଅଶେଷ ପୁରୁଷ ପୁରାଣ

ତୁ ବ୍ରହ୍ମ ପରମ କାରଣ

।।

ପରମ ଜ୍ୟୋତି ରୂପ ତୋର

ଚର୍ମ ଲୋଚନେ ଅଗୋଚର

।।

ନିର୍ମଳ ଆତ୍ମା ଯୋଗିଜନେ

ତୋତେ ଭଜନ୍ତି ଶୁଦ୍ଧମନେ

।।

ତୁ ଆତ୍ମାରୂପେ ସର୍ବ ଦେହେଁ

ତୋତେ ଦେଖନ୍ତି ଶୂନ୍ୟମୟେ

।।

ତୋହର ନାଭି ଅନ୍ତରୀକ୍ଷ

ବଦନ ଅନଳ ପ୍ରତ୍ୟକ୍ଷ

।।

ଆପ ତୋହର ରେତସାର

ଗଗନ ଘନ ତୋର ଶିର

।।

ଦିଗ ଯେ ତୋହର ଶ୍ରବଣ

ଏ ବସୁମତୀ ତୋ ଚରଣ

।।

ତୋହର ମନ ନିଶାକର

ସୂର୍ଯ୍ୟ ତୋ ନୟନୁ ବାହାର

।।

ମୁଁ ତୋର ଆତ୍ମାର ନିକଟ

ସାତ ସମୁଦ୍ରେ ତୋର ପେଟ

।।

ତୋହର ଭୁଜ ଆଖଣ୍ଡଳ

ତୋ ତନୁ ଲୋମ ତରୁମାଳ

।।

ଜୀମୂତଗଣେ ତୋର କେଶ

ବିରଞ୍ଚି ସୁମତୀ ପ୍ରକାଶ

।।

ତୋର ଭୂଷଣ ପ୍ରଜାପତି

ତେଣୁ ନିର୍ଲ୍ଲେପ ତୋର ଗତି

।।

ଧର୍ମ ତୋ ହୃଦୟ ପ୍ରକାଶ

ଏଣୁ ତୁ ବିରାଟ ପୁରୁଷ

।।

ଜଗତେ ତୋର ଅବତାର

ଧର୍ମ ରକ୍ଷଣ ଚକ୍ରଧର

।।

ଜଗତ ହିତେ ତୋର ଦେହୀ

ତୋ ଆତ୍ମା ନ ଜାଣନ୍ତି କେହି

।।

ତୋ ଅନୁଭାବେ ଆମ୍ଭେ ହୋଇ

ଏ ତିନି ଭୁବନ ଭିଆଇ

।।

ସର୍ବ ପାଳନ ସଂହାରଣ

ତାହାର ଆତ୍ମା ପରମାଣ

।।

ଆଦି ପୁରୁଷ ନାଥ ତୁହି

ଦ୍ୱିତୀୟ ଭାବ ତୋର ନାହିଁ

।।

ଜ୍ଞାନ ପ୍ରକାଶ ସୂର୍ଯ୍ୟ ଜ୍ୟୋତି

ହେତୁ ଅହେତୁ ଶିରୀପତି

।।

ପ୍ରକାଶ ହେଉ ଯଥାବିଧି

ତୋ ମାୟା ସକଳ ପ୍ରସିଦ୍ଧି

।।

ସୂର୍ଯ୍ୟର ତହୁଁ ଛାୟା ଜାତ

ଛାୟା ରମଣ ଛାୟାକାନ୍ତ

।।

ମାୟାର ବଳେ ମାୟା ରୂପ

ତୋର ମହିଁମା ମହାକଳ୍ପ

।।

ତ୍ରିଗୁଣେ ନୋହୁ ତୁ ବିଶ୍ୱାସ

ରବି ଯେସନେ ଶୂନ୍ୟଦୃଶ୍ୟ

।।

ଆତ୍ମା ପ୍ରକାଶେ ଗୁଣ ନମେ

ତାମସ ଯେହ୍ନେ ରବିନାଶେ

।।

ତୁ ନାଥ ନିତ୍ୟ ଶୁଦ୍ଧ ଜ୍ଞାନ

ମହା ମହିମ ଭଗବାନ

।।

ତୋର ମାୟାରେ ବୁଦ୍ଧି ନାଶି

ଆମ୍ଭର ଗଳେ କାଳଫାଶି

।।

ସୁତ କଳତ୍ର ଗୃହଧନେ

ବନ୍ଧନ ତୋହର ବଚନେ

।।

ଦୁଃଖ ସାଗରେ ମୂଢ଼ମତି

ବୁଡ଼ନ୍ତି ପୁଣି ପ୍ରକାଶନ୍ତି

।।

ପ୍ରମତ୍ତେ କରୁଥାନ୍ତି କେଳି

ତୋର ମାୟାରେ ବନମାଳୀ

।।

ମନୁଷ୍ୟ ଦେହେ ପଦ୍ମନାଭ

ନିଶ୍ଚୟେ ଦେବ କି ଦୁର୍ଲ୍ଲଭ

।।

ଏ ଦେହ ପାଇ ଜ୍ଞାନ ହରି

ତୋତେ ନ ପାଇ ନରହରି

।।

ଭାବ ତୋ ଚରଣ ନ ସେବେ

ସେ ଦୁଃଖୀ ଜୀବ ଆତ୍ମା ଭାବେ

।।

ଆତ୍ମା ଈଶ୍ୱର ପ୍ରିୟ ତୁହି

ଯେ ପ୍ରାଣୀ ତୋତେ ପାଶୋରଇ

।।

ଇନ୍ଦ୍ରିୟ ଅର୍ଥେ ବିପରୀତ

ହସ୍ତରୁ ପକାଇ ଅମୃତ

।।

ବିଷଭକ୍ଷଣ ସ୍ୱାଦୁ ମଣି

ତୋ ମାୟାଗୁଣେ ଚକ୍ରପାଣି

।।

ମୁହିଁ ବିରଞ୍ଚି ଦେବଦେବା

ନିର୍ମଳ ଚିତ୍ତେ ତୋତେ ସେବା

।।

କରୁ ସଂହରୁ ଦେହ ବହି

ଜୀବନ ଇଷ୍ଟଦାତା ତୁହି

।।

ତୁ ସ୍ଥିତି ପ୍ରକାଶର ହେତୁ

ସମ ପ୍ରକାଶ ଜ୍ୟୋତି ତତ୍ତ୍ୱୁ

।।

ଆତ୍ମା ଦେବତାହୁଁ ଅନେକ

ତୋ ତହୁଁ ଅନ୍ୟ ନାହି ଏକ

।।

ତୁ ଏ ଜଗତ ଆତ୍ମା ହେତୁ

ଜନ୍ମ ମରଣ ବଧ ତତ୍ତ୍ୱୁ

।।

ତୋତେ ଭଜିଲେ ନରହରି

ଏ ମାୟାଘୋରୁ ଯାନ୍ତି ତରି

।।

ଏ ବାଣାସୁର ମୋ କିଙ୍କର

ପ୍ରିୟ ସୁହୃଦ ଅନୁଚର

।।

ଏହାର ତପେ ତୋଷ ହୋଇ

ଅଭୟ ଦେଇଅଛି ମୁହିଁ

।।

ସେ ବର ପ୍ରତିପାଳୁ ତୁହି

ଏହାକୁ ଭାବେ ତୋଷହୋଇ

।।

ଅସୁରପତି ପ୍ରହଲାଦ

ବଞ୍ଚିଲା ଅନେକ ପ୍ରମାଦ

।।

ତୋର ପ୍ରସାଦେ ଭାବଗ୍ରାହୀ

ମୋର ସେବକ ରଖ ତୁହି

।।

ଭଣଇଁ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ ଆଜ୍ଞାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀ ମଦ୍ଭାଗବତ ବାକ୍ୟେ ନାମ

ଅଷ୍ଟାବିଂଶୋଽଧ୍ୟାୟଃ ।

Image

 

ଊନତ୍ରିଂଶ ଅଧ୍ୟାୟ

 

ଅଣସ୍ତରୀ ଅଧ୍ୟା ଦଶମ

ନୃଗରାଜା କୃଷ୍ଣ ସ୍ତବନ

।।

ବିପ୍ର ସେବକ ସମମତି

ତୋହର ପାଦେ ସେବାମତି

।।

ଏଣୁ ତୋ ପାଦ ଦରଶନ

ନିରତେ ଚିନ୍ତୁ ମୋର ମନ

।।

ଜନ୍ମ ମରଣେ ଦୁଃଖ ସହି

ଏ ଅନ୍ଧକୂପେ କୀଟ ହୋଇ

।।

ଏ ପାପୁଁ ଉଦ୍ଧରିଲ ମୋତେ

କିପୁଣ୍ୟେ ଦେଖିଲି ମୁଁ ତୋତେ

।।

ଭୋ ନାଥ ଚରଣ ତୋହର

ଯୋଗେଶ୍ୱରଙ୍କୁ ଅଗୋଚର

।।

ନିଜ ଅର୍ଜନ ଦୃଢ଼ବନ୍ଧେ

ପାପ ପଟଳ ଚକ୍ଷୁଅନ୍ଧେ

।।

ମୁଁ ଅନ୍ଧକୂପ ମଧ୍ୟେ ଥାଇ

ଅନେକ କାଳ ଦୁଃଖ ସହି

।।

ପାଇଲି ତବ ଦରଶନ

ଭୋନାଥ ରଖ ଭଗବାନ

।।

ଯାର ଦର୍ଶନେ ବଳୀ ମୋକ୍ଷ

ସେ ମୋତେହୋଇଲେପ୍ରତ୍ୟକ୍ଷ

।।

ତୁ ଦେବଦେବ ଜଗନ୍ନାଥ

ସୁହୃଦ ଆତ୍ମା ଦଇବତ

।।

ଗୋବିନ୍ଦ ପୁରୁଷ ଉତ୍ତମ

ତୁ ପ୍ରଭୁ ଶ୍ରୀ ପୁରୁଷୋତ୍ତମ

।।

ଅବ୍ୟୟ ଅଚ୍ୟୁତ ପ୍ରକାଶ

ତୋର ଚରଣେ ପୁଣ୍ୟଯଶ

।।

ଏବେ ତୁ ଆଜ୍ଞାଦିଅ ମୋତେ

ନିଶ୍ଚିନ୍ତେ ଯିବି ଶୂନ୍ୟପଥେ

।।

ଯହିଁ ମୁଁ ଥିବି ଦେହ ବହି

ତୋର ଚରଣେ ଭାବଗ୍ରାହୀ

।।

ନିଶ୍ଚଳେ ମୋର ମନ ଥିବ

ଯାହା ନ ପାନ୍ତି ବ୍ରହ୍ମା ଶିବ

।।

ନମସ୍ତେ ସର୍ବଭୂତ ଦେହି

ବ୍ରହ୍ମା ଅନନ୍ତ ଶକ୍ତି ତୁହି

।।

ଶ୍ରୀକୃଷ୍ଣ ବସୁଦେବ ସୁତ

ତୁ ଦେବ ଯୋଗେ ପଞ୍ଚଭୂତ

।।

ସତୁରୀ ଅଧ୍ୟାରେ ଏ ବାଣୀ

ଯମୁନା ରାମନାମେ ଭଣି

।।

ହେ ରାମ ରାମ ମହାଭୁଜ

ମୁହିଁ ଜାଣଇଁ ତୋର ତେଜ

।।

ତୋହର ଏକଅଂଶେ ସେହି

ମୁକୁଟ ଶିରେ ଅଛି ହୋଇ

।।

ଜଗତପତି ମହୀଧର

ଭୋନାଥ ଶରଣ ମୁଁ ତୋର

।।

ତୋର ମହିଁମା ବଳରାମ

ନ ଜାଣି କଲି ଅବଜ୍ଞାନ

।।

ପଶିଲି ତୋହରେ ଶରଣ

ସୁନ୍ଦର ଅଭୟ ଚରଣ

।।

ତୁ ନାଥ ଭକତବତ୍ସଳ

ଶରଣ ରଖ ଆଦିମୂଳ

।।

ଦଶମ ତେସ୍ତରୀ ଅଧ୍ୟାରେ

ରାମର ପାଦେ କୁରୁବୀରେ

।।

ଜାନକୀ ଜୀବନ ବିକଳେ

ଭୋ ରାମ ରଖ ପାଦତଳେ

।।

ଆମ୍ଭେ ତ ସ୍ୱଭାବେ ନିରେଖ

ତୋର କୁମରବଧୂ ରଖ

।।

କୁମର ତୁଲେ କନ୍ୟାଦେଇ

ରାମର ପାଦତଳେ ନେଇ

।।

ଏ କନ୍ୟା ଦେଇଣ ଶରଣ

ପଶିଲୁ ଅଭୟ ଚରଣ

।।

ହେ ରାମ ତୋହର ମହିଁମା

ବେଦ ନଜାଣେ ତୋର ସୀମା

।।

ମୂଢ଼ ଅଜ୍ଞାନୀ ଆମ୍ଭେ ହେଉ

ତୋଭାବ ଜାଣିବାକ କାହୁଁ

।।

ଆମ୍ଭେ କୌରବେ ଅପରାଧୀ

ତୁ ନାଥ କରୁଣାବାରିଧି

।।

ତୁ ଆଦି ହେତୁ ନିତ୍ୟସତ୍ୟ

ନିର୍ଲେପ ଏକତ୍ୱ ଅବ୍ୟକ୍ତ

।।

ତୋହର କ୍ରୀଡ଼ା କଉତୁକ

ସ୍ୱଭାବେ ହ୍ୱନ୍ତି ତିନିଲୋକ

।।

ଏ ମହୀମଣ୍ଡଳ ତୋ ଶିରେ

ଲୀଳା ମାତ୍ରକେ ବହୁ ଶିରେ

।।

ପାଳନ କରୁ ପୁଣ ହରି

ତେଣୁ ଅଶେଷ ରୂପ ଧରି

।।

ଯେ କୋପ ତୋର ଦେହୁଁ ଜାତ

ଏଣୁ ଅଖିଳ ସାଧ୍ୟ ଅର୍ଥ

।।

ହିଂସା ମତ୍ସର ନାହିଁ ଯେଣୁ

ପାଳନ ହେତୁ ତୋର ତେଣୁ

।।

ସୃଷ୍ଟି ପାଳନ ବେଗେଁ ଦହୁ

ତୁ ନାଥ ସର୍ବଗୁଣ ବହୁ

।।

ସଂସାର ମଧ୍ୟେ ତୋର ଲୀଳା

ଯେସନେ ବାଳକଙ୍କ ଖେଳା

।।

ନମସ୍ତେ ସର୍ବଭୂତ ପ୍ରାଣ

ଜୀବର ଶକ୍ତି ତୁ ଧାରଣ

।।

ଅବ୍ୟୟ ବୋଲାଉ ଜଗତେ

ଭୋନାଥ ତୋର ଅନୁମତେ

।।

ତୁ ବିଶ୍ୱ କର୍ମଜ୍ଞାନ ସାର

ଭୋନାଥ ତୋତେ ନମସ୍କାର

।।

ତୋର ଚରଣେ ଆମ୍ଭେ ବେଳେ

ଶରଣ ପଶିଲୁ ନିଶ୍ଚଳେ

।।

ପଞ୍ଚସ୍ତରୀ ଅଧ୍ୟା ଦଶମ

ବନ୍ଦି ରାଜାମାନ ସ୍ତବନ

।।

ହେ କୃଷ୍ଣ କୃଷ୍ଣ ମହାବାହୁ

ଶରଣ ତୋର ପାଦେ ଯେହୁ

।।

ତାହାର ଦୁଃଖ କରୁ ନାଶ

ତୁ ନାଥ ଭକତ ବିଶ୍ୱାସ

।।

ପ୍ରସନ୍ନେ ଭୟ ନାଶୁ ଯେଣୁ

ଆମ୍ଭେ ତୋ ପଦ୍ମପାଦେ ତେଣୁ

।।

ବିଭିନ୍ନ ବୁଦ୍ଧି ଭ୍ରମ ଭୟେ

ଶରଣ ଗଲୁ ତୋର ପାଏ

।।

ଭୋ ନାଥ ଶୁଣ ଭାବଗ୍ରାହି

ଆମ୍ଭେ ଯେ ରାଜଭୋଗ ପାଇ

।।

ଶ୍ରୀମଦେ ଦୃଷ୍ଟି କଲୁ ନାଶ

ଏ ଭୂମି ଜୟକରି ଆସ

।।

ଏକ ଆରକେ ଯୁଦ୍ଧବଳେ

ରାଜ୍ୟ ନାଶିଲୁ ମତ୍ତଭୋଳେ

।।

ଅତି ନିର୍ଦ୍ଦୟ କର୍ମ କରି

ଅଗ୍ରେ ମରଣ ନ ବିଚାରି

।।

ଏ ଜୀବ ଲୋକେ ଏ ସଂସାରେ

ବିକ୍ରମେ ଭ୍ରମେ ନିରନ୍ତରେ

।।

ତୋହର ମାୟା ଚକ୍ରେ ପଡ଼ି

କୁଶଳ କର୍ମପଥ ହୁଡ଼ି

।।

ତାର ଜୀବନ ଆତ୍ମା ତୁହି

ନିମିଷେ ନାଶୁ ମାୟା ବହି

।।

ଏଣୁ ତୋ ନାମ ଅନିମିଷ

ନମସ୍ତେ ଅନାଦି ପୁରୁଷ

।।

ତୁ ଏ ଜଗତ ମାୟାଧର

ନିଜ କଳା ଏ ଅବତାର

।।

ଆଦି ପୁରୁଷ ତୁ ଦୟାଳୁ

ଦୁଷ୍ଟ ନିବାରି ସନ୍ଥ ପାଳୁ

।।

ଯେବଣ ଜନ ତୋ ବଚନ

ନକରି ନିଜ ଅଭିମାନ

।।

କି ଅବା କରେ ମନବାଞ୍ଛା

ଆମ୍ଭେ ନ ଜାଣୁ ତାର ଦୀକ୍ଷା

।।

ସୂକ୍ଷ୍ମ ସ୍ୱରୂପ ନୃପସୁଖ

ତାର ଆୟତ୍ତେ ନିତ୍ୟେ ଦୁଃଖ

।।

ଏ ମୃତ୍ୟୁପିଣ୍ଡ ଏହା ବହି

ତେଣୁ ଆମ୍ଭର ଜ୍ଞାନ ନାହିଁ

।।

ତୁ ଆତ୍ମାଙ୍କର ନରହରି

ତୋ ପାଦ ଅନାଦର କରି

।।

ତୋତେ ନ ଚିହ୍ନି କ୍ଳେଶପାଇ

ତୋହର ମାୟା ଜଡ଼େ ଥାଇ

।।

ତୋର ଚରଣ ଚକ୍ରଧର

ପ୍ରଣତ ଜନ ଶୋକ ହର

।।

ଏ ଜରାସନ୍ଧ ଧୂମକେତୁ

ଆମ୍ଭର କର୍ମ ପାଶ ହେତୁ

।।

ଏହା ବନ୍ଧନୁ ରକ୍ଷାକର

ଭୋ ନାଥ ଶରଣ ତୋହର

।।

ଏ ଦୁରାଚାର ଅତିଖଳ

ଆୟୁତ ମତ୍ତ ନାଗବଳ

।।

ଏକୁ ଅନେକ ଅଛି ଧରି

ପଶୁଙ୍କୁ ଯେସନେ କେଶରୀ

।।

ଯେ ଜରାସନ୍ଧ ତୋର ମେଳେ

ଯୁଦ୍ଧ ନ ଜାଣି ବାହୁବଳେ

।।

ତେଇଶୀ ଅକ୍ଷଉଣୀ ସାଜି

ସପତଦଶ ବାର ଭାଜି

।।

ତୋର ମାୟାରେ ଚକ୍ରପାଣି

ବେଳେ ଜିଣିଲା ପ୍ରାୟ ମଣି

।।

ଲୀଳା ମନୁଷ୍ୟ ରୂପ ତୁହି

ତୋତେ ନ ଜାଣି ଦର୍ପବହି

।।

ତୋହର ରାଜ୍ୟ କଲା ନାଶ

ଆମ୍ଭେ ନ ଜାଣୁ ତା ବିଶ୍ୱାସ

।।

ଯେ ତୋର ଇଚ୍ଛା ଏବେ କର

ଆମ୍ଭେ ତୋ ଚରଣେ କିଙ୍କର

।।

ଏମନ୍ତ ଦୁଃଖେ ନୃପବର

ବନ୍ଧନ ମଗଧ ଦେଶର

।।

ଇଚ୍ଛନ୍ତି ତବ ଦରଶନ

ଭୋନାଥ ହୁଅ ତୁ ପ୍ରସନ୍ନ

।।

ଆମ୍ଭେ ଦୁଃଖିତ ରାଜଗଣ

ତୋ ପାଦେ ପଶିଲୁ ଶରଣ

।।

ପରମ ଦୁଃଖୁ କର ତ୍ରାହି

ଭୋ ନାଥ ରଖ ଭାବଗ୍ରାହୀ

।।

ଶତସ୍ତରୀ ଅଧ୍ୟା ଦଶମେ

ଯୁଧିଷ୍ଠିର ଯେ ତୋଷମନେ

।।

ସଭାରେ ଯୋଡ଼ି ବେନିକର

କୃଷ୍ଣଙ୍କୁ ବୋଲେ ନୃପବର

।।

ଭୋଦେବ ଶୁଣ ସାବଧାନେ

ଯଜ୍ଞ ରାଜୁସୀ ଅବଧାନେ

।।

ତୋର ବିଭୂତି ଦେବଗଣେ

ପବିତ୍ର ପରମ କାରଣେ

।।

ତାହାଙ୍କୁ ତୋ ଚରଣାଗ୍ରତେ

ପୂଜିବି ମହାଯଜ୍ଞ ମତେ

।।

ଏଣୁ ମୋହର ମନେ ଖେଦ

କର ତୁ ଏ ଯଜ୍ଞ ସମ୍ପାଦ

।।

ତୋର ଚରଣେ ଅବିରତେ

ଯେ ପ୍ରାଣୀ ଚିନ୍ତେ ଶୁଦ୍ଧଚିତ୍ତେ

।।

ନିଶ୍ଚଳ ଚିତ୍ତେ କରି ଧ୍ୟାନ

ସୁଖେ ଗୁଣନ୍ତି ତୋର ନାମ

।।

ସେବନ୍ତି ଉପବାସ ବ୍ରତେ

ବେଦ ବଚନେ ଶାସ୍ତ୍ରମତେ

।।

ସେ ତୋତେ କରନ୍ତି ପ୍ରମାଣ

ତୁ ଅପବର୍ଗର କାରଣ

।।

ହେ ଦେବଦେବ ନରହରି

ଯେ ତୋର ପାଦେ ସେବାକରୀ

।।

ସେବାରଫଳେ ଯେତେ ଲାଭ

ଉଭୟ ଲୋକ ଅନୁଭବ

।।

ଏ ସଭାଜନଙ୍କ ସମକ୍ଷେ

ତୁ ଏବେ ଦେଖାଅ ପ୍ରତ୍ୟକ୍ଷେ

।।

ଯେ ତୋତେ ଭଜେ ଦୃଢ଼ଚିତ୍ତେ

ଯେ ଅବା ନ ଭଜନ୍ତି ତୋତେ

।।

ଏ ବେନି ଜନଙ୍କର ଗତି

ପ୍ରକାଶ କର ଦାଶରଥି

।।

କୁରୁ ସଞ୍ଜୟ ସଭାମଧ୍ୟେ

ଏ ଲୋକ ଦେଖନ୍ତୁ ଆନନ୍ଦେ

।।

ତୁ ଯେ ନିର୍ଗୁଣ ବ୍ରହ୍ମସାର

ମିତ୍ର ଅଇରୀ ନାହିଁ ଯାର

।।

ଏ ସର୍ବଭୂତେ ତୋର ବାସ

ଏଣୁ ବୋଲାଅ ସମଯଶ

।।

ସମ୍ମୁଖେ ଅନୁଭବ ସମ

ସେବକେ ହେଉ ସୁରଦ୍ରୁମ

।।

ସେବାର ଅନୁରୂପ ହିତ

ଏଣୁ ତୋ ନାହିଁ ବିପରୀତ

।।

ଭଣଇଁ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ ଆଜ୍ଞାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତ୍‌ବାକ୍ୟେ ନାମ

ଊନତ୍ରିଂଶୋଽଧ୍ୟାୟଃ ।

Image

 

ତ୍ରିଂଶ ଅଧ୍ୟାୟ

 

ଦଶମ ଅଧ୍ୟା ଅଠସ୍ତରୀ

ବନ୍ଦୀ ରାଜା ମଗଧପୁରୀ

।।

କର ଅଞ୍ଜଳି ଶିରେ ଦେଇ

ବୋଲନ୍ତି କୃଷ୍ଣମୁଖ ଚାହିଁ

।।

ନମସ୍ତେ ଦେବଦେବ ବର

ପ୍ରପଞ୍ଚଜନ ଦୁଃଖହର

।।

ଅବ୍ୟୟ ପୁରୁଷ ଉତ୍ତମ

ନମସ୍ତେ ପ୍ରଭୁ ଭଗବାନ

।।

ଘୋର ସଂସାର ଅନ୍ଧକୂପେ

ଆମ୍ଭେ ଭ୍ରମିଲୁ ଅତି ଦୁଃଖେ

।।

ଅନାଥନାଥ ତୋ ମହିଁମା

ଆମ୍ଭେ ନ ଜାଣୁଁ ଗୁଣସୀମା

।।

ତୋହର ଗତି ଚକ୍ରଧର

ନ ଜାଣେ ଶିବ ବେଦବର

।।

ଏଣୁ ତୁ ଦୁର୍ଲ୍ଲଭ ସଂସାରେ

ଶୁଣ କହିବୁଁ ତୋ ଛାମୁରେ

।।

ଏଯେ ମଗଧ ଜରାସନ୍ଧ

ଏହା ନ କରୁ ଆମ୍ଭେ ମନ୍ଦ

।।

ଏ ତୋର ଅନୁଗ୍ରହେ କରି

ଆମ୍ଭଙ୍କୁ ବଳେ ବନ୍ଦି କରି

।।

ଅଇଲା ଧରି ଏ ପର୍ବତେ

ତୋ ମୁଖ ଦେଖିବାର ଅର୍ଥେ

।।

ଏ ଆମ୍ଭ ରାଜ୍ୟ ଭ୍ରଷ୍ଟ କଲା

ଯେଣୁ ତୋହର ଆଜ୍ଞାଥିଲା

।।

ଯେ ରାଜ୍ୟ ଅର୍ଥେ ମତ୍ତ ହୋଇ

ତାହାର ଶ୍ରେୟ ଲାଭ କାହିଁ

।।

ତୋର ମାୟାରେ ହୋଇ ମତ୍ତ

ମିଥ୍ୟା ସମ୍ପଦ ମଣେ ସତ୍ୟ

।।

ଅଜ୍ଞାନ ଅର୍ଥେ ହୋଇ ଭୋଜ

ମୃଗତୃଷ୍ଣାକୁ ମଣେ ଜଳ

।।

ନିବିଡ଼ ମାୟାର ବିକାରେ

ଅବସ୍ତୁ ବସ୍ତୁର ବିଚାରେ

।।

ଆମ୍ଭେ ସକଳେ ପୁଣ୍ୟ ଦେହେଁ

ଶ୍ରୀମଦ ବୁଦ୍ଧ ନଷ୍ଟ ମୋହେ

।।

ଏ ଭୂମି ଜିଣିବାର ଆଶେ

ଘୋର ସଙ୍କଟ ରଣ ତ୍ରାସେ

।।

ଏକୁ ଅନେକ ରିପୁଗଣେ

ରାଜ୍ୟ ନାଶିଲୁ ଅନୁକ୍ଷଣେ

।।

ଅତି ନିର୍ଦ୍ଦୟ ପଣ କଲୁ

ତୋର ମହିଁମା ପାଶୋରିଲୁ

।।

ନିକଟେ ନ ଦେଖି ମରଣ

କୁମତି ବୁଦ୍ଧି ଦୁଷ୍ଟପଣ

।।

ତୁ ପୁଣି କାଳରୂପେ ହରି

ବଳେ ନାଶିଲୁ ଆମ୍ଭ ଶରୀ

।।

ଏ ପୁଣି ତୋର ଅନୁଗ୍ରହ

ଆମ୍ଭର ଗଲା କଷ୍ଟ ମୋହ

।।

ଏବେ ସୁମରି ତୋ ଶରଣ

ପଶିଲୁ ଅଭୟ ଚରଣ

।।

ଏ ମୃଗତୃଷ୍ଣା ପ୍ରାୟେ ରାଜ୍ୟ

ଏଣେ ଆମ୍ଭର ନାହିଁ କାର୍ଯ୍ୟ

।।

ଏ ଛିଦ୍ର ଜଳଘଟ ପ୍ରାୟେ

ନିତି ପଠନ ମାୟା ମୋହେ

।।

ସର୍ବ ରୋଗଙ୍କ ମୂଳ ଭୂମି

ନିତ୍ୟେ ଅନିତ୍ୟ ପଥଶ୍ରମି

।।

ଏଣେ ଆମ୍ଭର ନାହିଁ କାର୍ଯ୍ୟ

ଶୁଣିମା ପ୍ରଭୁ ଦେବରାଜ

।।

କର୍ମ କଷଣ ସଙ୍ଗମେଳେ

ଚର୍ମ ଲୋଚନ କ୍ରିୟା ଫଳେ

।।

ଏଣେ ଆମ୍ଭର କାର୍ଯ୍ୟ ନାହିଁ

ଏମନ୍ତ ଆଜ୍ଞା ଦିଅ ତୁହି

।।

ତୋ ପାଦପଦ୍ମ ଅବିରତେ

ନିରତେ ଥିବ ଆମ୍ଭ ଚିତ୍ତେ

।।

ତୋର ଚରଣେ ଆମ୍ଭମନ

ଦଣ୍ଡେ ନ ଛାଡ଼ୁ ଭଗବାନ

।।

ସଂସାର ଭ୍ରମଣ ଆମ୍ଭର

ବେଗେ ନିବାର ଚକ୍ରଧର

।।

ଶ୍ରୀକୃଷ୍ଣ ବାସୁଦେବ ହରି

ପରମଆତ୍ମା ତୁ ମୁରାରି

।।

ପ୍ରଣତ ଜନ କ୍ଳେଶ ହର

ନମୋ ଗୋବିନ୍ଦ ଦାମୋଦର

।।

ଅଠାଶୀ ଅଧ୍ୟା ଯେ ଦଶମ

ସ୍ତୁତି ଶ୍ରୀକୃଷ୍ଣ ବନ୍ଧୁଜନ

।।

କୃଷ୍ଣର ପାଦପଦ୍ମ ଚାହିଁ

ତାହାଙ୍କ ମନେ ପାପ ନାହିଁ

।।

ବୋଲନ୍ତି ସ୍ନେହ ଗଦଗଦେ

ଚିତ୍ତ ନିବେଶି ପଦ୍ମପାଦେ

।।

ଭୋ ନାଥ ଶୁଣ ହୃଷୀକେଶ

ତୋ ପାଦପଦ୍ମ ମଧୁରସ

।।

ସର୍ବଦା ଆମ୍ଭର ବିଶ୍ୱାସ

କହି ହୁଅନ୍ତି ହସହସ

।।

ତୁମ୍ଭର ମୁଖୁ ଝରେ ନିତି

ଯେ କର୍ଣ୍ଣମୂଳରେ ପବନ୍ତି

।।

ନିତ୍ୟେ ପିବନ୍ତି ଦେହ ଧରି

ତେଣୁ ସେ ଜ୍ଞାନ ଲୋକତରୀ

।।

ତାର ଅଶୁଭ ଫଳ କାହିଁ

ପୁଣ ବୋଲନ୍ତି କୃଷ୍ଣ ଚାହିଁ

।।

ଭୋ ନାଥ ଶୁଣ ପୂର୍ଣ୍ଣକାମ

ନିର୍ମଳ ଆତ୍ମା ତୋର ଧାମ

।।

ଆତ୍ମା ଅଙ୍କୁର ତୁ ପ୍ରକାଶ

ଯାର ସ୍ମରଣେ ଯାଇ ନାଶ

।।

ଆନନ୍ଦ ସୁଖ ସିନ୍ଧୁନାବ

ଅଖଣ୍ଡ ଅଖଣ୍ଡିତ ଭାବ

।।

କାଳ ସର୍ଜିତ ମାୟାବୃତ୍ତି

ନିଗମେ ତହିଁ ବିଶ୍ରାମନ୍ତି

।।

ସେ ରୂପ ଛାଡ଼ି ଜନ ହିତେ

ତୁ ଦେହବନ୍ତ ଏ ଜଗତେ

।।

ନିଜ ପରମହଂସ ଗତି

ଆମ୍ଭେ ତୋହର ଭାବେ ସ୍ଥିତି

।।

ଅଣନଉ ଅଧ୍ୟା ଦଶମେ

ତୀର୍ଥ ଯାତ୍ରାରେ ମୁନିଜନେ

।।

ପୁଣ ଗୋବିନ୍ଦ ମୁଖ ଚାହିଁ

ବୋଲନ୍ତି ଶିରେ କରଦେଇ

।।

ତୋର ମହିଁମା ଏହିମତ

ଯେଣେ ତୋ ସର୍ଜନ ଜଗତ

।।

ତଥାପି ଖଳ ନିବାରଣେ

ସୁଜନଧର୍ମ ସମ୍ପାଦନେ

।।

ନିର୍ମଳ ଦେହେଁ ବିଶ୍ୱବ୍ୟାପୀ

ଲୀଳାଏ ବେଦପଥ ସ୍ଥାପି

।।

ଏମନ୍ତେ ନାନା ବର୍ଣ୍ଣାଶ୍ରମ

ତୁ ରଖୁ ଏହାଙ୍କର ଧର୍ମ

।।

ତେଣୁ ତୁ ପରମ ପୁରୁଷ

ଏ ଜନ ମଧ୍ୟେ ତୋର ଯଶ

।।

ଯେ ବ୍ରହ୍ମ ଅନାଦି କାରଣ

ସେ ତୋର ହୃଦରେ ପ୍ରମାଣ

।।

ସ୍ୱଧର୍ମେ ସ୍ନାନ ତପ ସମେ

ଯାହାକୁ ଲଭି ଅତି ଶ୍ରମେ

।।

ତୋହର ତହୁଁ ଆତଯାତ

ଯାର ପ୍ରମାଣୁ ବ୍ୟକ୍ତାବ୍ୟକ୍ତ

।।

ସର୍ବ ନିମତେ ତୁ ଜନନୀ

ଯେଣୁ ତୁ ଆତ୍ମା ମାୟା ଘେନି

।।

ବ୍ରହ୍ମାକୁଳକୁ ରକ୍ଷାକରୁ

ତୁ ନାଥ ବିଦ୍ୟାଜ୍ଞାନ ଗୁରୁ

।।

ବ୍ରହ୍ମ ଅଗ୍ରଣୀ ତୋର ନାମ

ତୁ ଜାଣୁ ତୋର ନିଜ ଧାମ

।।

ଆଜ ସୁଫଳ ଆମ୍ଭ ଜନ୍ମ

ତପ ସମାଧି ବିଦ୍ୟାକର୍ମ

।।

ଏ ଦୃଷ୍ଟି ଶ୍ରବଣର ଲାଭ

ତୋ ସଙ୍ଗେ ବାକ୍ୟ ପ୍ରିୟଭାବ

।।

ଜୀବନ ମୋକ୍ଷ ତୋ ନିକଟେ

ଲଭିଲୁ ମୋକ୍ଷ ତୋ ନିକଟେ

।।

ବଚନ ତୋତେ ନ ଜାଣଇ

ମନ ପାଇବ ଅବା କାହିଁ

।।

ଏମନ୍ତ କୃଷ୍ଣରୂପ ତୋର

ନମସ୍ତେ ପ୍ରଭୁ ଦାମୋଦର

।।

ସଂଯୋଗେ ମାୟାଯୋଗ ତୁହି

ମାୟା ମହିଁମା ନାମ ବହି

।।

ତୁ ପ୍ରେମ ଆତ୍ମା ନାରାୟଣ

ନମସ୍ତେ ପରମ କାରଣ

।।

ତୋର ସୁହୃଦ ରାଜା ଯେତେ

ସ୍ୱଜନ ବାନ୍ଧବ ସହିତେ

।।

ଭୋଜ ଯାଦବେ ବୃଷ୍ଣବଂଶେ

ତୁ ଯେ ପ୍ରକାଶିଅଛୁ ଅଂଶେ

।।

ତୋହର ଅଙ୍ଗ ସଙ୍ଗେ ଥାଇ

ଏ ତୋତେ ଜାଣିବେଟି କାହିଁ

।।

ତୁ ଆତ୍ମା କଳ୍ପନା ଈଶ୍ୱର

ମାୟା ପଟଳେ ଅଗୋଚର

।।

ଯେହ୍ନେ ପୁରୁଷ ନିଦ୍ରାଭୋଳେ

ଶୟନେ ଶରୀର ନିଶ୍ଚଳେ

।।

ଅଜ୍ଞାନ ଭାବେ ମାୟା ତୁଲେ

ଆତ୍ମାକୁ ନ ଜାଣଇଁ ଭଲେ

।।

ତୋର ମାୟାରେ ଛନ୍ନ ହୋଇ

ତୋତେ ଜାଣିବେ ଅବା କାହିଁ

।।

ଭୋନାଥ ତୋହର ଚରଣ

ଆଜ ଦେଖିଲୁ ନାରାୟଣ

।।

ଯେ ପାଦ ସେବି ପାପ ନାଶେ

ଯୋଗୀଙ୍କ ହୃଦୟେ ପ୍ରକାଶେ

।।

ଅଶେଷ ତୀର୍ଥ ଫଳ ତୁହି

ଯେ ଭଜିପାରେ ଦେହବହି

।।

ଉତ୍ତମ ଭକ୍ତି ଯୋଗବଳେ

ଅନ୍ତର ବାହାରେ ନିଶ୍ଚଳେ

।।

ନିରେଖି ତୋ ରୂପ ସୁମତୀ

ସେ ତୋତେ ପାଇବେ ଶ୍ରୀପତି

।।

ଆମ୍ଭେ ତୋ ଭଜନର ଦେହ

ଆମ୍ଭଙ୍କୁ କର ଅନୁଗ୍ରହ

।।

ଭଣଇ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ରହୁ ସୁଜନେ ଆଜ୍ଞା କର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତ ବାକ୍ୟେ

ନାମ ତ୍ରିଂଶୋଽଧ୍ୟାୟଃ ।

Image

 

ସ୍ତବକଳ୍ପଦ୍ରୁମ

ଏକତ୍ରିଂଶ ଅଧ୍ୟାୟ

 

ଦଶମସ୍କନ୍ଧ ନଉଧ୍ୟାରେ

ବାସୁଦେବ ଯେ ସ୍ତୁତି କରେ

।।

ହେ ରାମ କୃଷ୍ଣ ଭଗବାନ

ଶଙ୍କରଷଣ ଜନାର୍ଦନ

।।

ନିଶ୍ଚେ ଜାଣିଲି ଆଜ ମୁହିଁ

ସୃଷ୍ଟି କାରଣ ତୁମ୍ଭେ ଦୁଇ

।।

ବ୍ରହ୍ମାଦି ସ୍ୱକାମ ପ୍ରକାଶ

ତୁମ୍ଭେ ଯେ ପ୍ରଧାନ ପୁରୁଷ

।।

ଯହିଁ ଯେମନ୍ତ ଯଜ୍ଞୁ ଜାତ

ଯାହାର ଯେ ଅବା ନିର୍ମିତ

।।

ଯେ ଅବା ଯହିଁ ଯଥାଭାବେ

ଯାହାର ପ୍ରିୟଜନ ଲାଭେ

।।

ସଂଭୂତ ହୋଇ ଏ ସଂସାରେ

ପ୍ରତ୍ୟକ୍ଷେ ପ୍ରଧାନ ଈଶ୍ୱରେ

।।

ତୁମ୍ଭର ସୃଷ୍ଟି ଏ ଜଗତ

ସ୍ଥାବର ଆଦି ନାନାମତ

।।

ଏହାଙ୍କ ଦେହେଁ ତୁମ୍ଭେ ପଶି

ପ୍ରାଣୀ ଜୀବନକୁ ଆଶ୍ୱାସି

।।

ପ୍ରାଣାଦି ପଞ୍ଚ ମହାଭୂତେ

ସୃଷ୍ଟି କରନ୍ତି ଆତଯାତେ

।।

ଏହାଙ୍କ ଶକ୍ତି ତୁମ୍ଭେ ଧରି

ଅଚେତନ ଚେତନ କରି

।।

ଇନ୍ଦ୍ରି ବିଷୟ ଚିତ୍ତେ ଧରି

ଏ ମାୟା ଗୁଣରେ ବିହରି

।।

ବ୍ରାହ୍ମାଣ୍ଡ କାନ୍ତି ତେଜ ପ୍ରଭା

ଅମର ବାଳ ନାନା ଶୋଭା

।।

ଇନ୍ଦ୍ରାଗ୍ନି ରବି ଋକ୍ଷମାଳି

ନିର୍ଦ୍ଦୋଷ ଜୀମୁତ ବିଜୁଳି

।।

ଭୂମି ଆଧାର ତୁ ଯେ ଧରି

ଧୃତି ସୁଗନ୍ଧ ଆଦି କରି

।।

ଜଳରେ ତର୍ପଣ ଭକ୍ଷଣ

ଦେବଙ୍କ ହବି ଯେ ଭିଆଣ

।।

ପବନ ଆଦି ତୁ ସକଳ

ଦିଗଙ୍କ ମଧ୍ୟେ ଅନ୍ତରାଳ

।।

ନାଦ ଯେ ବିନ୍ଦୁ ନିରାକାର

ଆକୃତି ମଧ୍ୟେ ନାନାକାର

।।

ଇନ୍ଦ୍ରିଙ୍କ ମଧ୍ୟେ ତୁମ୍ଭେ ମନ

ତୋ ଅନୁଗ୍ରହେ ଦେବଗଣ

।।

ବୁଦ୍ଧିରେ ବୋଧବୁଦ୍ଧି ତୁମ୍ଭେ

ଜୀବର ଆକୃତି ଆରମ୍ଭେ

।।

ଭୂତଙ୍କ ମଧ୍ୟେ ଭୂତ ଆଦି

ଇନ୍ଦ୍ରିୟଗଣେ ତୁ ପ୍ରସିଦ୍ଧି

।।

ବିକଳ୍ପ ମଧ୍ୟେ ତୁ ବିକାର

ପ୍ରଧାନ ପୁରୁଷ ଜୀବର

।।

ବିନାଶ ଭୂତଙ୍କର ମଧ୍ୟେ

ତୁମ୍ଭେ ଅନାଦି ସୁପ୍ରସିଦ୍ଧେ

।।

ଦିବ୍ୟ ବିକାର ଦିବ୍ୟ ତୁମ୍ଭେ

ତ୍ରିଗୁଣ ବ୍ରତର ଆରମ୍ଭେ

।।

ଆତ୍ମା କଳ୍ପିତ ଏ ସଂସାରେ

ତୁମ୍ଭର ଯୋଗ ମାୟାବଳେ

।।

ଏ ଘେନି ଅନୁମାନ କଲେ

ମାୟା ନ ଲାଗେ ତୁମ୍ଭ ତୁଲେ

।।

ନାନା ବିକାରଙ୍କ ପ୍ରମାଣେ

ନ ଘଟେ ତୁମ୍ଭ ବିଚାରଣେ

।।

ଏ ଗୁଣ ପ୍ରଭାବ ତୁମ୍ଭର

ଅଜ୍ଞାନୀ ଜନେ ଅଗୋଚର

।।

ଏଣୁ ସଂସାର କର୍ମ ବଳେ

ପ୍ରାଣୀ ଭ୍ରମନ୍ତି ଅନ୍ତରାଳେ

।।

ଅନେକ ଭାଗ୍ୟ ଏ ସଂସାରେ

ମନୁଷ୍ୟରୂପ ପ୍ରାଣୀଧରେ

।।

ନିତ୍ୟେ ସମର୍ପେ ଆତ୍ମାଭାବ

ପ୍ରାଣୀଙ୍କ ଦେହେଁ ଏ ଦୁର୍ଲ୍ଲଭ

।।

ତୁମ୍ଭ ମାୟାରେ ପ୍ରାଣୀ ମୋହି

ଆତ୍ମାର ଗତି ନ ଜାଣଇଁ

।।

ବୟସ ଗଲା ନାନାକାରେ

ନିବିଡ଼ ସଂସାର ବେଭାରେ

।।

ମୁହିଁ ମୋହର ଏ ସଂସାର

ସୁତ କଳତ୍ର ଧନ ମୋର

।।

ଏମନ୍ତ ସ୍ନେହ ପାଶ ଦେଇ

ବନ୍ଧନ କର ତୁମ୍ଭେ ଦୁଇ

।।

ପ୍ରଧାନ ପୁରୁଷ ଈଶ୍ୱର

ତୁମ୍ଭେ ଯେ ମୋହର କୁମର

।।

ଭୂମିର ଭାରା ନିବାରଣେ

ମୋହର କୁଳ ନିସ୍ତାରଣେ

।।

ଏଣୁ ମୋହର ନୁହ ସୁତ

ଏ ମାୟା ତୁମ୍ଭର ନିର୍ମିତ

।।

ସଂସାର ସଙ୍କଟ ନିସ୍ତାର

ତୁମ୍ଭର ଅଭୟ ପୟର

।।

ଆରତ ଜନ ବନ୍ଧୁ ତୁମ୍ଭେ

ଏ ମାୟା ସଂସାର ଆରମ୍ଭେ

।।

ଲୋଭ ଆଳସ୍ୟ ମୋର ନୋହୁ

ଏମନ୍ତ ଆଜ୍ଞା ମୋତେ ହେଉ

।।

ତୁ ନିରାକାର ନିରଞ୍ଜନ

ପରମବ୍ରହ୍ମ ଭଗବାନ

।।

ତୋର ବିଷୟେ ପୁତ୍ର ବୁଦ୍ଧି

ଭୋ ନାଥ ପକା ଏହା ଛେଦି

।।

କଂସ ରାଜାର ବନ୍ଦିଘରେ

ରଜନୀ ଦ୍ୱିତୀୟ ପ୍ରହରେ

।।

ତୋହର ଜନ୍ମକାଳେ ମୋତେ

ଯାହା କହିଲୁ ଦୟାଚିତ୍ତେ

।।

ବୋଇଲୁ ନିଜ ଅନୁରାଗେ

ମୋହର ଜନ୍ମ ଯୁଗେ ଯୁଗେ

।।

ଏଣୁ ତୁ ଧର୍ମ ରକ୍ଷା ଅର୍ଥେ

ଶରୀର ବହୁ ନାନାମତେ

।।

ଗଗନେ ଯେହ୍ନେ ମେଘପନ୍ତି

ଉଭାରି ଗୁଣେ ଲୀନ ହୋନ୍ତି

।।

ଏମନ୍ତ ତୋ ମାୟା ବିଭୂତି

କେ ଜାଣି ପାରଇ ଶ୍ରୀପତି

।।

ଦେବକୀ ଏହି ଯେ ଅଧ୍ୟାରେ

କାନ୍ଦିକହେ ପୁତ୍ର ଶୋକରେ

।।

ପୁଣି କ୍ଷଣକେ ସ୍ଥିର ହୋଇ

ବୋଲଇ କୃଷ୍ଣ ମୁଖ ଚାହିଁ

।।

ଶୁଣ ହୋ ରାମ ଦାମୋଦର

ମହା ମହିଁମ ଯୋଗେଶ୍ୱର

।।

ମୁହିଁ ଜାଣଇଁ ତୁମ୍ଭ ଗତି

ସଂସାରେ ଯେତେ ପ୍ରଜାପତି

।।

ତୁମ୍ଭେ ତାହାଙ୍କର ଈଶ୍ୱର

ଆଦି ପୁରୁଷ ନିରାକାର

।।

ଏଭୂମି ସ୍ଥଳେ ରାଜା ଯେତେ

ବିନାଶ କାଳବଳ ଗ୍ରସ୍ତେ

।।

ତାହାଙ୍କ ପାଦଭରେ ମହୀ

ତୋତେ ନମିଲା ଭାବଗ୍ରାହି

।।

ଏଣୁ ମୋ ଗର୍ଭୁ ତୁମ୍ଭେ ଜାତ

ମାୟାରେ ହୋଇ ବେନି ସୁତ

।।

ତୋହର ଆତ୍ମା ସଙ୍ଗଭାବେ

ଏ ବିଶ୍ୱ ସଂସାର ସମ୍ଭବେ

।।

ସୃଷ୍ଟି ପାଳିଣ ନାଶହୋନ୍ତି

ଏ ଘେନି ସଂସାରେ ତୋ ଗତି

।।

ବିଦ୍ୟା ପଠନେ ତୁମ୍ଭବାଣୀ

ଗୁରୁଙ୍କ ମଲା ପୁତ୍ର ଆଣି

।।

ଗୁରୁ ଦକ୍ଷିଣା ଦେଇଅଛ

ଏକଥା ଲୋକରେ ପ୍ରତ୍ୟକ୍ଷ

।।

ତେଣୁ ମୋହର ବାକ୍ୟ କର

ତୁମ୍ଭେ ହୋ ଭୁବନଈଶ୍ୱର

।।

କଂସ ମାଇଲା ଯେତେ ସୁତ

ତୁମ୍ଭର ଜ୍ୟେଷ୍ଠ ଷଡ଼ ଭ୍ରାତ

।।

ତାହାଙ୍କୁ ଲୋଚନେ ମୁଁ ଦେଖି

ଜୀବନ କରିବଇଁ ସୁଖୀ

।।

ଏହି ଅଧ୍ୟାରେ ବଳିରାଜା

ରାମ କୃଷ୍ଣଙ୍କୁ କରି ପୂଜା

।।

କର ନିବେଶି କୃଷ୍ଣ ପାଦେ

କହଇ ଶୋକଗଦଗଦେ

।।

ନମୋ ଅନନ୍ତ ମହାଶୟ

ସୃଷ୍ଟି କାରଣ ବ୍ରହ୍ମଦେହ

।।

ତୁ ବ୍ରହ୍ମ ପରମ କାରଣ

ତୁ ସାଂଖ୍ୟ ଯୋଗ ବିଚାରଣ

।।

ତୁମ୍ଭର ଦରଶନ ଭାବ

ଜଗତ ଯୋଗିଙ୍କି ଦୁର୍ଲ୍ଲଭ

।।

କୃଷ୍ଣର ପାଦେ ଶିରଦେଇ

ରାମର ପାଦରଜ ପାଇ

।।

ଆମ୍ଭେ ସ୍ୱଭାବେ ରଜତମ

ପାଇଲି ତବ ଦରଶନ

।।

ଦଇତ ଦାନବ ଗନ୍ଧର୍ବ

ସିଦ୍ଧ ଚାରଣ ମହୋରଗ

।।

ଯକ୍ଷ ପିଚାଶ ଆଦି ଯେତେ

ଭୂତ ପ୍ରମଥ ନାନା ମତେ

।।

ବିଷୟ ଅସତ୍ୟ ସ୍ୱଭାବ

ତୋ ପଥ କରନ୍ତି ବିରୋଧ

।।

ତୁ ସର୍ବ ଶରୀରେ ଅନନ୍ତ

ଏଣୁ ଲଭନ୍ତି ଜ୍ଞାନତତ୍ତ୍ୱ

।।

ଏହାଙ୍କ ମାର୍ଗେ ଛନ୍ତି ଯେତେ

ସେ ତୋତେ ଲଭନ୍ତି ନିଶ୍ଚିନ୍ତେ

।।

ଦୀକ୍ଷାଦି ତୋହର ଚରଣେ

ଯେବେ ଭ୍ରମନ୍ତି ଶତ୍ରୁପଣେ

।।

ଲଭନ୍ତି ତୋର ପଦ୍ମପାଦ

କାହିଁ ତାହାଙ୍କ ଶାସ୍ତ୍ର ବାଦ

।।

ଯେ ଯବା ଶତ୍ରୁ ପଣେ ଥାଇ

ତୋ ପାଦ କମଳ ଭଜଇ

।।

ବଧ ବଇରୀ ଭାବେ ଚିନ୍ତି

ଭୋ ନାଥ ତୋତେ ସେ ଲଭନ୍ତି

।।

ଯେ ଅବା କାମମାର୍ଗେ ଚିନ୍ତି

ସେ ତୋତେ ସ୍ୱଭାବେ ଲଭନ୍ତି

।।

ସଂସାରେ ତାର ନାହିଁ ଭ୍ରାନ୍ତି

ନରକେ ଆଉ ନ ପଡ଼ନ୍ତି

।।

ସନ୍ତୋଷେ ସର୍ବ ଦେବଗଣେ

ତୋର ନିକଟେ ଅନୁକ୍ଷଣେ

।।

ତୋହର ମାୟାବଳ ତ୍ୟାଗୀ

ନିଜ ମହିଁମା ଅନୁରାଗୀ

।।

ଏଣୁ ନ ପାନ୍ତି ତୋର ଭାବ

ତୁ ନାଥ ଦେବଙ୍କୁ ଦୁର୍ଲ୍ଲଭ

।।

ନିର୍ଣ୍ଣୟ କରି ତୋ ଶରୀର

କେ ଜାଣିପାରେ ଦାମୋଦର

।।

ତୋର ମହିଁମା ଯୋଗମାୟା

ଆମ୍ଭେ ଜାଣିବୁ କାହିଁ ଏହା

।।

ଭୋ ନାଥ ଶୁଣ ନିରଞ୍ଜନ

ତୁ ମୋତେ ହୋଇବା ପ୍ରସନ୍ନ

।।

ଗୃହାନ୍ଧ କୂପେ ଥାଇ ନିତି

ତୋ ପାଦପଦ୍ମ ହୃଦେ ଚିନ୍ତି

।।

ତୋ ପଦ୍ମପାଦ ଲଭିବାରେ

ସନ୍ଥ ଯେସନେ ଆଶାକରେ

।।

ସଙ୍ଗେ ମୁଁ ଘେନି ସଖାଗଣ

ସେବିବି ତୋହର ଚରଣ

।।

ଏ ଏକାଣୋଇ ଯେ ଅଧ୍ୟାରେ

ଜନକ କହେ କୃଷ୍ଣଠାରେ

।।

ଭୋ ନାଥ ସର୍ବ ପ୍ରାଣୀଙ୍କର

ତୁ ଆତ୍ମା ସାକ୍ଷୀ ଦାମୋଦର

।।

ତୋ ରୂପ ଦେଖି ଚକ୍ଷୁଦ୍ୱାରେ

କେ ଛାଡ଼ୁ ମନୁଷ୍ୟ ଶରୀରେ

।।

ତୋହର ଗୁଣ ଶୁଣି କର୍ଣ୍ଣେ

ପ୍ରତ୍ୟକ୍ଷେ ଦେଖିଲି ନୟନେ

।।

ତୋ ପାଦରଜ ଜନପିତା

ଦେଖି ନ ପାଇ କରେ ଚିନ୍ତା

।।

ଏହା ଯେ ଚିତ୍ତେ ଭଲେ ଜାଣି

କେ ତାହା ଲଭେ ଛାଡ଼େପ୍ରାଣୀ

।।

ସମଦରଶୀ ଚିତ୍ତ ଯାର

ସନ୍ଥ ପ୍ରସନ୍ଥ ମୁନିବର

।।

ମରଣେ ଯେଉଁ ଆତ୍ମା ପଦ

ଆଗମେ ନିଗମେ ପ୍ରସିଦ୍ଧ

।।

ସଂସାର ପ୍ରାଣିଙ୍କର ସଧେ

ତୁ ନାଥ ଭୂମି ଭାରା ମଧ୍ୟେ

।।

ଯାଦବ ବଂଶେ ହୋଇ ଜାତ

ତୋ ଯଶ ଜଗତେ ବିଖ୍ୟାତ

।।

ତୈଲୋକ୍ୟଜନ ପାପନାଶେ

ନିର୍ମଳ ଜ୍ଞାନ ସୁପ୍ରକାଶେ

।।

ନମସ୍ତେ ପ୍ରଭୁ ଭଗବାନ

ତୁ କୃଷ୍ଣ ବଇକୁଣ୍ଠ ଧାମ

।।

ତୋ ପାଦରଜ ଦାମୋଦର

ପବିତ୍ର କଲୁ ମୋର କୁଳ

।।

ଏହି ଅଧ୍ୟାରେ ଶୁକଦେବ

ପୂଜିଣ ଅନାଦି ମାଧବ

।।

ବୋଲଇ କମଳଲୋଚନ

ପାଦପଙ୍କଜେ ଦେଇ ମନ

।।

ଆଜ ସେ ଧନ୍ୟ ମୋର ବଂଶ

ଦେଖିଲି ପରମ ପୁରୁଷ

।।

ଯେ ହରି ଜଗତ ଭିଆଇ

ଖେଳଇ ସର୍ବଭୂତ ହୋଇ

।।

ନିଦ୍ରିତ ପୁରୁଷ ଯେମନ୍ତ

ସ୍ୱପ୍ନେ ଦେଖଇ ନାନାମତ

।।

ଚିଁଆଇ ପୁଣ ଚିତ୍ତେ ଧ୍ୟାୟେ

ସେ କଥା ମଣେ ମିଥ୍ୟାପ୍ରାୟେ

।।

ତୋ ନାମ ଶୁଣନ୍ତି ଯେ କର୍ଣ୍ଣେ

ନିରତେ ଗୁଣନ୍ତି ବଦନେ

।।

ନିତ୍ୟେ ଯେ ଧ୍ୟାନ ମନେ ଚିନ୍ତି

ପ୍ରତିମା ପୂଜନ୍ତି ଯେ ନିତି

।।

ସଂସାର ସଙ୍ଗ ଦୂର କରି

ତୋତେ ଭାବନ୍ତି ହୃଦେ ଧରି

।।

ତାହାଙ୍କ ହୃଦେ ତୁ ଗୋବିନ୍ଦ

ପ୍ରକାଶୁ ଜଳେ ଯେହ୍ନେ ଚନ୍ଦ୍ର

।।

ତୋହର ଐରି ମିତ୍ର ନାହିଁ

ଭକତ ଜନ ତୋତେ ପାଇ

।।

ଭଣଇ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେ ସୁଜ୍ଞଜନେ ଆଜ୍ଞାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତ ବାକ୍ୟେ ନାମ

ଏକତ୍ରିଂଶୋଽଧ୍ୟାୟଃ ।

Image

 

ଦ୍ୱାତ୍ରିଂଶ ଅଧ୍ୟାୟ

 

ଦଶମସ୍କନ୍ଧେ ବୟାନବେ

ଅଧ୍ୟାରେ ସ୍ତବ ଗୀତା ସ୍ତବେ

।।

ପ୍ରଥମେ ଜୟ ଜୟ ସ୍ତୁତି

ନିର୍ଗୁଣେ ନିଗମେ ବୋଲନ୍ତି

।।

ଜୟ ଅଚ୍ୟୁତ ଆଦିକନ୍ଦ

ନିର୍ଲେପ ପରମ ଆନନ୍ଦ

।।

ରୂପାଧି ଭେଦେ ନୁହ ସଙ୍ଗ

ସମୁଦ୍ରେ ଯେସନେ ତରଙ୍ଗ

।।

ଜୟ ମଙ୍ଗଳ ଜଗନ୍ନାଥ

ଏ ଜୀବ ତୋର ତହୁଁ ଜାତ

।।

ସ୍ଥାବର ଆଦି ଚାରିମୂଳେ

ବନ୍ଧନ ବାସନାର ମୂଳେ

।।

ତୋହର ମାୟା ଭ୍ରମପାଇ

ନାନା ଯୋନିରେ ଜାତହୋଇ

।।

ଭ୍ରମନ୍ତି ତୋ ମାୟା ନ ପାଇ

ତାହାର ମାୟାଜଡ଼ ତୁହି

।।

ସେ ମାୟା ପ୍ରଶଂସିବି କେତେ

ଗୁଣକୁ ଭଜେ ଦୋଷଅର୍ଥେ

।।

ତୁ ଆତ୍ମାଗୁଣେ ନରହରି

ଅଷ୍ଟମ ନିଧି ଗୁଣେ ଧରି

।।

ପରମ ଆତ୍ମାରୂପେ ବସୁ

ପରମ ସୁକୀର୍ତ୍ତି ପ୍ରକାଶୁ

।।

ତୋ ମାୟା ତରିବାର ଆଶେ

ବୈରାଗ୍ୟ ଜ୍ଞାନ ସେ ପ୍ରକାଶେ

।।

ନାନା ପ୍ରକାରେ ବୁଦ୍ଧିକରି

ତୋ ମାୟା ନ ପାରନ୍ତି ତରି

।।

ଏଣୁ ଜୀବର ଘୋର ମାୟା

ତୁଟଇ ଯାକୁ କରୁ ଦୟା

।।

ଅନାଦି ମାୟା ସୃଷ୍ଟିକାଳେ

ତୁ ନାଥ ଘେନି ସଙ୍ଗମେଳେ

।।

ଜୀବ ପରମ ରୂପଧରି

ତୋର କ୍ରୀଡ଼ାରେ ନରହରି

।।

ଅନନ୍ତ ପତି ତୋର ମାୟା

କେ ଜାଣିପାରେ ନାଥ ତାହା

।।

ଆଦି ଅନନ୍ତ ନାହିଁ ତୋର

ଏ ଘେନି କେ କରୁ ଗୋଚର

।।

ଦ୍ୱିତୀୟ ବୃହବ୍ଦ୍ରୁମପଦ

ଭାବେ ବୋଲନ୍ତି ତିନିପଦ

।।

ତୁ ନାଥ ପରମ ଆନନ୍ଦ

ସଂସାର ମୂଳ ଆଦିକନ୍ଦ

।।

ତୁ ବୋଲୁ ବେଦ ଏ ଅନାଦି

ସର୍ବ ପାରନ୍ତି ଏ ସମ୍ପାଦି

।।

ବାସବ ଆଦି ଦେବଗଣ

ଏ ଦେବେ ଯଜ୍ଞର କାରଣ

।।

କର୍ମ କାରଣ ଶୁଭାଶୁଭ

ମୋ ଆଦି ଜାଣନ୍ତି ଏ ସର୍ବ

।।

ତହିଁକି କହିବୁ ତୋ ଆଗେ

ପବନ ବଳେ ଜଳ ବିମ୍ୱେ

।।

କରିବା ଯେତେ ଅନୁମାନ

ଜଳୁ ସେ ନୁହନ୍ତି ନା ଭିନ୍ନ

।।

ତୁ ସର୍ବମୟ ନିରାକାର

ଅଶେଷ ଶେଷ ନାହିଁ ତୋର

।।

ସୃଷ୍ଟି ସମ୍ଭୁତ ତୋର ତହୁଁ

ତୁ ବ୍ରହ୍ମ ବିକାର ଯେ ନୋହୁଁ

।।

ଘଟାଦି ମୃତ୍ତିକା ଯେସନେ

ଉଦୟ ଅସ୍ତୁ ଅନୁମାନେ

।।

ବାସବ ଆଦି ଯେ ଜଗତେ

ତୋହର ସଞ୍ଚିଲା ସମସ୍ତେ

।।

ଏ ଘେନି ଋଷିଗଣ ଯେତେ

ମନ ବଚନ ଦେଇ ତୋତେ

।।

ସମର୍ପି ତୋ ପାଦ କମଳେ

ତୋ ମାୟା ନିସ୍ତରିଲେ ହେଳେ

।।

ଦିଗପାଳଙ୍କୁ ସଙ୍ଗେ ଘେନି

ଯଜ୍ଞେ କି ନ ତରିବେ ମୁନି

।।

କାଷ୍ଠ ତୃଣ ଘଟ ପାଷାଣେ

ଏଣେ ଏ ଚାଲନ୍ତି ଚରଣେ

।।

ବାଳକ ଦୃଷ୍ଟିଦିଶେ ଭ୍ରାନ୍ତି

ଜାଣିଲେ ତୃଷିତେ ସେ ଥାନ୍ତି

।।

ତୃତୀୟ ଯେ ଦୁହିଣ ବର୍ଣ୍ଣୀ

ଭାବେ ବୋଲନ୍ତି ପରିମାଣି

।।

ତ୍ରିଅଧିପତି ତୋର ନାମ

କହିବା ଶୁଣ ସାବଧାନ

।।

ମାୟା ତ୍ରିଗୁଣ ରଜ୍ଜୁ କରି

ମୃଗୀ ନଚାଉ ନରହରି

।।

ଏଣୁ ତୋ ତ୍ରିଧାପତି ନାମ

ଶୁଣ କହିବୁ ଗୁଣ ଗ୍ରାମ

।।

ଧାତୁ ଯେ ମୃଗ ଅନ୍ୱେଷଣେ

ତାହାର ଅର୍ଥଟି ଭ୍ରମଣେ

।।

ସେ ଭ୍ରମ ଅଛି ତୋର ତହିଁ

ଏ ଘେନି ମୃଗୀ ସେ ବୋଲାଇ

।।

ଅଶେଷ ଯୋନିମଧ୍ୟେ ଥାଇ

ଜୀବ ଭ୍ରମଇ ଦେହ ବହି

।।

ଏଣୁ ସେ ଜୀବ ମୃଗୀ ନାମ

ଯେଣୁ ନିରତେ ତାର ଭ୍ରମ

।।

ତ୍ରିଗୁଣ ସତ୍ତ୍ୱ ରଜତମ

ଏ ଯନ୍ତ୍ରବାଦ ଅନୁମାନ

।।

ନାନା ବିଷୟ ବାଦମାନେ

ଜୀବ ନାଚଇ ସାବଧାନେ

।।

ଏଣୁ ତ୍ରିଅଧିପ ବୋଲାଇ

ଯେ ଯନ୍ତ୍ରେ ଜୀବନ ନାଚଇ

।।

ଏମନ୍ତେ ବେଦ ଅନୁମାନୀ

ପୁଣ ବୋଲନ୍ତି ଭାବ ଘେନି

।।

ସଂସାରେ ସୁପଣ୍ଡିତ ପ୍ରାଣୀ

ତୋ ଅନୁମାନେ ତୋତେ ଜାଣି

।।

ତୋ କଥା ଅମୃତ ସାଗର

ଅଶେଷ ପାପ ଯହିଁ ହର

।।

ସେ ଜଳେ ମନ ବୁଡ଼ାଇଲେ

ନ ଲାଗେ ତାପ ତ୍ରୟ ଭଲେ

।।

ତୋ ନାମ ମହିମା ଏମନ୍ତ

ତୋ ରୂପ କେ କରିବ ଅନ୍ତ

।।

ଯୋଗୀଏ ବସି ଯୋଗାସନେ

ତୋହର ରୂପ ଜ୍ୟୋତିଧ୍ୟାନେ

।।

ତେଣୁ ଅନ୍ତସ୍କରଣେ ଧରି

କାମାଦି ଏ ଷଡ଼ ଅଇରି

।।

ବାଳକ ପୌଗଣ୍ଡ କିଶୋରେ

ତରୁଣ ଦେହ ବୃଦ୍ଧାନ୍ତରେ

।।

ଏ ସପ୍ତଦଶ ଶୁଦ୍ଧ କରି

ମାୟା ସଂସାରୁ ଯାନ୍ତି ତରି

।।

ଜୀବର ମାୟା ଦୃଢ଼ ସ୍ତୁତି

ନିର୍ମଳ ନିଗମେ ବୋଲନ୍ତି

।।

ଭୋ ନାଥ କମ୍ୱୁ ଚକ୍ରପାଣି

ତୋତେ ଯେ ନ ଭଜନ୍ତି ପ୍ରାଣୀ

।।

ଶରୀର ବହି ଏ ଶୟଳେ

ପ୍ରାଣ ଧରନ୍ତି ସୁଖ ଭୋଳେ

।।

ତାଙ୍କ ଜୀବନ ଅକାରଣ

ଭୋନାଥ ଶୁଣ ନାରାୟଣ

।।

କର୍ମ କାରକ ଯନ୍ତ୍ର କାଳେ

ଭାତୀଏ ଗର୍ଜୁଥାନ୍ତି ଶାଳେ

।।

ଛାଡ଼ିଲେ ନ ଥାଏ ପବନ

ତେମନ୍ତ ତାହାଙ୍କ ଜୀବନ

।।

ମହତ ଅହଙ୍କାର ମନ

ଗଗନ ବିକାର ପବନ

।।

ଜଳ ଅନଳ ସଞ୍ଚିମହୀ

ତୋ ଅନୁଗ୍ରହେ ଜଡ଼ ହୋଇ

।।

ବ୍ରହ୍ମାଣ୍ଡ ହୁଏ ଦେହକାରୀ

ତୁ ନାଥ ଜୀବ ରୂପଧରି

।।

ପଞ୍ଚଶରୀରେ ତୋର ବାସ

ତାହାଙ୍କୁ ବୋଲି ପଞ୍ଚ କୋଶ

।।

ଅନୁପ୍ରାଣ ବିକାର ମନ

ବିଜ୍ଞାନ ଆନନ୍ଦ ଚେତନ

।।

ଏମନ୍ତ ପୁରେ ତୁ ଯେ ପଶି

ସୁଜ୍ୟୋତି ସ୍ୱରୂପ ପ୍ରକାଶି

।।

ଏହାଙ୍କ ସଙ୍ଗେ ଲଗ୍ନନୋହୁ

ଯେଣୁ ନିର୍ଲେପ ରୂପ ବହୁ

।।

ଏଣୁ ତୋ ଚରଣ କମଳେ

ଯେ ନ ଚିନ୍ତନ୍ତି ସୁଖ ଭୋଳେ

।।

ତୁ ନାଥ ତାହାଙ୍କୁ ଦୁର୍ଲ୍ଲଭ

ସେ ପ୍ରାଣୀ ଲଭେ ପରାଭବ

।।

ଉଦର ସୁପଞ୍ଚମ ସ୍ତୁତି

ବେଦେ ବାସୁଦେବେ ବୋଲନ୍ତି

।।

ଶୁଣ ହେ ପରମ କାରଣ

ଋଷିଙ୍କ ମାର୍ଗ ବିଚାରଣ

।।

ସ୍ଥୂଳ ଦୃଷ୍ଟିରେ ତୋତେ ଚିନ୍ତି

ସୂକ୍ଷ୍ମ ସ୍ୱରୂପ ନ ଜାଣନ୍ତି

।।

ଗୁରୁଙ୍କ ଉପଦେଶ ବାଣୀ

ହୃଦରେ ବ୍ରହ୍ମ ପରିମାଣି

।।

କୁମ୍ଭକକର୍ମେ ବାୟୁ ପୂରି

ନାଭିଚକ୍ରକୁ ଧ୍ୟାନକରି

।।

ଚକ୍ର ହୃଦୟ ଦୃଷ୍ଟି ତୁଲେ

ନ ଚିହ୍ନି ପରମନିଶ୍ଚଳେ

।।

ଚକ୍ର ପବନ ସୂକ୍ଷ୍ମ ରେଣୁ

ନୟନେ ଆଚ୍ଛାଦନ୍ତି ତେଣୁ

।।

ତାହାଙ୍କୁ ଅନ୍ଧ ବୋଲି ଜାଣି

ସେ ତୋତେ କାହିଁ ପରମାଣି

।।

ସେ ନାଭିଚକ୍ର ଊର୍ଦ୍ଧ୍ୱଗତେ

ଦଶଅଙ୍ଗୁଳ ପରିମିତେ

।।

ସହସ୍ର ସନ୍ଧ୍ୟା ଦ୍ୱିସପ୍ତତି

ନାଡ଼ିଏ ଅର୍ଦ୍ଧଊର୍ଦ୍ଧ୍ୱେ ଚିନ୍ତି

।।

ଏହାଙ୍କମଧ୍ୟେ ପ୍ରାଣ ରହେ

ଦେହ ଆବୋରି ବସ୍ତୁ ପ୍ରାୟେ

।।

ସେ ନାଡ଼ିମାନଙ୍କର ମୂଳ

ନାମ ତା ହୃଦୟକମଳ

।।

ଅରୁଣବର୍ଣ୍ଣେ ଯେତେ ମୁନି

ତାହାଙ୍କ ଗୁରୁବାକ୍ୟ ଘେନି

।।

ସେ ତୋତେ ସୂକ୍ଷ୍ମରୂପେ ଚିନ୍ତି

ହୃଦୟେ ଧ୍ୟାନ ସେ କରନ୍ତି

।।

ଭୋ ନାଥ ସୂକ୍ଷ୍ମର ମହିମା

ଆମ୍ଭେ କହିବା ଗୁଣ ସୀମା

।।

ତୀକ୍ଷ୍ମ ସହସ୍ର ବାଳଅଗ୍ର

ଚୀରି କରିବ ଶତ ଭାଗ

।।

ତାହାକୁ ପୁଣି ସହସ୍ରକେ

ଯେବେ ଗଣିବ ଏକେ ଏକେ

।।

ତହିଁର ଏକଭାଗ ସମ

ସୂକ୍ଷ୍ମ ବୋଲାଇ ଯାର ନାମ

।।

ତହିଁ ଯାହାର ମନ ରହେ

ତା ବିନୁ ଅନ୍ୟ କେ ବୋଲାଏ

।।

ଏ ଦୁଇ ଚକ୍ର ଭେଦ କଲେ

ଶୁଷୁମ୍ନା ଚକ୍ରେ ଜ୍ୟୋତିବଳେ

।।

ମୃଣାଳ ସୂତ୍ରରନ୍ଧ୍ର ପଥେ

ନାନା ପବନ ହୃଦଗତେ

।।

ଶିରକମଳେ ଯେବେ ମିଶେ

ତୋ ରୂପ ତାହାକୁ ପ୍ରକାଶେ

।।

ଛାଡ଼ଇ ଭବଭୟ ଭୀତି

ସେ ଯମମୁଖେ ନ ପଡ଼ନ୍ତି

।।

ସୁକୃତି ବିକୃତି ଷଷ୍ଠମ

ବେଦେ ବୋଲନ୍ତି ଶୁଣ ରାମ

।।

ତୋର ସଞ୍ଚିଲା ନାନା ଯୋନି

ତୋ ତହିଁ ଜୀବ ରୂପ ଘେନି

।।

ବାସନା ବଳେ ଉଚ୍ଚ ନୀଚ

ଏଣୁଟି ତୋ ରୂପ ପ୍ରପଞ୍ଚ

।।

ଅଣୁ ପ୍ରମାଣୁ ସୂକ୍ଷ୍ମ ସ୍ଥୂଳେ

ରୂପ ପ୍ରକାଶୁ ମାୟାବଳେ

।।

କାଷ୍ଠ ପ୍ରକାଶେ ଅଗ୍ନି ଯେହ୍ନେ

ଯୋଗ ପ୍ରକାଶୁ ସ୍ଥୂଳ ଶୂନ୍ୟେ

।।

କାଷ୍ଠୁ ପାଷାଣ ଅଗ୍ନିଜଳେ

ରୂପ ପ୍ରକାଶେ ଯୋଗବଳେ

।।

ଏ ନାନାଜ୍ୟୋତି ଯେତେବେଳେ

ବିନାଶ ହୋନ୍ତି କର୍ମବଳେ

।।

ତୁ ଏକା ରହୁ ଅବସାନେ

ଘଟ ବିଯୋଗ ଚନ୍ଦ୍ର ଯେହ୍ନେ

।।

ଏମନ୍ତ କରି ଅନୁମାନ

ଯାର ପ୍ରକାଶେ ଦିବ୍ୟ ଜ୍ଞାନ

।।

ଚେତନା ସତ୍ୟ ଅହଙ୍କାର

ସେ ତୋତେ କରନ୍ତି ବିଚାର

।।

ଏତେ ବିଚାରି ଆତ୍ମା ସୁଖେ

ପ୍ରମାଣ ଇହ ପରଲୋକେ

।।

ମିଥ୍ୟାପ୍ରକାଶ ଏହା ଜାଣି

ଆତ୍ମା ବଚନ ପରିମାଣି

।।

ଏ ସର୍ବ ଛାଡ଼ି ତୋ ଚରଣେ

ପଶନ୍ତି ଅଭୟ ଚରଣେ

।।

ତୋ ରୂପ ଏକ ରସେ ରସି

ପରମ ମୋକ୍ଷ ଧର୍ମେ ପଶି

।।

ସୁକୃତି ସ୍ତୁତି ସପତମେ

କୃଷ୍ଣଙ୍କୁ ବୋଲନ୍ତି ନିଗମେ

।।

ଅନନ୍ତ ପ୍ରଭୁ ହେ ଅନନ୍ତ

ତୋର ଶରଣ ଏ ଜଗତ

।।

ମାୟାରେ ଭିଆଇ ବ୍ରହ୍ମାଣ୍ଡ

ଅଶେଷ ରୂପେ କରୁ ପିଣ୍ଡ

।।

ପୁଣି ଏ ପ୍ରପଞ୍ଚ ପ୍ରକାଶ

ବାସନା ଅନ୍ତେ ହୋଇ ନାଶ

।।

କମି ନ ଥିଲେ ଜୀବ କାହୁଁ

ତୁହି ସେ ସର୍ବ ଶେଷରହୁ

।।

ପ୍ରାଣୀରେ ବାହ୍ୟେ ଅନ୍ତେ ଥାଉ

ସ୍ୱଭାବେ ପଞ୍ଚକୋଶ ବହୁ

।।

ଘଟକୁ ଥୋଇ ଯେହ୍ନେ ନୀରେ

ପୂରଇ ଭିତର ବାହାରେ

।।

ଅଶେଷ ଦେହେ ନାରାୟଣ

ଏ ପିଣ୍ଡ ତୋହର ଭିଆଣ

।।

ଏ ପିଣ୍ଡ ବାହ୍ୟ ଅଭ୍ୟନ୍ତରେ

ତୋ ତହୁଁ କେ ଅଛି ଅପରେ

।।

ସ୍ୱକର୍ମେ ଯେତେ ଦେହେଁ ଜାତ

ଅଶେଷ ତୋର ମଧ୍ୟଗତ

।।

କର୍ମର ଯେ ଫଳ ଉପୁଜେ

ତୋ ଅଂଶେ ଦେହମଧ୍ୟେ ଭୁଞ୍ଜେ

।।

ଜୀବର ଏହିଗତି ଜାଣି

ତୋ ପାଦେ ଭଜନ୍ତି ଯେ ପ୍ରାଣୀ

।।

ଜୀବର ବଳ ଅଳ୍ପ ପ୍ରାୟେ

ସକଳ ଶକ୍ତି ତୋର ପାୟେ

।।

ଏଣୁ ସଂସ୍କାର ଯଜ୍ଞ କରି

ତୋ ପାଦ ସେବେ ବ୍ରହ୍ମଚାରୀ

।।

ବେଦରୁ ଯେତେ କର୍ମଫଳେ

ସେ ଥାଇ ତୋ ଚରଣ ତଳେ

।।

ଏଣୁ ତୋ ପାଦେ ଯାର ଆଶ

ନ ଲାଗେ ଭବବନ୍ଧ ପାଶ

।।

ବେଦଙ୍କ ସ୍ତୁତି ଯେ ଅଷ୍ଟମ

ବୋଲନ୍ତି ଦୁରବଶମାତ୍ମ

।।

ବ୍ରହ୍ମ ପ୍ରକାଶ ଯେ ଜାଣଇ

ତୋ ରୂପ ତା ଜାଣିମା ପାଇଁ

।।

ନାନା ଯୋନିରେ ତୋର ରୂପ

ବାହାର ଭିତରେ ଏ ଏକ

।।

ଅମୃତସିନ୍ଧୁ ତୋର ନାମ

ଅବଗାହନେ ନାମେ ଶ୍ରମ

।।

ପରମ ଜ୍ଞାନୀ ତାହା ଜାଣି

ତୋ ନାମ ଯଜ୍ଞେ ପରିମାଣି

।।

ନିରତେ ଅବଗାହକରି

ଶ୍ରମ ଛାଡ଼ିଲେ ନାମ ଧରି

।।

ସଂସାରମତେ ବେଦଧର୍ମ

ଛାଡ଼ିଲେ ଭକ୍ତି ପ୍ରାଣି ସମ

।।

ତୋ ନାମ ସୁଧାଜଳେ ବୁଡ଼ି

ଜ୍ଞାନ ସାଧନା ଶ୍ରମ ଛାଡ଼ି

।।

ମୋକ୍ଷକୁ ନ କରି ସେ ଇଚ୍ଛା

ତୋ ନାମ ତତ୍ତ୍ୱକରି ଭିକ୍ଷା

।।

ତୋ ନାମ ରସେ ଅପବର୍ଗ

ଏଣୁ ଛାଡ଼ିଲେ ଜ୍ଞାନ ସର୍ବ

।।

ଭକତେ ତୋ ନାମ ଆବୋରି

ବେଗେ ତରିଲେ ଭବବାରି

।।

ତୋ ନାମ ସୁଧା ସିନ୍ଧୁଜଳେ

ଦଂଶର ପ୍ରାୟେ ଜ୍ଞାନଭୋଳେ

।।

ଭ୍ରମି ଉଠନ୍ତି ବୁଡ଼ି ପ୍ରାଣୀ

ତୋନାମ ଉଚ୍ଚସ୍ୱରେ ଭଣି

।।

ନିତ୍ୟେ ସୁମରି ତୋ ଚରଣ

ତାହାଙ୍କୁ ନ ଲାଗେ ମରଣ

।।

ସଂସାରେ ଥାଇ ସୁଖଭୋଳେ

ଯେ ଥାଇ ତାଙ୍କ ସଙ୍ଗମେଳେ

।।

ତୋତେ ଜାଣନ୍ତି ସନ୍ଥସଙ୍ଗେ

ନଲାଗେ ଭବଦୁଃଖ ଅଙ୍ଗେ

।।

ହୃଦୟପଥ ଯେ ନବମ

କୃଷ୍ଣଙ୍କୁ ବୋଲନ୍ତି ନିଗମ

।।

ଶୁଣ ହେ କମଳାରବର

ଯେତେ ଏ ଜନ୍ତୁଙ୍କ ଶରୀର

।।

ତୋହର ଅନୁପଥ ଏହି

କୁଲୟ ନାମ ଏ ବୋଲାଇ

।।

ଜୀବ ପରମ ରୂପ ଧରି

ତୋ ଭୋଗକ୍ରୀଡ଼ା ଅନୁସରି

।।

ତୋତେ ନ ଭଜେ ସୁଖଭୋଳେ

ବାଳକ ଯେହ୍ନେ ମାତାକୋଳେ

।।

ମାତାର ପ୍ରାୟେ ହିତ ତୁହି

ଅଜ୍ଞାନେ ତୋତେ ନ ଜାଣଇ

।।

ତୁ ଆତ୍ମା ହିତ ପ୍ରିୟବନ୍ଧୁ

ନିର୍ବାଣଦାତା ସୁଖସିନ୍ଧୁ

।।

ଏ ବିପରୀତ କିବା କହି

ଦେହ ଘେନିଣ ଭ୍ରମେ ମୁହିଁ

।।

ଦେହକୁ ମଣିଥାଇ ସତ୍ୟ

ଜଳବିମ୍ୱ ପ୍ରାୟେ ଅନିତ୍ୟ

।।

ଏଣେ ଯାହାର ପ୍ରିୟ ହୋଇ

ଅସାଧ୍ୟ ଜନ ମଧ୍ୟେ ସେହି

।।

କୁଦେହ ଘେନି ଭ୍ରମେ ଭ୍ରମୀ

ଜନ୍ମ ମରଣେ ପଥଶ୍ରମୀ

।।

ନିଷ୍ଫଳ ତାହାଙ୍କ ଜୀବନ

ନଜାଣେ ପରାତ୍ପର ଜନ

।।

ନିବୃତ୍ତ ମରୁଦଶ ସ୍ତୁତି

ନିଗମେ ନିର୍ଭରେବୋଲନ୍ତି

।।

ଅଷ୍ଟାଙ୍ଗଯୋଗେ ମୁନିଜନେ

ବସି ନିର୍ଜନେ ଘୋରବନେ

।।

ଇନ୍ଦ୍ରିୟଗଣେ କରି ବନ୍ଦି

ମନ ପବନ ହୃଦେ ଛନ୍ଦି

।।

ଯାହା ଲଭିବା ଅର୍ଥେ ଗୀତେ

ଚିନ୍ତା କରନ୍ତି ଅବିରତେ

।।

ଯେ ତୋତେ ଶତ୍ରୁପଣେ ଚିନ୍ତି

ନିର୍ଭୟେ ତୋ ଦେହେଁ ପଶନ୍ତି

।।

ଭୋନାଥ ତୋର ଯେତେ ଗୁଣ

ଆର କହିବୁ କିଛି ଶୁଣ

।।

ଗୋପନଗରେ ନାରୀଜନେ

କୁବୁଜି ଆଦି ମଧୁବନେ

।।

ଯେତେ ତୋହର ପରିଗ୍ରହ

ଚୁମ୍ୱନ ଆଲିଙ୍ଗନ ଦିଅ

।।

ଭୋନାଥ ତୋର ବେନିକର

ଭୁଜଙ୍ଗ ଇନ୍ଦ୍ର ପଟାନ୍ତର

।।

ସେ ଭୁଜେ ଆଲିଙ୍ଗନ ପାଇ

ମନ ବଚନ ତୋତେ ଦେଇ

।।

କାମିନୀ ରୂପେ ଭାବେ ଭୋଳେ

ସେ ତୋତେ ଭଜିଲେ ନିଶ୍ଚଳେ

।।

ଆମ୍ଭେ ସକଳ ଦେବବୃନ୍ଦେ

ଭାବେ ପଶିବୁ ସେହି ପାଦେ

।।

ଯେଣୁ ତୋ ରିପୁ ମିତ୍ର ନାହିଁ

ଏଣୁଟି ସମଦୃଶ ତୁହି

।।

ପ୍ରପଞ୍ଚେ ଉଚ୍ଚ ନୀଚ ଯୋନି

ତୁ ବହୁ ନିତ୍ୟଭାବ ଘେନି

।।

ଏଣୁ ବହୁତ ସୂକ୍ଷ୍ମ ସ୍ଥୂଳ

ଏ ଦୃଷ୍ଟନାଶି ତୁ ନିଶ୍ଚଳ

।।

ତେଣୁ ତୋହର ପଦ୍ମପାଦେ

ଶ୍ରବଇ ସୁଧା ମକରନ୍ଦେ

।।

କହଇ ଏକାଦଶ ବାଣୀ

ବେଦେ ବୋଲନ୍ତି ପରିମାଣି

।।

ତୁ ନାଥ କରୁଣାଜଳଧି

ସର୍ବ ବିଷୟ ଗୁଣନିଧି

।।

ତୋ ତହୁଁ ସୃଷ୍ଟି ଆଦିକାଳେ

ପ୍ରାଣୀ ଉପୁଜେ ମାୟାବଳେ

।।

ଉପୁଜି ପୁଣି ପ୍ରଳେ ଯାନ୍ତି

ଏ ଘେନି ତୋତେ ନ ଜାଣନ୍ତି

।।

ତୋହର ନାହିଁ ମୋହ ଦ୍ୱନ୍ଦ

ଏଣୁ ବୋଲାଉ ଆଦିକନ୍ଦ

।।

ବିଧାତା ଜାତ ତୋର ତହିଁ

ନିଗମ ମାୟା ଜରଦେହୀ

।।

ତୋ ତହୁଁ ଦେବାସୁର ଜାତ

ତାପ ତ୍ରିଆଦି ଏ ଜଗତ

।।

ବ୍ରହ୍ମା ସୃଷ୍ଟିରେ ଜାତ ଯେତେ

ଏ ଘେନି କେ ଜାଣିବ ତୋତେ

।।

ତୋହର ଆଶ୍ରୟ ଜଗତ

ସୃଷ୍ଟି ପ୍ରଳୟ ତୋର ସତ

।।

ସୃଷ୍ଟି ସଂହାର ଯୋଗବଳେ

ସତ୍ୟ ନ କରୁ ମହାଜଳେ

।।

ସେକାଳେ ପ୍ରାଣୀ ଯେତେ ଥାନ୍ତି

ତୋ ରୂପ ନୟନେ ଦେଖନ୍ତି

।।

ଅବନୀ ଆଦି ପଞ୍ଚଭୂତ

ମହତ ଆଦି ତିନି ତତ୍ତ୍ୱ

।।

ସତ୍ୟ ସତ୍ୟ ଏ ବୋଲାବନ୍ତି

ଏ କାହୁଁ ତୋରୂପ ଜାଣନ୍ତି

।।

ତୋର ମହିମା ଜ୍ଞାନ ଘନ

ଯେହ୍ନେ ଦୁର୍ଲ୍ଲଭ ଭଗବାନ

।।

ବ୍ରହ୍ମ ବିଚାରି ଶାସ୍ତ୍ର ଯୋଗେ

ବେଦ ବିଚାରୁ ତୋର ଭାଗେ

।।

ସକଳେ ଚିନ୍ତି ଉପହାସେ

ଭକତ ରହେ ତୋର ପାଶେ

।।

ନବ ନିମିଷ ଏ ଦ୍ୱାଦଶ

ନିଗମେ ବୋଲେ ହୃଷୀକେଶ

।।

ପ୍ରପଞ୍ଚ ତ୍ରିଗୁଣ ଜଗତ

ଜାଣିଲେ ନିଶ୍ଚେ ନୋହେସତ୍ୟ

।।

ମନ ବିଳାସ ମାତ୍ର ହୋଇ

ଅସତ୍ୟ ସତ୍ୟ ଅଭ୍ୟାସଇ

।।

ତୁ ଏବେ ଅଧିପତି ଯେଣୁ

ସତ୍ୟ ଅଭ୍ୟାସ ପ୍ରାୟ ତେଣୁ

।।

ତୁ ସତ୍ୟ ଅସତ୍ୟ ଏ ଦିଶେ

ଛାୟା ଦର୍ପଣେ ଯେହ୍ନେ ମିଶେ

।।

ଜୀବର ଜନ୍ମ ତୋର ତହିଁ

ବ୍ୟାପିଛି ଜଗତକୁ ମୋହି

।।

ଯେକାଳେ ଭ୍ରମଇ ଜଗତେ

ସେ ତୋତେ ଜାଣିମେ କେନ୍ତେ

।।

ଜୀବର ଦେହଟି ଏ ମାୟା

ନିର୍ଗୁଣ ହେତୁ ବୋଲି ଯାହା

।।

ମନର ସଙ୍ଗେ ତା ବିଳାସ

ତହୁଁ ଶୟଳେ ହୋଇ ତୋଷ

।।

ତୋ ତହୁଁ ଆତ୍ମା ଭିନ୍ନ ନୁହେ

ପ୍ରାଣୀକି ଦିଶେ ସତ୍ୟପ୍ରାୟେ

।।

ଏ ମାୟା ଶୟଳ କାରେଣୀ

ଏଣୁ ସଂଶୟ ପ୍ରାୟେ ମଣି

।।

ନିମିଷ ଆଦି ଦେଗବନ୍ତ

ଯେକାଳେ ସୃଷ୍ଟି ଆଦିଅନ୍ତ

।।

ସଂସାର ଛେଦ ଅନ୍ତରାଳ

ସେ ତୋତେ ନ ଜାଣେଗୋପାଳ

।।

ଆତ୍ମା ଦେହ ଏ ଷଡ଼ଗୁଣ

ଏଣୁ ଏ ଜଗତ କାରଣ

।।

ଜନମ ଷଡ଼ ତ୍ରୟୋଦଶ

ବେଦେ ବୋଲନ୍ତି ହରି ଯଶ

।।

ବୈଷ୍ଣବେ ଶୋକ ଶାସ୍ତ୍ର ପଥେ

ତୋତେ ବିଚାରି ନାନାମତେ

।।

ସତ୍ୟ ଅସତ୍ୟ ମାର୍ଗେ ଚିନ୍ତି

ଜଗତ ମିଥ୍ୟା ସେ ବୋଲନ୍ତି

।।

ତୋ ତହୁଁ ଦେବେ ହ୍ୱନ୍ତି ଜାତ

ତୋ ରୂପେ ସମେହ୍ୱନ୍ତି ସତ

।।

ବ୍ରହ୍ମା ଯେ ବିଦ୍ୟମାନେ ସତ୍ୟ

ବିଚାରେ ଅବିନାଶ ମତ

।।

ସାଂଖ୍ୟ ଯୋଗୀଙ୍କ ବିଚାରଣା

ଜଗତ ଆତ୍ମା କଳପଣା

।।

କର୍ମ ବେଭାରେ ସମାସକେ

ଜଗତ ସତ୍ୟ ତାଙ୍କ ଲେଖେ

।।

ଯେ ଯାନ୍ତି ଶାସ୍ତ୍ର ମାର୍ଗେ ଭ୍ରମି

ବିବାଦେ ହ୍ୱନ୍ତି ପଥଶ୍ରମୀ

।।

କାହୁଁ ଜାଣିମେ ନିଜବ୍ରହ୍ମ

ଭ୍ରମେ ଭ୍ରମନ୍ତି ବହୁଶ୍ରମ

।।

ଯେଣୁ ତୋ ଜୀବ ଗୁଣମୟେ

ଏଣୁ ବିକାରେ ଭେଦ ରହେ

।।

ଅଜ୍ଞାନେ ତୋ ଭେଦ ବିଚାରି

ତୁ ସଙ୍ଗ ନୋହୁ ନା କାହାରି

।।

କାରଣ କର୍ମ ଯେହ୍ନେ ଭିନ୍ନ

ଶୁଣ କହିବୁ ଅନୁମାନ

।।

ସୁବର୍ଣ୍ଣ କାର୍ଯ୍ୟ ଯାର ପଡ଼େ

କୁଣ୍ଡଳ ଆଦି କମଗଢ଼େ

।।

ପୁଣ ଅନଳେ ପାକକଲେ

ସୁବର୍ଣ୍ଣ ହୋଇ ଏକତୁଲେ

।।

ନାମ ବିକାରେ ନାଶଯାନ୍ତି

ଏଣୁ ଜଗତେ ଭେଦ ଭ୍ରାନ୍ତି

।।

ଏ ଘେନି ଶାସ୍ତ୍ର ଅନୁମାନେ

ତୋ ତହୁଁ ସୃଷ୍ଟି ନୋହେଭିନ୍ନେ

।।

ଚତୁର ଦଶ ସ୍ତବ ପରି

ବେଦେ ବୋଲନ୍ତି ଶୁଣ ହରି

।।

ତେଣୁ ତୋ ସର୍ବଭୂତେ ବାସ

ଏ ଘେନି ପ୍ରାଣୀଏ ବିଶ୍ୱାସ

।।

ଏହା ଯେ ଜାଣି ପ୍ରାଣୀ ଭାବେ

ନ ପଡ଼େ ମୋହ ପରାଭବେ

।।

ଚରଣ ମୃତ୍ୟୁ ମୁଣ୍ଡେ ଦ୍ୟନ୍ତି

ପରମ ପ୍ରଦେଶେ ମିଶନ୍ତି

।।

ତୋ ଭାବ ନ ଜାଣନ୍ତି ଯେହୁ

ଭବସିନ୍ଧୁ ତରିବେ କାହୁଁ

।।

ପଣ୍ଡିତପଣେ ଶାସ୍ତ୍ରବାଦେ

ଭାବ ନ କରି ତୋର ପାଦେ

।।

ସ୍ୱକର୍ମ ପାଶେ ପାଦେ ଛନ୍ଦି

ବେଦ ବଚନେ ହୋନ୍ତିଛନ୍ଦି

।।

ପଶୁପାଳଙ୍କ ଘରେ ଯେହ୍ନେ

ବନ୍ଦିରେ ଥାନ୍ତି ପଶୁମାନେ

।।

ତେସନ ଏ ଭବ ବନ୍ଧନେ

ଜୀବର ବନ୍ଦୀ ତୋ ବଚନେ

।।

ଏଣୁ ସଂସାରେ ଯେତେ ଜନ୍ତୁ

ତୋ ପାଦପଦ୍ମେ କରେ ହେତୁ

।।

ଏ ଘେନି ତୋ ପାଦ କମଳେ

ଯେ ଭାବ କରେ ପ୍ରୀତିଭୋଳେ

।।

ସଂସାର ତାରି ସେ ତରନ୍ତି

ମରଣେ ନାହିଁ ତାଙ୍କ ଭ୍ରାନ୍ତି

।।

ତୋତେ ନ ଜାଣି ଧର୍ମ ଚିନ୍ତି

ଯଜ୍ଞ ବ୍ରତ ଦାନେ ଭ୍ରମନ୍ତି

।।

ଆତ୍ମା ନିସ୍ତାରଣେ ନ ପାରେ

ତା ବୋଲେ ସଂସାର କି ତରେ

।।

ତୋର ବିମୁଖ ଶାସ୍ତ୍ରେ ଭ୍ରମି

ଜନ୍ମ ମରଣେ ପଥଶ୍ରମୀ

।।

ହୋମ କରଣେ ପଞ୍ଚଦଶେ

ବେଦେ ବୋଲନ୍ତି ଉପଦେଶେ

।।

ଭୋ ନାଥ ତୋହର ଜଗତେ

କର୍ମ କରନ୍ତି ପ୍ରାଣୀ ଯେତେ

।।

ତୁ ତାହା ନ କରୁ ଗ୍ରହଣ

ଏଣୁ ତୁ ସମସ୍ତ କାରଣ

।।

କର୍ମ କରଣ ତୋର ନାହିଁ

ସ୍ୱଭାବେ ନିରଞ୍ଜନ ତୁହି

।।

ତଥାପି ସର୍ବ ଜନ୍ତୁ ଦେହେ

ତୋ ଅଂଶ ଅଛି ଜୀବ ପ୍ରାୟେ

।।

ପ୍ରାଣ ରସନା ଏ ଲୋଚନ

ଶ୍ରୁତି ନାସା ଚର୍ମ ଲୋଚନ

।।

ଊର୍ଦ୍ଧ୍ୱ ଇନ୍ଦ୍ରିୟ ଏ ବୋଲନ୍ତି

ମନର ସଙ୍ଗେ ବିହରନ୍ତି

।।

ଜିହ୍ୱା ଚରଣ ଭୁଜ ଲିଙ୍ଗ

ମୂଳ କମଳ ଧାର ସଙ୍ଗ

।।

କର୍ମ ଇନ୍ଦ୍ରିୟ ଏ ବୋଲାନ୍ତି

କର୍ମ କରଣେ ଥାନ୍ତି ନିତି

।।

ଅଗ୍ନି ବାସବ ଲକ୍ଷ୍ମୀ କାନ୍ତ

ମିତ୍ରାବରଣ ପ୍ରଜାନାଥ

।।

ଏ ପଞ୍ଚଦେବ ବସି ରଥେ

ତୋତେ ସେବନ୍ତି ଅବିରତେ

।।

ତୁ ଆତ୍ମା ଭୂତଆତ୍ମା ଦେହୀ

ଏହାଙ୍କ ଶକ୍ତିବନ୍ତ ତୁହି

।।

ବାସବ ଆଦି ନିଜ ଧାମୀ

ବଦନ୍ତି ଯୋନିସ୍ତମ ନାମ

।।

ବିଧାତା ଆଦି ସର୍ବଦେବା

ତୋର ଚରଣେ ତାଙ୍କ ସେବା

।।

ମାନବେ ଏହାକୁ ସେବନ୍ତି

ତାହାଙ୍କ ବଳୀ ଏ ଭୁଞ୍ଜନ୍ତି

।।

ଅଜର ଅମର ନିର୍ଭୟେ

ତଥାପି ତୋର ପଦ୍ମ ପାୟେ

।।

ପୂଜନ୍ତି ଅତି ଭୟ ମନେ

ମଣ୍ଡଳପତି ରାଜା ଯେହ୍ନେ

।।

ପ୍ରଜାଙ୍କ ତହୁଁ କର ନ୍ୟନ୍ତି

ରାଜାଙ୍କ ଚରଣେ ସେବନ୍ତି

।।

ଅଧିକେ ଧନମାନ ଦ୍ୟନ୍ତି

ନିରତେ ଚରଣେ ଖଟନ୍ତି

।।

ଏମନ୍ତେ ବେଦେ ତୋର ପାଶେ

ଖଟନ୍ତି ଜୀବନ ଉଶ୍ୱାସେ

।।

ଷୋଡ଼ଶ ସ୍ତୁତି ସ୍ଥିର ଚର

ଶୁଣ ହେ ବ୍ରହ୍ମାଣ୍ଡ ଠାକୁର

।।

ତୋହର କ୍ରୀଡ଼ା ନାନାରଙ୍ଗେ

ଇଚ୍ଛାରେ ମାୟା ଘେନି ସଙ୍ଗେ

।।

ଦର୍ପଣ ଘେନି ଯେହ୍ନେ ହସ୍ତ

ଚାହିଁଲେ ଛାୟା ହୋଇ ଜାତ

।।

ସ୍ଥାବର ଆଦି ଏ ଜଗତେ

ତୋ ଦେହୁଁ ହୋନ୍ତି ସେହିମତେ

।।

ତୁ ପୁଣି ତାଙ୍କ ମଧ୍ୟେ ଥାଉ

କର୍ମ କରଣେ ଶିକ୍ଷା ଦେଉ

।।

ସେ କର୍ମଫଳେ ଯେହୁ ମଙ୍ଗ

ଦର୍ପଣେ ଯେହ୍ନେ ଛାୟା ଅଙ୍ଗ

।।

ଦେହ ବେଭାରେ କର୍ମ ଥାଇ

ଯେହ୍ନେ ସେ ତାକୁ ନ ଲାଗଇ

।।

ମାୟାକୁ ଥାଉ ଅତି ଦୂରେ

ଆଦିତ୍ୟ ଯେସନେ ଅମରେ

।।

ମାୟା ବିସ୍ତାରି ମାୟାକାରୀ

ଯେହ୍ନେ ସଂସାର ମନହାରୀ

।।

ମୋହନ କରେ ସଂସାରକୁ

ସେ ଯେହ୍ନେ ନ ଲାଗେ ତାହାକୁ

।।

ଏମନ୍ତ ତୋହର ମହିଁମା

କେ ଜାଣିପାରେ ଗୁଣ ସୀମା

।।

ଜଗତେ ହେଉ ସାକ୍ଷୀ ରୂପ

ମନ୍ଦିରେ ଯେସନେ ପ୍ରଦୀପ

।।

ଏ ସର୍ବ ଜୀବ କ୍ରୀଡ଼ା ଅନ୍ତେ

ପଶନ୍ତି ତୋର ଗର୍ଭ ଗତେ

।।

ପୁଣି ଯେମନ୍ତେ ଜାତ ହୋନ୍ତି

ଶୁଣ କହିବା ତାଙ୍କ ଗତି

।।

ଦେହକୁ ପାଇ ମାୟା ଗ୍ରସ୍ତେ

କର୍ମ କରନ୍ତି ଅବିରତେ

।।

ତେଣୁ ସେ ଜନ୍ମ ମୃତ୍ୟୁ ହୋନ୍ତି

ବିଷୟ ରଜ୍ଜୁ ବଳେ ଥାନ୍ତି

।।

କର୍ମ ତାହାକୁ ସୃଷ୍ଟି ବଳେ

ଧରଇ ନିଜ ଭୁଜବଳେ

।।

ଅଶେଷ ଯୋନି ମଧ୍ୟେ ଭରି

ବିହରେ ନାନାରୂପ ଧରି

।।

କର୍ମର ବଳେ ଦେହ ବହି

ଦୁଃଖ ସୁଖ ଫଳ ଭୁଞ୍ଜଇ

।।

ତୋହର ରିପୁ ମିତ୍ର ନାହିଁ

ଏ ଘେନି କର୍ମ ନ ଲାଗଇ

।।

ତୋ ଦେହେଁ ପ୍ରାଣୀ ଏ ଜଗତେ

ମିଳନ୍ତି କର୍ମର ଆୟତ୍ତେ

।।

କର୍ମ ଏ ପ୍ରପଞ୍ଚ ଜଗତ

ଏହାର ଫଳ ବିପରୀତ

।।

ଦୁଃଖୀ ଦରିଦ୍ର ବ୍ୟାଧିକର

ଥୋକାଏ ହୋନ୍ତି ନୃପବର

।।

ଏ ଦୁଃଖ ସୁଖ ତୋର ନାହିଁ

କର୍ମ କରତା ସେ ଭୁଞ୍ଜଇ

।।

ଗଗନେ ଯେହ୍ନେ ଦିଶେ ପୂରି

ଶୂନ୍ୟରୂପ ସର୍ବ ଆବୋରି

।।

ଏଣୁ ନ ଜାଣି ତୋତେ ଜାଣି

ମନ ବଚନେ ପରିମାଣି

।।

ଅପରିମିତ ସପ୍ତଦଶ

ବେଦେ କହନ୍ତି ଜ୍ଞାନରସ

।।

ନାନା ଯୋନିରେ ଜୀବ ଯେତେ

ଅନନ୍ତ ହୋନ୍ତି ଅପ୍ରମିତେ

।।

କର୍ମ ସରିଲେ ପୁଣ ଯାନ୍ତି

ଏଣୁ ଏ ଅଧୂମ ବୋଲାନ୍ତି

।।

ତୋ ତହୁଁ ଯେବେ ଏ ନୁହନ୍ତି

ଇଚ୍ଛାରେ ସର୍ବ ଆବୋରନ୍ତି

।।

ତୋ ମାୟାବଳେ ନାନାଯୋନି

ଭ୍ରମନ୍ତି ନିଜ ଦେହ ଘେନି

।।

ଏହାଙ୍କ ଦଣ୍ଡନ ତୁ ତେବେ

ତୋ ତହୁଁ ଦଣ୍ଡ ଏ ପାଇବେ

।।

ଏମନ୍ତେ ନ ଘଟେ ବିଚାର

ଏ ସର୍ବଜୀବ ତୋ ଶରୀର

।।

ତୁ ଥାଉ ଏହାଙ୍କ ଜୀବନେ

ଅନଳ ଭସ୍ମ ସଙ୍ଗେ ଯେହ୍ନେ

।।

ଏହା ନ ଜାଣି କିନ୍ତ ବହେ

ଅଜ୍ଞାନଭାବ ମିଥ୍ୟା ବହେ

।।

ଉପାଧି ଏ ଲିଙ୍ଗ ଶରୀର

ଜନ୍ମ ମରଣ ହୋଏ ତାର

।।

ତା ମଲେ ନ ମରେ ଜୀବନ

ଘଟ ବିଯୋଗେ ଯେହ୍ନେ ଶୂନ୍ୟ

।।

ତେଣୁ ତୋ ଆଶ୍ରୟେ ଜୀବନ

ଏଣୁ ନ ଘଟେ ଅନୁମାନ

।।

ଅଷ୍ଟାଦଶ ମନ ଘଟତ

ବେଦେ ବୋଲନ୍ତି ଜ୍ଞାନତତ୍ତ୍ୱ

।।

ପ୍ରକୃତି ପୁରୁଷ ଏ ବେନି

ଜଗତ ପିଅର ଜନନୀ

।।

ସ୍ୱଭାବେ ଅଜ ନାମେ ବହି

ଏହାଙ୍କ ଜନ୍ମ ଯେଣୁ ନାହିଁ

।।

କେବେହେଁ ନୁହନ୍ତି ନା ଭିନ୍ନ

ଏଣୁ ନ ଘଟେ ଅନୁମାନ

।।

ଏହାଙ୍କ ଦେହୁଁ ଦେହ ଜାତ

ଜଳବିମ୍ୱୁ ଜଳେ ଯେମନ୍ତ

।।

ନିଶ୍ଚଳେ ଜଳବିମ୍ୱ ଯୋଗେ

ଯେମନ୍ତେ ଉଛୁଳେ ତରଙ୍ଗେ

।।

ବେନି ତରଙ୍ଗ ଅଙ୍ଗପାତେ

ବିମ୍ୱୁ ଉପୁଜନ୍ତି ଯେ ମତେ

।।

ଜଳ ପବନେ ସେ ମିଶନ୍ତି

ବେନି ସଂଯୋଗେ ସେ ପଶନ୍ତି

।।

ବିବିଧ ନାମ ଗୁଣ ବହି

କ୍ରୀଡ଼ନ୍ତି ଜଳମଧ୍ୟେ ଥାଇ

।।

କର୍ମର ଅନ୍ତେ ତୋ ଶରୀରେ

ପଶନ୍ତି ଯେମନ୍ତ ବେଭାରେ

।।

ସକଳ ନଦୀ ଜଳ ବେଗେ

ତେସନେ ପଶନ୍ତି ଅର୍ଣ୍ଣବେ

।।

ମଧୁକରଙ୍କ ଗ୍ରହବାସେ

ଯେହ୍ନେ ରହନ୍ତି ପୁଷ୍ପବାସେ

।।

ଊନବିଂଶତି ନୁଶୁତବେ

ବେଦେ କହନ୍ତି ବିଷ୍ଣୁଭାବେ

।।

ତୋ ମାୟା ଭ୍ରମ ଜୀବଦେହେ

ଯେଣୁଥାନ୍ତି ଅଜ୍ଞାନ ମୋହେ

।।

ଏଣୁ ପଣ୍ଡିତେ ଏହା ଜାଣି

ତୋ ଭାବ ମନେ ପରିମାଣି

।।

ତୋ ପଦ୍ମପାଦ ରସଲୋଭେ

ପଶିଲେ ଅନୁମତି ଭାବେ

।।

ତେଣୁ ସମ୍ଭବ ନାହିଁ ତୋର

ଅଭବ ବୋଲେ ବେଦବର

।।

ତୋ ପାଦେ ଶରଣ ଯେ ପ୍ରାଣୀ

ତରନ୍ତି ଭବ ତରଙ୍ଗିଣୀ

।।

ତାହାକୁ ନାହିଁ କାଳ ଡର

ତୋ ପଦ୍ମପାଦେ ଆଶ୍ରା ଯାର

।।

ନିଶି ସକାଳ ତୋ ଭୃଭଙ୍ଗ

ରୂପ ଅରୂପ ଯାର ସଙ୍ଗ

।।

ହିମ ଶୀତଳ ଦୃମବୃଷ୍ଟି

ଏ ଆଦି ଯେତେ ନାନା ରିଷ୍ଟି

।।

ତାହାକୁ ନ ଲାଗନ୍ତି କେହି

ତୋ ନାମ ଯାର ହୃଦେ ଥାଇ

।।

ବର୍ଜିତ ଘୃମିତ ବିଂଶତି

ବେଦେ ବୋଲନ୍ତି ଦିବ୍ୟସ୍ତୁତି

।।

ମୁନିଏ ଯୋଗାଭ୍ୟାସ ସାଧି

ମନ ପବନ ହୃଦେ ଛନ୍ଦି

।।

ଯେତେ କରନ୍ତି ସେ ଉପାୟେ

ମନତରଙ୍ଗ ହତ ନୁହେ

।।

ସ୍ୱଭାବେ ଅଲକ୍ଷିତ ଯେଣୁ

ରୁନ୍ଧି ନ ପାରେ ପ୍ରାଣ ତେଣୁ

।।

ନାନାପ୍ରକାରେ ଖେଦପାଇ

ମନ ନ ପାରନ୍ତି ରୁହାଇ

।।

ଗୁରୁପାଦେ ଆଶ୍ରା ନ କରି

ସାଧନାଶ୍ରମେ ଯାନ୍ତି ମରି

।।

ବୋଇତେ ବସି ବଣିଜାରେ

ଯେମନ୍ତେ ଭାସନ୍ତି ସାଗରେ

।।

ନାନାପ୍ରକାରେ ବାହୁଥାନ୍ତି

କେବେହେଁ କୂଳେ ନ ଲାଗନ୍ତି

।।

ଯାବତ ନାହିଁ କର୍ଣ୍ଣଧାର

କାହିଁ ଲଭିବେ ସିନ୍ଧୁପାର

।।

ପବନ ରୁନ୍ଧି ଇନ୍ଦ୍ରି ଜିଣି

ଗୁରୁ ଉପଦେଶ ନ ଜାଣି

।।

ଚଞ୍ଚଳ ମନ କାହୁଁ ସ୍ଥିର

ଯାବତ ସଂଶୟ ଶରୀର

।।

ନିଶ୍ଚଳ ନିର୍ମଳ ତୋ ପାଦେ

ତୋ ରୂପଗୁଣ ଅନୁବନ୍ଧେ

।।

ନିରତେ ଚିନ୍ତେ ଧ୍ୟାନବଳେ

ତା ମନ ରହଇ ନିଶ୍ଚଳେ

।।

ଶୃଜତସୁତା ଏକବିଂଶେ

ବେଦେ ବୋଲନ୍ତି ବିଷ୍ଣୁପାଶେ

।।

ସୃଜନସୁତା ଆତ୍ମ ଧ୍ୟାନ

ଗୃହ ମେଦିନୀ ସୁଖାସନ

।।

ତୋପାଦ ହୃଦେ ଯାର ଥାଇ

ଏଣେ ତା ପ୍ରୟୋଜନ ନାହିଁ

।।

ତୋତେ ଯେ ନ ଭଜନ୍ତି ଚିତ୍ତେ

ତାହାଙ୍କ ମନ ଅବିରତେ

।।

ଲୋଭ ଲାଳସେ ମନ ଜଡ଼ି

ବିପଦପଥେ ଥାନ୍ତି ପଡ଼ି

।।

ସକଳ ଦୁଃଖେ ଥାନ୍ତି ଯହିଁ

ଅମୃତ ପ୍ରାୟ ତା ମଣଇ

।।

ସକଳ ସୁଖ ତୋର ପାଦେ

ତହିଁ ବିଶ୍ରାମେ ଯେ ଆନନ୍ଦେ

।।

ଏ ମାୟା ତାକୁ ତୁଚ୍ଛ ପ୍ରାୟେ

ପର୍ବତ ଶିଖ ଭୂମି ପ୍ରାୟେ

।।

ଯେ ତୋର ପାଦ ଆଶ୍ରେ ଛାଡ଼ି

ମୈଥୁନ ସୁଖ ଭୋଗକରି

।।

ଏଣୁ ଏ ସଂସାର ସାଗରେ

ବୁଡ଼ନ୍ତି ଦୁଃଖ ମହାଘୋରେ

।।

କ୍ଷଣେହେଁ ନ ପାରନ୍ତି ତରି

ତୋ ବିଶ୍ୱମାୟାକୁ ଆବୋରି

।।

ସଂସାର ଅସାର ପ୍ରତ୍ୟକ୍ଷେ

ସାର ଯେସନେ ରମ୍ଭାବୃକ୍ଷେ

।।

ତୋ ନାମ ଯଶ ଏ ସଂସାର

ନ ଭଜି କେ ପାଇବ ପାର

।।

ଭୁବିପରି ଯେ ବେନିବିଂଶେ

ବେଦେ କହନ୍ତି ମହାତ୍ରାସେ

।।

ଭୂମିରେ ଯେତେ ତୀର୍ଥ ଥାନ୍ତି

ମୁନିଏ ତହିଁ ବିଶ୍ରାମନ୍ତି

।।

ମଦ ମତ୍ସର ଅହଂକାର

ହୃଦୟେ ନାହିଁ ତାହାଙ୍କର

।।

ତୋ ପାଦ ହୃଦୟେ ବହନ୍ତି

ସଂସାରେ ନାହିଁ ତାଙ୍କ ଭାନ୍ତି

।।

ତାଙ୍କ ଚରଣ ନୀରସଙ୍ଗେ

ପାପ ନ ରହେ ପ୍ରାଣିଅଙ୍ଗେ

।।

ସମ୍ପୂର୍ଣ୍ଣ ତୀର୍ଥ ସାଧୁସଙ୍ଗେ

ନିତ୍ୟେ ଭ୍ରମନ୍ତି ଅନୁରାଗେ

।।

ଯେଣୁ ତୋ ପାଦ ଆଶ୍ରେକରେ

ଯେ ପ୍ରାଣୀ ଚିତ୍ତ ସ୍ଥିରକରେ

।।

ତୁ ପରମାତ୍ମା ସୁଖସୀମା

କହିବୁ ତାହାଙ୍କ ମହିଁମା

।।

ବିବେକ ଶାନ୍ତି କ୍ଷମା ଧୀର

ଏ ଚାରି ପୁରୁଷଙ୍କ ସାର

।।

ଏଣେ ହରଇ ଗୃହଦ୍ୱନ୍ଦ

ସୁଜ୍ଞାନୀ ଜନଙ୍କ ଆନନ୍ଦ

।।

ଯେ ତୋତେ ଚିନ୍ତେ ଅବିରତେ

ଗୃହ ନ ଲାଗେ ତାଙ୍କ ଚିତ୍ତେ

।।

ତାଙ୍କ ମହିଁମା ଏ ବ୍ରହ୍ମାଣ୍ଡେ

କେ କହିପାରେ ଏକତୁଣ୍ଡେ

।।

ତ୍ରୟବିଂଶତି ଶତଅବ୍ଦ

ଯାହା କହିଲେ ତିନିବେଦ

।।

ଭୋନାଥ ପରମ ପୁରୁଷ

ସଂସାର ତୋତହୁଁ ପ୍ରକାଶ

।।

ଏ ସତ୍ୟ ଯେହ୍ନେ ସତ୍ୟବାଦେ

ବିହରେ ବିଷୟ ବିଶାଦେ

।।

କାର୍ଯ୍ୟ କାରଣ ପ୍ରାୟେ ଯେଣୁ

ଅନୁମାନେ କହିବା ତେଣୁ

।।

ମୁକୁତା ଶିପ କରି ଭ୍ରାନ୍ତି

ରଜତ ପ୍ରାୟେ ତା ମଣନ୍ତି

।।

ପୁଣ୍ୟ ବିଚାରେ ସେ ଯେମନ୍ତ

ମୁକୁତା ସିପ ହୁଏ ସତ୍ୟ

।।

ମାୟା ପ୍ରକାଶ ତୋ ବ୍ରହ୍ମାଣ୍ଡେ

ସର୍ପ ଯେସନେ ରଜ୍ଜୁଖଣ୍ଡେ

।।

କାର୍ଯ୍ୟ କାରଣ ମାୟା ଲକ୍ଷି

ତୁ ପରମାତ୍ମା ଏଥେ ସାକ୍ଷୀ

।।

ସାକ୍ଷୀ ସ୍ୱରୂପେ ରହେ ଆତ୍ମା

ଏଥକୁ ମାନନ୍ତି ମହାତ୍ମା

।।

ସ୍ୱର୍ଗ ବିଫଳ ବେଦେ କହି

ଏ ଘେନି କର୍ମେ ପ୍ରାଣୀ ଦହି

।।

ଏଣୁ ସଂସାରେ କର୍ମ ଦିଶେ

କର୍ମ ସାଧନ୍ତି ମନତୋଷେ

।।

ଭବ ପ୍ରପଞ୍ଚ ବ୍ୟବହାରେ

ଚିତ୍ତ ବୁଡ଼ାଇଥାନ୍ତି ଧୀରେ

।।

ବେଦଧାଡ଼ି ଏଣେ ଗମନ

ଶିକ୍ଷାଦେଇ ବେଦବଚନ

।।

କର୍ମରଫଳ ସତ୍ୟପ୍ରାୟେ

ବିଷୟ ତାପ ଭ୍ରମ ମୋହେ

।।

ଏ ଘେନି କର୍ମ କରି ଦେହେଁ

ଭ୍ରମନ୍ତି ତବ ମାୟା ମୋହେ

।।

ପୂର୍ବ ଲୋକଙ୍କ କର୍ମ ଦେଖି

ଅପରଲୋକେ ତାହା ସୁଖୀ

।।

ଭୋ ନାଥ ବେଦ ତୋ ବଚନ

ପୁଷ୍ପର ପ୍ରାୟେ ଅନୁମାନ

।।

ପୁଷ୍ପରେ ଥାଇ ସର୍ବଗନ୍ଧ

ଭ୍ରମର ଲଭେ ମକରନ୍ଦ

।।

ବେଦବଚନେ ପୁଷ୍ପ ପ୍ରାୟେ

କର୍ଣ୍ଣେ ଶୁଣନ୍ତେ ଚିତ୍ତଧ୍ୟାୟେ

।।

ସର୍ବେ ବୋଲନ୍ତି ସାଧୁ ସାଧୁ

କେହି ନ ଲଭେ ପୁଷ୍ପମଧୁ

।।

ପ୍ରାଣୀକି କର୍ମ ସେ କରାଏ

ଅନ୍ଧକୁ ଅନ୍ଧ ଯେହ୍ନେ ବହେ

।।

କର୍ମ ଆଗମ ଏଣୁ ବିଧି

ନକଲା ପ୍ରାଣି ନୋହେ ସିଦ୍ଧି

।।

ତୋର ଶରୀରୁ ଏ ଜଗତ

ବିଚାର କଲେ ତୁ ସେ ସତ୍ୟ

।।

ଲଜ୍ଜାଦି ବୟ ଚତୁର୍ବିଂଶ

ଏଣୁ କହିବା ତୋ ଉଦ୍ଦେଶ

।।

ଏ ସୃଷ୍ଟି ପୂର୍ବେ ଯେବେ ନାହିଁ

ଗୁଣ ଏ ପ୍ରକାଶିବ କାହିଁ

।।

ତୋହର ମାୟାରେ ପୁରୁଷ

ଆସି ଏ ସଂସାରେ ପ୍ରବେଶ

।।

ଏକ ବ୍ରହ୍ମ ନିର୍ମାଣ ତୁହି

ତୋ ଆଗେ ସତ୍ୟ ଅଭ୍ୟାସଇ

।।

ଏ ଦ୍ରବ୍ୟ ନାନା ଆଦି ଯେତେ

ଆମ୍ଭେ ଜାଣିବୁ ଏବେ ତଥ୍ୟେ

।।

ମୃତ୍ତିକା ଆଦି ଧାତୁ ଯେତେ

ଏ ଯେତେ ଘଟ ବସ୍ତୁପାତେ

।।

ଜଗତ ତୁଲେ ଏ ସମାନ

ପୁଣି କହିବୁ ଅନୁମାନ

।।

ତାହାର ତହୁଁ ଯେ ଘଟଣ

ବିଚାରେ ତୋଠୁଁ ନୋହେ ଆନ

।।

ନାମ ମାତ୍ରକେ ଭେଦ ନୋହେ

ଏ ଅନୁମାନ ବେଦ କହେ

।।

କାରଣୁ କାର୍ଯ୍ୟ ଭିନ୍ନେ ଥାନ୍ତି

ଅନ୍ତେ କାରଣେ ସେ ମିଶନ୍ତି

।।

ଜଗତ କାରଣରେ ତୁହି

କାର୍ଯ୍ୟ ଭିନ୍ନ ପ୍ରାୟେ ଦିଶଇ

।।

ନାମ ମାତ୍ରେ ଜଗତ ଭିନ୍ନ

ସୃଷ୍ଟି ଅନ୍ତେ ତୋହୃଦେ ଲୀନ

।।

ତୁ ସତ୍ୟ ଭବ ମଧ୍ୟେ ହରି

କେ ତୋ ମହିମା କହି ପାରି

।।

ମନ ବିଳାସ ମାତ୍ର ଏହି

ଅଜ୍ଞାନେ ପ୍ରତ୍ୟକ୍ଷ ଦିଶଇ

।।

ସଂଯଦପଞ୍ଚବିଂଶ ସ୍ତୁତି

ବେଦେ କହନ୍ତି ଭାବ ଚିନ୍ତି

।।

ତୁ ମହା ମହିଁମ ଅନନ୍ତ

ଆଗମ ନିଗମେ ତୋ ଅନ୍ତ

।।

କେହି ନ ଜାଣେ ଅନୁମାନ

ନିର୍ମଳ ନିତ୍ୟ ଶୁଦ୍ଧଜ୍ଞାନ

।।

ମିଥ୍ୟା ପ୍ରପଞ୍ଚ ଏ ଜଗତେ

ଜୀବ କି ଜାଣିପାରେ ଚିତ୍ତେ

।।

ବେଦ ବଚନେ ନିତ୍ୟେ ଭ୍ରମି

ଜନ୍ମ ମରଣେ ହୋନ୍ତି ଶ୍ରମି

।।

ଜୀବକୁ ମୟାବଳେ ଧରି

କ୍ରୀଡ଼ଇ ସଂସାରେ ବିହରି

।।

ଗୁଣ ଇନ୍ଦ୍ରିୟ ଦେହ ମେଳେ

ଭ୍ରମେ ତୋ ଯୋଗମାୟା ବଳେ

।।

ଦେହାଦି କର୍ମେ ଯେ ଭଜନ୍ତି

ସେ କାହିଁ ତୋ ଭାବ ଜାଣନ୍ତି

।।

ଆଗତାଭିଜ୍ଞାତ ବୋଲାଇ

ତେଣୁ ସଂସାର ନ ଛାଡ଼ଇ

।।

କରଇ କର୍ମ ଅନ୍ତକାଳେ

ଏଣୁ ସଂସାର ଏ ସୟଳେ

।।

ଏ ମାୟା ଜୀବକୁ ଛାଡ଼ଇ

ଶୁଣ କହୁଁ ଉପମା ଦେଇ

।।

ପୁରୁଣା ଚର୍ମ ଯେହ୍ନେ ସର୍ପ

ଛାଡ଼ଇ ପାଇ ନିଜ ଦର୍ପ

।।

ତୋର ମାୟା ଗ୍ରହଣ ନାହିଁ

ମନ ବଚନେ ଭେଦ କାହିଁ

।।

ନିତ୍ୟେ ପ୍ରାପତ ଦୁଃଖ ଯେଣୁ

ଅପରିମିତେ ଭୋଗ ତେଣୁ

।।

ଯଦି ନ ମଣୁ ଷଡ଼ବିଂଶେ

ନିଗମେ ବୋଲନ୍ତି ହରଷେ

।।

ଅଶେଷ ବାସନା ଦଉଡ଼ି

ଜଟାରୂପେ ହୃଦୟେ ବେଢ଼ି

।।

ତହୁଁ ସଞ୍ଚରେ କାମ ବୃଷ

ପତ୍ର ପୁଷ୍ପ ଫଳ ପ୍ରତ୍ୟକ୍ଷ

।।

ଜୀବ ତା ସୁଖେ ଭୋଗ କରେ

ପୁଷ୍ପ ଯେସନେ ବୃକ୍ଷଚରେ

।।

ସେ କାମବୃକ୍ଷ ଅନୁମତେ

ସୁଖେ ବସଇ ହୃଦଗତେ

।।

ତାହାକୁ ବଳେ ଛଳେ ଧରି

କେହି ନ ପାରନ୍ତି ଉଦ୍ଧରି

।।

ବୁଲନ୍ତି ନାନା ତପ ଫଳେ

ଯୋଗ ସମାଧି ତୀର୍ଥଜଳେ

।।

ଅତି କଠୋରେ ସେ ଭ୍ରମନ୍ତି

ହୃଦୟେ ନ ଫିଟଇ ଭ୍ରାନ୍ତି

।।

ବିବିଧ ମତେ ଦୁଃଖ ପାଇ

ତାହାଙ୍କୁ ଅତି ଦୂରେ ତୁହି

।।

ନିତ୍ୟେ ତୋ ମାୟାମୋହ ଚିନ୍ତି

ଏ ଘେନି ତୋତେ ନ ଜାଣନ୍ତି

।।

ଅସାଧୁ ପଣ ତାହାଙ୍କର

ଶୁଣ ହେ କମଳାର ବର

।।

ଅମୂଲ୍ୟ ମଣି କଣ୍ଠେ ଧରି

ମନ ବିଷୟ ଜଡ଼େ ଭରି

।।

ଯାବତ ସୁମରଣା ନାହିଁ

ପ୍ରାପତ ନୁହେ କଣ୍ଠେ ଥାଇ

।।

ମଣିର ପ୍ରାୟେ କଣ୍ଠ ତଟେ

ତୁ ଅଛୁ ପ୍ରାଣିଙ୍କ ନିକଟେ

।।

ନିତ୍ୟେ ସେ ମାୟା ମୋହଚିନ୍ତି

ଏ ଘେନି ତୋତେ ତ ଜାଣନ୍ତି

।।

ଯୋଗୀ ବୋଲାଇ ଜ୍ଞାନପଥେ

ବିଷୟ ରସେ ଜ୍ଞାନ ମତେ

।।

ନିରତେ ଇନ୍ଦ୍ରିୟ ପୋଷଣେ

ଧନ ସଞ୍ଚୟ କରଷଣେ

।।

ଉଭୟ ଲୋକ ତାର ନାହିଁ

ତୋତେ ପାଇବେ ଅବା କାହିଁ

।।

ଯାବତ ତୋ ଚରଣ ତଳେ

ଚିତ୍ତ ନ ରହଇ ନିଶ୍ଚଳେ

।।

ସପ୍ତ ବିଂଶଦ ଦମ ଗଣି

ବେଦେ ବୋଲନ୍ତି ଶୁଣ ସ୍ୱାମୀ

।।

ଭୋ ନାଥ ତୋତେ ଯେ ଜାଣନ୍ତି

ତାଙ୍କ ମହିମା କେବା ଚିନ୍ତି

।।

ପ୍ରାଣୀଙ୍କ ଚିତ୍ତ ତୋ ଚରଣେ

ଆଶ୍ରିତେ ଥାଇ ଅନୁକ୍ଷଣେ

।।

ଯେ ଯାହା କର୍ମଫଳ ଘେନି

ଫଳଇ ଦୁଃଖ ସୁଖ ବେନି

।।

ଏ ବେନି ଫଳଙ୍କର ରସ

ନିଶ୍ଚେ ନ ଜାଣେ ତୋର ଦାସ

।।

ଦେହାଭିମାନୀ ପ୍ରାଣିଙ୍କର

ବିଧି ନିଷେଧ ଅନୁଚର

।।

ତାହାଙ୍କ ନିନ୍ଦା ସ୍ତୁତି ବାଣୀ

ତୋର ସେବନ ତାହା ଶୁଣି

।।

ଚିତ୍ତେ ନ କରନ୍ତି ବିଚାର

ଏମନ୍ତ ମହିମା ତୋହର

।।

ଯୋଗାନୁ ଯୋଗ ତୋ ଶରୀର

ମତ୍ସ୍ୟାଦି ନାନା ଅବତାର

।।

ତୋହର ଗୁଣ କର୍ମ ଯେତେ

ଯେ ପ୍ରାଣୀ ଶୁଣେ କର୍ଣ୍ଣପଥେ

।।

ତୁଣ୍ଡେ ଭାବଇ ଅନୁକ୍ଷଣେ

ଚିନ୍ତଇ ତୋହର ଚରଣେ

।।

ତୁ ନାଥ ଅପବର୍ଗ ଗତି

ଅନ୍ତେ ତୋ ଚରଣେ ପଶନ୍ତି

।।

ଅଷ୍ଟାବିଂଶତି ପୂର୍ଣ୍ଣ ସ୍ତୁତି

ବୋଲନ୍ତି ବିପତ୍ୟ ଉତ୍ପତ୍ତି

।।

ବେଦେ ବୋଲନ୍ତି ହେ ଅନନ୍ତ

ନିତ୍ୟେ ତୋହର ଆଦିଅନ୍ତ

।।

ମନ ବଚନେ ବହୁ ଚିନ୍ତି

ବ୍ରହ୍ମାଦି ଦେବେ ନ ଜାଣନ୍ତି

।।

ତୋ ରୂପ ତୁହି ନ ପ୍ରମାଣୁ

କେ ତାହା ଏକଦେହେ ଜାଣୁ

।।

ତୁ ଅବା ବୋଲୁ ମୋ ମହିଁମା

ମୁଁ କିମ୍ପା ନ ଜାଣଇ ସୀମା

।।

ସର୍ବଜ୍ଞପଣ କି ମୋ ନାହିଁ

କହିବୁ ଶୁଣ ଭାବଗ୍ରାହୀ

।।

ସ୍ୱଭାବେ ଶୂନ୍ୟ ଅପ୍ରମିତ

କେ ଜାଣି ପାରେ ତାର ଅନ୍ତ

।।

ଉଦୟ ଅସ୍ତ ନାହିଁ ଯାର

ଏଣୁ ତୁ ତୋତେ ଅଗୋଚର

।।

ଏଣୁ ଆମ୍ଭର ଅନୁମତେ

ସର୍ବଜ୍ଞ ବୋଲିବୁ କେମନ୍ତେ

।।

ଶଶାଙ୍କ ମୁଣ୍ଡେ ଶୃଙ୍ଗ ଜାତ

ବନ୍ଧ୍ୟା କି ପ୍ରସବିବ ସୁତ

।।

ଏ ଅର୍ଥ ନ ଜାଣନ୍ତି ଯେହୁ

ସର୍ବଜ୍ଞ ବୋଲାଇବେ କାହୁଁ

।।

ତୋ ଆଦିଅନ୍ତ ମଧ୍ୟେ ତୁହି

କହିବୁ ଶୁଣ ମନଦେଇ

।।

କେ କହୁ ତୋର ଯେତେ ଗୁଣ

ବ୍ରହ୍ମାଣ୍ଡ ସପ୍ତ ଆଭରଣ

।।

ଏମନ୍ତେ ଅଶେଷ ବ୍ରହ୍ମାଣ୍ଡ

ଆଶ୍ରେ କରନ୍ତି ତୋର ପିଣ୍ଡ

।।

ଭ୍ରମନ୍ତି କାଳଚକ୍ର ବଳେ

ଧୂଳି ଯେସନେ ଅନ୍ତରାଳେ

।।

ସେ ରେଣୁ ମଧ୍ୟେ ପ୍ରାଣୀ ଥାଇ

ତୋ ରୂପ ପ୍ରମାଣିବ କାହିଁ

।।

ବେଦେ ବୋଲନ୍ତି ବିଶ୍ୱମଧ୍ୟେ

ଆମ୍ଭେହେଁ ଭ୍ରମୁଁ ମାୟାବାଦେ

।।

ତୋର ମହିଁମା ଅଛି ଯେତେ

ଆମ୍ଭେ ତା ଜାଣିବୁ କେମନ୍ତେ

।।

ସଗୁଣ ନିର୍ଗୁଣର ସୀମା

ଭୋ ନାଥ ତୋହର ମହିଁମା

।।

ବିଧି ନିଷେଧ ବାଦ କରି

ତୋର ମହିଁମା କେ ବିଚାରି

।।

ଭୂମି ଗଗନକୁ ବିଚାରି

ଏ ଭାବେ ଅନୁମାନ କରି

।।

ବିଧି ନିଷେଧହିଁ ନ ଜାଣେ

ପ୍ରମାଣି ତୋହର ଚରଣେ

।।

ବେଦେ ବୋଲନ୍ତି ଆମ୍ଭ ଚିତ୍ତେ

ତୋର ମହିଁମା ଅନୁମତେ

।।

ସୃଷ୍ଟି ସଂହରେ ତୋ କାରଣେ

ପଶିବୁ ଅଭୟ ଚରଣେ

।।

ନିରତେ ତୋର ପଦ୍ମପାଦେ

ଥିବୁ ସଚ୍ଚିଦାନନ୍ଦ ପଦେ

।।

ଭଣଇଁ ବଳଭଦ୍ର ମୃଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ ଆଜ୍ଞାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀ ମଦ୍ଭାଗବତ ବାକ୍ୟେ

ନାମ ଦ୍ୱାତ୍ରିଂଶୋଽଧ୍ୟାୟଃ ।

Image

 

ସ୍ତବକଳ୍ପଦ୍ରୁମ

ତ୍ରୟୋତ୍ରିଂଶ ଅଧ୍ୟାୟ

 

ଦଶମ ତେୟାଣୋଇ ଅଧ୍ୟା

ବୃକା ଦଇତ ଶିବ ବାଧା

।।

ପାଇଣ ଡାକିଲେ କାତର

ମୋ ପ୍ରାଣ ରଖ ଚକ୍ରଧର

।।

ତୁ ନାରାୟଣ ନିରଞ୍ଜନ

ରଖ ମୋହର ପଞ୍ଚପ୍ରାଣ

।।

ଶରଣ ପଶିଲି ତୋ ପାଦେ

ଡାକନ୍ତି ଶୋକ ଗଦଗଦେ

।।

ହେ ଦେବ ଦେବଙ୍କ ଈଶ୍ୱର

ମୋର ଜୀବନ ରକ୍ଷାକର

।।

ଭୟେ କାତରେ ମୁହିଁ ଏଣେ

ପଶିଲି ଅଭୟ ଚରଣେ

।।

ଦୁଷ୍ଟ ଦାନବ ତେଜ ଗଞ୍ଜୁ

ହେ ଗଜରାଜ ତୋତେ ଭଜୁ

।।

ଦୁଷ୍ଟ ଦାନବ ଡରେ ଭ୍ରମି

ଛାଡ଼ି ହୋଇଲି ଶୂନ୍ୟଗାମୀ

।।

ଏକଇ ଆତ୍ମା ତୋର ମୋର

ତେଣୁ ଏ ଅଶେଷ ସଂସାର

।।

ଏ ଯେ ତୋହର ମାୟାଛନ୍ନେ

ତେଣୁ ଅଶେଷ ତ୍ରିଭୁବନେ

।।

ଯେ ଅନ୍ଧ ଧୃଷ୍ଟି ସୁତ ଧନେ

ତୁ ନାଥ ତାହାକୁ ଗୋପନେ

।।

ଜଗତେ ହେଉ ଅବତାର

ତୋ ପାଦ ଜଳ ଗଙ୍ଗାନୀର

।।

ଗୋବିନ୍ଦ ହେ ଗୋକୁଳପତି

ଶରଣରଖ ଦାଶରଥି

।।

ଭୋ ନାଥ ରଖ ଚକ୍ରପାଣି

ଚତୁରାନନ ସ୍ତୁତି ଶୁଣି

।।

ସମାନ ମୀନରୂପବଳେ

ଧରି ପଶିଲୁ ସିନ୍ଧୁଜଳେ

।।

ତକ୍ଷଣେ ମାରି ଶଙ୍ଖାସୁର

ବେଦଉଦ୍ଧରି ଚକ୍ରଧର

।।

ତୈଲୋକ୍ୟ ଲୋକ କଲୁ ରକ୍ଷା

କରୁଣାକର ତୋର ଇଚ୍ଛା

।।

କୋମଳ ଗଭୀର ଶବଦେ

ଗିରିକାନନେ ଶୁଭନାଦେ

।।

ତୋର ସଞ୍ଚିଲା ଏ ଜଗତ

ତୋର ମାୟାରେ ଆତଯାତ

।।

ତୁ ଦେଲେ ସ୍ୱର୍ଗ ମୋକ୍ଷଦାନ

ଦୂରେ ନୁହଇ ଭଗବାନ

।।

ସଚରାଚର ମହୀସ୍ଥଳ

ଳୀଳାରେ କରୁ ଆଦିମୂଳ

।।

ଗୋପବିନୋଦେ ପରିପୂର୍ଣ୍ଣେ

ଭୋନାଥ ତୋର ବେଣୁସ୍ୱନେ

।।

କୋମଳ ଗଭୀର ଶବଦ

ଗୋକୁଳ ରଖୁ ଇନ୍ଦ୍ରବାଦେ

।।

ଗୋଗୋପ ରହିଲେ ସମସ୍ତେ

ଗିରି ତୋଳିଲୁ ବାମହସ୍ତେ

।।

ଏଣୁ ତୋ ନାମ ଗିରିଧର

ମୋର ଜୀବନ ରକ୍ଷାକର

।।

ଏମନ୍ତ ରୁଦ୍ର ସ୍ତୁତି ଶୁଣି

ଡାକନ୍ତି ରଖ ଚକ୍ରପାଣି

।।

ଏକାଦଶସ୍କନ୍ଧ ପ୍ରଥମ

ଅଧ୍ୟାରେ କବୀର ସ୍ତବନ

।।

ନମଇଁ ନୃସିଂହ ଚରଣ

ଅନାଦି ପରମକାରଣ

।।

ଲୀଳାବିଧୃତ କଳେବର

ଦେବମାନବେ ଅଗୋଚର

।।

କରୁଣାକଟାକ୍ଷ ପ୍ରକାଶେ

ଭକତଜନ ଦୁଃଖ ନାଶେ

।।

ଏକାଦଶ ଅଷ୍ଟ ଅଧ୍ୟାରେ

କରଭାଜନ ଯେ ନିମିରେ

।।

କହିଲେ ମୁନିମାନେ ପୂର୍ବେ

କୃଷ୍ଣଚରଣେ ମୁନି ସ୍ତବେ

।।

ସେ ସର୍ବ ବେଦମୟ ହରି

ଜୟ ଶବଦେ ସ୍ତୁତି କରି

।।

ଶ୍ରୀବାସୁଦେବ ନମୋସ୍ତୁତେ

ଶଙ୍କରଷଣ ବୋଲି ତୋତେ

।।

ପ୍ରଦ୍ୟୁମ୍ନ ଅନିରୁଦ୍ଧ ତୁହି

ତୋର ସ୍ୱରୂପ ଏକତ୍ୱହିଁ

।।

ନମସ୍ତେ ପ୍ରଭୁ ଜଗନ୍ନାଥ

ଯାର ଶରୀର ଏ ଜଗତ

।।

ନାନା ଶରୀର ଏ ଜଗତ

ବ୍ୟାପିଣ ଅଛଇ ସମସ୍ତ

।।

ତୁ ବିଶ୍ୱନାଥ ବିଶ୍ୱପତି

ମହା ପୁରୁଷ ସବିଂଶତି

।।

ଏହି ଅଧ୍ୟାରେ ପୁଣ ସ୍ତୁତି

ଏ ଋଷି ନିମିକି କହନ୍ତି

।।

ହେ ମହା ପୁରୁଷ ମୁକୁନ୍ଦ

ନମୁ ତୋ ଚରଣାରବିନ୍ଦ

।।

ମୁନି କରନ୍ତି ଯାକୁ ଧ୍ୟାନ

ହରଇ ପରାଭବମାନ

।।

ଅଭୀଷ୍ଟ ଫଳ କାମଧେନୁ

ତୀର୍ଥ ନିବାସ ପଦରେଣୁ

।।

ଭବ ବିରଞ୍ଚି ଯାକୁ ନିତ୍ୟେ

ସ୍ତୁତି କରନ୍ତି ଅନୁବ୍ରତେ

।।

ଶରଣଜନଙ୍କ ରକ୍ଷଣ

ଆରତ ଭୟ ନିବାରଣ

।।

ପ୍ରଣତଜନ ଯେ ପାଳଇ

ଏ ଭବଜଳେ ନାବ ସେହି

।।

ସେ ରାଜଲକ୍ଷ୍ମୀ ଦେବଗଣେ

ଧ୍ୟାନେ ବାଞ୍ଛନ୍ତି ଅନୁକ୍ଷଣେ

।।

ମନୁଷ୍ୟ ଦେହ ମର୍ତ୍ତ୍ୟେ ଧରି

କେ ତାହା ପାରେ ଦୂର କରି

।।

ପିତୃ ବଚନ ଧରି ଶିରେ

ସେ ରାଜ୍ୟ ଦୂରେ ପରିହରେ

।।

ଧର୍ମିଷ୍ଠପଣେ ପଶି ବନେ

ଯନ୍ତ୍ରିତ ପ୍ରିୟାର ବଚନେ

।।

ଧାଇଁଲା ମାୟାମୃଗ ଅର୍ଥେ

ବନଗହନ ଘୋରପଥେ

।।

ସେ ପାଦେ ମୋର ନମସ୍କାର

ଧ୍ୟାନେ ଖଣ୍ଡଇ ତମ ଘୋର

।।

ଏକାଦଶ ସପ୍ତ ଅଧ୍ୟାରେ

ଦେବେ ଶ୍ରୀକୃଷ୍ଣ ସ୍ତବ କରେ

।।

କପୋଳେ ବେନିକର ଦେଇ

ବୋଲନ୍ତି କୃଷ୍ଣମୁଖ ଚାହିଁ

।।

ନମୋ ଗୋବିନ୍ଦ ହେ ଅଚ୍ୟୁତ

ତୁ ନାଥ ପ୍ରାଣୀ ପଞ୍ଚଭୂତ

।।

ତୋହର ଅଭୟଚରଣ

ଅଶେଷଜନ୍ତୁଙ୍କ ଶରଣ

।।

ପ୍ରାଣାଦି ଏ ପଞ୍ଚ ପବନ

ବାକ୍ୟ ଇନ୍ଦ୍ରିୟ ବୁଧିମନ

।।

ଏ ସର୍ବ ଏକ ଭାବ କରି

ହୃଦରେ ତବ ନାମଧରି

।।

ଯେବା ଚିନ୍ତନ୍ତି ଯୋଗମାର୍ଗେ

ମୋକ୍ଷହୁଅନ୍ତି କର୍ମ ଯୋଗେ

।।

ଏ ସର୍ବ ବିଷୟ ସକଳ

ଶରଣ ତୋର ପାଦମୂଳ

।।

ସେ ପଦ୍ମପାଦ ସୁଖେ ହେଜି

ମୁନିଏ ଭକ୍ତିଭାବେ ଭଜି

।।

ଆରୁଢ଼ ଯୋଗି ଯୋଗମେଳେ

ନିଶ୍ଚଳହୃଦୟ କମଳେ

।।

ଯେ ଯୋଗୀ ଅଭୟ ଚରଣ

ନିଶ୍ଚିନ୍ତେ ପଶିଲେ ଶରଣ

।।

ଅଶେଷ ଜନ୍ତୁ ହୃଦଗତେ

କର୍ମବାସନା ରଜ୍ଜୁ ଯେତେ

।।

ନିମିଷ ଧ୍ୟାନେ ତା ସଂହରେ

ରବି ଯେସନେ ଅନ୍ଧକାରେ

।।

ତୋର ଚରଣ ପଦ୍ମନାଭ

ଭବଜଳଧି ପାର ନାବ

।।

ଆମ୍ଭେ ତ୍ରିଦଶ ଦେବଗଣ

ପଶିଲୁ ତୋ ପାଦେ ଶରଣ

।।

ହେ ପ୍ରଭୁ ଦେବ ଜନାର୍ଦ୍ଦନ

ସକଳଗୁରୁ ଠୁଳ ଶୂନ୍ୟ

।।

ହେ ନାଥ ଜଗତ ଜୀବନ

ପ୍ରଣତଜନ ତୁ ପାଳନ

।।

ତୁ ନାଥ ରଜଗୁଣ ଧରି

ବିଧାତା ରୂପେ ସୃଷ୍ଟି କରି

।।

ସାତ୍ତ୍ୱିକେ ବିଷ୍ଣୁରୂପ ହୋଇ

ପାଳନ କରୁ ନାଥ ମହୀ

।।

ତୋ ଲୀଳା ମାୟାଯୋଗବଳେ

ତମେ ସଂହରୁ ଅନ୍ତକାଳେ

।।

ସୃଷ୍ଟିପାଳନ ସଂହାରଣ

ତୁ ନାଥ ସଂସାର କାରଣ

।।

ସ୍ୱଭାବେ ତୁମ୍ଭେ ସର୍ବଦେହୀ

ତୁ ଭୁଞ୍ଜୁ ପ୍ରାଣୀକି ଭୁଞ୍ଜାଇ

।।

ସେ ଦୋଷ ନ ଲାଗଇ ତୋରେ

ନଳିନୀଦଳେ ଯେହ୍ନେ ନୀରେ

।।

ଶରଣ ତୋହର ପୟରେ

ତୁ ପୂର୍ଣ୍ଣ ସମସ୍ତଠାବରେ

।।

ବିବିଧ ବ୍ରତ ତପଦାନ

ଯୋଗ ସମାଧି ଆତ୍ମାଜ୍ଞାନ

।।

ତୁ ନାଥ ସର୍ବତ୍ର ସମାନ

ନିଶ୍ଚିନ୍ତ ସୁଖ ତୋର ସ୍ଥାନ

।।

ଏଣୁ ତୁ ସଂସାରେ ଦୁର୍ଲ୍ଲଭ

ତୋତେ ନ ଲାଗେ ଶୁଭାଶୁଭ

।।

ଇତ୍ୟାଦି ସମସ୍ତ ସାଧନ

ସାଧି ପବିତ୍ର ନୋହେ ସ୍ଥାନ

।।

ଏଣୁ ତୋ ନାମ ଯଶ ଗୁଣ

ଯେ କରେ ଶ୍ରବଣ କୀର୍ତ୍ତନ

।।

ଶ୍ରଦ୍ଧାରେ ଭକ୍ତି ଶୁଦ୍ଧଚିତ୍ତେ

ତୋ ରୂପ ଧ୍ୟାନ ଅନ୍ତର୍ଗତେ

।।

ସର୍ବଦେବଙ୍କ ମୋକ୍ଷ ଜ୍ଞାନ

ସନ୍ଥଜନଙ୍କ ମନେ ଧ୍ୟାନ

।।

ତୋର ଚରିତ ସୁଧା ପାନ

ନିରତେ ପିବେ ଯାର ମନ

।।

ସେ ପ୍ରାଣୀ ଭବଜଳୁ ତରି

ବିପ୍ର ନ ତରେ କର୍ମ କରି

।।

ଭକତି ଭାବ ନାହିଁ ଯାର

ସେ କାହିଁ ଜାଣେ ତୋ ପୟର

।।

ତୋହର ତ୍ରିବିକ୍ରମରୂପେ

ଆମ୍ଭେ ତା ଦେଖିଲୁ ସମୀପେ

।।

ତୋ ନାଭିକମଳୁଁ ପ୍ରତ୍ୟକ୍ଷେ

ଚରଣଗଲା ଅନ୍ତରୀକ୍ଷେ

।।

କେ କରିପାରେ ତାହା ହେତୁ

ଅଦ୍ଭୁତ ଯେହ୍ନେ ଧୂମକେତୁ

।।

ବ୍ରହ୍ମାଣ୍ଡେ ଚରଣ ବାଜିଲା

ଶବଦେ ପ୍ରକୃତି କମ୍ପିଲା

।।

ବ୍ରହ୍ମାଣ୍ଡ ଫାଟି ପାଦବଳେ

ଗଙ୍ଗା ବାହାର ଅନ୍ତରାଳେ

।।

ତିନି ଭୁବନେ ତେଜରାଶି

ଧ୍ୱଜ ପତାକା ପ୍ରାୟେ ଦିଶି

।।

ଅସୁରକୁଳ ଭୟଙ୍କର

ଆମ୍ଭ ଆନନ୍ଦ ସୁଖଘର

।।

ସୁଜନ ସୁଖ ଭୋଗ ଅର୍ଥେ

ଖଳକୁ ବୃଜିନ ପ୍ରାପତେ

।।

ତୋ ପଦ୍ମପାଦ ଭଗବାନ

ପବିତ୍ର କରେ ଆମ୍ଭମନ

।।

ଯେ ପାଦ ଭବସିନ୍ଧୁ ସେତୁ

ଭକତଭାବ ନର ହେତୁ

।।

ଅଶେଷ ଲୋକ ଜ୍ଞାନଗୁରୁ

ଆମ୍ଭର ମଙ୍ଗଳ ବିସ୍ତାରୁ

।।

ତୁ ନାଥ ଦେବକୀର ବଳା

ତୋର ହୃଦରେ ବନମାଳା

।।

ସ୍ୱଭାବେ ଗୋଚର ଦେଖାଇ

ଦେଖି କମଳା ନ ସହଇ

।।

ମଣଇଁ ସପତଣୀ ପ୍ରାୟେ

ଯେଣୁ ଲଭଇ ତୋରଦେହେ

।।

ତଥାପି ଦେଖି ତୋ ବଦନ

ସ୍ୱପତ୍ନୀ ଭାବ ଛାଡ଼ି ମନ

।।

ନିବେଶି ତୋହର ପୟରେ

କମଳମାଳେ ପୂଜାକରେ

।।

ତେଣୁ ରହଇ ପଦ୍ମପାଦେ

ହରଇ ବିଷୟ ବିଷାଦେ

।।

ଭୋ ନାଥ ତୋହର ମହିମା

କେଜାଣିପାରେ ଗୁଣସୀମା

।।

ନାସିକା ରନ୍ଧ୍ରେ ରଜ୍ଜୁଭେଦେ

ଯେହ୍ନେ ବୃଷଭ ଗୃହେ ବାନ୍ଧେ

।।

ସେ ପୁଣ ବନ୍ଧନରେ ଥାନ୍ତି

ଅନ୍ୟାନ୍ୟ ହିଁସା ଆଚରନ୍ତି

।।

ବ୍ରହ୍ମାଦି ଦେବେ ସେହିମତେ

ଯନ୍ତ୍ରିତ ତୋହର ଆୟତ୍ତେ

।।

ତୁ କାଳରୂପୀ ଦାମୋଦର

ପୁରୁଷ ପ୍ରକୃତିର ଘର

।।

ତେଣୁ ତୁ ପୁରୁଷ ପୁରାଣ

ଯେ ତୋର ଅଭୟ ଚରଣ

।।

ସୃଷ୍ଟି ପାଳନ ସଂହାରଣ

ତୁ ନାଥ ପରମ କାରଣ

।।

ତୁ ନାଥ କାଳ ରୂପଧାରୀ

ପୁରୁଷ ପ୍ରକୃତି ସଂହରି

।।

ଏ ବେନି ତୋର ତହୁଁ ଜାତ

ପ୍ରଥମେ କରନ୍ତି ଜଗତ

।।

ପୁରୁଷ ପ୍ରକୃତି ବିହରେ

ବିଶ୍ୱ ଅଙ୍କୁର ଗର୍ଭେ ଧରେ

।।

ତହୁଁ ମହତ ହେମମୟେ

ବ୍ରହ୍ମାଣ୍ଡ କରନ୍ତି ଉଦୟେ

।।

ଧରଣୀ ଆଦି ପଞ୍ଚଭୂତ

ମନ ଅହଙ୍କାରାଦି ସପ୍ତ

।।

ଏଣୁ ସପତ ଆବରଣ

ବ୍ରହ୍ମାଣ୍ଡ କରନ୍ତି ନିର୍ମାଣ

।।

ସପ୍ତା ବରଣେ ଦେହ ବହି

ତୋହର ବିରାଟ ରୂପହିଁ

।।

ତାର ଭିତରେ ଏ ସଂସାର

ରଚନା ଚତୁର୍ଦ୍ଦଶ ପୁର

।।

ମଧ୍ୟେ ବିରାଜେ ତ୍ରିଭୁବନାଦି

ସ୍ଥାବର ଚାରିବର୍ଣ୍ଣ ଆଦି

।।

ତୁ ନାଥ ତୋର ମାୟାବଳେ

ତ୍ରିଗୁଣ ଘଟଣ ଶୟଳେ

।।

ଜୀବ ସ୍ୱରୂପ ତୁମ୍ଭେ ଧର

ସର୍ବ ବିଷୟ ଭୋଗକର

।।

ନିଜ ପ୍ରକାଶେ ନିଜ ଦେହୀ

ବିଷୟ ବାସନା ଲାଗଇ

।।

ଷୋଳସହସ୍ର ତୋ ରମଣୀ

ତୋ ମନ ନ ପାରିଲେ ଜାଣି

।।

ବିବିଧ କାମ ପଞ୍ଚଶରେ

କଟାକ୍ଷେ ଭୃଭଙ୍ଗି ପ୍ରକାରେ

।।

ଏଣୁ ଅଚ୍ୟୁତ ତୋର ନାମ

ନିର୍ଲ୍ଲେପ ଗୁଣ ନିତ୍ୟଧାମ

।।

ତୋର ଅମୃତ କଥା ମହୀ

ସଂସାରେ ନଦୀରୂପେ ବହି

।।

ସେ ପାଦ ନୀର ସୁରନଦୀ

ବହେ ବ୍ରହ୍ମାଣ୍ଡ ମଧ୍ୟେ ଭେଦି

।।

ଜାଳେ ତ୍ରୈଲୋକ୍ୟ ପାପ ହରେ

ଯେ ମୁଖେ ଗଙ୍ଗା ନାମ ଧରେ

।।

ଏ ବେନି ନଦୀ ମଧ୍ୟେ ସ୍ନାନ

ଯେ କରେ ଧନ୍ୟ ତା ଜୀବନ

।।

ନିଜ ଭୁବନେ ବସ ପ୍ରାଣୀ

ଯେ ମୁଖେ ତୁମ୍ଭ କଥା ଭଣି

।।

ନିର୍ମଳ କରି ବୁଦ୍ଧିମନ

ଯେ କରେ କଥାମୃତ ପାନ

।।

ଯେ ଅବା ପଶି ଗଙ୍ଗାଜଳେ

ସ୍ନାନ କରନ୍ତି ସୁଖଭୋଳେ

।।

ତୋଷେ କରନ୍ତି ଜଳପାନ

ତୁଣ୍ଡେ ଉଚ୍ଚାରି ତୋର ନାମ

।।

ଏମନ୍ତେ ବେନି ନଦୀ ମଧ୍ୟେ

ଯେ ସ୍ନାନ କରନ୍ତି ଆନନ୍ଦେ

।।

ଧରନ୍ତି ଦୁଃଖ ସୁଖେ ଦେହୀ

ତୋ ମାୟା ତାକୁ ନ ଲାଗଇ

।।

ଏହି ଅଧ୍ୟାରେ ଶ୍ରୀ ଉଦ୍ଧବ

କାତରେ କରେ ଦିବ୍ୟସ୍ତବ

।।

କୃଷ୍ଣ ଚରଣ ଧରିଶିରେ

ଉଦ୍ଧବ କହେ ଶୋକଭରେ

।।

ହେ ପ୍ରଭୁ ଦେବ ନିରଞ୍ଜନ

ସୁପୁଣ୍ୟ ଶ୍ରବଣ କୀର୍ତ୍ତନ

।।

କୁଳକି ସଂହାରିବୁ ତୁହି

ଏମନ୍ତ ପ୍ରାୟ ମୁଁ ମଣଇ

।।

ତୁ ଯେ ବୋଲାଉ ଭଗବାନ

ନ କରୁ ବ୍ରହ୍ମ ଶାପ ଆନ

।।

ତୁ କାଳରୂପୀ ମାୟାଧର

ଏ ରୂପ କରୁ ତୁ ଅନ୍ତର

।।

ଏ ନରଲୋକ ଛାଡ଼ି ହରି

ନିଶ୍ଚୟ ଯିବୁ ନିଜପୁରୀ

।।

ଏ ତୋର ଅଭୟ ଚରଣ

ପରମ ମଙ୍ଗଳ କଲ୍ୟାଣ

।।

ତୋ ପାଦେ ମୋର ମନ ଜଡ଼ି

ତିଳେହେଁ ନ ପାରଇ ଛାଡ଼ି

।।

ତୋ ପାଦେ ପଶିଲି ଶରଣ

ମୋତେ ନ ଛାଡ଼ ନାରାୟଣ

।।

ତୋର ଚରିତ ସୁଧାପାନ

ଯେ କରେ ଶ୍ରବଣ କୀର୍ତ୍ତନ

।।

ଭାବେ ଅମୃତ ପାନକରେ

ଆର କି ରସେ ମନ ସ୍ମରେ

।।

ମାର୍ଜନ ସୁଗନ୍ଧ ଲେପନେ

ଆସନ ଶୟନ ଭୋଜନେ

।।

ସଙ୍ଗୁ ନ ଛାଡ଼ୁପ୍ରଭୁ ମୋତେ

ମୁଁ ଏବେ ନଦେଖିଲେ ଚିତ୍ତେ

।।

କେମନ୍ତେ ଧରିବି ଜୀବନ

ହୋଇବ ଦଶଦିଗ ଶୂନ୍ୟ

।।

ତୋହର ଅଙ୍ଗ ଉପହାର

ଶରୀରେ ଭୂଷଣ ମୋହର

।।

ଗନ୍ଧ ଚନ୍ଦନ ମାଲ୍ୟ ଯେତେ

ଭୁଞ୍ଜଇ ତୋର ଭୋଗ ଅନ୍ତେ

।।

ତୋର ନିର୍ମାଲ୍ୟ ନିତ୍ୟେ ଖାଇ

ତୋରୂପ ନୟନେ ଦେଖଇ

।।

ତୁ ଯେ ମୋହର ପ୍ରାଣବନ୍ଧୁ

ଉଦ୍ଧର ତୋର ମାୟା ସିନ୍ଧୁ

।।

ତୁ ନାଥ ଶରଣ ସୋଦର

ତୋର ସଙ୍ଗତେ ମୋତେ କର

।।

ଯେ ପ୍ରାଣୀ ଦିଗମ୍ୱର ହୋଇ

ଭ୍ରମେ ସନ୍ନ୍ୟାସ ରୂପ ବହି

।।

ଇନ୍ଦ୍ରିୟ ଗଣ ଦୃଢ଼େ ଛନ୍ଦି

ମନ ପବନ ହୃଦେ ରୁନ୍ଧି

।।

ବ୍ରହ୍ମ ଚିନ୍ତଇ ଅନ୍ତର୍ଗତେ

ନିଅହଂକାର ଶୁଦ୍ଧ ଚିତ୍ତେ

।।

ତପ କଷଣ ସହେ ଶାନ୍ତ

ନିର୍ମଳ ମତି ଊର୍ଦ୍ଧ୍ୱରେତ

।।

ଅଷ୍ଟାଙ୍ଗ ଯୋଗମାର୍ଗେ ଚିନ୍ତି

ଲଭନ୍ତି ବ୍ରହ୍ମଧ୍ୟାନେ ଗତି

।।

ତୋର ଅମୃତ ରସ ବାଣୀ

ନିରତେ ଶ୍ରବଣେ ଯେ ଶୁଣି

।।

ତୋର ସେବକ ଯାର ବନ୍ଧୁ

ହେଳେ ସେ ତରେ ଭବସିନ୍ଧୁ

।।

ତୋର ସେବକ ପ୍ରିୟତମ

ସେ ପ୍ରାଣୀ ଭକତ ପ୍ରଧାନ

।।

ଭଣଇ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ ଆଜ୍ଞାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତ ବାକ୍ୟେ

ନାମ ତ୍ରୟତ୍ରିଂଶୋଽଧ୍ୟାୟଃ ।

Image

 

ଚତୁଃସ୍ତ୍ରିଂଶ ଅଧ୍ୟାୟ

 

ଏକାଦଶ ଅଷ୍ଟ ଅଧ୍ୟାରେ

ଉଦ୍ଧବ ଶ୍ରୀକୃଷ୍ଣ ଛାମୁରେ

।।

ପ୍ରଣାମ କରି କୃଷ୍ଣପାଦେ

ବୋଲଇ ଶୋକ ଗଦଗଦେ

।।

ହେ ମହା ଯୋଗୀ ଯୋଗେଶ୍ୱର

ଦୁର୍ଲ୍ଲଭ ବଚନ ତୋହର

।।

ନ ପଶେ ମୋହର ହୃଦୟେ

ଜଳେ ନଳିନୀଦଳ ପ୍ରାୟେ

।।

ତୁମ୍ଭେ କହିଲ ତ୍ୟାଗ ଗୁଣ

ଯେ ଧର୍ମ ସନ୍ନ୍ୟାସ ଲକ୍ଷଣ

।।

କାମ ଜଡ଼ିତ ମୋର ମନେ

ବିଷୟ ବିଷମ ଗହନେ

।।

ତୋହର ଭକ୍ତି ନାହିଁ ଚିତ୍ତେ

ମନକୁ ଚିହ୍ନିବି କେମନ୍ତେ

।।

ତୋର ଶରଣ ଯାର ଦୂରେ

କିରୂପେ ତ୍ୟାଗ ତା ସଂସାରେ

।।

ଯେ କିଛି ତୋହର ଚରଣେ

ମୁହିଁ ପୁଚ୍ଛଇ ମୂଢ଼ପଣେ

।।

ମୁହିଁ ଯେ ମାୟା ଜଡ଼ମତି

ଭୋ ନାଥ ଶୁଣ ଯଦୁପତି

।।

ମୁହିଁ ମୋହର ଏ ସଂସାର

ସକଳ କର୍ମହିଁ ମୋହର

।।

ମୋହ ଜଡ଼ିତ ମୋର ଚିତ୍ତ

ଏଣୁ ମୁଁ କୈବଲ୍ୟ ବଞ୍ଚିତ

।।

ଅସତ୍ୟ ଦାରା ସୁତଧନ

ମୋ ମନ କରେ ନିତ୍ୟେଧ୍ୟାନ

।।

ମାୟା ସଂକଟ ମୋହେ ଜଡ଼ି

ଭବ ବନ୍ଧନେ ଅଛି ପଡ଼ି

।।

ଏ ମୋର ଜଡ଼ ମୋହପାଶ

ଅଜ୍ଞାନ ଛେଦ ହୃଷୀକେଶ

।।

ନିଶ୍ଚୟ କରି ନିଜ ଦାସ

କହ ତୋ ମାର୍ଗ ଉପଦେଶ

।।

ତୁ ଆତ୍ମା ସତ୍ୟ ନିତ୍ୟନିଧି

ଚଉଦ ଭୁବନେ ପ୍ରସିଦ୍ଧି

।।

ତୁ ବ୍ରହ୍ମଜ୍ଞାନ ଗୁରୁ ଦାତା

ତୋ ବିନୁ ନାହିଁନା ବକତା

।।

ନାନା ପ୍ରକାରେ ବେଦବାଦେ

କେ ଅଛି ପୁରସଭା ମଧ୍ୟେ

।।

ବ୍ରହ୍ମାଦି ସୁରଗଣ ଯେତେ

ତୋହର ମାୟା ବିମୋହିତେ

।।

ବିଷୟ ଧ୍ୟାନ ଅବିରତ

ଏଣୁ ତୋ ମାର୍ଗେ ସେ ବଞ୍ଚିତ

।।

ସେ ଯେବେ ତତ୍ତ୍ୱ ଅବଧାରୀ

ତୋ ମାୟା ନ ପାରିଲେ ତରି

।।

ତୁ ଯେଣୁ ଅଷ୍ଟନିଧିଧାରୀ

ଏଣୁ ତୁ ସର୍ବ ଅଧିକାରୀ

।।

ଅଶେଷ ମହିଁମା ତୋହର

ସର୍ବଜ୍ଞ ଜଗତ ଈଶ୍ୱର

।।

ଅକୁଣ୍ଠ ବେକୁଣ୍ଠ ମହିମା

ବେଦ ନଜାଣେ ତୋର ସୀମା

।।

ହେ ନାରାୟଣ ପ୍ରାଣନାଥ

ତୋହରେ ମୁଁ ଶରଣାଗତ

।।

ତୋ ନାମ ତ୍ଵରିତ ଦହନ

ପାପ ମୋ କର ବିମୋଚନ

।।

ଏରୂପେ କରି କେତେ ସ୍ତବ

ପ୍ରସନ୍ନ କଲେକି ଉଦ୍ଧବ

।।

ତାହା ମୁଁ ମୂଢ଼ ନ ଲେଖିଲି

ସଂବାଦ ବେନି ଜନ ବୋଲି

।।

ଏ ଦୋଷ ନ ଧରିବ ମୋର

ମୁଁ ତୁମ୍ଭ ଚରଣେ କିଙ୍କର

।।

ଶ୍ରୀ ଏକାଦଶ ତ୍ରିଂଶ ଅଧ୍ୟା

ସଂପୂର୍ଣ୍ଣେ ପୂରିଅଛି ସୁଧା

।।

ତୋର ସାଧନ ତତ୍ତ୍ୱବାଣୀ

ଉଦ୍ଧବ କୃଷ୍ଣମୁଖୁଁ ଶୁଣି

।।

ସଂଶୟ ମନେ ଭ୍ରମକରି

ବୋଲେ ଗୋବିନ୍ଦ ପାଦଧରି

।।

ଭୋନାଥ ପ୍ରଭୁ ଦାମୋଦର

ଶୁଣିଲି ଯୋଗର ବିସ୍ତାର

।।

କ୍ଷଣଭଙ୍ଗୁର ଦେହ ଧରି

କେବା ପାରିବ ସାଧ୍ୟ କରି

।।

ଅନେକ ଜନ୍ମେ ଯୋଗେଶ୍ୱରେ

ଏ ଯୋଗ ସାଧନ୍ତି ସଂସାରେ

।।

ଧ୍ୟାନ ଧାରଣା ଦୃଢ଼ାସନେ

ସଂଯମି ଚିତ୍ତ ସାବଧାନେ

।।

ସେ ଯୋଗ ସାଧି ଏ ସଂସାରେ

କେ ଅବା ପାରେ କେ ନ ପାରେ

।।

ଉପାୟେ କହ ଏବେ ମୋତେ

ଏ ଜୀବ ନିସ୍ତରେ କେମନ୍ତେ

।।

ସୁଖେ ଅଳପ ସାଧ୍ୟକରି

ତୋମାୟା ଘୋରୁ ଯିବି ତରି

।।

ପଦ୍ମଲୋଚନ ଗଦାଧର

ତୁ ନାଥ ଯଦୁ ବୀରବର

।।

ତୋହର ଅଭୟ ପୟର

ବ୍ରହ୍ମ ଆନନ୍ଦ ସୁଖ ଘର

।।

ସେ ପଦ୍ମପାଦେ ଆଶ୍ରେ କଲେ

ଜୀବ ସଂସାରୁ ତରେ ଭଲେ

।।

ସାର ଅସାର ବିଚାରଣେ

ଭୟେ ଭାଜିଲେ ଯୋଗୀଜନେ

।।

ଭକତି ଯୋଗ ସାଧ୍ୟ କରି

ଭବୁ ଭକତେ ଗଲେ ତରି

।।

ଯୋଗୀଏ ଯୋଗମାର୍ଗେ ଭ୍ରମି

କେବଳ ହୋନ୍ତି ପଥଶ୍ରମୀ

।।

ଏ ତୋର ଚିତ୍ର ଗତି ମାୟା

କେ ଜାଣିପାରେ ନାଥ ଏହା

।।

ଭୋ ନାଥ ମୋତେ କୃପାକର

ଏ ଘୋର ସଂସାରୁ ଉଦ୍ଧର

।।

ତୋ ପାଦ ବିନୁ କେ ଉଦ୍ଧାର

ଅନ୍ୟ ଶରଣ ନାହିଁ ଯାର

।।

ତୁ ନାଥ ହେଉ ତାର ବଶ

ଦଣ୍ଡେ ନ ଛାଡ଼ୁ ତାର ପାଶ

।।

ଏକଥା ଅଦ୍ଭୁତ କି ତୋତେ

ତୁ ଯେ ଭକତ ଜନ ହିତେ

।।

ବାନର ଭାଲୁଙ୍କର ମେଳେ

ତୋ ଅବତାର ମହୀତଳେ

।।

ରାମ ଶରୀର ନିଜ ଅଂଶେ

ତୋହର ଜନ୍ମ ରଘୁବଂଶେ

।।

ସୁରେନ୍ଦ୍ର କିରୀଟୀ ଅଗ୍ରତ

ତୋ ପାଦ ରେଣୁରେ ଭୂଷିତ

।।

ଏମନ୍ତ ପ୍ରଭୁ ନିଜ ଅଙ୍ଗେ

ବାନର ଭାଲୁଙ୍କର ସଙ୍ଗେ

।।

ଏଣୁ ତୋ ମହିଁମା ଅଦ୍ଭୁତ

କେ ମୁଖେ କହୁ ଗୋପୀନାଥ

।।

ତୁ ନାଥ ଜଗତ ଜୀବନ

ଦରିଦ୍ର ପ୍ରାଣୀଙ୍କର ଧନ

।।

ଭୋ ନାଥ ଜଗତ ଧାରଣ

ଅଶେଷ ଭୁବନ କାରଣ

।।

ତୁ ନାଥ ଭୂତ କୃତଜ୍ଞାତା

ଅଶେଷ କର୍ମଫଳ ଦାତା

।।

ତୁ ମାତା ପିତା ଦାଶରଥି

ଅଶେଷ ଜଗତର ପତି

।।

ତୋ ପାଦ ସେବା ପରିହରି

କେ ପାରେ ଭବସିନ୍ଧୁ ତରି

।।

ଯେ ତୋର ମହିଁମା ନ ଜାଣି

ଅନ୍ୟ ଦେବତା ପୂଜେ ଆଣି

।।

ତପ ସମାଧି ଯୋଗମାର୍ଗେ

କି ଅବା ମୋକ୍ଷ ଧର୍ମ ସାଧେ

।।

କେବଳ ଅଚେତନ ସେହି

ତାହାର କର୍ମବଦ୍ଧ କାହିଁ

।।

ମାୟା ମୋହିତ ରଜ ତମେ

ବିଧାତା ରହେ ତାର ବାମେ

।।

ଯେ ଭକ୍ତିଯୋଗେ ଭଜେତୋତେ

ତୁ ନାଥ ତାହାଙ୍କ ଅଗ୍ରତେ

।।

ସେହି ତୋହର ଉପକାର

ଏଣୁ ତୁ ଭକତ କିଙ୍କର

।।

ଏ ଭାବେ ବ୍ରହ୍ମଜ୍ଞାନୀ ଜନେ

ତୋନାମ ଉଚ୍ଚାରି ବଦନେ

।।

ରୋମ ହରଷେ ତୋତେ ଚିନ୍ତି

ଆନନ୍ଦସାଗରେ ଭାସନ୍ତି

।।

ତୋ ଗୁଣ ବୁଝି କେ ପାରଇ

ବ୍ରହ୍ମଆୟୁଷ ଦେହ ବହି

।।

ତୋ ପାଦପଦ୍ମ ସୁଧା ଆଶେ

ଭକତ ବାନ୍ଧେ ପ୍ରେମପାଶେ

।।

ଭୋନାଥ ତୋର ଅବତାର

ଅଶେଷ ପ୍ରାଣୀର ନିସ୍ତାର

।।

ଏ ମାୟା ଘୋର ମୋହକଳ୍ପେ

ଜୀବ ଉଦ୍ଧାରୁ ଗୁରୁରୂପେ

।।

ତୁ ଅନ୍ତର୍ଯ୍ୟାମୀ ରୂପ ଧରି

ଦୁରିତ ଖଣ୍ଡନ ଲହରୀ

।।

ଏଣୁ ତୁ ଜଗତର ନାଥ

ଅଶେଷ ତୋର ଗର୍ଭଗତ

।।

ଏ ତ୍ରିଂଶଅଧ୍ୟା କୃଷ୍ଣବାଣୀ

ଶୁଣି ଉଦ୍ଧବ ଯୋଡ଼େ ପାଣି

।।

ପ୍ରେମେ କୁଣ୍ଠିତ କଣ୍ଣଦ୍ୱାରେ

କାତରେ କମ୍ପଇ ଶରୀରେ

।।

ପୁଲକେ ଅଙ୍ଗ ତାର ସ୍ଫୁରେ

ବଦନୁ ବଚନ ନ ସ୍ଫୁରେ

।।

କ୍ଷଣକେ ହୁଏ ହତଜ୍ଞାନ

କ୍ଷଣକେ ଚିତ୍ତ ସମାଧାନ

।।

ଆନନ୍ଦେ ଶିରେ କର ଦେଇ

ପ୍ରଣମି ବୋଲେ ତ୍ରାହି ତ୍ରାହି

।।

ବିକଳେ କୁଣ୍ଠିତ ବଚନ

ବୋଲଇ ପ୍ରଭୁ ଭଗବାନ

।।

ଏ ମୋହମାୟା ଅନ୍ଧକାର

ତୋର ପ୍ରସନ୍ନେ ଗଲା ଦୂର

।।

ତୋର ଅଭୟ ପାଦତଳେ

ମୁଁ ଯେ ବୁଡ଼ିଲି ପ୍ରେମଜଳେ

।।

ଅଗ୍ନି ସମୀପେ ଭାବଗ୍ରାହୀ

କ୍ଷଣେ ନପାରେ ଶୀତ ରହି

।।

ମୋର ଅଜ୍ଞାନ ସେହିମତେ

ତୋ ଆଗେ ରହିବ କେମନ୍ତେ

।।

ତୁ ମୋତେ ଭୃତ୍ୟ କରି ହରି

ଏ ଭାବେ ଅନୁଗ୍ରହ କରି

।।

ଅଜ୍ଞାନ ଅନ୍ଧକାର ମୋର

ଜ୍ଞାନେ ଗୋବିନ୍ଦ କର ଦୂର

।।

ଅଶେଷ ଜନ୍ମ ପୁଣ୍ୟଫଳେ

ମୁହିଁ ତୋ ଚରଣ କମଳେ

।।

ତୋ ଅନୁଗ୍ରହେ କରି ସେବା

ମୁଁ ନ ଜାଣଇ ଅନ୍ୟ ଦେବା

।।

ଏ ମୂଢ଼ ମୋହଜାଲ ମୋର

ତୋ ଅନୁଗ୍ରହେ ଗଲା ଦୂର

।।

ପୁତ୍ର କଳତ୍ର ମୋର ମନେ

ରହିଲେ ତୋହର ଚରଣେ

।।

ବାନ୍ଧବ ପୁତ୍ର ଦାରାଧନ

ଏ ବନ୍ଧୁ ତୁଟିଲା ମୋ ମନ

।।

ନମୋ ଗୋବିନ୍ଦ ତୋ ଚରଣେ

ଯେ ପାଦ ପ୍ରପନ୍ନ ଲକ୍ଷଣେ

।।

ମୁନୀନ୍ଦ୍ରଗଣେ ଯାହା ଚିନ୍ତି

ଏ ଘୋର ସଂସାରୁ ତରନ୍ତି

।।

ମୋତେ ବୁଝାଇ ଉପଦେଶ

ବୋଲୁ ଯେ ନଥା ମୋର ପାଶ

।।

କେମନ୍ତେ ଧରିବି ମୁଁ ପ୍ରାଣ

ନଦେଖି ଅଭୟ ଚରଣ

।।

ଦୁଷ୍ଟ ଚଞ୍ଚଳ ମୋର ଚିତ୍ତ

ତୋର ଚରଣେ ଯଦୁନାଥ

।।

ନିଶ୍ଚଳେ ରହିବ କେମନ୍ତେ

ଏମନ୍ତ ଆଜ୍ଞାହେଉ ମୋତେ

।।

ଏହି ଅଧ୍ୟାରେ ପୁଣ ପୁଣି

ଉଦ୍ଧବ ସ୍ତୁତିବାକ୍ୟ ଭଣି

।।

ନମୋ ଗୋବିନ୍ଦ ତୋ ଚରଣେ

ନିତ୍ୟେ ସେବିବି ଦାସପଣେ

।।

ଏମନ୍ତେ କରି ନମସ୍କାର

କାନ୍ଦେ ଚରଣେ ଦେଇ କର

।।

ପଡ଼ି କାନ୍ଦଇ ଭୂମିଗତେ

ଅଜ୍ଞାନାଛନ୍ନ ମୋହଗତେ

।।

ଦେହେ ଜୀବନେ ଜ୍ଞାନନାହିଁ

କାତରେ କମ୍ପେ ତାର ଦେହୀ

।।

କ୍ଷଣକେ ବିଚ୍ଛେଦ କାତରେ

ରୋଦନ କରେ ଉଚ୍ଚସ୍ୱରେ

।।

କୃଷ୍ଣଙ୍କୁ ଚାହିଁ କମ୍ପେ ଦେହୀ

ବଦନୁ ବାକ୍ୟ ନ ସ୍ଫୁରଇ

।।

ଶ୍ରୀ ଏକାଦଶ ଏକତ୍ରିଂଶ

ଅଧ୍ୟାରେ ଜାରା କୃଷ୍ଣ ପାଶ

।।

ଆକୁଳେ ଚରଣେ ନମଇ

କହଇ ଶ୍ରୀମୁଖକୁ ଚାହିଁ

।।

ତୁ ନାଥ ଶରଣ ସୋଦର

ଏ ଅପରାଧ କ୍ଷମା କର

।।

ତୋ ନାମ ନିତ୍ୟେ ଯେ ସୁମରେ

ଘୋର ସଂସାର ଦୁଃଖ ତରେ

।।

ତୋତେ ଯେ ନୟନେ ଦେଖଇ

ଅଜ୍ଞାନ ତମିରି ନାଶଇ

।।

ଶବର ଜାତିହୀନ ମୁହିଁ

ବିଶେଷେ ତୋର ମାୟା ମୋହି

।।

ସ୍ୱଭାବେ ପତିତ କୁଣ୍ଠିତ

ହୀନ ପାମର ମୋର ଚିତ୍ତ

।।

ତୋର ଶ୍ରୀହସ୍ତେ ଦାମୋଦର

ଖଡ଼ଗେ ଚ୍ଛେଦ ମୋର ଶିର

।।

ସର୍ବ ପାତକ ମୋର ଯାଉ

ଏ ଜାତି ମଧ୍ୟେ ଜନ୍ମ ନୋହୁ

।।

ଦୁଷ୍କୃତ ନ ଲାଗେ ଯେମନ୍ତେ

ଏମନ୍ତ ଆଜ୍ଞା ହେଉ ମୋତେ

।।

ତୋ ମାୟାଗତି ଦାମୋଦର

ନ ବୁଝେ ବିରଞ୍ଚି ଶଙ୍କର

।।

ବେଦ ବଚନେ ମୁନିଜନେ

ଭ୍ରମନ୍ତି ତୋର ଅନୁମାନେ

।।

ତୋ ମାୟାବଳେ ଗୋପୀନାଥ

ଅଶେଷଜନେ ବିମୋହିତ

।।

ମୁଁ ପାପୀ ଜାଣିବି କେମନ୍ତେ

ଅଜ୍ଞାନେ ଭ୍ରମି ତୋ ଜଗତେ

।।

ଏହି ଅଧ୍ୟାରେ ଯେ ଦାରୁକ

ବନେଣ ଖୋଜି ସେ ଅନେକ

।।

ଲତା ଗହନେ କୃଷ୍ଣପାଶେ

ମିଳିଲା ଦିବ୍ୟଗନ୍ଧ ବାସେ

।।

କୋଟି ଆଦିତ୍ୟ ପ୍ରାୟେ କାନ୍ତି

ଦାରୁକ ଦେଖି ଯଦୁପତି

।।

ଜଗମୋହନ ରୂପ ରାଶି

ଅଶ୍ୱତ୍ଥ ତରୁମୂଳେ ବସି

।।

ଦାରୁକ ରୋମାଞ୍ଚ ଶରୀର

ପ୍ରେମେ ନୟନୁ ବହେ ନୀର

।।

କୃଷ୍ଣଚରିତେ ଚିତ୍ତ ଜଡ଼ି

ଦାରୁକ ମହୀତଳେ ପଡ଼ି

।।

ହା କୃଷ୍ଣ ଜୀବନ ମୋହର

ମୁଁ ତୋର ଚରଣେ କିଙ୍କର

।।

ବିକଳେ କାନ୍ଦେ ଉଚ୍ଚ ତୁଣ୍ଡେ

କର ଯୁଗଳ ତାଡ଼େ ମୁଣ୍ଡେ

।।

ଭୋନାଥ ଛାଡ଼ି ମୋତେ ଦୟା

କିମ୍ପା ଦେଖାଉଅଛ ମାୟା

।।

ନୟନ ନାହିଁ ମୋ ଶରୀରେ

ଆଜ ପଡ଼ିଲି ତମ ଘୋରେ

।।

ନ ଦିଶେ ଦଶଦିଗ ମୋତେ

ତୋର ଚରଣ ଶସ୍ତ୍ରାଘାତେ

।।

ତୋତେ ନ ଦେଖି ଦାମୋଦର

ଜୀବନ ନ ଥିବ ମୋହର

।।

ଭଣଇ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେଉ ସୁଜନେ ଆଜ୍ଞାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତ୍‌ବାକ୍ୟେ ନାମ

ଚତୁସ୍ତ୍ରିଂଶୋଽଧ୍ୟାୟଃ ।

Image

 

ପଞ୍ଚତ୍ରିଂଶ ଅଧ୍ୟାୟ

 

ଦ୍ୱାଦଶ ସ୍କନ୍ଧର ଅଧ୍ୟାରେ

ପୁରାଣ କର୍ତ୍ତା ସ୍ତୁତିକରେ

।।

ନମଇ ଜୟ ନାରାୟଣ

ଯୋଗେଶରୂପେ ଭଗବାନ

।।

ବୈକୁଣ୍ଠ ପୁରୁଷ ପୁରାଣ

ଅଖିଳ ପତିତପାବନ

।।

ଯାହାର ଆଦି ଅନ୍ତନାହିଁ

ବେଦ ଯା ମହିମା ନ ପାଇ

।।

ନମଇଁ ପ୍ରଭୁ ଭାବଗ୍ରାହୀ

ଭକତ ହିତେ ଦେହ ବହି

।।

ମତ୍ସ୍ୟାଦି କୂର୍ମ ଯେ ବରାହ

ନୃସିଂହ ରୂପେ ବିଶ୍ୱବହ

।।

ବାମନ ପର୍ଶୁଧର ରାମ

ହଳଧର ବୌଦ୍ଧ କଲ୍କୀନ

।।

ଏମନ୍ତେ ନାନା ଅବତାର

ଖଣ୍ଡିଲେ ଅବନୀର ଭାର

।।

ଜୟ ମଙ୍ଗଳ ହେ ଈଶ୍ୱର

ମହିମା ନ ଜାଣେ ଶଙ୍କର

।।

ବ୍ରହ୍ମା ଯେ ନ ପାଇଲା ଅନ୍ତ

ନମସ୍ତେ ପୁରୁଷ ଅବ୍ୟକ୍ତ

।।

ଅବ୍ୟକ୍ତ ନିର୍ମଳ ପ୍ରକାଶ

ପରମ ଜ୍ୟୋତି ରବିତ୍ରାସ

।।

ନମସ୍ତେ ହେ ଭକ୍ତବତ୍ସଳ

ଅନାଦି ଆଦି ବିଶ୍ୱସ୍ଥଳ

।।

ହେ ଜଗନ୍ନାଥ ଜଗଦ୍ଭୂତ

ସୃଷ୍ଟି ପାଳନ ଆଦିଭୂତ

।।

ନମଇଁ ଜୟ ବିଶ୍ୱତେଜ

ନାମେ ସର୍ବ ପାପ ଦହିଯ୍ୟ

।।

ନିର୍ମଳ ନିରଞ୍ଜନ ରୂପ

ପଞ୍ଚଭୂତ ଆମ୍ଭେ ତ ଆପ

।।

ନମଇଁ ଜୟ ବିଷ୍ଣୁ ଶ୍ୟାମ

ସର୍ବ ଭୂତ ହେ ଆତ୍ମାରାମ

।।

ନମଇଁ ପତିତପାବନ

କୃପାସିନ୍ଧୁ ଯେ ଜନାର୍ଦ୍ଦନ

।।

ନମଇଁ ଗୋପୀ ପ୍ରାଣପତି

ଶ୍ରୀ ବାସୁଦେବ ଜଗଜ୍ଜ୍ୟୋତି

।।

ଜୟ ଗୋପୀଜନ ବଲ୍ଲଭ

ସକଳ ପ୍ରାଣୀ ଜୀବ ଶୁଭ

।।

ନମଇଁ ନର ନାରାୟଣ

ବ୍ରହ୍ମା ସ୍ୱରୂପେ ଯେ ନିର୍ଗୁଣ

।।

ନିର୍ମଳ ଜ୍ୟୋତିରୂପେ ପ୍ରଭା

ବଦ୍ରି ସ୍ଥାନରେ ତୋର ସଭା

।।

ହେ ନାରାୟଣ ନରଋଷି

ମହିଁମା ନ ଜାଣେ ବିଶେଷି

।।

ଅନନ୍ତ ରୂପ ତୋ ମହିମା

ନମସ୍ତେ ଭଗବନ୍ତ ବ୍ରହ୍ମା

।।

ଶିରରେ ଜଟା ମଣିଭାର

ତେଜରେ ରବିର ସଞ୍ଚାର

।।

ସୃଷ୍ଟିରେ ସର୍ବ ଦେବମୟେ

ସୃଜନ ବୀର୍ଯ୍ୟେ ଯହୁଁ ହୁଏ

।।

ଭାରତ ବରଷରେ ପୁଣ

ଇଷ୍ଟଦେବତା ଯେ କାରଣ

।।

ଅଖଣ୍ଡ ଲୋକ ପୂଜ୍ୟ ତୁହି

ତୋ ନାମ ଅନ୍ତେ ଯେ ଧରଇ

।।

ବୈକୁଣ୍ଠ ପଦ ସେ ଲଭଇ

ସକଳ ପାପ କ୍ଷୟ ଯାଇ

।।

ଚତୁରାକ୍ଷର ନାମ ତୋର

ଅଜାମିଳ ମୁଖେ ଉଚ୍ଚାର

।।

ସକଳ ପାପୁ ସେ ତରିଲେ

ତୋ ଦୁତେ ବୈକୁଣ୍ଠକୁ ନେଲେ

।।

ସେ ନାରାୟଣ ପଦେ ମୁହିଁ

ଶରଣ ପାଇବା ଇଚ୍ଛଇ

।।

ଦ୍ୱାଦଶସ୍କନ୍ଧ ପଞ୍ଚାଧ୍ୟାରେ

ପରୀକ୍ଷିତ କୃଷ୍ଣ ପୟରେ

।।

ଚିତ୍ତ ଆନନ୍ଦେ ପୁଲକିତ

କୃଷ୍ଣେ ନିବେଶି ଶିର ହସ୍ତ

।।

ହେ ପ୍ରଭୁ ପରମ ପୁରୁଷ

ମହିମା ନ ଜାଣଇଁ ଶେଷ

।।

ତୁମ୍ଭର ଭାବ ତୁମ୍ଭେ ଜାଣ

ତୋ ବିନୁ ନାହିଁ ପରିତ୍ରାଣ

।।

ତୁମ୍ଭ ଚରଣେ ମନ ମୋର

କାଳେ ରଖିବୁ ଚକ୍ରଧର

।।

ଆଶା ବିଶ୍ରାମ ବାନା ତୋର

ମୋ ଆଶା ରଖ ତୋ ପୟର

।।

ନମସ୍ତେ ଦେବ ନାରାୟଣ

ଏ ଭବଜଳୁ ଉଦ୍ଧାରଣ

।।

ଦ୍ୱାଦଶ ସପ୍ତ ଅଧ୍ୟାୟରେ

ଯାଜ୍ଞବଲ୍କ୍ୟ ସ୍ତବ ସୂର୍ଯ୍ୟରେ

।।

ମେରୁ ପୃଷ୍ଠରେ ବସି ପୁଣ

ସୂର୍ଯ୍ୟଙ୍କୁ କଲେ ଉପାସନ

।।

ହେ ଭଗବନ୍ତ ଦିବାକର

ତୁମ୍ଭଙ୍କୁ ମୋର ନମସ୍କାର

।।

ଜଗତ ଅଖିଳ ପରାଣୀ

ଆତ୍ମା ସ୍ୱରୂପେ ଅଛ ପୁଣି

।।

କାଳ ସ୍ୱରୂପେ ଗ୍ରହରୂପେ

ସ୍ଥାବର ଜଙ୍ଗମାଦି ରୂପେ

।।

ବ୍ରହ୍ମରୁ ତୃଣ ପରିଯନ୍ତେ

ପ୍ରାଣୀମାନଙ୍କ ହୃଦଗତେ

।।

ଆତ୍ମା ସ୍ୱରୂପେ ପୂରିଅଛ

ଆକାଶ ମାର୍ଗେ ପ୍ରକାଶିଛ

।।

ଅନ୍ତର୍ଗତେ ବାହ୍ୟରେ ପୁଣି

ଏକାଦଶ ଇନ୍ଦ୍ରିୟ ଜିଣି

।।

ଏ ତୁମ୍ଭ ଅନୁଭବ ହୋଇ

କାଳଚକ୍ର ରୂପେ ଭ୍ରମଇ

।।

ଉତ୍ପତ୍ତି ପ୍ରଳୟେ କରୁଛ

ଏଣୁ ଆକାଶେ ଉଇଁଅଛ

।।

ଏ ତୁମ୍ଭ ମାୟା ତୁମ୍ଭ ଗତି

ନିର୍ମଳ ବିରାଜଇ ଜ୍ୟୋତି

।।

ପରମ ବହ୍ମ ନିରାକାର

ଜ୍ୟୋତି ଭିତରେଣ ବାହାର

।।

ଶଙ୍ଖ ଚକ୍ରଧାରୀ ହୋଇଣ

ନାରାୟଣ ସ୍ୱରୂପୀ ବ୍ରହ୍ମ

।।

ବ୍ରହ୍ମ ତ୍ରିସନ୍ଧ୍ୟାରେ ନିର୍ମିତ

ଗାୟତ୍ରୀ ପଢ଼ି ବେଦ ମନ୍ତ୍ର

।।

ଏ ଦିବା ରାତ୍ର କରି ଶେଷ

ସଂସାରେ ଲୋକ ତମ ଧ୍ୱଂସ

।।

ଆପଣା କିରଣର ବୃଷ୍ଟି

ସଧେ ଉପୁଜି ପ୍ରାଣି ତୁଷ୍ଟି

।।

ହିମ ଜଳ ଶିଶିର ଗ୍ରୀଷ୍ମ

ତୁମ୍ଭର ତହୁଁ ଏ ଜନମ

।।

ଏ ଷଡ଼ଋତୁ ବାରମାସ

ତୁମ୍ଭର ହୋଇଛି ପ୍ରକାଶ

।।

ଏ ତୁମ୍ଭ ଜ୍ୟୋତିର ମଣ୍ଡଳ

ସକଳ ସୁଖଙ୍କର ଆଳ

।।

ବିପ୍ରେ ଯେ ଚାରି ବେଦମତେ

ଉପାସନା କରିଣ ତୋତେ

।।

ସେ ଦ୍ୱିଜମାନଙ୍କର ପାପ

ତୁମ୍ଭେ ଯେ ହର ସର୍ବ ତାପ

।।

ତୁମ୍ଭ ମଙ୍ଗଳ ଜ୍ୟୋତୀକ୍ଷଣ

ଅନ୍ଧପଟଳକୁ ନାଶନ

।।

ସେ ଜ୍ୟୋତି ସ୍ୱରୂପ ଯେ ତୁହି

ଉପାସନା କରିବି ମୁହିଁ

।।

ସ୍ଥାବର ଜଙ୍ଗମ ଯେ କୀଟ

ପତଙ୍ଗ ଚାରିଖାନି ଭେଟ

।।

ଇନ୍ଦ୍ରିୟଗଣମାନଙ୍କର

ପ୍ରବେଶି ଅନୁଭବ କର

।।

ସ୍ୱୟଂ ଯେ ଅନ୍ତର୍ଯ୍ୟାମୀ ରୂପେ

ଆତ୍ମଜ୍ଞାନ ପ୍ରକାଶେ ଆପେ

।।

ଏ ଲୋକେ ତୁମ୍ଭର ମାୟାରେ

ବିକଟ ରାତ୍ରେ ଅନ୍ଧକାରେ

।।

ପ୍ରାଣୀଙ୍କି ଅଜଗର ରୂପେ

ଗିଳିଲେ ଯେହ୍ନେ ହୁଏ ଧାପେ

।।

ଅଚେତ ମୃତ୍ୟୁ ହୋଇଥାଇ

ନିଦ୍ରାରେ ସର୍ବଜନ ମୋହି

।।

ମାୟାର ଅଚେତେ ଯେ ପ୍ରାଣୀ

ପରମ କୃପା ତୁମ୍ଭେ ଜାଣି

।।

ଉଦୟେ ଅନୁଗ୍ରହ କରି

ଉଦ୍ଧତ କିରଣେ ଉଭାରି

।।

ଦିନେ ଦିନେକେ ପ୍ରାଣୀମାନେ

ଆଶ୍ରା ନିମିତ୍ତେ ତୋ ଚରଣେ

।।

ତୋ ଅନୁଗ୍ରହେ ଯଜ୍ଞକରି

ସ୍ୱର୍ଗାଦି ଅପବର୍ଗଧାରି

।।

ରାଜାଦେହେ ଦୁଷ୍ଟକୁ ନାଶି

ସାଧୁଜନଙ୍କୁ ଯେ ଆଶ୍ୱାସି

।।

ଦୁଷ୍ଟ ଦାନବ ଯେ ଅସାଧୁ

ଖଳ ଦୁବୃତ୍ତ ଧର୍ମନିନ୍ଦୁ

।।

ଏ ଅଂଶ ଜନ୍ମ ଯେତେ ତନୁ

କୁମୁଦ ନାଶେ ଯେହ୍ନେ ଭାନୁ

।।

ଏଣୁ ଯେ ଉଦେ ଅସ୍ତ ହୁଅ

ସର୍ବ ଜୀବରେ ପୂଜା ପାଅ

।।

ଦିଗପାଳ ଯେଝା ଦିଗରେ

କୃତାଞ୍ଜଳିରେ ପୂଜାକରେ

।।

ଭଗବତ ଯେ ବାସୁଦେବ

ମୋର ପୂଜା ତୁମ୍ଭେ ଘେନିବ

।।

ସମର୍ପି ତୁମ୍ଭ ପଦ୍ମପାଦେ

ମୁଁ ଉପସ୍ଥିତ ଯେ ଆନନ୍ଦେ

।।

ତୁମ୍ଭ ପଦ୍ମପାଦ ଏମନ୍ତ

ତିନି ଭୁବନରେ ପୂଜିତ

।।

ବ୍ରହ୍ମା ବିଷ୍ଣୁ ମହେଶ ଆଦି

ବାସବ ଆଦି ଦେବ ବନ୍ଦି

।।

ଏବେ ତୁମ୍ଭ ପଦ୍ମପାଦରେ

ମୋ ଶିର ନମସ୍କାର କରେ

।।

ନବୀନ ନିରିବେଦ ମୋତେ

ଆଜ୍ଞା ହୋଇବ ଛାୟାକାନ୍ତେ

।।

ଯେ ବେଦ ଗୁରୁଠାରେ ନାହିଁ

ତାହାକୁ ପଢ଼ିବଇଁ ମୁହିଁ

।।

ତେଣୁ ତୁମ୍ଭଙ୍କୁ ଆଶ୍ରା ମୁହିଁ

ଏ ବେଦ ମୋତେ ଆଜ୍ଞାହୋଇ

।।

ଦ୍ୱାଦଶସ୍କନ୍ଧ ଅଷ୍ଟାଧ୍ୟାୟ

ବିଷ୍ଣୁ ଦର୍ଶନେ ମାର୍କଣ୍ଡେୟ

।।

ନମୋ ନମୋ ବଚନେ ସ୍ତୁତି

ଗଗ୍ବଦ ଚିତ୍ତେଣ ଭାଷନ୍ତି

।।

କର ଦୁଇ ଅଞ୍ଜଳି କଲେ

ମନରେ ଉତ୍ସନ୍ନ ହୋଇଲେ

।।

ଉତ୍ତମ ଆସନେ ବସାଇ

ଚରଣ ଧୋଇଣ ପିଅଇ

।।

ଶିରଗାତ୍ରେ ସେଚନ କଲା

ଷଡ଼ ଅର୍ଘ୍ୟେଣ ସେ ପୂଜିଲା

।।

ଚନ୍ଦନ ଧୂପ ଦୀପ ପୁଷ୍ପ

ପୂଜିଲେ ମୁକୁନ୍ଦଙ୍କ ଶିଖ

।।

ସନ୍ତୋଷେ ପ୍ରସନ୍ନ ବଦନ

ହୋଇଲେ ନରନାରାୟଣ

।।

ମୁନି ଯେ ଦଣ୍ଡବତେ ପୁଣି

ବିଷ୍ଣୁ ତୋଷିଣ ସ୍ତୁତିଭଣି

।।

ହେ ପ୍ରଭୁ ତୁମ୍ଭର ମହିଁମା

ମୁଁ କିସ ବର୍ଣ୍ଣିବଇଁ ସୀମା

।।

ଯାହାର ଅଂଶ ପ୍ରାଣିମାନେ

ପ୍ରବେଶ ସୃଷ୍ଟିର ସର୍ଜନେ

।।

ସେ ଦେଶେ ପ୍ରବେଶ ହୋଇଣ

ମନ ଇନ୍ଦ୍ରିୟ ଗଣମାନ

।।

ସଂସାର ଚେଷ୍ଟା ପାଶୋରନ୍ତି

ସର୍ବ ଅନୁଭବ କରନ୍ତି

।।

ହେ ଭଗବାନ ନାରାୟଣ

ତୁମ୍ଭର ଏ ଯେ ମୂର୍ତ୍ତିମାନ

।।

ତହିଁ ଜୀବରୂପେ ଥାଇଣ

ଅନୁଭବ ତୁମ୍ଭେ ଭାବେଣ

।।

ଏ ଦୁଇରୂପ ଯେ ତୁମ୍ଭର

ତ୍ରୈଲୋକ୍ୟ ଜ୍ଞାନ ଯେ ଈଶ୍ୱର

।।

ପ୍ରାଣି ଜନ୍ମ ମୃତ୍ୟୁ ସଂସାରେ

ବସିଛ ବଦରି ସ୍ଥାନରେ

।।

ମତ୍ସ୍ୟାଦି ନାନା ରୂପମାନ

ବହୁ ଯେ ସୃଷ୍ଟିର କାରଣ

।।

ଉର୍ଣ୍ଣନାଭୀର ପ୍ରାୟେ ପୁଣ

ସର୍ଜିଣ କରେ ସଂହାରଣ

।।

ସେ ଭାବେ ଜଗତ ପ୍ରସରୁ

ମାୟା ଘେନି ତହିଁ ବିହରୁ

।।

ସଂସାରେ ଥାଇ ଯେଉଁମାନେ

ନିରତେ ଭାଜି ତୋ ଚରଣେ

।।

ଏକାଗ୍ରେ ତୋପାଦ ସେବନ୍ତି

ଜନ୍ମମୃତ୍ୟୁରୁ ନିସ୍ତରନ୍ତି

।।

ଯେ ତୁମ୍ଭ ଚରଣ ଭଜଇ

ସେ ତୁମ୍ଭ ମାୟା ପାରହୋଇ

।।

ତୋର ଚରଣ ଆଶ୍ରା ବିନୁ

ନ ତରେ ଏ ଭବ ବନ୍ଧନୁ

।।

ଭବ ସଂସାର ନିସ୍ତାରଣ

କେବଳ ତୋ ପଦ୍ମ ଚରଣ

।।

ଏ ଭବ ସଂସାର ନିରର୍ଥ

ଜାଣି ଭଜିଲେ ଯୋଗିପଥ

।।

ମୋକ୍ଷ ସ୍ୱରୂପୀ ଭଗବାନ

ତୋ ବିନୁ ଅନ୍ୟ ନାହିଁ କ୍ଷମ

।।

ତୋର ସକାଶୁ ଲୋକଭୟେ

ମୁଁ ଏହା ଜାଣଇ ନିଶ୍ଚୟେ

।।

ତୁମ୍ଭ ଦେବାରୁ ବ୍ରହ୍ମସୁଖ

ଭୋଗ କରଇ ଚତୁର୍ମୁଖ

।।

ଦୁଇ ପରାର୍ଦ୍ଧ ଆୟୁ ପାଇ

ତା ଶିରେ କାଳ ବସିଛଇଁ

।।

ସମୟେ ତାଙ୍କୁ ସଂହରଇ

ଏମନ୍ତ ଦ୍ୱନ୍ଦ ମାୟାମୟୀ

।।

ଯେଉଁ କାଳକୁ ବ୍ରହ୍ମା ଡରେ

ତାକୁ କେ ନ ଡରେ ସଂସାରେ

।।

ଏଣେ ପ୍ରାଣୀ ତୋ ମାୟା ମୋହି

ତୋତେ ଅଜ୍ଞାନେ ନ ଜାଣଇ

।।

ଯେ ପ୍ରାଣୀ ତୋ ଚରଣ ଆଶେ

ତୋ ମାୟା ବନ୍ଧନେ ନ ମିଶେ

।।

ଏବଂଭୂତ ଚରଣ ମୋହି

ନିରତେ ଭଜିଣ ଅଛଇ

।।

ଏ ଆତ୍ମା ତୋର ତହୁଁ ଯେଣୁ

ଆତ୍ମାର ଗୁରୁ ତୁମ୍ଭେ ତେଣୁ

।।

ପରମ ଦେବତା ବିଶେଷ

ପରମ ହଂସ ପରେ ବାସ

।।

ଶ୍ରୀ ନାରାୟଣ ନରୋତ୍ତମ

ନିଗମ ସ୍ୱରୂପୀ ଆପଣ

।।

ନିଗମ ବଚନ ପ୍ରମାଣ

ଶୁଦ୍ଧ ସ୍ୱରୂପୀ ଶୁକ୍ଳବର୍ଣ୍ଣ

।।

ତୁମ୍ଭଙ୍କୁ ମୋର ନମସ୍କାର

ହେ ପ୍ରଭୁ ଯୋଗାରୂଢ଼ ବର

।।

ଇନ୍ଦ୍ରିୟ ବଳେ ପ୍ରାଣୀ ମନ

ନିରତେ ହୋଏ ଯେଣୁ ଭ୍ରମ

।।

ଆତ୍ମା ହୃଦୟ ନେତ୍ର ପଥେ

ତୋର ନିବାସ ଅବିରତେ

।।

ତୋତେ ନ ଦେଖେ ପ୍ରାଣୀ ପୁଣ

ତୋର ମାୟାରେ ହୋଇଭ୍ରମ

।।

ଅନ୍ତରେ ଥାଇ ତୁ ଅନ୍ତର

ହେଉ ନଜାଣେ ତୋତେ ନର

।।

ଯେ ନାରାୟଣ ଏ ଜଗତେ

ପୂରିଛି ସର୍ବ ଅନ୍ତର୍ଗତେ

।।

ତୋହର ଦରଶନ ଲାଭେ

ବେଦ ତତ୍ତ୍ୱରେ ପ୍ରାଣୀ ସେବେ

।।

ଉପ ନିଷଦ ବ୍ରହ୍ମଭାଗ

ବେଦ ବଚନ ହବିର୍ଭାଗ

।।

ଷଡ଼ାଙ୍ଗେ କରିଣ ସାଧନ

ଅଷ୍ଟାଙ୍ଗେ କରି ଯୋଗଧ୍ୟାନ

।।

ତୋ ଦରଶନେ ଯତ୍ନକରେ

ମୋହିତ ହୋଇ ତମ ଘୋରେ

।।

ବେଦ ଯା ନାମ ଭଜୁଛନ୍ତି

ଯଶ କର୍ମ ମାର୍ଗେଣ ସ୍ତୁତି

।।

ସାକ୍ଷାତେ ଜଗତର ଗୁରୁ

ସେ ନାରାୟଣ ଅବତରୁ

।।

ଯାହାର ଦରଶନ ଭାବେ

ବେଦତତ୍ତ୍ୱ ମାର୍ଗରେ ସେବେ

।।

ଦେଖିବା ଅର୍ଥେ ମୋହିହେଲେ

ଅର୍ଥ ବାଦ ସୂକ୍ଷ୍ମ ବିହ୍ୱଳେ

।।

ମୋହିତ ହୁଅନ୍ତି ତମରେ

ଦର୍ଶନ ଅର୍ଥେ ଯତ୍ନକରେ

।।

ଦର୍ଶନ ପାଆନ୍ତି ସୂକ୍ଷ୍ମରେ

ସକଳ ଦେବ ବାକ୍ୟସାରେ

।।

ତୁମ୍ଭେ ନିର୍ଗୁଣ ଭକ୍ତବଶ

ହେ ମହା ପରମ ପୁରୁଷ

।।

ମୋ ନମସ୍କାର ତୁମ୍ଭ ପାଦେ

ଅନେକ ସ୍ତୁତି ବାକ୍ୟବାଦେ

।।

ସେ ମାରକଣ୍ଡ ମହାମୁନି

ଚରଣେ ଲଗାଇ ମୂର୍ଦ୍ଧନି

।।

ଦ୍ୱାଦଶ ନବମ ଅଧ୍ୟାରେ

ମାର୍କଣ୍ଡ ପୁଣ ସ୍ତବକରେ

।।

ହେ ଦେବ ଦେବ ନାରାୟଣ

ସକଳ ଜଗତ କାରଣ

।।

ଶରଣାଗତ ତାପହର

ସାଯୁଜ୍ୟ ପଥେ ନେଇ କର

।।

ସେ ତୁମ୍ଭେ ମୋ ଚକ୍ଷୁ ଗୋଚରେ

ଦର୍ଶନ ଦିଅ ସାକ୍ଷାତରେ

।।

ଏ ବର ମାଗୁଅଛି ମୁହିଁ

ତୁମ୍ଭ ଦର୍ଶନ ପାଇବଇଁ

।।

ତୁମ୍ଭର ଚରଣକୁ ଧ୍ୟାୟି

ପରମ ଆତ୍ମାକୁ ମିଶାଇ

।।

ଅଷ୍ଟାଙ୍ଗ ଯୋଗ ଧାରଣାରେ

ଦେଖନ୍ତି ଆତ୍ମାର ଭିତରେ

।।

ହେ ପଦ୍ମପତ୍ର ଅବୃପାଣି

ହେ ପୁଣ୍ୟ ଶ୍ଳୋକ ଶିଖାମଣି

।।

ତୁମ୍ଭ ଅନୁଗ୍ରହ ପ୍ରଭାବ

ମାୟା ମହିମା ଦେଖାଇବ

।।

ଯେ ମାୟା ସକଳ ଲୋକରେ

ଲୋକପାଳାଦି ବଶକରେ

।।

ଏହି ଦ୍ୱାଦଶ ଦଶାଧ୍ୟାରେ

ମାର୍କଣ୍ଡ କୃଷ୍ଣସ୍ତୁତି କରେ

।।

ହେ ବାସୁଦେବ ନମୋଽସ୍ତୁତେ

ଶରଣାଗତ ବୋଲି ତୋତେ

।।

ତୁମ୍ଭ ଚରଣାବିନ୍ଦ ପୁଣ

ଅଭୟ ଦାତା ପରିପୂର୍ଣ୍ଣ

।।

ବ୍ରହ୍ମାଦି ଦେବତା ଯେମାନେ

ସେବନ୍ତି ଜ୍ଞାନ ପରାୟଣେ

।।

ତୁମ୍ଭ ଚରଣେ ଭଜୁଛନ୍ତି

ମାୟାରେ ମୋହ କେହିହୋନ୍ତି

।।

ଏ ଭବ ସଂସାର ସାଗରେ

ତୋ ବିନୁ କେ ଉଦ୍ଧରିପାରେ

।।

ଭଣଇ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ଼

।।

ହେ ସୁଜ୍ଞଜନେ ଆଜ୍ଞାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତ ବାକ୍ୟେ

ନାମ ପଞ୍ଚତ୍ରିଂଶୋଽଧ୍ୟାୟଃ ।

Image

 

ଷଷ୍ଟତ୍ରିଂଶ ଅଧ୍ୟାୟ

 

ଦ୍ୱାଦଶ ଏଗାର ଅଧ୍ୟାରେ

ଭକ୍ତେ ସ୍ତବନ୍ତି ଏ ସ୍ତବରେ

।।

ଏମନ୍ତେ ସ୍ତବ ଯେ କରନ୍ତି

ନମସ୍ତେ ପ୍ରଭୁ ଜଗଜ୍ଜ୍ୟୋତି

।।

ହେ କୃଷ୍ଣ କୃଷ୍ଣ ସର୍ବ ମୁଖ୍ୟ

ଏ ମାୟା ମୟକୁ ଉପେଖ

।।

କୃଷ୍ଣ ସଖା ଅର୍ଜୁନ ଯେଣୁ

ଶ୍ରୀକୃଷ୍ଣ ନାମ ତୋର ତେଣୁ

।।

ହେ କୃଷ୍ଣ ଶ୍ରେଷ୍ଠ ହେ ଭୂଧର

ଦୁଷ୍ଟ ରାକ୍ଷସ ନାଶକର

।।

ହେ ବାୟୁ ଆପ ଦାବାନଳ

ଗୋବିନ୍ଦ ମଦନ ଗୋପାଳ

।।

ହେ ଗୋପୀପତି ହେ ଗୋକୁଳ

ଅନାଦି ପ୍ରଭୁ ଆଦିମୂଳ

।।

ହେ ଭୃତ୍ୟ ବିପଦ ନାଶନ

ହେ ତୀର୍ଥ ପଦ ନାରାୟଣ

।।

ହେ କୃଷ୍ଣ ଶ୍ରବଣ ମଙ୍ଗଳ

ଅଖିଳ ସର୍ବ ସିଦ୍ଧିଫଳ

।।

ଏ ଯେ ତୁମ୍ଭ ବିଭୂତି ମାନ

ବ୍ରହ୍ମାଦି ତୃଣଙ୍କୁ ସର୍ଜନ

।।

ତାହାଙ୍କୁ ତୁମ୍ଭେ ରକ୍ଷାକର

ଅଶେଷ ମହିମା ତୁମ୍ଭର

।।

ଏତେ ପ୍ରକାରେ ଭକ୍ତମାନେ

ନିରତେ ସ୍ତୁତି କରି ଜ୍ଞାନେ

।।

ଦ୍ୱାଦଶ ତେର ଯେ ଅଧ୍ୟାରେ

ସୂତ ଏମନ୍ତ ସ୍ତୁତି କରେ

।।

ବ୍ରହ୍ମା ବରୁଣ ଇନ୍ଦ୍ର ଭବ

ଦିବ୍ୟ ସ୍ତୁତିରେ ସ୍ତୁତିଭାବ

।।

ଅଙ୍ଗ ଉପାଙ୍ଗ ପଦ କ୍ରମେ

ବେଦ ଉପନିଷଦ ଧର୍ମେ

।।

ସୁମୂର୍ତ୍ତି କରି ଶ୍ୟାମ ବେଦ

ଗାୟନକରି ବ୍ରହ୍ମପଦ

।।

ସାମ ଗାୟନେ ବିପ୍ରଜନେ

ମହିଁମା ଗାୟନ ବଦନେ

।।

ଧ୍ୟାନରେ ତଦଗତ ହୋଇ

ପରମଯୋଗୀ ତାହା ଧ୍ୟାୟି

।।

ଆତ୍ମା ସ୍ୱରୂପ ଦେଖୁଛନ୍ତି

ଯା ଅନ୍ତ କେହି ନ ଜାଣନ୍ତି

।।

ସେ ବ୍ରହ୍ମରୂପୀ ଯେ ଈଶ୍ୱର

ତାହାଙ୍କୁ ମୋର ନମସ୍କାର

।।

କ୍ଷୀର ସମୁଦ୍ର ମନ୍ଥନର

ପୃଷ୍ଠେ ମନ୍ଦର ଗିରିବର

।।

ଭ୍ରମିଲା ଦଧିଭାଣ୍ଡ ପ୍ରାୟେ

ସମୁଦ୍ର ମନ୍ଥନ ସମୟେ

।।

ଦେବ ବରଷରେ ଗଣନା

ସହସ୍ରେ ବରଷ ବର୍ଣ୍ଣନା

।।

କଣ୍ଡୁ ଯେ କୂର୍ମପୃଷ୍ଠେ ଥିଲା

ଘର୍ଷଣ ସୁଖ ସେ ପାଇଲା

।।

ନିଦ୍ରା ଉପୁଜିଲା ତାଙ୍କର

ସେନାଦେ ପବନବାହାର

।।

ନିଶ୍ୱାସପାତେ ବାତହୋଇ

ସେ ଯେ ପବନ ସର୍ବ ସହି

।।

ସର୍ବ ଜୀବର ରକ୍ଷାହେତୁ

ଜନ୍ମ ବଞ୍ଚିତ ସର୍ବ ଜନ୍ତୁ

।।

ଏ ଦେହ ଆତ୍ମା ଆବରଣ

ବିଅର୍ଥେ ଅସତ୍ୟ ପ୍ରମାଣ

।।

ତୋ ମାୟା ମୋର ମନେ ଥାଇ

ଦେହାଦି ଅଭିମାନ ବହି

।।

ମୋହେ ଜନ୍ମ ସେ କରୁଅଛି

ଏ ମାୟା ମୋର ମନେ ରଖି

।।

ସେ ମାୟାରଜ୍ଜୁ ନିକୃନ୍ତନେ

ନିତ୍ୟେ ଭଜଇ ତୋ ଚରଣେ

।।

ତୋତେ ଭଜନ୍ତି ଯେତେଜନ

ଲଭନ୍ତି ବାଞ୍ଛା ଫଳମାନ

।।

ମୋତେ ତୋ ଚରଣେ ଲଗାଅ

ମାୟାବନ୍ଧନ ଫେଡ଼ିଦିଅ

।।

ତୁ ଅବା ବୋଲିବୁ ଏମନ୍ତ

ଅଛନ୍ତି ବ୍ରହ୍ମା ଉମାକାନ୍ତ

।।

ସତ୍ୱ ରଜ ତମ ତ୍ରିଗୁଣ

ବ୍ରହ୍ମା ବିଷ୍ଣୁ ଶଙ୍କର ପୁଣ

।।

ସେ ରୂପ ବହିଣ ସଂସାରେ

ଉତ୍ପତ୍ତି ସ୍ଥିତି ପ୍ରଳେକରେ

।।

ଏମାନେ ତୋର ମାୟାବଳେ

ଭ୍ରମନ୍ତି ସିନା ଏ ଶୟଳେ

।।

ସ୍ଥିତି ଆଦି ଯେ ସେ କରନ୍ତି

କାଳେ କାଳକୁ ନ ଜିଣନ୍ତି

।।

ଏଣୁ ତୁ ଏ ଜୀବ କାରଣ

ତେଣୁ ଶରଣ ତୋ ଚରଣ

।।

ତୋ ବିନୁ ଆନ ଯେ ଭଜଇ

ମୋହ ଭୟ ତା ନ ଖଣ୍ଡଇ

।।

କେବଳ ତୋ ଚରଣ ଚିନ୍ତି

ପ୍ରାଣୀ ମୋକ୍ଷମାର୍ଗ ଲଭନ୍ତି

।।

ତୁ ଯେଣୁ ଆତ୍ମାର ବାନ୍ଧବ

ତୋ ଭାବେ ତରେ ଭବାର୍ଣ୍ଣବ

।।

ତୁମ୍ଭେ ଯେ ଶୁଦ୍ଧ ଶୁକ୍ଳବର୍ଣ୍ଣ

ନିର୍ଗୁଣ ରୂପୀ ନରୋତ୍ତମ

।।

ଯେ ପ୍ରାଣୀ ତୁମ୍ଭଙ୍କୁ ଭଜନ୍ତି

ତ୍ରିଗୁଣବନ୍ଧରୁ ତରନ୍ତି

।।

ମୁକ୍ତି ହୋଇ ଚରଣେ ଲୀନ

ସୁଖେ ଲଭେ ବୈକୁଣ୍ଠସ୍ଥାନ

।।

ଏ ତୋର ଯେଣୁ ସତ୍ୱଗୁଣ

ସେ ଭାବେ ଚିନ୍ତାକରି ପୁଣ

।।

ସେ ସତ୍ୱଗୁଣରେ ମିଶନ୍ତି

ରଜ ତମକୁ ନ ଇଚ୍ଛନ୍ତି

।।

ସତ୍ୱରୁ ଆତ୍ମାସୁଖ ହୋଏ

ଅନ୍ୟ କେବଳ ଦୁଃଖମୟେ

।।

ତେଣୁ ମୁଁ ନ ଜାଣଇ ଆନ

କେବଳ ପ୍ରଭୁ ଭଗବାନ

।।

ଭଗବତ ପୁରୁଷୋତ୍ତମ

ପରମଗୁରୁ ବିଶ୍ୱଧାମ

।।

ତାହାର ନିଶ୍ୱାସ ପବନ

ବାଜି ସମୁଦ୍ର କମ୍ପମାନ

।।

ତରଙ୍ଗ ଲହରିର ଘାତ

ଏଦେହେଁ ନୋହିଛି ନିବର୍ତ୍ତ

।।

ଅନ୍ୟୋଅନ୍ୟତଟେ ଭାସଇ

ସେ କୂର୍ମରୂପେ ବିଶ୍ୱଦେହୀ

।।

ତାହାକୁ ମୋର ନମସ୍କାର

ସେ ଦେବ ଦେବଙ୍କ ଈଶ୍ୱର

।।

ଭଗବତ ଯେ ବାସୁଦେବ

ସର୍ବ ଆତ୍ମା ସ୍ୱରୂପା ଜୀବ

।।

ପାପ ପୁଣ୍ୟ ସେ ସାକ୍ଷୀ ପୁଣ

ନମସ୍କାର ତାଙ୍କ ଚରଣ

।।

ମୋକ୍ଷ ନିମିତ୍ତେ ଧର୍ମ କହି

ଶ୍ରୀ ଭାଗବତ ଅନୁଗୃହୀ

।।

ଯୋଗୀନ୍ଦ୍ର ଶୁକଦେବ ପାଦେ

ନମସ୍କାର ମୋର ଆନନ୍ଦେ

।।

ସେ ବ୍ରହ୍ମଋଷି ଯେ ଅଟନ୍ତି

ସଂସାର ସର୍ପେ ଦଂଶ ଦେଖି

।।

ବିଷ୍ଣୁଭକ୍ତ ଯେ ପରୀକ୍ଷିତ

ତାକୁ ସଂସାରୁ କଲେ ମୁକ୍ତ

।।

ତାହାଙ୍କୁ ପୁନଃ ପୁନଃ ହୋଇ

ନମସ୍କାର କରଇ ମୁହିଁ

।।

ହେ ସୁଜ୍ଞଜନେ ଏ ପ୍ରକାରେ

ପୂଜିବ ନିର୍ମଳ ଚିତ୍ତରେ

।।

ଯାହାର ଯେଉଁ ମନୋରଥ

ପ୍ରସନ୍ନ କଲେ ଜଗନ୍ନାଥ

।।

ଏ ସର୍ବ ସ୍ତବ ଯେଉଁ ନର

ବୋଲିବ ନିର୍ମଳ ଚିତ୍ତର

।।

ଯେ ଅବା ଶ୍ରବଣ କରିବେ

ସର୍ବବାଞ୍ଛିତ ସେ ଲଭିବେ

।।

ଶ୍ରୀ ଭାଗବତ ପୁରାଣରେ

ଲେଖାଅଛି ଫଳଶ୍ରୁତିରେ

।।

ମୋ ଜୀବ ଉଦ୍ଧାର ନିମିତ୍ତେ

ଶ୍ରୀ ପ୍ରାଣପତିଙ୍କ ଅଗ୍ରତେ

।।

ମୁଁ ମୂଢ଼ ଜଣାଇବାପାଇଁ

ଏ ସ୍ତବ କିଛି ଲେଖିଲଇଁ

।।

ହେ ସୁଜ୍ଞଜନେ ମୋର ଦୋଷ

କ୍ଷମାକରିବେ ହୋଇ ତୋଷ

।।

ଏ ସ୍ତବକଳ୍ପଦ୍ରୁମ ନାମ

ଲେଖାଇଲେ ଦଧିବାମନ

।।

ଭଜଇ ବଳଭଦ୍ର ମୂଢ଼

ମୋ ଚିତ୍ତ କୃଷ୍ଣପାଦେ ଦୃଢ

।।

ହେଉ ସୁଜନେ ଆଜ୍ଞାକର

ନମଇଁ ଚରଣେ ତୁମ୍ଭର

।।

 

ଇତି ଶ୍ରୀ ସ୍ତବକଳ୍ପଦ୍ରୁମେ ଶ୍ରୀମଦ୍ଭାଗବତବାକ୍ୟେ ଗ୍ରନ୍ଥ

ସଂପୂର୍ଣ୍ଣ ନାମ ଷଟ୍‌ତ୍ରିଂଶୋଽଧ୍ୟାୟଃ ।

Image